ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଆବିର୍ଭାବ :- ୧୯-୧୦-୧୯୫୩
ତିରୋଧାନ :- ୧୭-୦୨-୨୦୨୨
ଜନ୍ମସ୍ଥାନ :- ବିକ୍ରମପୁର, ଖଲ୍ଲିକୋଟ, ଗଞ୍ଜାମ

ଓଡ଼ିଆ ସାହିତ୍ୟାକାଶର ପ୍ରଥିତଯଶା ଉଜ୍ଜ୍ଵଳ ଜ୍ୟୋତିଷ୍କ – କବି, ଅନୁବାଦକ, ସଂପାଦକ – ହରପ୍ରସାଦ ପରିଚ୍ଛାପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ  ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ୧୯୫୩ ମସିହା ଅକ୍ଟୋବର ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଶିବରାମ ପରିଚ୍ଛାପଟ୍ଟନାୟକ ଓ ମାତା ଗୋଲକମଣି ଦେବୀ । ସାଂପ୍ରତିକକାଳର ସେ ଜଣେ ଉଚ୍ଚକୋଟୀର ଲୋକପ୍ରିୟ ଲନଖକ, କବି, ଅନୁବାଦକ ଓ ସାହିତ୍ୟ ପତ୍ରିକା ତଥା ଦୈନିକ ସଂବାଦପତ୍ରର ସଂପାଦକଭାବେ ଜଣାଶୁଣା ଥିଲେ । ହରପ୍ରସାଦଙ୍କ କବିତା ମାନବିକ ସମ୍ବେଦନଶୀଳତା, ବସ୍ତୁବାଦୀ ଜୀବନର ତୁଚ୍ଛତା ଓ ଜୀବନବୋଧସଂଜାତ ଅନ୍ତରଙ୍ଗ ଆବେଗୋଚ୍ଛ୍ୱାସରେ ରସାଣିତ । ନୂତନ ବ୍ୟଞ୍ଜନା ଓ ବିମ୍ବାଦି ପ୍ରୟୋଗରେ ତାଙ୍କର କବିତା ପ୍ରାଣବନ୍ତ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ଦୁଇଥର ଦାୟିତ୍ଵ ଗ୍ରହଣ କରି ସେ ନିଜର ସାରସ୍ୱତ ସଂଗଠନ-କୁଶଳତା ଓ ପ୍ରଶାସନିକ ଦକ୍ଷତାର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଛନ୍ତି ।

ହରପ୍ରସାଦ ରେଭେନ୍ସା କଲେଜରୁ ଇଂରାଜୀ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ ଉଚ୍ଚତର ଗବେଷଣା ନିମନ୍ତେ ସେ ପି.ଏଚ୍‍.ଡି. ଡିଗ୍ରୀ ଲାଭ କରିଥିଲେ । ୧୯୭୫ରୁ ସେ ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ଇଂରାଜୀ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ସୁନ୍ଦରଗଡ଼ ସରକାରୀ ମହିବିଦ୍ୟାଳୟ ଓ ବିଜେବି କଲେଜ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ‌େର ଶିକ୍ଷାଦାନ କରିଥିଲେ। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଲେଖି କରୁଥିଲେ। ଅଧ୍ୟାପନା ଜୀବନର ପେଶା ଇଥିବା ସ୍ଥଳେ କବିତା ଥିଲା ତାଙ୍କର ନିଶା ।

ବିଦ୍ୟାଳୟ ସ୍ତରରୁ ସେ କବିତା ରଚନା ପ୍ରତି ମନୋନିବେଶ କରି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୮୧ ମସିହାରେ ପ୍ରକାଶିତ ‘ଏକା ଏକା ସନ୍ନ୍ୟାସୀ’ ତାଙ୍କର ପ୍ରଥମ ପୁସ୍ତକ । ଏହି କବିତା ପୁସ୍ତକ ତାଙ୍କୁ ଓଡ଼ିଆ କାବ୍ୟଜଗତରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ ଅନେକ ସୁଖ୍ୟାତି ଆଣି ଦେଇଥିଲା ।

