ଶ୍ରୀ ମନୋଜ ଦାସ

ଆବିର୍ଭାବ :- ୨୭-୦୨-୧୯୩୪
ତିରୋଧାନ :- ୨୭-୦୪-୨୦୨୧
ଜନ୍ମସ୍ଥାନ :- ଶଙ୍ଖାରି, ବାଲେଶ୍ୱର

ଉଭୟ ଓଡ଼ିଆ ଓ ଇରାଜୀରେ ଚମତ୍କାର ଭାଷା, ଭାବ ତଥା ଶୈଳୀରେ ଅନବଦ୍ୟ ସାହିତ୍ୟ ରଚନା କରି ଆନ୍ତର୍ଜାତିକ ସାହିତ୍ୟଜଗତରେ ନିଜକୁ ଏବଂ ଓଡ଼ିଶାକୁ ପ୍ରତିଷ୍ଠାପନ୍ନ କରିପାରିଥିବା ଅନନ୍ୟ ପ୍ରତିଭା ମନୋଜ ଦାସ ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତା’ପର ଦୁଇ ସନ୍ତାନ ଝିଅ; ମନୋଜ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜଙ୍କର ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସଭାବେ ଅଭିହିତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହେବା ଦେଖାଯାଇଥିଲା ।

ସେତେବେଳେ ବଡ଼ଭାଇ ମନ୍ମଥନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବାପରେ ମନୋଜ ଦାସଙ୍କ ହୃଦୟ ଆନନ୍ଦ ଓ ବିସ୍ମୟରେ ବିସ୍ଫାରିତ ହୋଇଉଠିଥିଲା ।

ହାଇସ୍କୁଲରେ ଅଧ୍ୟୟନ କରିବା ସମୟରେ ତାଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ଆର୍ତ୍ତନାଦ’ (କବିତା) ପ୍ରକାଶ ପାଇଥିଲା । ଏହି ସମୟରେ ସେ ‘ଦିଗନ୍ତ’ ପତ୍ରିକାର ପ୍ରକାଶନ ତଥା ସମ୍ପାଦନା ଆରମ୍ଭ କରିଥିଲେ ଏବଂ  ଏକ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ମଧ୍ୟ ପ୍ରକାଶ ପାଇଥିଲା । କଲେଜରେ ଅଧ୍ୟୟନ କାଳରେ ତାଙ୍କର ଲେଖିବା ଅବ୍ୟାହତ ରହିଥିଲା ଏବଂ ତାଙ୍କ ପ୍ରକାଶିତ ‘ଜୀବନର ସ୍ୱାଦ’ (ଉପନ୍ୟାସ), ‘ବିଷକନ୍ୟାର କାହାଣୀ’ (ଗଳ୍ପ ସଂକଳନ) ଓ ‘ପଦଧ୍ୱନି’ (କବିତା ସଂକଳନ)ରୁ ତାଙ୍କର ଉଜ୍ଜ୍ୱଳ ସାରସ୍ୱତ ଭବିଷ୍ୟତ ସଂପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା ।

୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ଥିବା ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡ଼େରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ ବିଭିନ୍ନ ଇଂରାଜୀ ପତ୍ର-ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହେବା ଆରମ୍ଭ ହୋଇଯାଇଥାଏ ।

୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘ ସଭାପତିରୂପେ ଯୁବକ ମନୋଜ  ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ସେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷଟି ଥିଲା ତାଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ — ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶନ ସହ କୁଜଙ୍ଗର ରାଜକୁମାରୀ ପ୍ରତିଜ୍ଞା ଦେବୀଙ୍କ ସହିତ ତାଙ୍କର ଶୁଭ ପରିଣୟ ଅନୁଷ୍ଠିତ ହୋଇଥିଲା । ସମଗ୍ର ଭାରତବର୍ଷର ରାଜାରାଜୁଡ଼ାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣଭାବେ ସାମିଲ ହୋଇଥିବା କାହାକୁ ଅଛପା ନୁହେଁ ।

୧୯୬୧ ମସିହାରେ ମନୋଜ ଦାସଙ୍କ ଗଳ୍ପ ସଂକଳନ ‘ଆରଣ୍ୟକ’ ପ୍ରକାଶ ପାଇବା ପରେ ଓଡ଼ିଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ବୋଧହୁଏ ମାନବିକ ଓ ଅତିମାନବିକ ରହସ୍ୟ ସନ୍ଧାନର ବ୍ୟାକୁଳତା ୧୯୬୩ ମସିହାରେ ତାଙ୍କୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମକୁ ଆକର୍ଷିତ କରିନେଇଥିଲା । ସେହିବର୍ଷ ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକଭାବେ ଯୋଗଦାନ କରି ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେହିଠାରେ ଅବସ୍ଥାନ କରିଆସୁଥିଲେ ।  ପ୍ରତିଜ୍ଞା ଦେବୀ ମଧ୍ୟ ସେହିଠାରେ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକାଭାବେ ଯୋଗଦେଇଥିଲେ । ୧୯୬୫ ମସିହାରେ ‘ଶେଷ ବସନ୍ତର ଚିଠି’ ପ୍ରକାଶ ପାଇବା ପରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକଭାବେ ମନୋଜ ଦାସ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବା ସହ ବିପୁଳ ସମ୍ମାନର ଅଧିକାରୀ ହୋଇଥିଲେ । ସେ ଅନେକ ଭ୍ରମଣ କାହାଣୀ ଏବଂ ଇତିହାସ ତଥା ସଂସ୍କୃତି ଉପରେ ହୃଦୟଗ୍ରାହୀ ଭାଷା ଓ ଶୈଳୀରେ ବହୁ ପୁସ୍ତକ ରଚନା କରିଛନ୍ତି । ଅନୁରୋଧକ୍ରମେ ସେ ପ୍ରାୟ ନିୟମିତଭାବେ ଟାଇମ୍‍ସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମ୍‍ସ, ଦ ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ସ୍ତମ୍ଭମାନ ଲେଖୁଥିଲେ । ସେ ସୁପ୍ରସିଦ୍ଧ ହେରିଟେଜ ପତ୍ରିକାର ସଂପାଦନା ସହ ଶିଶୁପତ୍ରିକା ଚନ୍ଦାମାମାର ସଂପାଦନା ଦାୟିତ୍ୱରେ ମଧ୍ୟ ଥିଲେ ।

ମନୋଜ ଦାସ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଭ୍ୟ ରହିଥିଲେ ଏବଂ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ସିଙ୍ଗାପୁର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଲେଖକୀୟ ପରାମର୍ଶଦାତାରୂପେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରେ ଭାରତୀୟ ଲେଖକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସେ ଚୀନ ଯାତ୍ରା କରିଥିଲେ ।  

ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିବା ସହ ନିମ୍ନୋକ୍ତ ସାହିତ୍ୟିକ ପୁରସ୍କାରସମୂହ ଲାଭ କରିଥିଲେ: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୫, ୧୯୮୨), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୨), ଶାରଳା ପୁରସ୍କାର (୧୯୮୧), ବିଷୁବ ପୁରସ୍କାର (୧୯୮୬), ସାହିତ୍ୟ ଭାରତୀ ପୁରସ୍କାର (୧୯୯୫), ସରସ୍ୱତୀ ସମ୍ମାନ (୨୦୦୦), ଶ୍ରେଷ୍ଠ କାହାଣୀ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୦୧), ପଦ୍ମଶ୍ରୀ ଉପାଧି (୨୦୦୧), ପଦ୍ମଭୂଷଣ ଉପାଧି ( ୨୦୨୦), କେନ୍ଦ୍ର ସାହିତ୍ୟ ଏକାଡେମୀର ଆଜୀବନ ଫେଲୋସିପ (୨୦୦୬), ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ଜଗନ୍ନାଥ ସମ୍ମାନ (୨୦୦୭), ଏନ୍‍.ଟି.ଆର. ସାହିତ୍ୟ ପୁରସ୍କାର (୨୦୧୩), ଅମୃତକୀର୍ତ୍ତି ପୁରସ୍କାର (୨୦୧୩), ବେଦବ୍ୟାସ ସମ୍ମାନ ଓ ମିଷ୍ଟିକ କଳିଙ୍ଗ ଲିଟରାରି ଆୱାର୍ଡ଼ (୨୦୨୦) । ଲଣ୍ଡନ ଓ ଏଡିନ୍‍ବ୍ର ଅଭିଲେଖାଗାରରେ ଗବେଷଣା କରି ଜାତୀୟ ମୁକ୍ତି ସଂଗ୍ରାମରେ ଶ୍ରୀଅରବିନ୍ଦଙ୍କ ଭୂମିକା ସଂପର୍କିତ କେତେକ ଅଜ୍ଞାତ ତଥ୍ୟ ଲୋକଲୋଚନକୁ ଆଣିଥିବାରୁ ୧୯୭୧ ମସିହାରେ ତାଙ୍କୁ ପ୍ରଥମ ଶ୍ରୀଅରବିନ୍ଦ ପୁରସ୍କାର (କଲିକତା) ଅର୍ପଣ କରାଯାଇଥିଲା । ସ୍ୱତନ୍ତ୍ର ଗଳ୍ପ କଥନ ଶୈଳୀ ତଥା ଶବ୍ଦଚୟନ ପାଇଁ ମନୋଜ ଦାସଙ୍କୁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି ଅଭିହିତ କରାଯାଇଥାଏ । ୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ତାଙ୍କର ପରଲୋକ ଘଟିଥିଲା ।

ମନୋଜ ଦାସଙ୍କ ରଚନାବଳୀ—

ଉପନ୍ୟାସ: The Escapist, ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇଶାରା, ଅମୃତ ଫଳ (୧୯୯୬ – ସରସ୍ୱତୀ ସମ୍ମାନ), A Tiger at Twilight, Bulldozers, Cyclones, ପ୍ରଭଞ୍ଜନ, କନକ ଉପତ୍ୟକାର କାହାଣୀ ଏବଂ ଶେଷ ତାନ୍ତ୍ରିକର ସନ୍ଧାନରେ ଇତ୍ୟାଦି ।

କ୍ଷୁଦ୍ରଗଳ୍ପ: ଉପକଥା ଶତକ, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, The Crocodile's Lady: A Collection of Stories, ମନୋଜ ପଞ୍ଚବିଂଶତି, The Submerged Valley and Other Stories, Farewell to a Ghost: Short Stories and a Novelette, Legend of the Golden Valley, ସମୁଦ୍ରକୂଳର ଏକ ଗ୍ରାମ (ବାଲ୍ୟସ୍ମୃତି), ଆରଣ୍ୟକ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, ଅବୋଲକରା କାହାଣୀ, ଅରଣ୍ୟ ଉଲ୍ଲାସ ଏବଂ Chasing the Rainbow : growing up in an Indian village ଇତ୍ୟାଦି ।

ଭ୍ରମଣ କାହାଣୀ: କେତେ ଦିଗନ୍ତ (ପ୍ରଥମ ଓ ଦ୍ୱିତୀୟ ଭାଗ),  ଅନ୍ତରଙ୍ଗ ଭାରତ (ପ୍ରଥମ ଭାଗ) (My Little India),  ଅନ୍ତରଙ୍ଗ ଭାରତ (ଦ୍ୱିତୀୟ ଭାଗ), ଦୂରଦୂରାନ୍ତ ଓ ଅଦୂର ବିଦେଶ ।

କବିତା: ତୁମ ଗାଁ ଓ ଅନ୍ୟାନ୍ୟ କବିତା, କବିତା ଉତ୍କଳ ।

ଇତିହାସ ଓ ସଂସ୍କୃତି: ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର, ମନୋଜ ଦାସ ପରିବେଷିତ ଉପକଥା ଶତକ (Tales Told by Mystics), ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ଜିଜ୍ଞାସା, ଜୀବନ ଜିଜ୍ଞାସା ଓ ସ୍ମରଣିକା ସ୍ତବକ, ପ୍ରଜ୍ଞା ପ୍ରଦୀପିକା ।


ରଚନାବଳୀ
କବିତା ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll