ଶ୍ରୀ ବିନୋଦ ରାଉତରାୟ

ଆବିର୍ଭାବ :- ୦୨-୧୨-୧୯୩୦
ତିରୋଧାନ :- ୧୭-୦୬-୨୦୦୫
ଜନ୍ମସ୍ଥାନ :- କାଳିକାପୁର ଗ୍ରାମ, ଜଗତସିଂହପୁର

 

ଓଡ଼ିଆ ସାହିତ୍ୟ- ତଥା କଳାଜଗତର ଅବିସ୍ମରଣୀୟ ପ୍ରତିଭାଭାବେ ଖ୍ୟାତିସଂପନ୍ନ ବିନୋଦ ରାଉତରାୟ ୧୯୩୦ ମସିହା ଡିସେମ୍ବର ୨ ତାରିଖରେ ଜଗତସିଂହପୁର ଜିଲ୍ଲା କାଳିକାପୁର ଗ୍ରାମରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜାନକୀନାଥ ରାଉତରାୟ ମହାପାତ୍ର ଓ ମାତା ପଦ୍ମାବତୀ ଦେବୀ । ସ୍ଵଗୃହରେ ବାଲ୍ୟଶିକ୍ଷା ସମାପନ କରି ଏବଂ ତଦୁପରାନ୍ତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯାଜପୁରସ୍ଥ ଏନ.ସି. କଲେଜରେ ନାମ ଲେଖାଇଥିଲେ । ପୁତ୍ରକୁ ଏକ ସଫଳ ଓକିଲଭାବେ ଦେଖିବା ପାଇଁ ପିତା ଜାନକୀନାଥଙ୍କ ସ୍ଵପ୍ନ ଥିଲେହେଁ କଲେଜ ପାଠକୁ ଅଧାରୁ ବିଦାୟ ଦେଇ ବିନୋଦବାବୁ ଶାନ୍ତିନିକେତନ ଯାଇ ଶିକ୍ଷକ ନନ୍ଦଲାଲ ବୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ରବିଦ୍ୟା ଶିକ୍ଷା କରିଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ବିନୋଦ ଭାରତୀୟ ଚିତ୍ରକଳା ସମେତ କାଠଖୋଦେଇ ତଥା ଲିନୋଖୋଦେଇ ଭଳି କଳାର କତିପୟ ବିଶେଷ ବର୍ଗରେ ନିଜର ପାରଦର୍ଶିତା ପ୍ରମାଣିତ କରି ଜନପ୍ରିୟ ହୋଇଥିଲେ  । କହିବା ବାହୁଲ୍ୟ ଯେ ସେ ଏକାଧାରରେ ଚିତ୍ରକର ତଥା ଶିଶୁ ସାହିତ୍ୟିକର ଏକ ସୁନ୍ଦର ଭୂମିକା ନିଭାଇଛନ୍ତି ।

ବିନୋଦବାବୁ ୧୯୫୬ ମସିହାରେ ଚିତ୍ରବିଦ୍ୟା ଶିକ୍ଷା ସମାପନ କରି ଶାନ୍ତିନିକେତନରୁ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ସର୍ବୋଦୟ ନେତ୍ରୀ ମାଳତୀ ଦେବୀ ଓ ସର୍ବୋଦୟ ନେତା ତଥା ଆଦର୍ଶ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କଦ୍ୱାରା ଚମ୍ପତ୍ତିମୁଣ୍ଡାରେ ପ୍ରତିଷ୍ଠିତ ‘ଜୀବନ ବିଦ୍ୟାଳୟ’ରେ ଶିକ୍ଷକଭାବେ ନିଜର ବୃତ୍ତିଗତ ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏକ ବର୍ଷ ଅନ୍ତେ ୧୯୫୭ ମସିହାରେ ଓଡ଼ିଶା ସରକାରଙ୍କ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ, ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ଅନୁଗୋଳସ୍ଥ ବେସିକ ଟ୍ରେନିଂ କଲେଜ, ୧୯୬୭ରୁ ୧୯୮୫ ପର୍ଯ୍ୟନ୍ତ ଖଲ୍ଲିକୋଟସ୍ଥ ବି.କେ. ଚାରୁକଳା ମହାବିଦ୍ୟାଳୟରେ ପ୍ରଥମେ ଅଧ୍ୟାପକ ଓ ପରେ ୧୯୮୯ ମସିହାରେ ଅଧ୍ୟକ୍ଷ ଭାବେ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିଥିଲେ । ଏତଦ୍‍ତୀତ ୧୯୮୯ରୁ ୧୯୯୨ ପର୍ଯ୍ୟନ୍ତ ତିନିବର୍ଷ ଧରି ସେ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ ମଣ୍ଡନ କରିଥିଲେ ।

ଆମରଣ ରେଖା, ରଙ୍ଗ, ତୁଳୀ ଓ କଲମ ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା । ଭାରତୀୟ ଚିତ୍ରକଳା ଶୈଳୀର ଶତାଧିକ ଚିତ୍ର ସହିତ ସେ କାଠଖୋଦେଇ ଓ ଲିନୋଖୋଦେଇ ମଧ୍ୟ ଆଙ୍କିଥିଲେ । ଚିତ୍ରଗୁଡ଼ିକ ବହୁ ଓଡ଼ିଆ, ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ପତ୍ରିକା ଓ ଗ୍ରନ୍ଥ ନିମନ୍ତେ ବହୁମୂଲ୍ୟ ସମ୍ପଦରୂପେ ନିୟୋଜିତ ହୋଇ ସେ ସବୁକୁ ଏକ ଅଭୂତପୂର୍ବ ସାବଲୀଳତା ପ୍ରଦାନ କରିଥିଲା । ଏଥିସହିତ ଭାଷାପ୍ରେମୀ ବିନୋଦ କବିତା, ଚିତ୍ରବିଦ୍ୟା, ନନ୍ଦନତତ୍ତ୍ଵ, ଶିଳ୍ପୀ-ଜୀବନୀ, ଶିଶୁସାହିତ୍ୟ ଓ ପ୍ରବନ୍ଧ ଭଳି ସାହିତ୍ୟର ବିଭିନ୍ନ ବିଭାବରେ ଏକାବନରୁ ଉର୍ଦ୍ଧ୍ଵ କାଳଜୟୀ ସୃଷ୍ଟି ସର୍ଜନା କରିଥିଲେ ।

କବିତା ରଚନାରୁ ନିଜ ସାହିତ୍ୟସାଧନାର ଅୟମାରମ୍ଭ କରିଥିବା ବିନୋଦବାବୁ ହାଇସ୍କୁଲ ଛାତ୍ର ଥିଲାବେଳେହିଁ ‘ରାତି ପାହିଲା’ ଶୀର୍ଷକ ତାଙ୍କର ପ୍ରଥମ କବିତା ଯଶସ୍ଵୀ ଜାତୀୟକବି ବୀରକିଶୋରଙ୍କ ସମ୍ପାଦିତ ‘ମୋ ଦେଶ’ ପତ୍ରିକାରେ ପ୍ରକାଶିତ ହୋଇଥିଲା । କଲେଜ ଅଧ୍ୟୟନ କାଳରେ ସେ ପ୍ରାଥମିକ ପର୍ଯ୍ୟାୟରେ  ‘ନିର୍ମଳା’ ଓ ‘ମୌସୁମୀ’ ଓ ପରବର୍ତ୍ତୀ ପର୍ଯ୍ୟାୟରେ ‘ପ୍ରିୟା’ ଶୀର୍ଷକ କବିତା ପୁସ୍ତକ ପ୍ରକାଶିତ ହୋଇଥିଲା । ମାତ୍ର ‘ବାଙ୍‍ମୟ' (ଆତ୍ମଜୀବନୀ) ତାଙ୍କର ଅନ୍ତିମ ସାହିତ୍ୟ କୃତିରୂପେ ବିବେଚିତ ହୁଏ ।

‘ଚିତ୍ରବିଦ୍ୟା’, ‘ନନ୍ଦନତତ୍ତ୍ଵ’, ‘ଚିତ୍ର ସମୀକ୍ଷା ଓ ଚିତ୍ରକରଙ୍କ ଜୀବନୀ: ଚିତ୍ରଲେଖା’, ‘କାଠଖୋଦେଇ ଓ ଚିତ୍ରଶିକ୍ଷା’, ‘ରଙ୍ଗୀନ କାଠଖୋଦେଇ’, ‘ଲିନୋଖୋଦେଇର ଆତ୍ମକଥା', ‘ରୂପାନ୍ଵେଷୀର ସ୍ଵାକ୍ଷର', ‘ଶିଳ୍ପତୀର୍ଥ', ‘ମାଇଁ ଗ୍ରାଫିକ୍ସ’, ‘ଶିଳ୍ପୀ’, ‘ଓଡ଼ିଶୀ ଚିତ୍ର (ଏକାଡେମି ପୁରସ୍କାରପ୍ରାପ୍ତ), ‘ଚିତ୍ର ସାହିତ୍ୟ', ‘ଶିଳ୍ପୀ ସମ୍ମିଳନୀରେ ଅଭିଭାଷଣ’, ‘ଲୋକକଳା ଓ ଲୋକସଂସ୍କୃତି’, ‘କଳା ଓ ମୋ କାହାଣୀ’, ‘କଳା ଓ ସୌନ୍ଦର୍ଯ୍ୟବୋଧ ଶିକ୍ଷା’, ‘ଲଳିତ କଳା ଶିକ୍ଷା’, ‘ଗୋପାଳ କାନୁନ୍‌ଗୋ’, ‘ଶିଳ୍ପୀ ବିମ୍ବାଧର ବର୍ମା’, ‘ପଞ୍ଚସଖା’ (ପାଞ୍ଚଜଣ ଶିଳ୍ପୀଙ୍କ ଜୀବନୀ), ‘ଭାରତୀୟ ଚିତ୍ରକଳା’ (ଅନୁବାଦ), ‘ପ୍ରେମ ଓ ପ୍ରଣୟ', ‘ଓଡ଼ିଆ, ଓଡ଼ିଶୀ ଓ ଓଡ଼ିଶା’, ‘ସମକାଳୀନ ଭାସ୍କର', ‘ସମୀକ୍ଷା ଓ ସିଦ୍ଧାନ୍ତ’, ‘ସୌନ୍ଦର୍ଯ୍ୟବୋଧ ଚର୍ଚ୍ଚା’, ‘ସୃଜନକଳା ଓ ସୌନ୍ଦର୍ଯ୍ୟବୋଧ’, ‘ନନ୍ଦନର କୁଞ୍ଜତଳେ’ ଇତ୍ୟାଦି ଅଗଣିତ କଳାସମ୍ବନ୍ଧୀୟ ପୁସ୍ତକ ରଚନା କରି ବିନୋଦବାବୁ କଳାକାର ଓ ସାଧାରଣ ପାଠକ ସମାଜର ଦ୍ୟଦୟରେ ଘର କରିନେଲେ । ପୁନଶ୍ଚ ସେ ‘ଛୁଟି’, ‘ବେଙ୍ଗବାଇଦ’, ‘ମାଟିକଣ୍ଢେଇ’, ‘ନୂଆ ଦୁନିଆର କଥା’, ‘କଥାକୁସୁମ’, ‘ପିଲାଙ୍କ ଅବନୀନ୍ଦ୍ରନାଥ’ ଇତ୍ୟାଦି ଶିଶୁସାହିତ୍ୟ ସର୍ଜନା କରି ଉଚ୍ଚକୋଟୀ ସୃଜନଶୀଳତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କ ସୃଜନ-ବ୍ୟକ୍ତିତ୍ଵ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି: ଚିତ୍ରବିଦ୍ୟା ଓ ନନ୍ଦନତତ୍ତ୍ଵ ପରି ଜଟିଳ ବିଦ୍ୟାକୁ ସେ ସ୍ପଷ୍ଟ ଓ ପ୍ରଭାବଶାଳୀ ଢଙ୍ଗରେ ବୁଝାଇପାରିଛନ୍ତି 


ରଚନାବଳୀ
କବିତା ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll