ଶ୍ରୀ ଅପନ୍ନା ପଣ୍ଡା

ଆବିର୍ଭାବ :- ୧୮୬୪
ତିରୋଧାନ :- ୧୯୩୪
ଜନ୍ମସ୍ଥାନ :-

ଶିକ୍ଷାପ୍ରେମୀ, ଦେଶହିତୈଷୀ, ସମାଜସେବୀ, ସଂସ୍କାରକ,ସାହିତ୍ୟିକ, ଜ୍ୟୋତିର୍ବିଦ୍ ଏବଂ ଆଦର୍ଶ ଶିକ୍ଷକ ଅପନ୍ନା ପଣ୍ଡା ୧୮୬୪ ମସିହାରେ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଗୋରାଚାନ୍ଦ ପଣ୍ଡା । ମହାରାଜା ପଦ୍ମନାଭ ନାରାୟଣ ଦେବ, ଶ୍ୟାମ ସୁନ୍ଦର ରାଜଗୁରୁ, ଗୋପୀନାଥ ନନ୍ଦ ଶର୍ମା ଏବଂ ଅପନ୍ନା ପରିଚ୍ଛା ପ୍ରଭୃତିଙ୍କ ସହିତ ସେ ଦେଶ ମିଶ୍ରଣ, ଦକ୍ଷିଣ ଓଡ଼ିଶାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ, ଉତ୍କଳ ସମ୍ମଳନୀର ପ୍ରତିଷ୍ଠା, ଦେଶୀୟ ରାଜ୍ୟଗୁଡ଼ିକର ଶାସନ ସଂସ୍କାର ଇତ୍ୟାଦି ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ମହାରାଜା ପଦ୍ମନାଭ ଦେବଙ୍କ ସହିତ ଭାରତ ଭ୍ରମଣରେ ଯିବା ସହ ଜାତୀୟ କଂଗ୍ରେସ ଅଧିବେଶନଗୁଡ଼ିକରେ ଯୋଗଦେବା ଫଳରେ ତାଙ୍କ ଦୃଷ୍ଟିକୋଣ ସଂପ୍ରସାରିତ ହୋଇଥିଲା । ପାରଳାଖେମୁଣ୍ଡିରେ ଆଧୁନିକ ଘରୋଇ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜ ସ୍ଥାପନରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା । କିଛି ଦିନପାଇଁ ସେ ମହାରାଜା ଗଜପତି କୃଷ୍ଣଚନ୍ଦ୍ରଙ୍କ ଗୃହଶିକ୍ଷକରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ପାରିବାରିକ ସମସ୍ୟା ଓ ଅର୍ଥାଭାବ କାରଣରୁ ତାଙ୍କୁ ମଞ୍ଜୁଷା, ଟିକାଲି ଓ ପାରିକୁଦ ରାଜାଙ୍କ ଅଧୀନରେ କାର୍ଯ୍ୟ କରିବାକୁ ପଡ଼ିଥିଲା ।

