ଶ୍ରୀ ବିଭୂତି ପଟ୍ଟନାୟକ

ଆବିର୍ଭାବ :- ୨୫-୧୦-୧୯୩୭
ଜନ୍ମସ୍ଥାନ :- ଜିରା ଗ୍ରାମ, ଜଗତସିଂହପୁର

ଓଡ଼ିଶା ପ୍ରଦେଶସ୍ଥ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଡିଙ୍ଗେଶ୍ଵର ନିକଟବର୍ତ୍ତୀ ଜିରା ଗ୍ରାମରେ ପିତା ଗୁଣମଣି ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ରୂପରେ ସାହିତ୍ୟଶିଳ୍ପୀ ଶ୍ରୀ ବିଭୂତି ପଟ୍ଟନାୟକ ଭୂମିଷ୍ଠ ହୋଇଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଭାବେ ସେ ବହୁତ ଭଲ ପାଇବା ପାଇଥିଲେ । ଏହି ମହାମାନବଙ୍କ ଜୀବନ ଉପରେ ଦୃଷ୍ଟିଗୋଚର କଲେ ଜଣାପଡ଼େ ଯେ ପେସାରେ ସରକାରୀ ମହାବିଦ୍ୟାଳୟର ଜଣେ ସୁନାମଧାନ୍ୟ ଅଧ୍ୟାପକ ଥିବାବେଳେ ନିଶାରେ ଉଚ୍ଚକୋଟିର ସାରସ୍ଵତଶିଳ୍ପୀ ଅଟନ୍ତି । ସାହିତ୍ୟଶିଳ୍ପୀ ଶ୍ରୀ ପଟ୍ଟନାୟକ ଉପନ୍ୟାସ ଓ ଗଳ୍ପ ବ୍ୟତୀତ ବିଭିନ୍ନ ସମ୍ବାଦପତ୍ରରେ ବହୁ ତାତ୍ତ୍ଵିକ ଓ ସମାଜନିଷ୍ଠ ପ୍ରବନ୍ଧ ଲେଖିଛନ୍ତି । ‘ସାମ୍ପ୍ରତିକ ସାହିତ୍ୟ', ‘ସାହିତ୍ୟର ସୂଚୀପତ୍ର’, ‘ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ଵିକ ଅଧ୍ୟୟନ’ ପ୍ରଭୃତି ଗ୍ରନ୍ଥ ସଂରଚନା କରି ତାଙ୍କ ସମାଲୋଚନା କଳାର ଚରମ ନିଦର୍ଶନ ଦେଇଛନ୍ତି । ମେଧାବୀ ଶ୍ରୀ ପଟ୍ଟନାୟକ ପ୍ରସିଦ୍ଧ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ପିଏଚ.ଡି. ଉପାଧି ଲାଭ କରିଛନ୍ତି ।

‘ଚପଳଛନ୍ଦା', ‘ନାୟିକାର ନାମ ଶ୍ରାବଣୀ', ‘ବଧୂ ନିରୁପମା, ‘କେଶବତୀ କନ୍ୟା', 'ଅଶୋକ ବନର  ସୀତା’, ‘ଦଗ୍ଧ ଫୁଲବନ’, ‘ସୁଲୋଚନା', 'ଛବିର ମଣିଷ', ‘ସୁଲତାନୀ’, ‘ପ୍ରେମିକା', ଶେଷବସନ୍ତ', “ପ୍ରଥମ ସକାଳ’, ‘ପ୍ରେମ ଓ ପୃଥିବୀ', 'ଆକାଶ କୁସୁମ', 'ଅସବର୍ଣ୍ଣ', ‘ବନ୍ଦୀ-ଯାଯାବର, ‘ଶୂନ୍ୟ ପଞ୍ଜୁରୀର ପକ୍ଷୀ’, ‘ଅନ୍ଧକାରର ଶିଢି’, ମଧ୍ୟାହ୍ନର ଦିବାରାତ୍ରି', ରାଗ ଅନୁରାଗ’, ‘ସତୀ ଅସତୀ', ‘ରଙ୍ଗନଟୀ', 'ଛାୟା