ଶ୍ରୀ ପ୍ରାଣବନ୍ଧୁ କର

ଆବିର୍ଭାବ :- ୦୧-୧୨-୧୯୧୪
ତିରୋଧାନ :- ୩୦-୦୩-୧୯୯୮
ଜନ୍ମସ୍ଥାନ :- ଡ଼ମପଡା, ବାଙ୍କୀ, କଟକ

ଉତ୍କଳ ସାହିତ୍ୟାକାଶର ଅନନ୍ୟ ସାଧକ ଓ ବହୁ କାଳଜୟୀ ରଚନାର ସ୍ରଷ୍ଟାଭାବେ ଶ୍ରୀ ପ୍ରାଣବନ୍ଧୁ କର ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଡମପଡ଼ାରେ ୧୯୧୪ ମସିହା ଡିସେମ୍ବର ପହିଲାରେ  ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚିନ୍ତାମଣି କର ଥିଲେ ଜଣେ ଶିକ୍ଷକ । ଛାତ୍ରାବସ୍ଥାରୁ ଲେଖା ଲେଖି ସହ ସେ ଜଡ଼ିତ ଥିଲେ । ଅଧିକ ଲେଖାଲେଖି କରିବା ପାଇଁ ତାଙ୍କ ଶିକ୍ଷକମାନେ ତାଙ୍କୁ ଉତ୍ସାହିତ କରୁଥିଲେ ।

ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଥିରେ ମନ ନଲାଗିବାରୁ ସେ ଶିକ୍ଷକତାକୁ ବୃତ୍ତିଭାବେ ଗ୍ରହଣ କରିନେଲେ । ଘରୋଇ ଭାବରେ ଓଡ଼ିଆ ଭାଷା-ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି ସେ ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାମ ଆରମ୍ଭ କରିଥଲେ । ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କ ଚାକିରି ଜୀବନର ପରିସମାପ୍ତି ଘଟିଥିଲା ।

ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହିତ ମଧ୍ୟ ଜଡ଼ିତ ଥିଲେ । ପ୍ରାଣବନ୍ଧୁ ଶତାଧିକ କ୍ଷୁଦ୍ରଗଳ୍ପ, ଏକାଙ୍କିକା ଓ ନାଟକ ରଚନା କରିଯାଇଛନ୍ତି । ଏତଦ୍‍ଭିନ୍ନ ‘ଅଶାନ୍ତ’, ‘ଶ୍ୱେତପଦ୍ମା’ ‘ସ୍ନାୟୁ ସଂହାର’ ଓ ‘ଏକ ମାଟି, ଅନେକ ଆକାଶ’ ଆଦି ନାଟକ, ‘ଦୂରପାହାଡ଼’ ଓ ‘ପେଟୁ’ ଆଦି ଏକାଙ୍କିକା, ‘ଷଣ୍ଢ ଲଢ଼େଇ’ ଓ ‘ସୁଅ ମୁହଁର ପତର’ ଆଦି ଗଳ୍ପ ପୁସ୍ତକ ତାଙ୍କ ସୃଷ୍ଟି ମଧ୍ୟରେ  ଅନ୍ୟତମ । ପ୍ରାଣବନ୍ଧୁ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, ଫକୀରମୋହନ ସେନାପତିଙ୍କ ମାମୁ’, ‘ପ୍ରାୟଶ୍ଚିତ’, ଛ’ ମାଣ ଆଠ ଗୁଣ୍ଠ’, ହରେକୃଷ୍ଣ ମହତାବଙ୍କ ‘ଟାଉଟର’ ଓ ହାସ୍ୟଲେଖକ ଫତୁରାନନ୍ଦଙ୍କ ‘ନାକଟା ଚିତ୍ରକର’ ଉପନ୍ୟାସକୁ ସେ ନାଟ୍ୟରୂପ ଦେଇଥିଲେ । ପ୍ରାଣବନ୍ଧୁ କର ‘ଅଶାନ୍ତ’ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ‘ସ୍ନାୟୁ ସଂହାର’ ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାଛଡ଼ା ଉତ୍କଳ ସାହିତ୍ୟ ସମାଜ ମଧ୍ୟ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ ଅର୍ପଣ କରି ତାଙ୍କୁ ସମ୍ମାନିତ କରିଥିଲା । ୧୯୯୮ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରାଣବନ୍ଧୁ ଇହଲୀଳା ସମ୍ବରଣ କରିଥିଲେ ।


ରଚନାବଳୀ
ଶ୍ରାବ୍ୟ ଗଳ୍ପ

Copyright © 2024 Odia Virtual Academy. All rights reserved      Total Visitors-   1

scroll