ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ

ଆବିର୍ଭାବ :- ୨୦-୦୯-୧୯୦୧
ତିରୋଧାନ :- ୧୪-୦୧-୧୯୬୧
ଜନ୍ମସ୍ଥାନ :- ଜାଅଁଳା, ଖୋର୍ଦ୍ଧା

କାଳଜୟୀ ଓଡ଼ିଆ ସାହିତ୍ୟର ଜଣେ ସୁଦକ୍ଷ ସଂପାଦକ, ଭଞ୍ଜ ସାହିତ୍ୟର ପ୍ରଚାରକ, ବିଶିଷ୍ଟ ଅନୁବାଦକ ବିଚ୍ଛନ୍ଦଚରଣ ଫଟ୍ଟନାୟକ ଭୁବନେଶ୍ୱର-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଜାଆଁଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗୋଲୋକ କୃଷ୍ଣ ଓ ମାତାଙ୍କ ନାମ ଥିଲା ରାଧାରାଣୀ । ପିତାଙ୍କ ପ୍ରଭାବରେ ବିଚ୍ଛନ୍ଦଚରଣ ଅଧ୍ୟାତ୍ମ୍ୟ ଓ କଳାନୁରାଗୀ ହୋଇଥିଲେ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଆକର୍ଷଣ ଜନ୍ମିଥିଲା  । ଖଳଲୋକଙ୍କ କୁଚକ୍ରାନ୍ତ ଯୋଗୁଁ ତାଙ୍କ ପୈତୃକ ସମ୍ପତ୍ତି କ୍ଷୟ ହୋଇଯାଇଥିଲା; ଫଳସ୍ଵରୂପ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିସାରିଥିଲା । ଶାରୀରିକ ଅଚଳତା ହେତୁ ସେ ବହୁଦିନ ପର୍ଯ୍ୟନ୍ତ ଦୈନିକ କର୍ମ ସମ୍ପାଦନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଜଣେ ସେବକ ପ୍ରତ୍ୟହ ପ୍ରାତଃକାଳରୁ ତାଙ୍କୁ ଭୂମି-ଚିକିତ୍ସା ପାଇଁ ମାଟିରେ ପୋତି ରଖୁଥିଲେ । ଭଗବାନଙ୍କ ଅଶେଷ ଅନୁକମ୍ପାରୁ ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଲ୍ୟଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା ।

ବିଚ୍ଛନ୍ଦଚରଣ ବାଲ୍ୟକାଳରୁ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲେ । ଓଡ଼ିଆ ସହ ସେ ଇଂରାଜୀ ଓ ବଙ୍ଗଳା ଭାଷାରେ ମଧ୍ୟ ଲିଖନ ପଠନରେ ପାରଦର୍ଶିତା ହାସଲ  କରିଥିଲେ । ତାଙ୍କ ବଡ଼ ଭାଇ ପଦ୍ମଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବ ରଥ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କବିତାବଳୀକୁ ମଧ୍ୟ ଇଂରାଜୀରେ ଅନୁବାଦ କରିଥିଲେ ।

 ସତ୍ୟବାଦୀ ବନବିଦ୍ୟାଳୟରେ ସେ କିଛିକାଳ ବିଦ୍ୟାଲାଭ କରିଥିଲେ । ସେହିକାଳରେ ସେ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଆଦି ମହାମନୀଷୀମାନଙ୍କ ପ୍ରଭାବରେ ଅନୁପ୍ରାଣିତ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସେ ପଢ଼ା ଛାଡ଼ି ଘରକୁ ଫେରିଆସିଥିଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ଯେ ଏଥିଯୋଗୁଁ ସେ ତାଙ୍କ ପରିବାରର କୋପଦୃଷ୍ଟିର ଶିକାର ହୋଇଥିଲେ । କିନ୍ତୁ ଏଥିରେ ସେ ବିବ୍ରତ ନହୋଇ ତାଙ୍କ ସାହିତ୍ୟ ସାଧନାରେ ଦ୍ୱିଗୁଣ ଉତ୍ସାହର ସହିତ ମନୋନିବେଶ କରିଥିଲେ । ଭଞ୍ଜ-ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବିଚ୍ଛନ୍ଦଚରଣଙ୍କ ଅବଦାନ ଅତୁଳନୀୟ ବୋଲି କହିବାକୁ ହେବ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll