ଗୋପାଳ ଚନ୍ଦ୍ର ପ୍ରହରାଜ

ଆବିର୍ଭାବ :- ୦୯-୦୯-୧୮୭୪
ତିରୋଧାନ :- ୧୬-୦୫-୧୯୪୫
ଜନ୍ମସ୍ଥାନ :-

ଓଡ଼ିଆ ଭାଷା ଇତିହାସରେ ଏକ ଅମର କୀର୍ତ୍ତି ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପ୍ରାତଃସ୍ମରଣୀୟ ପ୍ରଣେତା, କବି, ଗାଳ୍ପିକ, ରମ୍ୟରଚନାକାର, ଶିଶୁସାହିତ୍ୟ ସ୍ରଷ୍ଟା, ସମାଲୋଚକ, ସରବୋପରି ଜଣେ ଭାଷାତତ୍ତ୍ୱବିତ୍ ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ କଟକର ସିଦ୍ଧେଶ୍ଵରପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନରସିଂହ ପ୍ରହରାଜ । ଗୋପାଳ ପ୍ରହରାଜଙ୍କ ପୂର୍ବପୁରୁଷ ଜନୈକ କିଣେଇ ଆଚାର୍ଯ୍ୟ ଅଯୋଧ୍ୟାରେ ରହୁଥିବା ଜମିଦାରଙ୍କ ପ୍ରତିନିଧି ଭାବରେ ପୁରୀର ବୀରଗୋବିନ୍ଦପୁର ଶାସନରୁ ଏହି ଗ୍ରାମକୁ ଉଠିଆସିଥିଲେ । କାଳକ୍ରମେ ବୁଦ୍ଧି ଓ ଶ୍ରମ ବଳରେ ଉକ୍ତ ଜମିଦାରିକୁ ସେ ନିଜର କରିନେଇଥିଲେ । କାର୍ଯ୍ୟଦକ୍ଷତା ଯୋଗୁଁ ତାଙ୍କ ଉତ୍ତରାଧିକାରୀମାନେ ଚୌଧୁରୀ, ରାୟଗୁରୁ, ପାଢ଼ୁଷୀ, ସାମନ୍ତରାୟ ଓ ପ୍ରହରାଜ ଆଦି ଉପାଧି ହାସଲ କରିଥିଲେ । ସେହି ନ୍ୟାୟରେ ଗୋପାଳ ଗୋପାଳ ପ୍ରହରାଜ ଥିଲେ  କିଣେଇଙ୍କ ପଞ୍ଚମ ପିଢ଼ିର ଦାୟାଦ ।

ପ୍ରହରାଜଙ୍କ ବ୍ୟକ୍ତିଗତ ଜୀବନ ବହୁ ବିରୋଧାଭାସର ସମାହାର । ତାଙ୍କ ବାପା ଗ୍ରାମରେ ମାଇନର ସ୍କୁଲ ଖୋଲିଥିଲେ । ସେ ସେଠାରେ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ୫ମରେ ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ବାପାବୋଉଙ୍କ ଇଚ୍ଛା ଥିଲା ବଡ଼ପୁଅକୁ କଲେଜରେ ପାଠପଢ଼େଇ ହାକିମ କରିବେ । ମାତ୍ର ପ୍ରହରାଜେ ୧୮୯୧ରେ ଏଣ୍ଟ୍ରାନ୍ସ, ୧୮୯୪ରେ ରେଭେନ୍ସା କଲେଜରୁ ଏଫ୍.ଏ. (ତିନିଥର ଫେଲ୍ ହେବା ପରେ) ଏବଂ ୧୯୦୨ ମସିହାରେ ୨୮ ବର୍ଷ ବୟସରେ କଲିକତାରୁ ବି.ଏଲ୍. ପାସ୍ କରି କଟକରେ ଓକିଲାତି ଆରମ୍ଭ କରିଥିଲେ । ପ୍ରଥମେ ସେ ମଧୁସୂଦନ ଦାସଙ୍କ ସହକାରିଭାବେ କାର୍ଯ୍ୟ କରିଥିଲେ ମଧ୍ୟ ପରେ ସ୍ଵାଧୀନ ଭାବରେ ସେ ତାଙ୍କ ସହ ମିତ ବସିଥିଲେ । ରାଜନୀତିର ଚକ୍ରବ୍ୟୂହ ଭିତରେ ପଶିବାପାଇଁ ବାରମ୍ବାର ଚେଷ୍ଟା କରି ସେ ହାରିଯାଇଥିଲେ । ପରେ ସେ ୧୯୩୩ରେ ବ୍ରିଟିଶ ସରକାରଙ୍କଠାରୁ କାଇଜର-ଇ-ହିନ୍ଦ୍‍ ଓ ରାୟବାହାଦୂର ଉପାଧି ଲାଭ କରିଥିଲେ ।

