ସାହିତ୍ୟ ପ୍ରତିଭା ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଖୋର୍ଦ୍ଧା ଜିଲ୍ଲାସ୍ଥ ବାଣପୁର ଅନ୍ତର୍ଗତ ଭୀମପୁର ଗ୍ରାମରେ ଭୂମିଷ୍ଠ ହୋଇ ଓଡ଼ିଶା ମାଟିକୁ ଗୌରବାନ୍ଵିତ କରିଥିଲେ । ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନକୁ ପର୍ଯ୍ୟବେକ୍ଷଣ କଲେ ଜଣାଯାଏ ଯେ ବି.ଏ.ବିଇଡ଼ି ତାଙ୍କ ସର୍ବୋଚ୍ଚ ଶିକ୍ଷା ଓ ଶିକ୍ଷକତା ତାଙ୍କ ବୃତ୍ତି ଥିଲା । ୧୯୨୮ ମସିହାରୁ ଆରମ୍ଭ କରି ଆମରଣ ନିରବଚ୍ଛିନ୍ନ କାବ୍ୟସାଧନା କରି ସ୍ଵର୍ଗାରୋହଣ କରିଛନ୍ତି । ୧୯୩୫ରେ ତାଙ୍କ ରଚିତ ‘ଗ୍ରନ୍ଥ ଦୀପ୍ତି’ ତାଙ୍କର ପ୍ରଥମ କବିତା ଭାବେ କଳନା କରାଯାଏ । ଉକ୍ତ କବିତା ପ୍ରକାଶିତ ହୁଅନ୍ତେ ତାଙ୍କ କାବ୍ୟସୁରଭି ଓଡ଼ିଶାର ପୁରପଲ୍ଲୀରେ ଅଗ୍ନିସମ ବ୍ୟାପିଗଲା । ଏହି ପୁସ୍ତକ ସମ୍ପର୍କରେ ସମ୍ମାନନୀୟ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଲେଖିଛନ୍ତି-
କବି ତ୍ରିପାଠୀ
ତୁମର କବିତା ପଢ଼ିଲୁ ଏଠି
ଲେଖିଛ ଦୀପ୍ତି’ ବହି
ବହୁ ଉଷ୍ମତା ଅଛି ରହି ।
ଦୀପ୍ତି' ବ୍ୟତୀତ ‘ଆହୁତି', 'ଅଗ୍ନିଶଙ୍ଖ, ‘ମାଟିଦୀପ, ‘ଆତ୍ମଲିପି', 'ରୂପାୟନ', 'ଦିଗ୍ରଳୟ', 'ଉତ୍ସ', 'ସଙ୍କେତ', 'ବେଳା’ ଓ ‘ବୀଚି', 'ଦିଗ୍ରାଳୟ', ‘ସାଧକର ସୁପ୍ତ', 'ମାଟିର ସ୍ଵପ୍ନ', 'ନିଃଶବ୍ଦ ଡାକ', ‘ପଥରେଣୁ', 'ନଦୀ ଓ ନୌକା’ ଆଦି ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ତେଜସ୍ଵୀ ଲେଖନୀ ନିସୃତ କାଳଜୟୀ ତଥା ହୃଦୟସ୍ପର୍ଶୀ କାବ୍ୟସମ୍ଭାର । ୧୯୮୭ ମସିହାରେ 'ନୀରବ କବିଟିଏ’ ନାମରେ ତାଙ୍କର ଆତ୍ମଜୀବନୀ ଲୋକାର୍ପିତ ହୋଇ ଅସରନ୍ତି ଭଲପାଇବା ସାଉଁଟିଥିଲେ ।
ଆତ୍ମଜୀବନୀରେ ଏକସ୍ଥାନେ ଲେଖିଛନ୍ତି “କବି ଜୀବନଠୁ ବଳି ସୁନ୍ଦର ଜୀବନ ଆଉ ପୃଥିବୀରେ ନାହିଁ ।” ଏହିଭଳି ଏକ ସୁନ୍ଦର ଜୀବନ ପାଇ ଯଶସ୍ୱୀ ହୋଇଛନ୍ତି କବି ତ୍ରିପାଠୀ । ତାଙ୍କ ରଚିତ କବିତାମାନଙ୍କର ପ୍ରତି ପୃଷ୍ଠାରେ ଅପୂର୍ବ ଗୀତିସତ୍ତା ନିଜର ଆଲୋକ ଅଭିଳାଷକୁ ବିଚ୍ଛୁରିତ କରିଯାଇଛି । ‘ମୁଁ' କବିତାରେ କବି ଗଙ୍ଗାଧର ମେହେରଙ୍କ ପରି କବି ନିଜକୁ ଅମୃତାତ୍ମା ବୋଲି ସମ୍ବୋଧନ କରିଛନ୍ତି । କବିତା ସାଧନାକୁ ନିଜ ଜୀବନର ଚରମଧର୍ମ ଭାବେ ବଦ୍ଧପରିକର ଶ୍ରୀ କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ସାମରିକ ଐତିହ୍ୟରେ ଋଦ୍ଧିମନ୍ତ ‘ପାଇକ କବି’ ନାମିତ କବିତା ରଚନା କରି