ଚନ୍ଦ୍ରିକା', “ପାପ ପୁଣ୍ୟ, ‘ଗାରେ କଜ୍ଜଳ ଧାରେ ଲୁହ, ତୃତୀୟ ପୁରୁଷ', 'ଖେଳଘର ଭାଙ୍ଗିଗଲା', ‘ସୁଡ଼ଙ୍ଗ ଶେଷରେ ସୂର୍ଯ୍ୟୋଦୟ', 'ଶେଷ ଅଭିନୟ', 'ଏକାକିନୀ କୁନ୍ତଳା', ‘ବର୍ଣ୍ଣମାଳା', 'ନଦୀ ନାରୀ ନକ୍ଷତ୍ର’, ହେ ବନ୍ଧୁ ବିଦାୟ', 'ଓଦାମାଟିର ସ୍ଵର୍ଗ’, “ଅପୂର୍ଣ୍ଣ ପ୍ରତିମା, 'ନିଃସଙ୍ଗ ବିହଙ୍ଗୀ', 'ନିଃସଙ୍ଗ କ୍ଷେତ୍ର', ‘ନଷ୍ଟ ଚରିତ୍ର', ଏଇ ଗାଁ ଏଇମାଟି, ଏଇମନ ବୃନ୍ଦାବନ, ସ୍ନାୟୁର ସହରରେ ଶାନ୍ତିଭଙ୍ଗ, ‘ସମୟର ଶୋକ, ‘କୌଣସି କୁଳବଧୂ, ‘ଟୋପାଏ ସିନ୍ଦୂର ଦିପଟ ଶଙ୍ଖା', ‘ବୋଲି ମାଉସୀ', “ପ୍ରିୟବାନ୍ଧବୀ', ‘ସେଦିନ ଚୈତ୍ରମାସ, ଦୀପତଳର ଦୃଶ୍ୟ', 'ନାଗଅଂଶୀ’, ଚହଲା ପାଣିର ତେଲ', ‘କାଳ ବୈଶାଖ, ଶାଶୁ ବୋହୁ', 'କଳାବତୀ', 'ମାୟାବୀ ହୃଦୟ', ଏକାନ୍ତ ଆଦିମ', ‘ପ୍ରଥମ ସକାଳ', 'ଘନ କୁହୁଡ଼ିର ଦିନ’ ଆଦି ଅଗଣିତ ଉପନ୍ୟାସ ଲୋକାର୍ପିତ କରି ସେ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟକନ୍ଦରରେ ଚିରକାଳ ପାଇଁ ଚିରନମସ୍ୟ ହୋଇଛନ୍ତି । ପ୍ରେମ, କାରୁଣ୍ୟ, ନାରୀ ମନର ଅବ୍ୟକ୍ତ ଭାବନା, ଗ୍ରାମ୍ୟ ଜୀବନ, ଐତିହାସିକ ଘଟଣା, କୁଳବଧୂର ସମସ୍ୟା, ମଣିଷ ଅବଚେତନର ରହସ୍ୟ ଉଦ୍‌ଘାଟନ, ରାଜନୀତିକ ଚିନ୍ତାଧାରା, ଆଦର୍ଶ ଓ ବାସ୍ତବର ଚିତ୍ତ-ସଂଘର୍ଷ ଆଦି ଯୁଗୋପଯୋଗୀ ପ୍ରସଙ୍ଗଗୁଡ଼ିକୁ ଗୁଣୀ ବିଭୂତି ପଟ୍ଟନାୟକ ତାଙ୍କ ଉପନ୍ୟାସଗୁଡ଼ିକରେ ଏତେ ସୁନ୍ଦର ନିଚ୍ଛକ ଓ ସାବଲୀଳ ଭାବରେ ଉପସ୍ଥାପିତ କରିଛନ୍ତି ତାହା ବାସ୍ତବିକ ଯେପରି ଅକଳ୍ପନୀୟ ଓ ସେପରି ପ୍ରଶଂସାଯୋଗ୍ୟ ଅଟେ । ସହର ପରିବେଶରେ ଜନୈକା ନାରୀର ବ୍ୟଥା ବେଦନାସିକ୍ତ ଜୀବନ କାହାଣୀକୁ ‘ନାୟିକାର ନାମ ଶ୍ରାବଣୀ’ ଉପନ୍ୟାସରେ ଖୁବ ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣନା କରିଛନ୍ତି । କହିବା ବାହୁଲ୍ୟ ଯେ, ମୁଦ୍ରାର ଦୁଇପାର୍ଶ୍ଵ ଭଳି ନାରୀ-ପୁରୁଷର ସଂପର୍କ ହିଁ ତାଙ୍କର ପ୍ରାୟ ଅଧିକାଂଶ ଉପନ୍ୟାସର କଥାବସ୍ତୁ ଅଟେ । ବହୁମୂଖୀ ପ୍ରତିଭାଧାରୀ ଶ୍ରୀ ପଟ୍ଟନାୟକ ଉପନ୍ୟାସ ବ୍ୟତୀତ କ୍ଷୁଦ୍ରଗଳ୍ପର ଜଣେ ସଫଳ ସ୍ରଷ୍ଟା ଅଟନ୍ତି । ‘ମନ ଭଲ ନାହିଁ’, ‘ନିର୍ବାଚିତ ଗଳ୍ପ', ‘ଗ୍ରହଣ', ‘ସ୍ମୃତିର ସୁଦେଷ୍ଣା', 'ଅନେକ ତାରାର ରାତ୍ରି', 'ଅଦିନ ଶ୍ରାବଣ', ‘ଭଲଝିଅ ଖରାପ ଝିଅ', 'ଦେବକୀର କାରାବାସ’ ଆଦି ଗଳ୍ପପୁସ୍ତକ ତାଙ୍କ ପ୍ରତିଭାର ଶ୍ରେଷ୍ଠ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତାଙ୍କ ଉପନ୍ୟାସ ବୌଦ୍ଧିକ କପଟାଚାର ଓ ଛଳନାରୁ ମୁକ୍ତ, ସର୍ବତ୍ର ସେ ସାବଲୀଳ ସର୍ବଜନବୋଧ୍ୟ ଶୈଳୀ ଗ୍ରହଣ କରିଛନ୍ତି । ଭାଷାର ଉତ୍କୃଷ୍ଟ ବିନିଯୋଗ ଓ ମାଧୁର୍ଯ୍ୟପୂର୍ଣ୍ଣ ଶବ୍ଦ ସଂରଚନା ହିଁ ତାଙ୍କ ସାହିତ୍ୟ ସର୍ଜନାର ବୈଶିଷ୍ଟ୍ୟ ଅଟେ। ସାମାଜିକ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନଧାରାର ଚିତ୍ରାୟନ ସହିତ ତାହାରି ମଧ୍ୟ ଦେଇ ସମ୍ବେଦନଶୀଳ ମାନବବାଦୀ ଚିନ୍ତାଧାରାକୁ ସ୍ପଷ୍ଟ ଓ ବଳିଷ୍ଠ କରିଦେଇଛନ୍ତି । ସେ ଅଭିଜାତ, ମଧ୍ୟବିତ୍ତ ଓ ନିମ୍ନବର୍ଗର ନରନାରୀଙ୍କୁ ଆପଣା ସୃଷ୍ଟିରେ ସ୍ଥାନ ଦେଇଛନ୍ତି । ସର୍ବତ୍ର ସେମାନଙ୍କ ଜୀବନର ରହସ୍ୟକୁ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଜୀବନ-ବଞ୍ଚିବାର ଆକାଂକ୍ଷାକୁ ବଳବତ୍ତର କରିଦେଇଛନ୍ତି । ସେ ପ୍ରାୟ ଅର୍ଦ୍ଧ-ଶତାବ୍ଦୀରୁ ଅଧିକ କାଳ ଧରି ପାଠକୀୟ ସ୍ୱୀକୃତି ପାଇଥିବା ଅନ୍ୟତମ ଶକ୍ତିଶାଳୀ କଥାକାର । ସମ୍ମାନଜନକ ଅତିବଡି ଜଗନ୍ନାଥ ଦାସ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ମେଳଣ ପୁରସ୍କାର, ଝଙ୍କାର ପୁରସ୍କାର ଓ ସାହିତ୍ୟ ଭାରତୀ ପୁରସ୍କାର ଗ୍ରହଣ କରି ଭାଷ୍ୟକାର ଶ୍ରୀ ବିଭୂତି ପଟ୍ଟନାୟକ ଓଡ଼ିଶାର ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ।


ରଚନାବଳୀ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll