ଜନ୍ମସ୍ଥାନ: ବିକ୍ରମ ଦେବ ବର୍ମା ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ତଥା ଏବକାର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀକାକୁଲମର ଅଗ୍ରତାଲପେଟା ବ୍ରାହ୍ମଣ ଶାସନରେ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ଔରସରୁ ୧୮୫୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । କୃଷ୍ଣଚନ୍ଦ୍ର ସୂର୍ଯ୍ୟବଂଶୀ ରାଜବଂଶଜ (ଜୟପୁର) ହୋଇଥିଲେ ମଧ୍ୟ ଜ୍ୟେଷ୍ଠଭ୍ରାତା ତଥା ରାଜା ତୃତୀୟ ରାମଚନ୍ଦ୍ର ଦେବଙ୍କ ସହିତ ମତାନ୍ତର ଯୋଗୁଁ ରାଜ୍ୟ ପରିତ୍ୟାଗ କରି ଶ୍ରୀକାକୁଲମରେ ଆଶ୍ରୟ ନେଇଥିଲେ । ସେହିଠାରେ ହିଁ ବିକ୍ରମଙ୍କ ଜନ୍ମ । ମାତା: ରେଖାଦେବୀ । ବିକ୍ରମଦେବଙ୍କ ଜୀବନ ବୈଚିତ୍ର୍ୟମୟ । ନଅ ବର୍ଷ ବୟସରେ ମାତା ଏବଂ ପନ୍ଦର ବର୍ଷରେ ସେ ପିତାଙ୍କୁ ହରାଇଥିଲେ । ଚତୁର୍ଥ ରାମଚନ୍ଦ୍ର ଦେବଙ୍କ ଅକାଳ ବିୟୋଗ ପରେ ପ୍ରଥମେ ବ୍ରିଟିଶ ସରକାର ତାଙ୍କୁ ମାଡ଼ଗୁଲ୍ ରାଜ୍ୟର ରାଜପଦରୁ ବଞ୍ଚିତ କରିଥିଲେ ମଧ୍ୟ ପରେ ଅଯାଚିତ- ଓ ଅପ୍ରତ୍ୟାଶିତଭାବେ ତାଙ୍କୁ ଜୟପୁରର ରାଜ୍ୟଭାର ଅର୍ପଣ କରିଥିଲେ । ସେତେବେଳକୁ ତାଙ୍କୁ ବା’ଷଠି ବର୍ଷ ବୟସ । ୧୯୩୧ ମସିହା ଜୁନ୍ ମାସ ୫ ତାରିଖରେ ସେ ଜୟପୁର ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ସେ ଜୟପୁରର ଶେଷ ରାଜା । କୋଡ଼ିଏ ବର୍ଷ ରାଜତ୍ଵକାଳ ମଧ୍ୟରେ କେବଳ ଜୟପୁର ନୁହେଁ, ସମଗ୍ର ଓଡ଼ିଶାର ଉନ୍ନତି ପାଇଁ ତାଙ୍କ ଉଦ୍ୟମ ଅବିସ୍ମରଣୀୟ । ଅଭିଷେକ ଉତ୍ସବରେ ପ୍ରଜାମାନଙ୍କ ପାଇଁ ତାଙ୍କର ପ୍ରଥମ ରାଜକୀୟ ଉପହାର ଥିଲା ଭେଟିପ୍ରଥା ଉଚ୍ଛେଦ ।
ରାଜ୍ୟପ୍ରାପ୍ତି ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବିକ୍ରମଦେବ ଦୀର୍ଘ ବା’ଷଠି ବର୍ଷ ଧରି ଜ୍ଞାନସାଧନା ସହିତ ସ୍ଥିତପ୍ରଜ୍ଞ ଭାବରେ ଭାଷା, ସାହିତ୍ୟ, ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର କର୍ତ୍ତବ୍ୟ ପାଳନ କରିଥିଲେ । ଜନ୍ମସ୍ଥାନରେ ଶିକ୍ଷାଦାନର କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ପିତା ଶିଶୁପୁତ୍ରକୁ ଧରି କଟକ ନଗରୀକୁ ଚାଲିଆସିଥିଲେ । ସେଠାରେ ତାଙ୍କର ପ୍ରଥମ ଆନୁଷ୍ଠାନିକ ଶିକ୍ଷା ସହିତ ଘରୋଇଭାବେ ସେ ସଂସ୍କୃତ ଓ ଓଡ଼ିଆ, ଜ୍ୟୋତିଷ ଓ କର୍ମକାଣ୍ଡ ଅଧ୍ୟୟନ କରିଥିଲେ । ମାତ୍ର ତିନିବର୍ଷ ବୟସରେ ସେ ପ୍ରାଥମିକ ତେଲୁଗୁ ଓ ଇଂରାଜୀ ଭାଷା ପଢ଼ା ଆରମ୍ଭ କରିଥିଲେ । ପରେ ସେ ମାଡ଼ଗୁଲ୍ ରାଜ୍ୟକୁ ପୋଷ୍ୟପୁତ୍ରରୂପେ ଚାଲିଯାଇଥିଲେ ଏବଂ ସରକାରୀ ତତ୍ତ୍ଵାବଧାନରେ ସେଠାରେ ତାଙ୍କୁ ଇଂରାଜୀ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଥିଲା । ବିଶାଖାପାଟଣାଠାରେ ତାଙ୍କର ଶିକ୍ଷାଦାତା ରହିଥିଲେ ଜଣେ ମାଡ୍ରାସ ସିଭିଲ ସର୍ଭିସ ଅଫିସର ଜେ.ଏସ. ବାର୍ଡ଼୍ସ । କିନ୍ତୁ ଆଇନଦ୍ଵାରା ତାଙ୍କ ପୋଷ୍ୟପୁତ୍ରତା ରଦ୍ଦ ହେବାରୁ ମାତ୍ର ଦେଢ଼ବର୍ଷ ପରେ ଏହି ଶିକ୍ଷା ମଧ୍ୟ ବନ୍ଦ ହୋଇଯାଇଥିଲା ।
ଏହିଠାରୁ ଆରମ୍ଭ ହୋଇଥିଲା ବିକ୍ରମଦେବଙ୍କ ଜ୍ଞାନ-ତପସ୍ୟା । ଓଡ଼ିଆ, ତେଲୁଗୁ, ସଂସ୍କୃତ ଓ ଇଂରାଜୀ ଭାଷାରେ ସେ ଗଭୀର ବ୍ୟୁତ୍ପତ୍ତି ଅର୍ଜନ କରିପାରିଥିଲେ । ସାହିତ୍ୟସାଧନା ଆରମ୍ଭ କରି ସେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଥିଲେ । ନିଃସ୍ଵ ଜୀବନରେ ତାଙ୍କର ଏକମାତ୍ର ସମ୍ବଳ ଥିଲା ଓଡ଼ିଆ ଓ ତେଲୁଗୁ ସାହିତ୍ୟ । ସେତେବେଳେ ତାଙ୍କ ରଚିତ କେତୋଟି ପୁସ୍ତକ ସ୍କୁଲ କଲେଜ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହେବା ଯୋଗୁଁ ସେଥିରୁ ପ୍ରାପ୍ତ ଅର୍ଥଦ୍ୱାରା ହିଁ ସେ ଗୁଜରାଣ ମେଣ୍ଟାଉଥିଲେ । ଆର୍ଥିକ ଅସ୍ଵଚ୍ଛଳତା କେତେବେଳେ ତାଙ୍କୁ ନିଜ ଲକ୍ଷ୍ୟରୁ ବିଚ୍ୟୁତ କରିନାହିଁ । ଏଥିପାଇଁ ମାତ୍ର ତୃତୀୟ ଶ୍ରେଣୀରୁ ଆନୁଷ୍ଠାନିକ ଶିକ୍ଷାରେ ଡୋରି ବାନ୍ଧିଥିବା ବିକ୍ରମଦେବ ପରବର୍ତ୍ତୀ ସମୟରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ଡି.ଲିଟ୍ ଏବଂ ସର୍ବୋଚ୍ଚ ଉପାଧି ‘କଳା ପ୍ରପୂର୍ଣ୍ଣ' ଲାଭ କରିଥିଲେ । ଆନ୍ଧ୍ର ଭାରତୀ ତୀର୍ଥ ବିଶ୍ଵବିଦ୍ୟାଳୟ ତାଙ୍କୁ ‘ସାହିତ୍ୟ ସମ୍ରାଟ’ ଉପାଧି ପ୍ରଦାନ କରିଥିଲା । ସେ ଏହି ବିଶ୍ଵବିଦ୍ୟାଳୟର କୁଳପତିଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ । ଆନ୍ଧ୍ର ବିଶ୍ଵବିଦ୍ୟାଳୟର ସେ ପ୍ରୋ-ଚାନ୍ସେଲର ହେବାସହ ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବାର ଗୌରବ ଅର୍ଜନ କରିଥିଲେ । ନିଜେ ବିଶ୍ଵବିଦ୍ୟାଳୟର ଦ୍ଵାର ମାଡ଼ିନଥିଲେ ସୁଦ୍ଧା ମାଡ୍ରାସ, ଆନ୍ଧ୍ର ଏବଂ ପାଟନା ବିଶ୍ୱବିଦ୍ୟାଳୟ ଓ ବୋର୍ଡ଼ର ଓଡ଼ିଆ ଏବଂ ତେଲୁଗୁ ପାଠ୍ୟକ୍ରମ ପରାମର୍ଶଦାତା ସମିତିର ସଭ୍ୟ ରହି ପାଠ୍ୟପୁସ୍ତକ ମାଧ୍ୟମରେ ଭାଷା ଓ ସାହିତ୍ୟର ପ୍ରସାର ଓ ସୁରକ୍ଷା ପାଇଁ ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।
ରାଜପଦ-ପ୍ରାପ୍ତି ପୂର୍ବରୁ ବିକ୍ରମଦେବଙ୍କ ଜାତୀୟ ଓ ସାମାଜିକ କାର୍ଯ୍ୟକ୍ରମ ଏକାନ୍ତ ଉଲ୍ଲେଖନୀୟ । ୧୯୧୪ ମସିହାରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଦଶମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ଏଥିରେ ପ୍ରଦତ୍ତ ସଭାପତି ଅଭିଭାଷଣ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ବ୍ୟାକୁଳତା, ଦୂରଦୃଷ୍ଟି ଏବଂ ସୁଚିନ୍ତିତ ପରାମର୍ଶ ବର୍ତ୍ତମାନ ସୁଦ୍ଧା ଉପାଦେୟତା ହରାଇନାହିଁ । ତେଲୁଗୁ ଓ ଓଡ଼ିଆମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ଆନ୍ତରିକ ପ୍ରୟାସ, ବ୍ରିଟିଶ ପ୍ରଶାସକମାନଙ୍କ ସହିତ ସୁସଂପର୍କ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ କ୍ରମାଗତ ନିରଳସ ଉଦ୍ୟମ ଫଳରେ ଜୟପୁର ରାଜ୍ୟ ଆଜି ଓଡ଼ିଶାର ଅନ୍ତର୍ଭୁକ୍ତ ହୋଇପାରିଛି । ବିଶାଖାପାଟଣାଠାରେ ସ୍ଥାପିତ ଓଡ଼ିଆ ସମାଜ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କ ସ୍ଵାର୍ଥରକ୍ଷା ନିମିତ୍ତ ଦୀର୍ଘଦିନ ଧରି କାର୍ଯ୍ୟ କରିଛି ।
ସାରସ୍ଵତ ଶିଳ୍ପୀଭାବେ ବିକ୍ରମଦେବ ଯଶସ୍ୱୀ । ସେ ଓଡ଼ିଆ, ତେଲୁଗୁ ଏବଂ ସଂସ୍କୃତ ଭାଷାରେ କାବ୍ୟ, କବିତା, ନାଟକ, ପ୍ରବନ୍ଧ ରଚନା କରିଯାଇଛନ୍ତି । ଏସବୁ ଭାଷାରେ ତାଙ୍କ ପ୍ରଦତ୍ତ ବକ୍ତୃତା ଶୁଣିଲେ ତାଙ୍କ ମାତୃଭାଷା ସଂପର୍କରେ ସନ୍ଦେହ ସୃଷ୍ଟି ହୁଏ । ସେ ଜୟପୁରଠାରେ ବିକ୍ରମ ପ୍ରେସ୍ ସ୍ଥାପନ କରି ସାପ୍ତାହିକ ପତ୍ରିକା ‘ପ୍ରଜାବାଣୀ’ (୧୯୪୦) ପ୍ରକାଶ କରିଥିଲେ । ଚିନ୍ତାମଣି ମହାନ୍ତି ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସାହିତ୍ୟିକ କୃତିଗୁଡ଼ିକୁ ପ୍ରକାଶ କରାଇବା ସହିତ ପୁସ୍ତକ ପ୍ରକାଶନ ପାଇଁ ବହୁ ଲେଖକ-ଲେଖିକାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏବଂ ନବଭାରତ ପତ୍ରିକା ପ୍ରକାଶନ ପାଇଁ ତାଙ୍କ ସହଯୋଗ ସ୍ମରଣୀୟ । ନିଜ ପ୍ରାସାଦରେ ଏକ ସମୃଦ୍ଧ ପାଠାଗାର ଏବଂ ଚିତ୍ରଶାଳା ସ୍ଥାପନ କରି ସାହିତ୍ୟିକ, ଗବେଷକ ଓ ଚିତ୍ରଶିଳ୍ପୀମାନଙ୍କୁ ସେ ପ୍ରୋତ୍ସାହିତ କରିଥିଲେ । ତାଙ୍କ ଜାମାତା କୁମାର ବିଦ୍ୟାଧର ସିଂହ ଦେଓ ଜଣେ ଖ୍ୟାତନାମା ଐତିହାସିକ ଓ ଗବେଷକ । ଆନ୍ଧ୍ର ବିଶ୍ଵବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, ଜୟପୁର ମହାବିଦ୍ୟାଳୟ, ବିଶାଖାପାଟଣା ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ତାଙ୍କର ଅକୁଣ୍ଠ ସହାୟତା ପାଇଁ ଏ ପର୍ଯ୍ୟନ୍ତ ତାଙ୍କ ସ୍ମୃତିଚାରଣ କରୁଛି । କନ୍ନଡ଼ ଭାଷାରୁ ଅନୁଦିତ ‘ଶ୍ରୀନିବାସ କଲ୍ୟାଣମ୍’ ନାଟକ (ବହୁଦିନ ଧରି ବିଶ୍ଵବିଦ୍ୟାଳୟ ସ୍ତରରେ ପାଠ୍ୟପୁସ୍ତକରୂପେ ଗୃହୀତ), ‘ଦୈବୀ କାବ୍ୟ’, ‘କୃଷ୍ଣାର୍ଜୁନ ଚରିତମ୍’, ‘ମାନବତୀ ଚରିତମ୍' ନାଟକ, ‘ଗୋବିନ୍ଦ ମଞ୍ଜରୀକାବଳୀ’ (ମୋହମୁଦ୍ଗରର ଅନୁବାଦ) ଏବଂ ବହୁ ପ୍ରବନ୍ଧ ତାଙ୍କୁ ତେଲୁଗୁ ସାହିତ୍ୟର ଜଣେ ଖ୍ୟାତନାମା ସାହିତ୍ୟିକର ପ୍ରତିଷ୍ଠା ଆଣିଦେଇଥିଲା । ଏଗୁଡ଼ିକ ‘ବିକ୍ରମଦେବ ରଚନାଲୁ’ ନାମରେ ସଂକଳିତ । ସେହିପରି ସଂସ୍କୃତ ଭାଷାରେ ଲିଖିତ ସ୍ତୁତିସ୍ତୋତ୍ର, ଚମ୍ପୂ, କବଚମାଳିକା, ଦଣ୍ଡକ ପ୍ରଭୃତି ସଂସ୍କୃତ ପଣ୍ଡିତମାନଙ୍କଦ୍ଵାରା ଉଚ୍ଚପ୍ରଶଂସିତ ।
ବିକ୍ରମଦେବଙ୍କ ଓଡ଼ିଆ ରଚନା ‘ଶ୍ରୀବିକ୍ରମଦେବ ବର୍ମା ରଚନାବଳୀ’ ନାମରେ ଦୁଇଖଣ୍ଡରେ ପ୍ରକାଶିତ । ବିଶାଖାପାଟଣାରେ ଓଡ଼ିଆ ନାଟକ ମଞ୍ଚସ୍ଥ କରିବା ପାଇଁ ସେ ରଚନା କରିଥିଲେ ‘ଶ୍ରୀସଙ୍ଗୀତ ରାଧାମାଧବ ନାଟକ’ । ନିଜ ଉଦ୍ୟମରେ ପ୍ରତିଷ୍ଠିତ ଜଗନ୍ମିତ୍ର ହଲ୍ରେ ଏହା ବହୁଦିନ ଧରି ଅଭିନୀତ ହୋଇଥିଲା । ସେହିପରି ଦିଙ୍ନାଗଙ୍କ ‘କୁନ୍ଦମାଳା’ର ଓଡ଼ିଆ ଅନୁବାଦ ‘ଶ୍ରୀ ଉତ୍କଳ କୁନ୍ଦମାଳା’ ଏବଂ ‘ବୁଦ୍ଧ ଚରିତ’ ତାଙ୍କ ରଚିତ ଅନ୍ୟ ଦୁଇଟି ନାଟକ । ‘ଭକ୍ତି ସଙ୍ଗୀତ’, ‘ଋତୁବର୍ଣ୍ଣନ’, ‘ସରସ ଗୀତାବଳି’ ସହିତ ବହୁ ଗୀତ, ଚଉତିଶା, ବ୍ୟଙ୍ଗାତ୍ମକ କବିତା, ସଙ୍ଗୀତ, ଉପଦେଶ ଗୀତି, ସଂସ୍କାରମୂଳକ କବିତା ତାଙ୍କ କାବ୍ୟକୀର୍ତ୍ତିର ପରିଚାୟକ । ଏହାବ୍ୟତୀତ ପ୍ରାୟ କୋଡ଼ିଏଟି ଗଳ୍ପ ସହିତ ସେ ଶତାଧିକ ଛୋଟବଡ଼ ପ୍ରବନ୍ଧ ରଚନା କରିଛନ୍ତି । ପ୍ରବନ୍ଧ ମାଧ୍ୟମରେ ସମକାଳୀନ ସମସ୍ୟା, ପ୍ରଚଳିତ ଭ୍ରାନ୍ତଧାରଣା, ଓଡ଼ିଆ ଭାଷା, ଲିପି ଓ ଶବ୍ଦ ପ୍ରୟୋଗର ଅନିୟମିତତା, ଜ୍ୟୋତିଷ, ଅଳଙ୍କାର, ନାଟ୍ୟତତ୍ତ୍ଵ, ଇତିହାସ ଗବେଷଣା ଇତ୍ୟାଦି ବହୁବିଧ ବିଷୟ ସଂପର୍କରେ ଯେଉଁ ନିର୍ଭୀକ ମତାମତ ପ୍ରଦାନ କରିଛନ୍ତି, ତାହାର ଉପାଦେୟତା ଏପର୍ଯ୍ୟନ୍ତ କ୍ଷୁଣ୍ଣ ହୋଇନାହିଁ । ଦେଶ, ଜାତି, ଭାଷା ଓ ସାହିତ୍ୟ ପାଇଁ ନିଜର ଧନଜୀବନ ଉତ୍ସର୍ଗ କରି ତପସ୍ଵୀର ଜୀବନଯାପନ କରିଥିବା ଏହି ମହାନ ବ୍ୟକ୍ତିତ୍ଵ ଯଥାର୍ଥରେ ଜଣେ ରାଜର୍ଷି ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