ଶ୍ରୀ ବିଶ୍ୱନାଥ କର

ଆବିର୍ଭାବ :- ୧୮-୧୨-୧୮୬୪
ତିରୋଧାନ :- ୧୯-୧୦-୧୯୩୪
ଜନ୍ମସ୍ଥାନ :- ମୂଳବସନ୍ତ, ମାହାଙ୍ଗା, କଟକ

ବିଶ୍ୱନାଥ କର ବାଗ୍ମୀ ବିଶ୍ଵନାଥଭାବେ ପରିଚିତ । ଏକାଧାରରେ ସମାଜ ସାହିତ୍ୟ ସାଧକ, ସଂସ୍କାରକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଖୁବ୍ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରିଥିଲେ । 'ଉତ୍କଳ ସାହିତ୍ୟ' ପତ୍ରିକା ପ୍ରକାଶ କରି ଓଡ଼ିଆ ଭାଷା-ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାରରୂପେ ସେ ତତ୍କାଳୀନ ଓଡ଼ିଶା ପ୍ରଦେଶରେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ । ତୋଷାମୋଦକାରୀଙ୍କ ପ୍ରତୀକ ବ୍ରିଟିଶ ସରକାରଙ୍କ "ରାୟ ବାହାଦୂର" ଉପାଧିକୁ ସେ ପ୍ରତ୍ୟାଖ୍ୟାନ  କରି ସଚ୍ଚୋଟ ଓ ସ୍ଵାଭିମାନୀ ଓଡ଼ିଆ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲେ । ତାଙ୍କ ରଚିତ 'ବିବିଧ ପ୍ରବନ୍ଧ' ବିଶ୍ୱନାଥଙ୍କ ମୌଳିକ ଚିନ୍ତା ତଥା ମନନଶୀଳତାର ପରିଚୟ ବହନ କରେ ।

ବାଗ୍ମୀ ବିଶ୍ଵନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ସେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୦୦ ମସିହାରେ କଟକରେ "ଉତ୍କଳ ସାହିତ୍ୟ ପ୍ରେସ" ନାମକ ଏକ ପ୍ରେସ ସ୍ଥାପନ କରି ବିଶ୍ୱନାଥ ଓଡ଼ିଆ ସାହିତ୍ୟର ବିକାଶ ଉପଲକ୍ଷେ ଉତ୍କଳ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ । ଏହା ଦୀର୍ଘ ଚାରି ଦଶନ୍ଧିରୁ ଅଧିକ କାଳ ଧରି ସଫଳତାର ସହ ପ୍ରକାଶିତ ହୋଇ ଚାଲିଥିଲା  । ତତ୍କାଳୀନ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ସେ  "ସତ୍ୟ ସମାଚାର" ପତ୍ରିକା ମଧ୍ୟ ପ୍ରକାଶନ କରି ସେଥିରେ ବ୍ରିଟିଶ ରାଜ୍‍ର ଶୋଷଣ ଓ ଅତ୍ୟାଚାରର ବିଶଦ ବର୍ଣ୍ଣନା ଉପସ୍ଥାପନ କରିବା ସହ ଜନସାଧାରଣଙ୍କୁ ଆନ୍ଦୋଳନ ବାର୍ତ୍ତାରେ ଉଦ୍‍ବୁଦ୍ଧ କରାଉଥିଲେ । ସେକାଳରେ ‘ପୁରୁଷ ସିଂହ ଗାନ୍ଧୀ’ ବୋଲି ଏକ ପ୍ରବନ୍ଧ ଲେଖି ସେ ବ୍ରିଟିଶ ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ । ଅନ୍ଧବିଶ୍ୱାସ ଓ କୁସଂସ୍କାର ସମାଜର ପ୍ରଗତିରେ ପ୍ରତିବନ୍ଧକ ବୋଲି ସେ ଲୋକଙ୍କୁ ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ବାଗ୍ମୀ ବିଶ୍ଵନାଥ ଓଡ଼ିଶାର ସାଂସ୍କୃତିକ ଓ ନୈତିକ ଉତ୍‌ଥାନପାଇଁ ନିରନ୍ତର ଉଦ୍ୟମରେ ବ୍ରତୀ ଥିଲେ ।

ସେ ନିଜ ଗ୍ରାମରେ ପ୍ରଥମେ ବାଳକ ଓ ବାଳିକାମାନଙ୍କପାଇଁ ଭିନ୍ନ ଭିନ୍ନ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ । ନିରକ୍ଷରତାର ମୂଳୋତ୍ପାଟନ ନିମନ୍ତେ ବଦ୍ଧପରିକର ବିଶ୍ଵନାଥ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜୀବିକା ନିର୍ବିଶେଷରେ ଶିକ୍ଷାଲାଭ ନିମନ୍ତେ ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଶିକ୍ଷାବିତ୍‍ମାନଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ନିମନ୍ତେ ସେ ‘ଜ୍ୟୋତ୍ସ୍ନା’ ଓ ‘କୌମୁଦୀ’ ମାସିକ ପତ୍ରିକା ମଧ୍ୟ ପ୍ରକାଶ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ ଥିଲେ ଓ ଜଣେ ଆଗଧାଡ଼ିର ସ୍ଵାଧୀନତା ସଂଗ୍ରାମୀ ଥିଲେ ।


ରଚନାବଳୀ
କବିତା ସଂକଳନ
ଗୀତିକବିତା
ଭ୍ରମଣ କାହାଣୀ
କ୍ଷୁଦ୍ରଗଳ୍ପ

Copyright © 2024 Odia Virtual Academy. All rights reserved      Total Visitors-   1

scroll