ବ୍ୟାସକବି ଫକୀରମୋହନ ସେନାପତି

ଆବିର୍ଭାବ :- ୧୩-୦୧-୧୮୪୩
ତିରୋଧାନ :- ୧୪-୦୬-୧୯୧୮
ଜନ୍ମସ୍ଥାନ :- ମଲ୍ଲିକାଶପୁର, ବାଲେଶ୍ୱର

ବ୍ୟାସକବି ଫକୀରମୋହନ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସ୍ୱଳ୍ପ ବିଦ୍ୟାଧ୍ୟୟନ କରିଥିଲେ ମଧ୍ୟ ଜଣେ ସ୍ରଷ୍ଟାଭାବେ ବିଂଶ ଶତାବ୍ଦୀର ବିଶିଷ୍ଟ ଔପନ୍ୟାସିକ ପ୍ରେମ୍‍ଚାନ୍ଦ ଓ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କଠାରୁ କୌଣସି ଦୃଷ୍ଟିରୁ କମ୍‍ ନ ଥିଲେ । ଓଡ଼ିଆ ଭାଷା କିଛି ବିଦ୍ୱେଷୀ ବଙ୍ଗୀୟ ବ୍ୟକ୍ତିବିଶେଷଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ନିଜର ସତ୍ତା ହରାଇବାକୁ ବସିଥିବାବେଳେ ସାହିତ୍ୟସାଧକ ବନ୍ଧୁଙ୍କ ସହଯୋଗରେ ଫକୀରମୋହନ ଓଡ଼ିଆ ଭାଷା ଓ ସାହିତ୍ୟକୁ ଜୀବନ ଦାନ କରି ଭାଷାକୁ ଗୌରବମଣ୍ଡିତ କରିଥିଲେ । ତାଙ୍କର ପ୍ରତିଟି ଲେଖାରେ ସମାଜ ସଂସ୍କାର ଏବଂ ଓଡ଼ିଆ ଜାତୀୟତା ସ୍ପଷ୍ଟଭାବେ ପ୍ରତିଫଳିତ । ପ୍ରକୃତପକ୍ଷେ ତାଙ୍କୁ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ ।  

ଫକୀରମୋହନ ସେନାପତି ହେଉଛନ୍ତି ଓଡ଼ିଶା ଭାଷା ଆନ୍ଦୋଳନର କତିପୟ ପ୍ରମୁଖ କର୍ଣ୍ଣଧାରମାନଙ୍କ ମଧ୍ୟରୁ ଅନ୍ୟତମ । ତତ୍କାଳୀନ ଓଡ଼ିଶାର ଅବିଭକ୍ତ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଫକୀରମୋହନ । ତାଙ୍କ ପିତା ଥିଲେ  ଲକ୍ଷ୍ମଣଚରଣ ସେନାପତି ଓ ମାତା ତୁଳସୀ ଦେବୀ । କିନ୍ତୁ ଜନ୍ମ ହେବାର ମାତ୍ର ୨ବର୍ଷ ମଧ୍ୟରେ ସେ ଉଭୟ ପିତାମାତାଙ୍କୁ ହରାଇଥିଲେ । ତେଣୁ ବାଲ୍ୟକାଳରୁ ଜେଜେମା ତାଙ୍କର ଲାଳନପାଳନର ଭାର ସମ୍ଭାଳିଥିଲେ । ଜନ୍ମ ଆରମ୍ଭରୁ ଭଗ୍ନସ୍ୱାସ୍ଥ୍ୟ ଫକୀରମୋହନଙ୍କର ଫକୀରମାନଙ୍କ ଆଶୀର୍ବାଦରୁ ସ୍ଵାସ୍ଥ୍ୟୋନ୍ନତି ଘଟିଥିବାରୁ ତାଙ୍କ ନାମ ଫକୀରମୋହନ ରଖାଯାଇଥିଲା ।

ଦାରିଦ୍ର୍ୟ ଫକୀରମୋହନଙ୍କ ପାଠପଢ଼ାରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । ତାଙ୍କ ଦାଦା ବିଦ୍ୱେଷ ହେତୁ ଫକୀରମୋହନଙ୍କ ପାଠପଢ଼ାରେ ସହାୟତା ନ କରିବାରୁ ଜଣେ ଶିଶୁଶ୍ରମିକ ଭାବରେ କାମ କରି ବଡ଼ କଷ୍ଟରେ ବିଦ୍ୟାଳୟର ମାସିକ ପାଉଣା ଚାରିଅଣା ମଧ୍ୟ ପୈଠ କରି ନ ପାରି ଶିକ୍ଷାରେ ଡୋରି ବାନ୍ଧିବାକୁ ବାଧ୍ୟ ହୋଇଥିଲେ । ପରେ ୧୮୬୩ ମସିହାରେ ସେ ନିଜେ ପଢ଼ୁଥିବା ବାରବାଟି ସ୍କୁଲ୍‍ରେ ମାସକୁ ମାତ୍ର ଅଢ଼େଇ ଟଙ୍କାରେ ଚାକିରି କରିଥିଲେ । ଦୁଇମାସ ପରେ ଏହି ବେତନ ଚାରିଟଙ୍କାକୁ ବୃଦ୍ଧି ପାଇଥିଲା । ୧୮୬୪ ମସିହାରେ ବାଲେଶ୍ୱର ମିଶନ୍‍ ସ୍କୁଲ୍‍ର ସେକ୍ରେଟେରି ଏ. ମିଲର ତାଙ୍କୁ ୧୦ ଟଙ୍କା ବେତନରେ ତାଙ୍କ ସ୍କୁଲ୍‍ର ପ୍ରଧାନ ଶିକ୍ଷକଭାବେ ନିଯୁକ୍ତି ଦେଲେ । ଏହି ସମୟରେ ଫକୀରମୋହନଙ୍କ ପାଣ୍ଡିତ୍ୟର ପରିଚୟ ପାଇଥିଲେ ଜଣେ ଗୁଣୀ ଏବଂ ଗୁଣଗ୍ରାହୀ ଇଂରେଜ ଅଧିକାରୀ, ବାଲେଶ୍ୱରର ତତ୍‍କାଳୀନ ଜିଲ୍ଲାପାଳ ଜନ୍‍ ବିମ୍‍ସ ସାହେବ । ଜନ୍‍ ବିମ୍‍ସ ୧୩ଟି ଭାଷାରେ ଜ୍ଞାନାର୍ଜନ କରିବା ସହ ସେତେବେଳେ ଏକ ତୁଳନାତ୍ମକ ବ୍ୟାକରଣ ରଚନାରେ ବ୍ରତୀ ଥିଲେ । ସେ ଫକୀରମୋହନଙ୍କଠାରୁ ଓଡ଼ିଆ ଭାଷା ଶିକ୍ଷା କରିଥିଲେ ଏବଂ ତାଙ୍କ ସମ୍ପର୍କରେ ମତ ଦେଇଥିଲେ ଯେ ଫକୀରମୋହନ ହାଡ଼େ ହାଡ଼େ ଜାତୀୟତାବାଦୀ ଏବଂ ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ ରହିବ ।

୧୮୬୮ ମସିହାରେ ଫକୀରମୋହନ ରାଧାନାଥ ରାୟଙ୍କ ସମେତ ତାଙ୍କର ପାଞ୍ଚଜଣ ବନ୍ଧୁଙ୍କୁ ନେଇ ଓଡ଼ିଆ ସାହିତ୍ୟର ବିକାଶ ଉଦ୍ଦେଶ୍ୟରେ ଏକ ସଂଗଠନ ଗଢ଼ିଲେ ଏବଂ ମେଦିନୀପୁରରୁ ଖ୍ରୀଷ୍ଟିଆନ ମିଶନାରୀମାନଙ୍କଠାରୁ ଏକ ଛାପାକଳ କିଣି ଉତ୍କଳ ପ୍ରେସ ପ୍ରତିଷ୍ଠା କଲେ । କିନ୍ତୁ ମେସିନ୍‍ଟି ପ୍ରାୟ ଅକାମି ହୋଇଥିବାରୁ ପରେ କଲିକତାରୁ ଏକ ଭଲ ମେସିନ୍‍ କିଣି ବସାଇଲେ । ଏହି ପ୍ରେସ୍‍ରୁ ‘ବୋଧଦାୟିନୀ ଏବଂ ସମ୍ବାଦ ବାହିକା’ ନାମରେ ଏକ ପାକ୍ଷିକ ପତ୍ରିକା ପ୍ରକାଶ ପାଇଲା । କିନ୍ତୁ ଲେଖା ଅଭାବରୁ ଏବଂ ଫକୀରମୋହନ ଏଥିପାଇଁ ଯଥେଷ୍ଟ ସମୟ ଦେଇ ନ ପାରିବାରୁ ତାହା ବନ୍ଦ ହୋଇଗଲା । ତେବେ ଏହି ପ୍ରେସ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା ।

୧୮୭୧ ମସିହାରେ ଫକୀର ମୋହନ ବିମ୍‍ସ ସାହେବଙ୍କ ସୁପାରିଶ୍‍ରେ ନୀଳଗିରି ଗଡ଼ଜାତର ଦେୱାନଭାବେ ମାସିକ ଏକ ହଜାର ଟଙ୍କା ବେତନରେ ଚାକିରି ଆରମ୍ଭ କଲେ । ଏହା ପରଠାରୁ ସେ ଦୀର୍ଘ ୨୫ ବର୍ଷ ଧରି  ଡମପଡ଼ା, ଢେଙ୍କାନାଳ, ଦଶପଲ୍ଳା, ପାଲଲହଡ଼ା, କେନ୍ଦୁଝର ଓ ପୁନର୍ବାର ଡମପଡ଼ା ଆଦି ଗଡ଼ଜାତ ରାଜ୍ୟରେ ଦୀର୍ଘ ୨୫ ବର୍ଷ କାଳ ପ୍ରଶାସନିକ ଦାୟିତ୍ୱ ତୁଲାଇଥିଲେ ।          

ନିଜର କର୍ମତତ୍ପରତା, ଏକାଗ୍ରତା, କର୍ତ୍ତବ୍ୟନିଷ୍ଠା, ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ସେ ଓଡ଼ିଆ, ପାର୍ସି, ବଙ୍ଗଳା, ଏପରିକି ଇଂରାଜୀ ଭାଷାରେ ବେଶ ପାରଦର୍ଶିତା ଲାଭ କରିଥିଲେ । ତାଙ୍କ ରେବତୀ ଗଳ୍ପ ଓଡ଼ିଆ ଭାଷାର ପ୍ରଥମ ଗଳ୍ପ । ଛ’ ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ ଓ ଲଛମା ଭଳି ୪ଟି କାଳଜୟୀ ଉପନ୍ୟାସ ରଚନା କରି ଏହି ଯୋଗଜନ୍ମା ସାହିତ୍ୟ ସାଧକ ବିଶ୍ୱ ସାହିତ୍ୟ ଦରବାରରେ ବିଦିତ ହେଲେ । ପୁନର୍ମୂଷିକୋଭବ, ଡାକମୁନ୍‍ସୀ, କାଳିକାପ୍ରସାଦ ଗୋରାପ, କମଳାପ୍ରସାଦ ଗୋରାପ, ଧୂଳିଆ ବାବା, ପେଟେଣ୍ଟ ମେଡ଼ିସିନ, ସୁନାବୋହୂ, ବିରେଇ ବିଶାଳ, ବଗଲାବଗୁଲୀ, ସଭ୍ୟ ଜମିଦାର, ଅଜାନାତି କଥା, ଅଧର୍ମ ବିତ୍ତ, ପାଠୋଈ ବୋହୂ ଓ ଗାରୁଡ଼ିମନ୍ତ୍ର ପରି ଅମର କାହାଣୀମାନ ସେ ସୃଷ୍ଟି କରିଛନ୍ତି । ତାଙ୍କ ଗଳ୍ପଗୁଡ଼ିକ ଗଳ୍ପସ୍ୱଳ୍ପ ପ୍ରଥମ ଭାଗ ଓ ଗଳ୍ପସ୍ୱଳ୍ପ ଦ୍ୱିତୀୟ ଭାଗରୂପେ ସଂକଳିତ ହୋଇଛି । ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’, 'ଅବସର ବାସରେ' ଓ ’ଧୂଳି’ ଭଳି ଅନେକ କବିତା ସଙ୍କଳନର ସେ ସ୍ରଷ୍ଟା । ତାଙ୍କ ଲିଖିତ ଦୀର୍ଘ କବିତା ଉତ୍କଳ ଭ୍ରମଣ ତତ୍‍କାଳୀନ ଓଡ଼ିଶାର ପରିସ୍ଥିତି ଉପରେ ଏକ ବ୍ୟଙ୍ଗାତ୍ମକ ଲେଖା ।  ବୌଦ୍ଧାବତାର ତାଙ୍କର ଆଉ ଏକ ଦୀର୍ଘ କବିତା । ସେ ସଂସ୍କୃତରୁ ସାତଖଣ୍ଡ ରାମାୟଣ ଏବଂ ମହାଭାରତର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ । ୧୯୧୮ ମସିହାରେ ସେ ତାଙ୍କ ‘ଆତ୍ମ ଜୀବନ ଚରିତ’ ଲେଖିସାରିଥିଲେ ମଧ୍ୟ ତାଙ୍କ ମୃତ୍ୟୁପରେ ୧୯୨୭ ମସିହାରେ ତାହା ପ୍ରକାଶ ପାଇଥିଲା । ଏହା ଓଡ଼ିଆ ଭାଷାରେ ପ୍ରଥମ ଆତ୍ମଜୀବନୀ । ରୁଷିଆରେ ଅକ୍ଟୋବର ବିପ୍ଳବ ସଂଘଟିତ ହେବାର ଅନେକ ପୂର୍ବରୁ ଏବଂ ଭାରତକୁ ମାର୍କ୍‍ସବାଦୀ ଚିନ୍ତାଧାରାର ସଂକ୍ରମଣ ପୂର୍ବରୁ ଛମାଣ ଆଠଗୁଣ୍ଠ ଉପନ୍ୟାସରେ ସେ ଭୂମିହୀନ ଚାଷୀଙ୍କ ଉତ୍କଟ ଶୋଷଣ ଉପରେ ଆଲୋକପାତ କରିଥିଲେ । ଏଭଳି ଉପନ୍ୟାସ ଭାରତବର୍ଷରେ ପ୍ରଥମ ।

୧୯୦୫ ମସିହାରେ ଫକୀରମୋହନ ସବୁଦିନ ପାଇଁ ନିଜ ଗ୍ରାମ ମଲିକାଶପୁରକୁ ଚାଲିଯାଇଥିଲେ । ଶେଷ ଅବସ୍ଥାରେ ତାଙ୍କ ନିକଟରେ ନିଜର ବୋଲି କେହି ନଥିଲେ ଏବଂ ଦୁଃଖଦୈନ୍ୟ ଭିତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।


ରଚନାବଳୀ
କବିତା ସଂକଳନ
ଶ୍ରାବ୍ୟ ଗଳ୍ପ

Copyright © 2023 Odia Virtual Academy. All rights reserved      Total Visitors-   1

scroll