ଆବିର୍ଭାବ :- ୨୨-୦୧-୧୯୪୪
ଜନ୍ମସ୍ଥାନ :- ଜଗତସିଂହପୁର
ଡ. ପ୍ରତିଭା ରାୟ ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ, ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଜ୍ଞାନପୀଠ ପୁରସ୍କାର-ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ଔପନ୍ୟାସିକ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ବିପୁଳ ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ଉପନ୍ୟାସ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ରେ ଦେଶର ପ୍ରଥମ ମହିଳାଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ଏହି ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା । ଏହି ଉପନ୍ୟାସ ୨୦୧୧ ମସିହାରେ ଜ୍ଞାନପୀଠ ପୁରସ୍କାର ଲାଭ କରି ଡ. ରାୟଙ୍କୁ ସାହିତ୍ୟିକ ସମ୍ମାନର ଶିଖରଦେଶରେ ଉପନୀତ ହୋଇଥିଲେ ।
ସେ ବିଦ୍ୟାଳୟର ଶିକ୍ଷୟିତ୍ରୀଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରି ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ପରେ ସେ ଓଡ଼ିଶା ଲୋକସେବା ଆୟୋଗରେ (ଓ.ପି.ଏସ୍.ସି.) ସଦସ୍ୟଭାବେ ଯୋଗଦାନ କରିଥିଲେ । ସେ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତ୍ରୀ ।
ତାଙ୍କ ରଚିତ ଉପନ୍ୟାସଗୁଡ଼ିକ ହେଉଛି ଦୁଇଟି ଢେଉ, ୧୯୬୬; ବର୍ଷା ବସନ୍ତ ବୈଶାଖ, ୧୯୭୪; ଅରଣ୍ୟ, ୧୯୭୭; ନିଷିଦ୍ଧ ପୃଥିବୀ, ୧୯୭୮; ପରିଚୟ, ୧୯୭୯; ଅପରିଚିତା, ୧୯୭୯; ଉପନାୟିକା, ୧୯୭୯; ପୁଣ୍ୟତୋୟା, ୧୯୭୯; ମେଘମେଦୁର, ୧୯୮୦; ଆଶାବରୀ, ୧୯୮୦; ଅୟମାରମ୍ଭ, ୧୯୮୧; ନୀଳତୃଷ୍ଣା, ୧୯୮୧; ସମୁଦ୍ରର ସ୍ୱର, ୧୯୮୨, ଶିଳାପଦ୍ମ, ୧୯୮୩; ଯାଜ୍ଞସେନୀ, ୧୯୮୪; ଦେହାତୀତ, ୧୯୮୬; ଉତ୍ତରମାର୍ଗ, ୧୯୮୮; ଆଦିଭୂମି, ମହାମୋହ, ୧୯୯୮; ମଗ୍ନମାଟି, ୨୦୦୪; ମହାରାଣୀର ପୁତ୍ର, ୨୦୦୮; ଶେଷ ଈଶ୍ୱର, ପ୍ରାପ୍ତେଷୁ ପୃଥିବୀ ୨୦୧୯ । ସେହିପରି ତାଙ୍କ ରଚିତ ଗଳ୍ପ ସାମାନ୍ୟ କଥନ, ୧୯୭୮; ଗଙ୍ଗଶିଉଳି, ୧୯୭୯; ଅସମାପ୍ତ, ୧୯୮୦; ବାବୁ ବାଥ୍-ରୁମ୍ରେ ଅଛନ୍ତି, ଐକତାନ, ୧୯୮୧; ଅନାବନା, ୧୯୮୩; ହାତବାକ୍ସ, ୧୯୮୩; ଘାସ ଓ ଆକାଶ, ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪; ଶ୍ରେଷ୍ଠ ଗଳ୍ପ, ୧୯୮୪; ଅବ୍ୟକ୍ତ, ୧୯୮୬; ଇତିବୃତି, ୧୯୮୭; ହରିତପତ୍ର, ୧୯୮୯; ପୃଥକ ଇଶ୍ୱର, ୧୯୯୧; ଭଗବାନର ଦେଶ, ୧୯୯୧; ମନୁଷ୍ୟ ସ୍ୱର, ୧୯୯୨; ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪; ଷଷ୍ଠସତୀ, ୧୯୯୬; ମୋକ୍ଷ, ୧୯୯୬; ଉଲ୍ଲଂଘନ, ୧୯୯୮; ନିବେଦନମିଦମ, ୨୦୦୦; ଗାନ୍ଧୀଙ୍କ ଗାଁ ୨୦୦୩; ଝୋଟି ପକା କାନ୍ଥ, ୨୦୦୬ ପ୍ରମୁଖ ପାଠକଙ୍କ ବିଶେଷ ଆଦୃତି ଲାଭ କରିଥିଲା ।
ତାଙ୍କ ରଚିତ ଭ୍ରମଣ କାହାଣୀ ଗୁଡ଼ିକ ହେଉଛି ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦; ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯; ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦ ।