ଆବିର୍ଭାବ :- ୧୭-୦୯-୧୯୩୭
ଜନ୍ମସ୍ଥାନ :- ମାହାଙ୍ଗା, କେନ୍ଦ୍ରାପଡ଼ା
ଶ୍ରୀ ସୀତାକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟାକାଶର ଏକ ଚିରଦୀପ୍ତିମାନ୍ ଜ୍ୟୋତିଷ୍କ । ପିତା ଶ୍ରୀ ଭଗବାନ ମହାପାତ୍ର ଓ ମାତା ଶ୍ରୀମତୀ ଇନ୍ଦୁମତୀ ମହାପାତ୍ରଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ମହାପାତ୍ର ସ୍କୁଲ ଏବଂ କଲେଜରେ ଅଧ୍ୟୟନ କଲା ସମୟରୁ ନିଜ ଗଭୀର ମେଧାର ପରିଚୟ ଦେଇଥିଲେ । କୋରୁଆ ହାଇସ୍କୁଲରୁ ମାଟ୍ରିକ ପାସ୍ କଲାପରେ ସେ ତତ୍କାଳୀନ ରେଭେନ୍ସା କଲେଜରୁ ୧୯୫୭ ମସିହାରେ ଇତିହାସରେ ବି.ଏ. (ଅନର୍ସ) ଏବଂ ୧୯୫୯ ମସିହାରେ ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍.ଏ. କରିଥିଲେ । ଏହି ସମୟରେ ସେ ବିଶ୍ୱବିଦ୍ୟାଳୟ ଇଂରାଜୀ ମୁଖପତ୍ରର ସଂପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ଯାହା ତାଙ୍କ ଭବିଷ୍ୟତର ସାରସ୍ୱତ ଯାତ୍ରାକୁ ଦୃଢ଼ସଂକଳ୍ପିତ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାୟ ଦୁଇବର୍ଷର ଅଧ୍ୟାପନା ପରେ ଶ୍ରୀ ମହାପାତ୍ର ୧୯୬୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୫ ମସିହାରେ ଅବସର ଗ୍ରହଣ କରିଥିଲେ । ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ଭାଷା ପାଇଁ ଥିବା ତାଙ୍କର ନିଃସ୍ଵାର୍ଥ ତଥା ନିଷ୍ଠାପର ଭଲପାଇବା କେବଳ ଦେଶରେ ନୁହେଁ, ବିଶ୍ଵ ଦରବାରରେ ତାଙ୍କୁ ଜଣେ ଉଚ୍ଚକୋଟୀର ସାହତ୍ୟିକଭାବେ ପରିଚୟ ପ୍ରଦାନ କରିଛି । ହୋମିଭାବା ଫେଲୋସିପ ନେଇ ୧୯୭୫ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ଧରି ସେ ପୂର୍ବଭାରତର ଆଦିବାସୀ ସମାଜ ଉପରେ ଗଭୀର ଅଧ୍ୟୟନ କରିଥିଲେ । ଏହାର ପରିଣାମ ସ୍ୱରୂପ ନୃତତ୍ତ୍ୱ ଉପରେ ତାଙ୍କର ଦୁଇଟି ଗବେଷଣା ଗ୍ରନ୍ଥ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି । ପାରମ୍ପରିକ ଆଦିବାସୀ ଜୀବନ ଓ ଆଧୁନିକ ବିକାଶ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ସଂପର୍କରେ ସେ ଏହି ଦୁଇ ଗ୍ରନ୍ଥରେ ଗଭୀର ଅନୁଶୀଳନ କରିଛନ୍ତି । ଏଯାବତ୍ ଉଭୟ ଓଡ଼ିଆ ଓ ଇଂରାଜୀରେ ୫୦ରୁ ଉର୍ଦ୍ଧ୍ୱ କବିତା ଗ୍ରନ୍ଥ, ଗବେଷଣା ପୁସ୍ତକ, ଅନୁବାଦ ପୁସ୍ତକ ଓ ପ୍ରବନ୍ଧ ଆଦି ରଚନା କରି ସାରସ୍ୱତ-ସିଦ୍ଧିର ଏକ ନୂତନ ଆଦର୍ଶ ସ୍ଥାପନ କରିପାରିଥିବା ଶ୍ରୀ ମହାପାତ୍ର ଏବେ ମଧ୍ୟ ‘ଇଣ୍ଟର୍ନ୍ୟାସନାଲ ଏକାଡେମି ଅଫ ପୋଏଟ୍ସ’ର ‘ଅନୋରାରି ଫେଲୋ’ ରହିଛନ୍ତି । ଭାରତୀୟ ସାହିତ୍ୟକୁ ବିଶେଷ ଅବଦାନ ପାଇଁ ସେ ଜ୍ଞାନପୀଠ ପୁରସ୍କାର ପାଇବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି ଫେଲୋ, ସାର୍କ ଲିଟରାରି ଆଓ୍ୱାର୍ଡ଼, ଟାଗୋର ଆଓ୍ୱାର୍ଡ଼, ଶାରଳା ପୁରସ୍କାର, ଉତ୍କଳ ଭାରତୀ ସମ୍ମାନ, ବିଷୁବ ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର, ଏବଂ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହାଛଡ଼ା ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଉପାଧିରେ ଭୂଷିତ କରିଥିଲେ । ଅବସର ଗ୍ରହଣ ପରେ ସେ ଦୀର୍ଘଦିନ ଧରି ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । ଅଦ୍ୟାବଧି ଶ୍ରୀ ମହାପାତ୍ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଇଣ୍ଟର୍ନ୍ୟାସନାଲ ଏକାଡେମି ଅଫ ପୋଏଟ୍ସର ଅନୋରାରି ଫେଲୋ ରହିଛନ୍ତି । ସାନ୍ତାଳୀ ଭାଷା ଓ ସଂସ୍କୃତି ଉପରେ ଶ୍ରୀ ମହାପାତ୍ରଙ୍କ ଗଭୀର ଅଧ୍ୟୟନର ଫଳଶ୍ରୁତିସ୍ୱରୂପ ପ୍ରକାଶ ପାଇଛି ଅନ୍ଏଣ୍ଡିଂ ରିଦିମ୍ସ ଯେଉଁଥିରେ ଲିଖିତ ରୂପ ନେଇଛି କାହିଁ କେଉଁ କାଳରୁ ପିଢ଼ି ପରେ ପିଢ଼ି ଧରି ତୁଣ୍ଡେ ତୁଣ୍ଡେ ଗଡ଼ିଆସିଥିବା ସାନ୍ତାଳୀ ଲୋକକଥା ଓ ଲୋକ-ସଂଗୀତର ଇଂରାଜୀ ଅନୁବାଦ ।
କବିତା ଗ୍ରନ୍ଥ – ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର, ସାରହୁଲର ଜହ୍ନ, ଚିତ୍ରନଦୀ, ଆର ଦୃଶ୍ୟ, ସମୟର ଶେଷ ନାମ, କାହାକୁ ପୁଚ୍ଛିବା କୁହ, ଚଢ଼େଇରେ ତୁ କି ଜାଣୁ, ଫେରି ଆସିବାର ବେଳ, ଶ୍ରେଷ୍ଠ କବିତା, ବର୍ଷା ସକାଳ, ପାଦ ଚିହ୍ନ, ମୃତ୍ୟୁର ଅସୀମ ଧୈର୍ଯ୍ୟ, ନିର୍ବାଚିତ କବିତା, କପଟ ପାଶା, ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ୍ୟ କବିତା, ସୂର୍ଯ୍ୟ ତୃଷ୍ଣା, ପ୍ରଦକ୍ଷିଣ, କବିତା ଓ ପିଲାଦିନ, ସାରା ଜୀବନ ଲୋକଟା, ଭାରତବର୍ଷ, କୁନି ଚଢ଼େଇ ଓ ଭିନ୍ନ ଆକାଶ, ସ୍ୱର ଓ ସ୍ୱପ୍ନର ସିଂଫୋନୀ, ହାତ ପାପୁଲିରେ ଇନ୍ଦ୍ରଧନୁ, ଅସଫଳ ଆରୋପ, ଆଉ କେବେ ଆସ, ଋତୁସଂହାର, ପ୍ରତି ଅକ୍ଷରରେ ମୋର ପୁନର୍ଜନ୍ମ, ପକ୍ଷୀ ଏକେଲା, ପଡ଼ୋଶୀ ଓ ଅନ୍ୟାନ୍ୟ କବିତା, ବେଶୀ କିଛି କହିବାର ନାହିଁ ।
ପ୍ରବନ୍ଧ – ଭିନ୍ନ ଆକାଶ ଭିନ୍ନ ଦୀପ୍ତି, ନିଃସଙ୍ଗ ମଣିଷ, ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା, ଅନ୍ଧାରର ଝୋଟି ଚିତ୍ର, ସମୟର ଆରପାରି