ହରପ୍ରସାଦଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ରହିଛି- ‘ପିଙ୍କି କଥା’ (୧୯୭୬), ‘ଏକା ଏକା ସନ୍ୟାସୀ’ (୧୯୮୧), ‘ଅଥୟ ସୂର୍ଯ୍ୟ’ (୧୯୯ଠ), ‘ଆୟୁଷ୍ମାନ ସମୟ’ (୧୯୯୫), ‘ସବୁ ଅନ୍ଧାର ଆଜି ରାତିରେ’ (୧୯୯୬), ‘ଜୀବନ ଜଙ୍ଘା’ (୨ଠଠ୪), ‘ଅରଣ୍ୟରେ ଯେତେ ଦିନ’ (୨ଠଠ୭) ଓ ‘ନଷ୍ଟ ହୋଇଯିବାର ମୋହ’ ଇତ୍ୟାଦି ପ୍ରମୁଖ କବିତା ସଂକଳନ । ଅନୁବାଦ କ୍ଷେତ୍ରରେ – ଗ୍ରୀକ୍ କବିତାର ଓଡ଼ିଆ ଅନୁବାଦ ସାଙ୍ଗକୁ ସେ ବିଶିଷ୍ଟ କବି ଓ ଗାଳ୍ପିକମାନଙ୍କର ଗଳ୍ପ ଓ କବିତାର ଚମତ୍କାର ଅନୁବାଦ କରିଥିଲେ । ସେଥିମଧ୍ୟରେ ରହିଛି- ‘ନିରବତାର ସ୍ୱର’, ୧୯୭୮ (ଗ୍ରୀକ୍ କବିତାର ଓଡ଼ିଆ ଅନୁବାଦ), ‘ସୋଲ୍‍ଜର ଇନ ଏଗ୍‍ଜାଇଲ୍’, ୧୯୮୯ (କବି ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ), ‘ହଗ୍‍ସ ଆଣ୍ଡ ଅଦର ଷ୍ଟୋରିଜ’, ୧୯୯ଠ (ଗାଳ୍ପିକ ହୃଷୀକେଶ ପଣ୍ଡାଙ୍କ କେତେକ ଗଳ୍ପର ଇଂରାଜୀ ଅନୁବାଦ ଓ ସମ୍ପାଦନା), ‘ସିଲେକ୍ଟେଡ୍ ଓଡ଼ିଆ ପୋଏମ୍ସ’ (କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ କବିତାର ଇଂରାଜୀ ଅନୁବାଦ), ‘ସୂର୍ଯ୍ୟତୃଷ୍ଣା’ (କବି ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆନ୍‍ କବିତାର ଓଡ଼ିଆ ଅନୁବାଦ) ।

ଏତଦ୍ଭିନ୍ନ କବି ଡ. ପରିଛାପଟ୍ଟନାୟକ ଅନେକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦନା କାର୍ଯ୍ୟ ଖୁବ୍ ସଫଳତାର ସହ ତୁଲାଇଥିଲେ । ତନ୍ମଧ୍ୟରୁ ପ୍ରୋବିଟାସ୍ ଆଣ୍ଡ ଭର୍ଟେକ୍‍ସ (ଇଂରାଜୀ), ଆବର୍ତ୍ତ, ୧୯୮୨-୮୪ (ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା), ସନ୍‍ଟାଇମ୍ସ (ଇଂରାଜୀ ଖବରକାଗଜର ସାହିତ୍ୟ ପୃଷ୍ଠା) । ଦୁଇଟି ଓଡ଼ିଆ ସଂବାଦପତ୍ରର ସଂପାଦକ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ ।  କବି ସ୍ୱାମୀ ଅରୂପାନନ୍ଦଙ୍କଦ୍ୱାରା ଇଂରାଜୀରେ ଲିଖିତ ଦୁଇଟି କବିତା ପୁସ୍ତକ ‘ସଙ୍ଗ୍ସ ଫର୍ କାହ୍ନା’, ‘କୋରାଲ୍ସ ଅଫ ଟାଇମ’ର ଓଡ଼ିଆ ଅନୁବାଦ ସହ  ଗବେଷଣାଧର୍ମୀ ପୁସ୍ତକ ‘ସରୋ ଅଫ୍ କସ୍‍ମସ’ର ସମ୍ପାଦନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକଭାବେ କାର୍ଯ୍ୟ କରିଥିଲେ ।

ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ପରିଛାପଟ୍ଟନାୟକ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨ଠ୧୨ ମସିହାରେ ‘ନଷ୍ଟ ହୋଇଯିବାର ମୋହ’ କବିତା ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେହିପରି ଗଙ୍ଗାଧର ରଥ ଫାଉଣ୍ଡେସନ୍, ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ ସମାଜ ପରି ବିଶିଷ୍ଟ ଅନୁଷ୍ଠାନଗୁଡ଼ିକଦ୍ୱାରା ନିଜର ସାରସ୍ୱତ ସାଧନା ପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କୁ ଭାନୁଜୀ ରାଓ କବିତା ସମ୍ମାନ ଓ ସଚ୍ଚି ରାଉତରାୟ କବିତା ସମ୍ମାନ ପ୍ରଦାନ କରାଯାଇଥିଲା । କବିତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଉତ୍କଳ ସାହିତ୍ୟ ସମାଜର ଗଙ୍ଗାଧର ମେହେର କବିତା ସମ୍ମାନ ଏବଂ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଆଦି ଲାଭ କରିଥିଲେ।

ମସ୍ତିକଘାତ ଓ ବିଭିନ୍ନ ଜଟିଳ ବ୍ୟାଧିରେ ପୀଡ଼ିତ ହୋଇ ଚଳିତ ବର୍ଷ ଫେବୃଆରି ୧୪ ତାରିଖ ଦିନ ସେ ପରଲୋକଗମନ କରିଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll