ଶ୍ରୀ ରାଜକିଶୋର ପଟ୍ଟନାୟକ

ଆବିର୍ଭାବ :- ୦୮-୦୪-୧୯୧୭
ତିରୋଧାନ :- ୦୨-୦୩-୧୯୯୭
ଜନ୍ମସ୍ଥାନ :- ଗ୍ରେ ଷ୍ଟ୍ରିଟ, କଲିକତା

ଓଡ଼ିଆ ଭାଷା ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା, ଯୋଗଜନ୍ମା ସାହିତ୍ୟିକ ରାଜକିଶୋର ପଟ୍ଟନାୟକ ୧୯୧୭ ମସିହାରେ ତତ୍କାଳୀନ କଲିକତାର 'ଗ୍ରେ ଷ୍ଟ୍ରିଟ'ରେ ଜନ୍ମ ହୋଇଥିଲେ । ବୃତ୍ତିରେ ଅଧ୍ୟାପକ ହୋଇଥିଲେ ମଧ୍ୟ ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାରଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଜଣେ ସରକାରୀ କର୍ମଚାରୀ ଥିଲେ । ମାତାଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ତାଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ରସୁଲକୋଣ୍ଡା । ସେ ଜଣେ ମେଧାବୀ ଛାତ୍ର ହେବା ସଙ୍ଗେ ସଙ୍ଗେ ଉତ୍ତମ ଖେଳାଳି ମଧ୍ୟ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍‍ କରି ଆଇନ ପଢ଼ିଥିଲେ । ସାଇକେଲ ରେସିଂରେ ସେ ଚମ୍ପିୟାନ ହୋଇଥିଲେ ଓ ତାଙ୍କର ଏକ ରେକର୍ଡ଼ ୪୦ବର୍ଷ ଧରି ବଳବତ୍ତର ରହିଥିଲା । ୧୯୪୦ ମସିହାରୁ କଟକରେ ସେ ଓକିଲାତି ଆରମ୍ଭ କରିଥିଲେ । କିଛିଦିନ ଆଇନ ପାଠର ଅଧ୍ୟାପନା ମଧ୍ୟ କରିଥିଲେ ।

ରାଜକିଶୋର ସାହିତ୍ୟ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପର ପ୍ରବଳ ବିରୋଧୀ ଥିଲେ । ସରକାରୀ ପରିଚାଳନାରେ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ଗଠନର ସେ ତୀବ୍ର ବିରୋଧ କରିଥିଲେ । ସେ ବୟାଳିଶ ବର୍ଷ ବୟସରେ ବିବାହ କରିଥିଲେ । ପତ୍ନୀ ଶୈଳବାଳା ମଧ୍ୟ ଜଣେ ଓକିଲ ଥିଲେ । ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିବା ସତ୍ତ୍ୱେ ତାଙ୍କ ଜୀବନ ଅଭାବ ଅନାଟନରେ ବିତିଥିଲା ।

୧୯୩୪ ମସିହା ମାର୍ଚ୍ଚମାସରୁ ରାଜକିଶୋରଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ସେ ସମୟରେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ୧୯୩୭ ମସିହାରେ ରେଭେନ୍ସାରେ ପଢୁଥିବା ସମୟରେ ସେ ‘ନବଭାରତ’ ପତ୍ରିକାରେ ଧାରାବାହିକ ଭାବରେ 'ମୋ ଚିଠି ଫାଇଲ' ଶୀର୍ଷକରେ ଲେଖିବା ଆରମ୍ଭ କରିଥିଲେ । ସେ ଲେଖାସବୁ ପରବର୍ତ୍ତୀ ସମୟରେ ‘ପଞ୍ଜୁରୀ ପକ୍ଷୀ’ ନାମରେ ପ୍ରକାଶ ପାଇଥିଲା । ତାଙ୍କର ଐତିହାସିକ ତଥା ଯୁଗୋପଯୋଗୀ ସାହିତ୍ୟ ସର୍ଜନା ପାଇଁ ସେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର (୧୯୯୬), ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ ଝଙ୍କାର ପୁରସ୍କାର (୧୯୭୦), ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ (୧୯୯୪)ରେ ସମ୍ମାନିତ ହୋଇଥିଲେ । 


ରଚନାବଳୀ
କ୍ଷୁଦ୍ରଗଳ୍ପ

Copyright © 2024 Odia Virtual Academy. All rights reserved      Total Visitors-   1

scroll