ସବୁ ଜଞ୍ଜାଳ ଭିତରେ ଅପନ୍ନା ସାହିତ୍ୟସାଧନା ଓ ପୁସ୍ତକ ରଚନାକୁ ଅଗ୍ରାଧିକାର ଦେଇଥିଲେ । ପଦ୍ମନାଭ ନାରାୟଣ ଦେବଙ୍କ ନାଟକ ଓ ଗୀତ ସ୍ତବକର ସଂପାଦନା ବ୍ୟତୀତ କବିତା କଳିକା ପ୍ରଥମ ଓ ଦ୍ୱିତୀୟ ଭାଗ (୧୮୯୮ ଓ ୧୯୦୪) ତାଙ୍କ ରଚିତ ଦୁଇଟି କବିତା ସଂକଳନ । ଓଡ଼ିଆ ସାହିତ୍ୟର ଇତିହାସ ସଂକଳନ ପାଇଁ ଉଦ୍ୟମ କରି ପ୍ରଥମେ ସେ ପଦ୍ୟ ଓ ପରେ ଗଦ୍ୟରେ କବି ଜୀବନୀ (୧୯୧୬) ପ୍ରକାଶ କରିଥିଲେ । ପରେ ଉତ୍କଳ ସାହିତ୍ୟର ଇତିହାସ  ଶିରୋନାମାରେ ତାଙ୍କର ଦୁଇଖଣ୍ଡ ପୁସ୍ତକ ପ୍ରକାଶପାଥିଲା । ଏହାର ପ୍ରଥମ ଭାଗରେ ଓଡ଼ିଆ ଛନ୍ଦ ଏବଂ ଦ୍ୱିତୀୟ ଭାଗରେ ଓଡ଼ିଆ ସାହିତ୍ୟକୁ ‘ପୌରାଣିକ ଯୁଗ, ‘କାବ୍ୟ ଯୁଗ’ ଓ ‘ଉପନ୍ୟାସ ଯୁଗ’ ଭାବରେ ବିଭକ୍ତ କରି ଆଲୋଚନା କରାଯାଇଛି । ପ୍ରଥମ ଭାଗ ଛନ୍ଦ ଚନ୍ଦ୍ରିକା (୧୯୨୧) ଏବଂ ଦ୍ୱିତୀୟ ଭାଗ କବି ଜୀବନୀ (୧୯୨୬) ରୂପେ ନାମିତ । ଚନ୍ଦ୍ର ମହାରାଜାରୂପେ ପରିଚିତ ଶ୍ରୀ ପଦ୍ମନାଭ ନାରାୟଣ ଦେବଙ୍କ ଜୀବନୀ ତାଙ୍କର ଏକ ଉପାଦେୟ ପୁସ୍ତକ (୧୯୧୫) । ଓଡ଼ିଆରେ ପ୍ରଚଳିତ ଢଗଗୁଡ଼ିକୁ ସଂଗ୍ରହ କରି ଗଳ୍ପ ମାଧ୍ୟମରେ ସେଗୁଡ଼ିକର ତତ୍ତ୍ୱ ପ୍ରକାଶ କରିବା ପାଇଁ ସେ ରଚନା କରିଥିଲେ ଢଗମାଳିକା ତତ୍ତ୍ୱବୋଧିନୀ (୧୯୩୧) । ଅମୃତ ଭଣ୍ଡାର (୧୯୧୦) ତାଙ୍କ ରଚିତ ଏକ ସଦୁକ୍ତି ସଂକଳନ ଏବଂ କଳାବତୀ (୧୯୦୨) ଏକ ଉପନ୍ୟାସ । ଗଞ୍ଜାମର ଜମିଦାରିଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରି ସେ ନବ ଗଞ୍ଜାମ (୧୯୧୭) ନାମକ ପୁସ୍ତିକା ରଚନା କରିଥିଲେ । ଓଡ଼ିଆ ଭାଷାରେ ଏ ପ୍ରକାର ଉଦ୍ୟମ ପ୍ରଥମ । ଏହା ବ୍ୟତୀତ, ଭାରତେ ବ୍ରିଟିଶ ଶାସନ, ହୋମ୍‍ରୁଲ, ଉତ୍କଳ ସମ୍ମିଳନୀ ତାଙ୍କର ଆଉ କେତୋଟି ଗଦ୍ୟ ରଚନା । ଊନବିଂଶ ଏବଂ ବିଂଶ ଶତାବ୍ଦୀର ସନ୍ଧିକ୍ଷଣରେ ଅପନ୍ନା ପଣ୍ଡାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକର ଉଲ୍ଲେଖନୀୟ ସାମାଜିକ ଏବଂ ସାହିତ୍ୟିକ ମୂଲ୍ୟ ରହିଥିଲା । ୧୯୩୪ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll