ଉତ୍ସର୍ଗୀକୃତ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ପ୍ରଖର ବକ୍ତା, ଶିକ୍ଷାବିତ୍, ରାଜନେତା, ସାମ୍ବାଦିକ ତଥା ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଦାସ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ପଣ୍ଡିତ ନୀଳକଣ୍ଠ ବାଲ୍ୟକାଳରୁ ହିଁ ଜଣେ ମେଧାବୀ ଛାତ୍ରର ପରିଚୟ ଦେଇଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ସର୍ବପ୍ରଥମ ସ୍ଥାନ ବଜାୟ ରଖି ଆସିଥିଲେ । ମାସିକ ବୃତ୍ତି ପାଇ ନୀଳକଣ୍ଠ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ଏବଂ ଏମ୍.ଫିଲ. ହାସଲ କରିଥିଲେ । ତାଙ୍କର ଅଗାଧ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ତାଙ୍କୁ କରଗତ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଉଚ୍ଚ ବେତନଯୁକ୍ତ ଚାକିରି ପ୍ରଦାନ କରିଥିଲେ । ମାତ୍ର ଭାର୍ଗବୀ ନଦୀର ବନ୍ୟାଜଳରେ ଦାରୁଣ ବିସୂଚିକାଜନିତ ଗଳିତ ଶବମାନ ଦେଖି ସେ ଭୀଷ୍ମ ପ୍ରତିଜ୍ଞା କରିଥିଲେ ଜନସେବା ସହ ଓଡ଼ିଶାର ପ୍ରଗତିର ମଙ୍ଗ ଧରିବା ପାଇଁ ।
ଶିକ୍ଷା ସମାପ୍ତି ପରେ କଲିକତା ବିଶ୍ୱବିଦ୍ୟାଳୟ କୁଳପତି ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧକ୍ରମେ ପଣ୍ଡିତ ନୀଳକଣ୍ଠ ଉକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକଭାବେ ଯୋଗଦାନ କରିଥିଲେ । ମାତ୍ର ତିନିମାସ ପରେ ସେ ଚାକିରି ଛାଡ଼ି ଦେଇଥିଲେ । ଏହାପରେ ବିଶ୍ୱବିଦ୍ୟାଳୟର କୁଳାଧିପତି ଥିବା ତତ୍କାଳୀନ ଭାଇସ୍ରୟ ତାଙ୍କୁ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ମନୋନୀତ କରିଥିଲେ । ଏହି ପଦକୁ ସେ ଅନେକ ଥର ମନୋନୀତ ହୋଇ ୧୯୩୦ ମସିହା ପର୍ଯ୍ୟନ୍ତ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା । ୧୯୫୫ ମସିହାରେ ତାଙ୍କୁ ଏହି ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସେଲର ମନୋନୀତ କରାଯାଇଥିଲା । ତାଙ୍କ ସାହିତ୍ୟ କୃତିକୁ ସମ୍ମାନ ଜଣାଇ ୧୯୫୫ ମସିହାରେ ଏହି ବିଶ୍ୱବିଦ୍ୟାଳୟ ତାଙ୍କୁ ଡି.ଲିଟ୍. ଉପାଧିରେ ଭୂଷିତ କରିଥିଲା ।
ଉପଯୁକ୍ତ ଶିକ୍ଷା ଦେଇ ସମାଜପ୍ରେମୀ ଏବଂ ଦେଶପ୍ରେମୀ ମଣିଷ ଗଢ଼ିବା ଉଦ୍ଦେଶ୍ୟରେ ଉତ୍କଳମଣି ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ଉଦ୍ୟମରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହେଲା ପରେ ୧୯୧୧ ମସିହାରେ ସେଠାରେ ସେ ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ । ତାଙ୍କ ପ୍ରେରଣାରେ ସବୁଜାତିର ଛାତ୍ର ଗୋଟିଏ ଛାତ୍ରାବାସରେ ରହୁଥିଲେ ଏବଂ ଏକା ପ୍ରକୋଷ୍ଠରେ ଭୋଜନ କରୁଥିଲେ ।
ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ନୀଳକଣ୍ଠ ୧୯୨୧ ମସିହାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ୧୯୨୨ରୁ ୧୯୩୩ ମଧ୍ୟରେ ଚାରିଥର କାରାବରଣ କରିଥିଲେ । ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହ ଆମନ୍ଦୋଳନର ନେତୃତ୍ୱ ନେଇ ସେ ଗିରଫ ହୋଇଥିଲେ । ୧୯୩୪ ମସିହାରେ ନୀଳକଣ୍ଠ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୩୫ରେ କେନ୍ଦ୍ର ବିଧାୟିକାକୁ ନିର୍ବାଚିତ ହୋଇଥିଲେ । ୧୯୩୭ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ତାଙ୍କ ନେତୃତ୍ୱରେ ଜିତିଥିଲା । ତାଙ୍କ ସପକ୍ଷରେ ୩୬ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ସଭ୍ୟଙ୍କ ସମର୍ଥନ ଥିଲେ ମଧ୍ୟ ଜନୈକ ପ୍ରମୁଖ ନେତାଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ସେ ପ୍ରଧାନମନ୍ତ୍ରୀ ହୋଇପାରି ନ ଥିଲେ । ତାଙ୍କ ସ୍ଥାନରେ ବିଶ୍ୱନାଥ ଦାସଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା ଏବଂ ଏହି ନିଷ୍ପତ୍ତିକୁ କେନ୍ଦ୍ରୀୟ ଦଳ ଅନୁମୋଦନ କରିଥିଲା । ଷଡ଼ଯନ୍ତ୍ରର ଲକ୍ଷ୍ୟ ଥିଲା ନୀଳକଣ୍ଠଙ୍କୁ କଂଗ୍ରେସ ରାଜନୀତିରୁ ହଟାଇବା । ଏତେଶୀଘ୍ର ତାହା ସମ୍ଭବ ହୋଇନଥିଲେ ମଧ୍ୟ ନିରନ୍ତର ଚକ୍ରାନ୍ତର ପରିଣାମସ୍ୱରୂପ ପରିଶେଷରେ ତାହାହିଁ ହୋଇଥିଲା । ୧୯୩୯ ସଭାପତି ନିର୍ବାଚନରେ ସେ ହରେକୃଷ୍ଣ ମହତାବଙ୍କଠାରୁ ମାତ୍ର ଗୋଟିଏ ଭୋଟ୍ରେ ପରାଜିତ ହୋଇଥିଲେ । ୧୯୫୧ ସାଧାରଣ ନିର୍ବାଚନ ସମୟରେ ସେ ସ୍ୱାଧୀନ ଜନସଂଘ ନାମରେ ନିଜର ଏକ ଦଳ ଗଢ଼ି ନିଜେ ଜିତିବା ସହ ଦଳର ଆଉ କିଛି ପ୍ରାର୍ଥୀଙ୍କୁ ଜିତାଇ ପାରିଥିଲେ ଏବଂ ବିଧାନସଭାରେ ନିଜକୁ ଜଣେ ଅସାମାନ୍ୟ ବିରୋଧିଦଳ ନେତାରୂପେ ପ୍ରତିପାଦିତ କରିପାରିଥିଲେ । ୧୯୫୫ ମସିହାରେ ନେହେରୁଙ୍କ ଅନୁରୋଧକ୍ରମେ ସେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତିରୂପେ କାର୍ଯ୍ୟଭାର ତୁଲାଇଥିଲେ । କିନ୍ତୁ ୧୯୬୧ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଟିକେଟ ଦିଆ ନ ଯିବାରୁ ସେ ରାଜନୀତିରୁ ଅବସର ନେଇଥିଲେ । ଏହାପରେ ସେ ଲେଖାଲେଖିରେ ମନୋନିବେଶ କରିଥିଲେ ।
ଜଣେ ସୁଲେଖକଭାବେ ତାଙ୍କର ପ୍ରମୁଖ ପୁସ୍ତକ ହେଉଛି ଓଡ଼ିଆ ସାହିତ୍ୟର କ୍ରମପରିଣାମ ଏବଂ ତାଙ୍କ ଆତ୍ମଜୀବନୀ । କାବ୍ୟକୃତି ମଧ୍ୟରେ ରହିଛି କୋଣାର୍କେ, ଖାରବେଳ, ପ୍ରଣୟିନୀ ଇତ୍ୟାଦି । ଶିଶୁସାହିତ୍ୟ ସ୍ରଷ୍ଟାଭାବେ ସେ ରଚନା କରିଥିଲେ ପିଲାଙ୍କ ରାମାୟଣ, ପିଲାଙ୍କ ମହାଭାରତ ଓ ପିଲାଙ୍କ ଭାଗବତ ଭଳି ଅନେକ ଉପାଦେୟ ପୁସ୍ତକ । ଭକ୍ତିଗାଥା ସେତେବେଳେ ସ୍କୁଲ ଓ କଲେଜ ଛାତ୍ରମାନଙ୍କ ମଧ୍ୟରେ ଖୁବ୍ ପ୍ରିୟ ହୋଇପାରିଥିଲା । ଶ୍ରୀମଦ୍ ଭଗବତ୍ ଗୀତାର ଟୀକା ତାଙ୍କ ଉଦାର ଧର୍ମୀୟ ଚେତନାର ପରିଚୟ ବହନ କରେ । ତାଙ୍କର ଅନ୍ୟ ଏକ ପୁସ୍ତକ ଆର୍ଯ୍ୟଜୀବନ ବିଶିଷ୍ଟ ହିନ୍ଦୀ ଲେଖକ ଜୈନେନ୍ଦ୍ର କୁମାରଙ୍କଦ୍ୱାରା ୧୯୨୬ ମସିହାରେ ଅନୁଦିତ ହୋଇଥିଲା । ୧୯୫୭ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ । ନୀଳକଣ୍ଠ ଜଣେ ଭାଷାତତ୍ତ୍ୱବିତ୍ ଥିଲେ ଏବଂ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୬୩ ମସିହାରେ ଆତ୍ମଜୀବନୀ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଜଣେ ସିଦ୍ଧ ସାମ୍ବାଦିକଭାବେ ସେ ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ନବ ଭାରତର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ, ସେବା ଓ ଲୋକମତର ମଧ୍ୟ ସମ୍ପାଦକ ଥିଲେ । ୧୯୬୭ ନଭେମ୍ବର ୬ ତାରିଖରେ ଏହି ବରେଣ୍ୟ ଯୁଗପୁରୁଷଙ୍କର ଜୀବନାବସାନ ଘଟିଥିଲା ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