ତାଙ୍କ ପାରିବାରିକ ଜୀବନ ଅଶାନ୍ତ ଓ ବିତର୍କିତ ଥିଲା । ସେମାନେ ଥିଲେ ସାତ ଭାଇ, ଆଠ ଭଉଣୀ । ୧୯୧୪ରେ ବାପାଙ୍କ କାଳହେବା ପରେ ବଡ଼ଭାଇ ହିସାବରେ ସେ ପରିବାରକୁ ଏକାଠିକରି ରଖିବାରେ ବିଫଳ ହୋଇଥିଲେ । ପିତୃପୁରୁଷଙ୍କ ଘରଛାଡ଼ି ସେ ଗାଁ’ମୁଣ୍ଡରେ ନିଜପାଇଁ ଘର ତିଆରି କରିଥିଲେ । ଅଠରବର୍ଷ ବୟସରେ ସାକ୍ଷୀଗୋପାଳ ନିକଟ ସନ୍ଥ ଗାଁର ମାତ୍ର ଆଠବର୍ଷ ବୟସର ନିରକ୍ଷରା ମୁକ୍ତାମଣିଙ୍କୁ ପ୍ରହରାଜେ ବିବାହ କରିଥିଲେ ଏବଂ ବାଳୁତ ବିଧବା ଶାଳୀ ପୀତାମ୍ବରୀଙ୍କୁ ଆଣି ପାଖରେ ରଖିଥିଲେ । କଟକ ରହଣି କାଳରେ ପୀତାମ୍ବରୀ ସେଠାକୁ ଯାଇ ତାଙ୍କ ସହ ରହିଥିଲେ । ଏହି କଥାକୁ କେନ୍ଦ୍ରକରି ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଶେଷକୁ କୌଣସି ଆତତାୟୀଙ୍କ ହାତରେ ମୁକ୍ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା । ପ୍ରହରାଜଙ୍କ ଜୀବନ ମଧ୍ୟ ଏକ ବିୟୋଗାନ୍ତକ ନାଟକ ପରି । ଜୀବନରେ ବିପୁଳ ସାହିତ୍ୟିକ ସଫଳତା ପରେ ପତ୍ନୀଙ୍କ ପରି ତାଙ୍କୁ ମଧ୍ୟ କୌଣସି ଆତତାୟୀଙ୍କ ପରିବେଷିତ ବିଷମିଶ୍ରିତ ଖାଦ୍ୟ ଖାଇ ଆରପାରି ଯିବାକୁ ହୋଇଥିଲା ।