ଲୋକପ୍ରିୟତା ଲାଭ କରିଛନ୍ତି । ତାଙ୍କ କବିତାରେ ଜାତୀୟତାର ବହ୍ନି ଓ ମାନବବାଦୀ ସମ୍ବେଦନଶୀଳତାର କୋମଳ ପ୍ରତିଛବି ଦୃଷ୍ଟିଗୋଚର ହୁଏ । ତ୍ରିପାଠୀଙ୍କ ‘ପାଇକବାଳା', ‘କଳାରାଇଜ, ତରୁଣ ପ୍ରତିଜ୍ଞା', ‘ଆହ୍ଵାନ, 'ଯୁଦ୍ଧଯାତ୍ରୀ’, ଭୁଜବଳ ବୁଢ଼ୀ’, ‘ହେ ମୋର ଉନ୍ମକ୍ତ ଜାତି', ‘ଆଲିଙ୍ଗନ’ ଆଦି ବହୁ କବିତା ଜାତୀୟତାବାଦୀ ଚେତନା ଉପରେ ଆଧାରିତ ଅଟେ । 'ଯୁଦ୍ଧଯାତ୍ରୀ’ କବିତାର ଏହି ପଙକ୍ତିମାଳା ସ୍ମରଣୀୟ-
ସଂଗ୍ରାମେ ଫେରେ ବା ମରେ ଲୋଡ଼ାନାହିଁ ଜାଣିବାର
ବଞ୍ଚାଏ ଦେଶରେ ମୋର ଚାଳି ଖଣ୍ଡା ତଲୁଆର
ଯାଉଛି ଯାଉଛି ମା ଏ ତୋର ଆଶିଷ ମାଗି
ଶିରାରେ ଶୋଣିତ ମୋର ଫୁଟୁଚି ମୋ ଦେଶ ଲାଗି ।
ବହୁ କବିତାରେ ମାନବବାଦକୁ ସମ୍ବେଦନଶୀଳତାର ସହ ଦର୍ଶାଇଛନ୍ତି । ‘ସର୍ବହରା’ କବିତାରେ ସେ କହିଛନ୍ତି-
ଦେଶ ମୋର ଗର୍ବକର ତୁମେ ସଭ୍ୟତାର ପତାକା ଉଡ଼ାଇ ।
ତୁମ ସେଇ ସଭ୍ୟତା ଭିତରେ ଏଇମାନେ ଯାଆନ୍ତି କି ନାହିଁ?
ଅନାହାରେ ଜୀବନର ଫୁଲ କେତେ ଆହା ଶୁଖିଶୁଖି ଯାଏ ।
ଆଖି ମୋର ଭରିଆସେ ଜଳେ ଏମାନଙ୍କୁ ଯେବେ ସ୍ମରୁଥାଏ।
‘କୃଷକର ସମାଧି’, ‘ମୂଷାହାଡ଼ି’, ପଧାନ ସାହିର ଦାମିଆ ଝିଅ ନେତି', ଜଣେ ପ୍ରତିବାସୀ’ ଆଦି କବିତା ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ‘ଆକାଂକ୍ଷା’ କବିତାରେ ତାଙ୍କ ମାନବପ୍ରୀତିର ଇସ୍ତାହାର ଦୃଶ୍ୟମାନ ହୁଏ । ‘ଏହି ମୋର ମଣିଷ’ କବିତାରେ ସେ ମଣିଷକୁ ସହଜ ଓ ସରଳ ହେବାପାଇଁ ଆହ୍ଵାନ ଦେଇଛନ୍ତି ।
୧୯୩୫ ମସିହା ପରେ ଓଡ଼ିଆ ସାହିତ୍ୟକୁ ଯେଉଁ ବୈପ୍ଳବିକ ପ୍ରଗତିଶୀଳଚେତନାର ବନ୍ୟା ଆସିଥିଲେ, ଶ୍ରୀ ତ୍ରିପାଠୀ ତାହାଦ୍ୱାରା ବେଶ୍ ପ୍ରଭାବିତ ହୋଇଥିଲେ । ସେ ସ୍ପଷ୍ଟତଃ ‘ବିପ୍ଳବ’ ଶୀର୍ଷକରେ କବିତା ଲେଖିଛନ୍ତି-
ଦେଖାଇ ମୋହର ଆଗ୍ନେୟ ଶିଖା ।
ଶୋଷକ ଶାସକ ସବୁ ଅହମିକା ।
ପୋଡ଼ିଜାଳି ମୁହିଁ କରଇ ଭସ୍ମ ସେଇ ଭସ୍ମାବଶେଷ ପରେ
ରଚିଯାଏ ମୋର ସପନର ଅଟ୍ଟାଳି
ବିପ୍ଳବ ମୁଁ ଯେ ବନ୍ଧୁ ଧରାର ।
ସ୍ତରେ ସ୍ତରେ ମୋର ସାମ୍ୟ ସୋହାଗ କୋଟି ବିକ୍ରମେ ଢାଳି ।
ତାଙ୍କ ରଚିତ ‘ବିରାଟ ଧିଆନେ' ପରି କବିତାରେ ରହସ୍ୟବାଦର ଅନୁଭୂତି ମିଳେ । ତ୍ରିପାଠୀ ଲିରିକ, ଓଡ଼, ସନେଟ୍, ଏଲିଜି, ମୁକ୍ତ କବିତା ଆଦି ସବୁ ପ୍ରକାର କାବ୍ୟଶୈଳୀର ଉପଯୋଗ କରିବାରେ ନିଜର ପାରଙ୍ଗମତାକୁ ନିଖୁଣ ଭାବେ ପ୍ରତିପାଦିତ କରିଛନ୍ତି ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