ଡ. ମାୟାଧର ମାନସିଂହ

ଆବିର୍ଭାବ :- ୧୩-୧୧-୧୯୦୫
ତିରୋଧାନ :- ୧୧-୧୦-୧୯୭୩
ଜନ୍ମସ୍ଥାନ :- ନନ୍ଦଳା, ପୁରୀ

ଓଡ଼ିଆ ସାହିତ୍ୟଜଗତରେ ପ୍ରଣୟୀ କବିଭାବେ ପରିଚିତ ଡଃ ମାୟାଧର ମାନସିଂହ ତତ୍କାଳୀନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ତତ୍କାଳୀନ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ର ଥିଲେ । ପ୍ରଖ୍ୟାତ ରେଭେନ୍ସା ମହାବିଦ୍ୟାଳୟ ରେ  ସ୍ନାତକ ପାଠ୍ୟକ୍ରମ ସଂପୂର୍ଣ୍ଣ କରି ଡଃ ମାନସିଂହ ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ବିଲାତର ତତ୍କାଳୀନ ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟ ଉପରେ ଆଧାରିତ ଏକ ତୁଳନାତ୍ମକ ନିବନ୍ଧ ଲେଖି ପିଏଚ.ଡି. ଉପାଧି ଲାଭ କରିଥିଲେ ।

ଡଃ ମାନସିଂହ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ 'ଆରତି' ପତ୍ରିକାର ସମ୍ପାଦନା ସହ ଜଡ଼ିତ ଥିଲେ । ସ୍ୱାଧୀନତା ପରେ ସେ ମାସିକ ସାହିତ୍ୟ ପତ୍ରିକା 'ଶଙ୍ଖ'ର ସମ୍ପାଦନା କରିଥିଲେ । ପ୍ରଣୟ ଉପରେ ଆଧାରିତ ତାଙ୍କର ‘ଧୂପ’ ପୁସ୍ତକ ପାଇଁ ସେ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କର କବିତା-ପୁସ୍ତକସମ୍ଭାର ମଧ୍ୟରେ ‘ଧୂପ’ ବ୍ୟତୀତ ‘ହେମପୁଷ୍ପ’, ‘ହେମଶସ୍ୟ’, ‘ସାଧବ ଝିଅ’, ‘ପୂଜାରିଣୀ’, ‘କମଳାୟନ’, ‘ଉପେକ୍ଷିତା’,’ କୋଣାର୍କ’, ‘ଜୀବନ ଚିତା’, ‘କୃଶ’, ‘ମାଟିବାଣୀ’, ‘ବାପୁ ତର୍ପଣ’, ‘ସିନ୍ଧୁ ଓ ବିନ୍ଦୁ’, ‘ନିକ୍ୱଣ’, ‘ଅକ୍ଷତ’, ‘ସେଦିନର କବିତା’, ‘ଶୁଭଦୃଷ୍ଟି’, ‘ଜେମା’ ଓ ‘ମୋ ବୋଉ’ ଅନ୍ତର୍ଭୁକ୍ତ ।

କବିତା, ପ୍ରବନ୍ଧ, ସମାଲୋଚନା, ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି   ଡଃ ମାନସିଂହ ପଚାଶରୁ ଅଧିକ ଗ୍ରନ୍ଥ ରଚନା କରିଛନ୍ତି । ତାଙ୍କ ଲିଖିତ ‘The Saga of the Land of Jagannatha’ (English)ରେ ପ୍ରାଚୀନ ଓଡ଼ିଶା ସଂପର୍କରେ ବିଶଦ ଆଲୋଚନା ଦେଖିବାକୁ ମିଳେ । ସେହିପରି ତାଙ୍କର ‘History of Oriya Literature’ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ହୋଇଛି । ଏସବୁ ବ୍ୟତୀତ ସେ ଲେଖିଛନ୍ତି ‘ମହତବାଣୀ’, ‘ଗୀତା ମାହାତ୍ମ୍ୟ’ ଓ ‘ସାର୍ବଜନୀନ ଗୀତା’ । ଓ୍ୱିଲିୟମ ସେକ୍‍ସପିଅର୍‍ଙ୍କ ‘ହାମ୍‍ଲେଟ’ ଓ ‘ଅଥେଲୋ’ର ସେ ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି ।

ଡଃ ମାନସିଂହଙ୍କ ପାଣ୍ଡିତ୍ୟ ଯେପରି ଅଗାଧ ଥିଲା, ତାଙ୍କ ସାହିତ୍ୟ ସର୍ଜନା ମଧ୍ୟ ସେହିପରି ଓଜସ୍ଵୀ ଥିଲା । ତାଙ୍କ ରଚିତ ପ୍ରବନ୍ଧମାଳା ମଧ୍ୟରେ 'ଜୀବନ ପଥ', 'ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ', 'ଓଡ଼ିଆ ସମାଜ ଓ ସାହିତ୍ୟ' ପ୍ରଭୃତି ଉଲ୍ଲେଖନୀୟ । ସାଧରଣ ଜୀବନର ସମସ୍ୟାଠାରୁ ଆରମ୍ଭ କରି ସାହିତ୍ୟ, ସମାଜ, ସସ୍କୃତି ଇତ୍ୟାଦି ବହୁବିଧ ବିଷୟ ଥିଲା ମାନସିଂହଙ୍କ ରଚନାର ଭିତ୍ତିଭୂମି । ସତ୍ୟାନୁସନ୍ଧିତ୍ସୁ ମାୟାଧର ସଦାସର୍ବଦା ସତ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ଏପରିକି ସେ ଅପ୍ରିୟ ସତ୍ୟ ପ୍ରକାଶ କରିବାକୁ ଭ୍ରୂକ୍ଷେପ କରୁନଥିଲେ । ବ୍ୟକ୍ତିଗତ ପ୍ରେମକୁ ସେ ଯେଭଳି ନିଖୁଣଭାବେ କାବ୍ୟିକ ରୂପ ଦେବାରେ ସଫଳ ହୋଇଛନ୍ତି, ମଣିଷର ଦାରିଦ୍ର୍ୟ ଓ ଦୁଃଖଯନ୍ତ୍ରଣା ତାଙ୍କ କବିତାରେ ଅନୁରୂପଭାବେ ପ୍ରତିଫଳିତ ହୋଇପାରିଛି । ପରମ୍ପରାଗତ ଧାରାରୁ ବାହାରି ଡଃ ମାନସିଂହ ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରି ଏକ ନୂଆ ପରମ୍ପରାର ସୂତ୍ରପାତ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।


ରଚନାବଳୀ
କବିତା ସଂକଳନ
ଗୀତିକବିତା
ଗୀତିନାଟ୍ୟ
ଉପନ୍ୟାସ
ଭ୍ରମଣ କାହାଣୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll