ପଣ୍ଡିତ ଶ୍ରୀ ବିନାୟକ ମିଶ୍ର ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟସ୍ଥ ନରସିଂହପୁର ଗ୍ରାମରେ୧୮୯୪ ମସିହା ଜୁଲାଇ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ କୃଷ୍ଣଚନ୍ଦ୍ର ମିଶ୍ର । ୧୫ ବର୍ଷ ବୟସରେ ମାଇନର ପାସ୍ କରି କଟକରେ ସେକାଳର ଶିକ୍ଷକ ଟ୍ରେନିଂ ନେଉଥିଲେ । କଟକ କଲେଜରେ ପଢ଼ୁଥିବା ସମୟରେ ରତ୍ନାକର ପତିଙ୍କ ସହ ପରିଚୟ ହୋଇଥିଲା ତାଙ୍କର । ସେ ମନୋବିଜ୍ଞାନ ବିଷୟ ପ୍ରତି ଖୁବ୍ ଆଗ୍ରହୀ ଥିଲେ । କିନ୍ତୁ ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହୋଇଥିଲେ ।
ବିନାୟକ ମିଶ୍ର କିଛିକାଳ ପରେ ନୀଳଗିରି ମାଇନର ସ୍କୁଲରେ ଶିକ୍ଷକତା କରିଥିଲେ । ପରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ କାମ କରୁଥିଲେ । କଲିକତା ବିଶ୍ଵବିଦ୍ୟାଳୟର ବିଜୟ ଚନ୍ଦ୍ର ମଜୁମ୍ଦାର ପ୍ରଥମେ ସୋନପୁର ଗଡ଼ଜାତରେ ଜଣେ ରାଜକର୍ମଚାରୀ ଥା’ନ୍ତି । ସେ ସୋନପୁର ମହାରାଜାଙ୍କ ଜୀବନୀ ବଙ୍ଗଳାରେ ଲେଖିଥିଲେ । ତାଙ୍କ ପ୍ରଭାବରେ ମହାରାଜ ବୀର ମିତ୍ରୋଦୟ ସିଂହଦେଓ କଲିକତା ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଖୋଲିଥିଲେ ଓ ଗବେଷଣା ନିମନ୍ତେ ଅର୍ଥଦାନ କରିଥିଲେ ।
ସେଠାରେ କର୍ମରତ ଥାଇ ବିଜୟଚନ୍ଦ୍ର ମଜୁମ୍ଦାର ‘ଟିପିକାଲ୍ ସିଲେକ୍ସନ୍ସ ଫ୍ରମ୍ ଓଡ଼ିୟା ଲିଟରେଚର୍’ ସଙ୍କଳନ କରୁଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସହାୟତା କରିବା ଲାଗି ଜଣେ ଓଡ଼ିଆ ପଣ୍ଡିତଙ୍କର ଆବଶ୍ୟକତା ଥିଲା ଯାହାକି ବିନାୟକ ମିଶ୍ରଙ୍କଦ୍ଵାରା ସମ୍ପାଦିତ ହୋଇଥିଲା । ବିନାୟକ ମିଶ୍ର ପ୍ରଥମେ ସହକାରୀ ଅଧ୍ୟାପକରୂପେ କଲିକତା ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ । ଅଧ୍ୟୟନ ଥିଲା ତାଙ୍କ ଜୀବନ । ଏତଦ୍ବ୍ୟତୀତ ଜ୍ୟୋତିଷ ଚର୍ଚ୍ଚା, ଜାତକ ଦେଖା, ହୋମିଓପାଥି ଔଷଧ ବିତରଣରେ ସେ କିଛି କାଳ କଟାଉଥିଲେ ।
ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ବିଭାଗର ଅଧ୍ୟାପକ ନୀଳକଣ୍ଠ ଦାସଙ୍କ ପ୍ରଭାବରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେବା ଲାଗି ଓଡ଼ିଶା ଆସିଥିଲେ । ପଣ୍ଡିତ ବିନାୟକ ମିଶ୍ର ନିଜର ଲେଖନୀ ଚାଳନା କରି ରଚନା କରିଛନ୍ତି ‘ଓଡ଼ିଆ ଭାଷାର ଇତିହାସ’, ‘ଓଡ଼ିଆ ସାହିତ୍ୟର ଇତିହାସ’ । ଏଥିରେ ଓଡ଼ିଶାର ଭୌଗୋଳିକ ବିବରଣୀ, ପୁରାତତ୍ତ୍ଵ, ଓଡ଼ିଆ ଶବ୍ଦର ବିଭିନ୍ନତା, ବର୍ଣ୍ଣମାଳା ଓ ଧ୍ୱନି ଏବଂ ବ୍ୟାକରଣ ଭିତ୍ତିରେ ସର୍ବନାମ, କ୍ରିୟା, ବିଶେଷଣ, ଲିଙ୍ଗ, ବଚନ, ବିଭକ୍ତି, କୃଦନ୍ତ, ତଦ୍ଧିତ ଓ ସମାସର ଆଲୋଚନା ହୋଇଅଛି ।
ସେ ‘ଓଡ଼ିଆ ସାହିତ୍ୟ ପ୍ରକାଶ’, ‘ଓଡ଼ିଆ ଛାନ୍ଦ ସାହିତ୍ୟ’, ‘ମହାମାନବ ଗାନ୍ଧୀ’ ଶୀର୍ଷକ ପୁସ୍ତକ ମଧ୍ୟ ରଚନା କରଇଛନ୍ତି । ଇଂରାଜୀରେ ପ୍ରକାଶିତ ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଓରିଶା ଅଣ୍ଡର ଭୌମ କିଙ୍ଗ୍ସ’, ‘ଡାଇନାଷ୍ଟିଜ୍ ଅଫ୍ ମେଡ଼ିଏଭାଲ୍ ଓଡ଼ିଶା’ ପ୍ରଧାନ । ଏହା ତାଙ୍କର ଐତିହାସିକ ଓ ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀ ଉପରେ ପର୍ଯ୍ୟବସିତ । ଅଲେଖ ଧର୍ମ ସମ୍ପର୍କରେ ସେ ଲେଖିଥିବା ପ୍ରବନ୍ଧ ମଡ଼ର୍ଣ୍ଣ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଥିଲା । ଏଥିରେ ସେ ଅଲେଖ ଧର୍ମ ଉପରେ ମହାଯାନ ବୌଦ୍ଧଧର୍ମର ପ୍ରଭାବ ନିରୂପଣ କରିଛନ୍ତି । ବିଶ୍ଵବିଦ୍ୟାଳୟର ଉପାଧିଧାରୀ ହୋଇ ନ ଥିଲେ ସୁଦ୍ଧା ବିନାୟକ ମିଶ୍ର ଯଥାର୍ଥରେ ଜ୍ଞାନଚର୍ଚ୍ଚାରେ ଏକନିଷ୍ଠ ଗବେଷକ ସ୍ତରକୁ ଉଠିପାରିଥିଲେ । ଭବିଷ୍ୟତ ଗବେଷକମାନଙ୍କ ପାଇଁ ମଧ୍ୟ ସେ ମାର୍ଗଦର୍ଶକ ହୋଇପାରିଛନ୍ତି । ୧୯୭୧ରେ ତାଙ୍କର ପରଲୋକ ହୋଇଥିଲା ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