ବ୍ୟକ୍ତିଗତ ଜୀବନ ପରି ପ୍ରହରାଜଙ୍କ ସାହିତ୍ୟିକ ଜୀବନ ବୈଚିତ୍ର୍ୟମଣ୍ଡିତ । କବିତା, କାହାଣୀ, ରମ୍ୟରଚନା, ପ୍ରବନ୍ଧ, ସାହିତ୍ୟ-ସମାଲୋଚନା, ଭାଷା-ଚର୍ଚ୍ଚା, ପତ୍ରିକା ସଂପାଦନା, ଜୀବନୀ, ଆତ୍ମ ଜୀବନୀ ଆଦି ସୃଜନକର୍ମର ସକଳ ବିଭାଗରେ ତାଙ୍କର ସ୍ଵାକ୍ଷର ରହିଛି । ତାଙ୍କ ସ୍ରଷ୍ଟା ଜୀବନର ଆରମ୍ଭ କବିତା ରଚନାରୁ । ତାହା ଏକ ଶୋକଗୀତିକା – ‘ମାତୃସ୍ମତି’ (୧୮୯୮) । ଏହି ପୁସ୍ତିକା ଏବେ ମିଳୁନାହିଁ । ପରେ ପରେ ପ୍ରକାଶପାଇଛି ‘ଧୋ ରେ ବାୟ। ଧୋ’ (ଶିଶୁରଚନା: ୧୯୧୦) ଓ ‘ବାଇ ଦାସଙ୍କ ଭଜନ ଓ ଶିଶୁଗୀତ' (୧୯୨୬) । ଏହି ଉଭୟ ପୁସ୍ତକରେ ଶ୍ରୀମତୀ ପୀତାମ୍ବରୀ ଦେବୀଙ୍କର ମଧ୍ୟ କେତେକ କବିତା ସ୍ଥାନିତ ହୋଇଛି । ତାଙ୍କ ପ୍ରଥମ ପ୍ରକାଶିତ ବହି ହେଉଛି ‘ଉତ୍କଳର କାହାଣୀ’ (୧୯୦୧) । ଏହା ଆଠଗୋଟି ଲୋକ କାହାଣୀର ସମାହାର । ପରବର୍ତ୍ତୀ କାଳରେ ଇତିହାସ ଓ କିମ୍ବଦନ୍ତୀକୁ ଆଧାର କରି ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ସେ ‘ଜେଜେବାପାଙ୍କ କାହାଣୀ’ (୧୯୨୮) ରଚନା କରିଥିଲେ । ଏହା ‘କାଶିଆ କପିଳା ଭେଟ କାହିଁ ?’, ‘ମାଣିକ ଗଉଡ଼ୁଣୀ’, ‘ଭଲା ରାମଚଣ୍ଡୀ ଭଲାରେ’, ‘ସାକ୍ଷୀ ଗୋପାଳ’, ‘ଅଶୋକ’, ‘ଖାରବେଳ-ଧୂଷି’ ଆଦି ଚଉଦଟି କିମ୍ବଦନ୍ତୀର ସମାହାର । ଦୁଇଭାଗରେ ପ୍ରକାଶିତ ହୋଇଛି ତାଙ୍କର ‘ଓଡ଼ିଆ ଲୌକିକ ପଦ ବା ଢଗ ଢମାଳି ବଚନ’ (ପ୍ରଥମ ଭାଗ: ଢଗ ଢମାଳି-୧୯୨୬ ଏବଂ ଦ୍ୱିତୀୟ ଭାଗ: ପ୍ରବଚନ, ସାର ବଚନ - ୧୯୨୭) ।

            ‘ଋଷିପ୍ରାଣ ରାମଶଙ୍କର’, ‘ଉତ୍କଳର କୁଳବୃଦ୍ଧ ମଧୁସୂଦନ’, ‘ପଲ୍ଲୀକବି ନନ୍ଦକିଶୋର’, ‘ଗୁରୁ ନାନକ’, ‘କବି ଗଙ୍ଗାଧର’, ‘ବିଶ୍ଵନାଥ କର’, ‘ଚନ୍ଦ୍ରଶେଖର’, ‘ବାବା ମହାନନ୍ଦ କର’ଙ୍କ ଜୀବନ ଓ ବ୍ୟକ୍ତିତ୍ୱର ସେ ଜଣେ ମୁଗ୍ଧ ଆଲୋଚକ । ତାଙ୍କ ଆତ୍ମଜୀବନୀ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ଵୀକାରୋକ୍ତିମୂଳକ ଜୀବନଲିପି । ଏହାର କେତେକ ବିବଦମାନ ଓ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ତାଙ୍କ ସମ୍ପର୍କୀୟମାନେ ନଷ୍ଟ କରିଦେଇଛନ୍ତି । ମିଳୁଥିବା ଅଂଶଗୁଡ଼ିକ ପ୍ରଥମେ ରାଧାନାଥ ଟ୍ରେନିଂ ସ୍କୁଲର ମୁଖପତ୍ର ‘ଜିଜ୍ଞାସୁ ପତ୍ରିକା’ ଏବଂ ମୃତ୍ୟୁ ପରେ ‘ପ୍ରହରାଜ ପରିକ୍ରମା’ରେ ପ୍ରକାଶ ପାଇଛି।

            ତାଙ୍କ ସାହିତ୍ୟ ଓ ସାମାଜିକ ସମସ୍ୟା ସମ୍ପର୍କିତ ଆଲୋଚନାଗୁଡ଼ିକ ମଧ୍ୟରେ ରହିଛି, ‘ଦୁଇଖଣ୍ଡ ଓଡ଼ିଆ ପୁସ୍ତକ’, ‘ବିଶୁଦ୍ଧଭାଷା’, ‘ଉତ୍କଳ ସାହିତ୍ୟର ଆଧୁନିକ ଗତି’, ‘ବର୍ଗ୍ୟ ବ’, ‘ନକ୍ଷତ୍ର’, ‘ଓଡ଼ିଆ ଭାଷାର କେତେକ ବିଭ୍ରାଟ’, ‘ଓଡ଼ିଶାର କଥା ସମ୍ବନ୍ଧେ ପଦେ ଅଧେ’, ‘କଟକ ଟ୍ରେନିଂ ସ୍କୁଲର ପାଠ୍ୟ ନିର୍ଘଣ୍ଟ’, ‘ବର୍ତ୍ତମାନ ଯୁଗରେ ସଂସ୍କୃତ ଶିକ୍ଷାର ଉପଯୋଗିତା’, ‘ସାରସ୍ୱତ ରାଜ୍ୟରେ ହିଟଲରିଜିମ’, ‘ରାୟପୁର ରାଜକୁମାର କଲେଜ’ ଇତ୍ୟାଦି । ତାଙ୍କ ସମ୍ପାଦନାରେ — ପ୍ରଥମେ ବିଶ୍ଵନାଥ କର ଓ ପରେ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ଭାବରେ — ‘ସତ୍ୟ ସମାଚାର’ (ସାପ୍ତାହିକ: ୧୯୩୦-୩୬) ଏବଂ ସ୍ୱ-ସଂପାଦନାରେ ‘ପ୍ରଜାମିତ୍ର’ (ଅର୍ଦ୍ଧସାପ୍ତାହିକ: ୧୯୩୬) ପ୍ରକାଶ ପାଇଥିଲା । ପ୍ରକାଶଥାଉ କି, ସମକାଳୀନ ଜାତୀୟତାବାଦୀମାନେ ଏହି ସମ୍ବାଦପତ୍ର ଦୁଇଟିକୁ ବ୍ରିଟିଶ ସାମ୍ରାଜ୍ୟବାଦର ସ୍ତାବକପତ୍ର ବୋଲି ଆକ୍ଷେପ କରିଥିଲେ ଏବଂ ଏଥିପାଇଁ ପ୍ରହରାଜଙ୍କୁ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ।

            ପ୍ରହରାଜ ଜଣେ ରମ୍ୟରଚନାକାର ଭାବରେ ଓଡ଼ିଆ ସାହିତ୍ୟରେ ଅଧିକ ଚର୍ଚ୍ଚିତ । ଏଭଳି ପୁସ୍ତକଗୁଡ଼ିକ ହେଉଛି: ‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’, ‘ବାଇ ମହାନ୍ତି ପାଞ୍ଜି’, ‘ମିଆଁ ସାହେବଙ୍କ ରୋଜନାମଚା’, ‘ଦୁନିଆର ହାଲଚାଲ’, ‘ନନାଙ୍କ ବସ୍ତାନି', ‘ଆମ ଘରର ହାଲଚାଲ’, ‘ବାଈନାନୀଙ୍କ ବୁଜୁଳି’, ‘ଧାରତାବନ୍ଧାର ପୁଞ୍ଜିପାଣ୍ଠି’, ‘ମନର ପାଞ୍ଚ’, ‘ଜେଜେବାପାଙ୍କ ଟୁଣିମୁଣି’ ଏବଂ ‘ଦୁନିଆର ରୀତି ଏ’ । ପ୍ରକାଶଥାଉ କି ଲେଖକଙ୍କ ଜୀବନକାଳ ମଧ୍ୟରେ ‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’ ଓ ‘ବାଇମହାନ୍ତି ପାଞ୍ଜି’ ବ୍ୟତୀତ ଅନ୍ୟ କୌଣସି ଶୀର୍ଷକ ବହି ଆକାରରେ ପ୍ରକାଶ ପାଇପାରି ନଥିଲା ।

            ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପ୍ରତିଲିପି । ଭାଷାକୁ ପୁଞ୍ଜି କରି ଓଡ଼ିଆ ଜାତିର ଅସ୍ମିତାମୂଳକ ସୃଜନ ମାନସିକତାର ଏହା ଏକ କାଳଜୟୀ ଉଚ୍ଚାରଣ । ଦୀର୍ଘ ସତେଇଶ ବର୍ଷ ଧରି ଶବ୍ଦପ୍ରୀତିରେ ବୁଡ଼ିରହି ସେ ବହୁଭାବେ କ୍ଷତାକ୍ତ ହୋଇଛନ୍ତି ସତ, କିନ୍ତୁ ତାହା ତାଙ୍କ ପାଇଁ ‘ସ୍ୱପ୍ନରେ ରାଜଯୋଗ’ ବୋଲି ସେ ନିଜ ଲେଖାରେ ପ୍ରକାଶ କରିଛନ୍ତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll