ଆବିର୍ଭାବ :- ୧୪-୦୯-୧୯୦୪
ତିରୋଧାନ :- ୨୬-୦୧-୧୯୭୯
ଜନ୍ମସ୍ଥାନ :- ବଡ଼ମ୍ବା, ନୟାଗଡ
ଉତ୍କଳ ସାହିତ୍ୟାକାଶର ବରେଣ୍ୟ ସାରସ୍ଵତ ସାଧକ, ସବୁଜ ଗୋଷ୍ଠୀର ଉଜ୍ଜ୍ୱଳତମ ଜ୍ୟୋତିଷ୍କ କବି ବୈକୁଣ୍ଠନାଥ ପଟ୍ଟନାୟକ ୧୯୦୪ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ବଡ଼ମ୍ବା ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୁମନ୍ତ ପଟ୍ଟନାୟକ । କହିବା ବାହୁଲ୍ୟ ଯେ ବଡ଼ମ୍ବାର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କ ବାଲ୍ୟ ଜୀବନ ଓ କବିତା ଲିଖନ ଶୈଳୀକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।
ସୁପ୍ରସିଦ୍ଧ ମଣିଷଗଢ଼ା କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ତଥା ଢେଙ୍କାନାଳ ଓ ପୁରୀ ଆଦି ସ୍ଥାନରେ ତାଙ୍କର ବାଲ୍ୟ ଓ କୈଶୋରାବସ୍ଥା ଅତିବାହିତ ହୋଇଥିଲା । ଆନୁମାନିକ ୧୯୨୧ରେ ରେଭେନ୍ସା କଲେଜର ଛାତ୍ର ଥିବାବେଳେ ସବୁଜ ଗୋଷ୍ଠୀର କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅନ୍ନଦା ଶଙ୍କର ରାୟ, ଶରତଚନ୍ଦ୍ର ଓ ହରିହରଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଥିଲା । ଶିକ୍ଷାଗତ ଯୋଗ୍ୟତା ଉପରେ ଦୃଷ୍ଟିନିକ୍ଷେପ କଲେ ଜଣାଯାଏ ଯେ ସେ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଅଧ୍ୟାପନାକୁ ଜୀବନର ବୃତ୍ତିରୂପେ ଗ୍ରହଣ କରିନେଇଥିଲେ । ସେ ୧୯୫୯ରେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ ।
ପିତାଙ୍କ ସାହିତ୍ୟାନୁରାଗ ଓ ବୈପ୍ଳବିକ ବ୍ୟକ୍ତିତ୍ଵ ଏବଂ ସବୁଜ ଗୋଷ୍ଠୀ ସହିତ ସମ୍ପୃକ୍ତି ତାଙ୍କ ସାହିତ୍ୟ ସର୍ଜନାର ଧାରାକୁ ପ୍ରଭାବିତ କରିଥିଲା । ସବୁଜ ଗୋଷ୍ଠୀର ନାମକରଣ ପ୍ରସଙ୍ଗରେ ବୈକୁଣ୍ଠନାଥଙ୍କ ‘ସବୁଜ ବନ୍ଧୁ' କବିତାକୁ ସର୍ବଦା ଉଦାହରଣସ୍ୱରୂପ ନିଆଯାଇଥାଏ । ସବୁଜ ଗୋଷ୍ଠୀରେ ବୈକୁଣ୍ଠନାଥ ହିଁ ଶେଷପର୍ଯ୍ୟନ୍ତ ଥିଲେ ନିରୁତା କାବ୍ୟସାଧକ । ସବୁଜ ଗୋଷ୍ଠୀର ସାମଗ୍ରିକ ଅବଦାନ ଭିତରେ ତାଙ୍କ ଭୂମିକା ଏକାନ୍ତ ଉଲ୍ଲେଖଯୋଗ୍ୟ ।
ଇଂରାଜୀ ରୋମାଣ୍ଟିକ କବି ୱଡ୍ସୱର୍ଥ ଓ ଶେଲୀ, ବିଶ୍ୱକବି ରବୀନ୍ଦ୍ରନାଥ ଓ ଓଡ଼ିଆ କବି ମଧୁସୂଦନଙ୍କ ଆଦର୍ଶବାଦୀ ପ୍ରେରଣା ତାଙ୍କୁ ଉଦ୍ବୁଦ୍ଧ କରିଥିଲା । ବୈକୁଣ୍ଠନାଥ ‘ଉପେକ୍ଷିତା’ ନାମକ ଗୀତିନାଟିକା ଏବଂ ‘ମୁକ୍ତିପଥେ’ ନାମକ ପଞ୍ଚାଙ୍କସମ୍ବଳିତ ପୂର୍ଣ୍ଣାଙ୍ଗ ନାଟକର ରଚନା କରି ବେଶ ଲୋକପ୍ରିୟ ହୋଇଥିଲେ । କିନ୍ତୁ ଓଡ଼ିଆ ସାହିତ୍ୟରେ ତାଙ୍କର ପରିଚୟହେଉଛି କବି ଭାବରେ । ସଂକଳନ ‘ଅରୁଣଶ୍ରୀ’, ‘କାବ୍ୟସଞ୍ଚୟନ’, ‘ଉତ୍ତରାୟଣ’ ‘ବିଲ୍ୱମଙ୍ଗଳ’, ‘ମୁକ୍ତିପଥେ’ ଆଦି ସଂକଳନ ସହ ଗାଥାକାବ୍ୟ ‘କାବ୍ୟନାୟିକା’ ଓଡ଼ିଆ ସାହିତ୍ୟକୁ ବୈକୁଣ୍ଠନାଥଙ୍କ ଅବିସ୍ମରଣୀୟ ଅବଦାନ । ‘ଉତ୍ତରାୟଣ’ ପାଇଁ ତାଙ୍କୁ ୧୯୬୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
୧୯୪୩ରେ ବୃହତ୍ ଏକକ ସଂକଳନ ‘କାବ୍ୟସଞ୍ଚୟନ’ ପ୍ରକାଶ ପାଇଥିଲା, ଯାହା ତାଙ୍କ କବିତ୍ଵର ସର୍ବୋତ୍ତମ ପ୍ରତିନିଧି । ସେ ରୋମାଣ୍ଟିକ କବି ଥିଲେ । ରୋମାଣ୍ଟିକ କବିତାରେ ସଚରାଚର ଦୃଷ୍ଟିଗୋଚର ପ୍ରକୃତିପ୍ରୀତି, ପ୍ରଣୟାନୁଭୂତି, ରହସ୍ୟଚେତନା, ବିଷାଦବୋଧ, ମାନବବାଦ ଓ ବୈପ୍ଳବିକତା ତାଙ୍କ କବିତାକୁ ପରିପୁଷ୍ଟ କରିଛି । ରୋମାଣ୍ଟିକ ଚେତନାର ପ୍ରମୁଖ ତତ୍ତ୍ଵ ‘କଳ୍ପନା’ ଥିଲା ତାଙ୍କର ଆମରଣ ସହଚର ।
‘ସବୁଜସ୍ଵପ୍ନ’, ‘ଉଷାଲୋକେ’, ‘ବର୍ଷାବରଣ’, ‘ନବବର୍ଷାନୁଭୂତି’, ‘ବର୍ଷାସାଥୀ’, ‘ବରଷା ଆସିଛି ଦୁଆରେ’, ‘ପୌଷପବନ’, ‘ବନଫୁଲ’, ‘ଯାଚଜ୍ଞା’ ଆଦି କବିତାରେ କବିଙ୍କ ପ୍ରକୃତି-ଚେତନା ଓ ସୌନ୍ଦର୍ଯ୍ୟବୋଧ ପ୍ରକଟିତ ହୋଇଥିବା ଦେଖିବାକୁ ମିଳେ । ‘ବ୍ରିଏଟ୍ରିସ’, ‘ନବବର୍ଷାନୁଭୂତି’, ‘ଅଭିସାର ସ୍ମୃତି’, ‘ବ୍ୟଥା ନିବେଦନ’, ‘ପ୍ରୀତି ଆବାହନ’, ‘ବ୍ୟଥା ମାଧୁରୀ’, ‘ପ୍ରୀତି ଅନୁଭୂତି’, ‘ମ୍ଳାନଫୁଲ’, ‘ଗୋଲାପ ବ୍ୟଥା’, ‘ନବବର୍ଷା’ ଆଦି କବିତା କଳ୍ପନାପ୍ରଧାନ ଓ ତାଙ୍କର ଅନୁପମ ସୃଷ୍ଟି ।
‘ଯାତ୍ରାସଙ୍ଗୀତ’, ‘କାରାବାସୀ କବିର ସ୍ଵପ୍ନ’, ‘ବାସଗୃହ’, ‘ପଥଛାୟା’, ‘ପାନ୍ଥଶାଳା’, ‘ଦେବଦୂତ’, ‘ସନ୍ଧ୍ୟାରାଗ’, ‘ଶେଷଯାତ୍ରା’, ‘ଅଶ୍ରୁ’, ‘ମହିମାମାଧୁରୀ’, ‘ଦୈନ୍ୟପ୍ରକାଶ’, ‘ନିର୍ବାଣ ଆନନ୍ଦ’, ‘ଉପାସନା’ ଆଦି ବହୁ କବିତା କବିଙ୍କ ବିଭବବୋଧ ଓ ରହସ୍ୟପ୍ରାଣତାର ପ୍ରତିନିଧିତ୍ଵ କରିଛନ୍ତି । ଏହି ମହାନ୍ ରୋମାଣ୍ଟିକ-ରହସ୍ୟବାଦୀ କବି ୭୪ ବର୍ଷ ବୟସରେ ୧୯୭୯ ଜାନୁଆରି ୨୬ ତାରିଖ ଦିନ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।