ଶ୍ରୀ ଅଶ୍ୱିନୀ କୁମାର ଘୋଷ

ଆବିର୍ଭାବ :- ୨୧-୦୫-୧୮୯୨
ତିରୋଧାନ :- ୧୯ଶ ଶତାବ୍ଦୀ
ଜନ୍ମସ୍ଥାନ :- କଟକ

ଅଶ୍ୱିନୀ କୁମାର ଘୋଷ ପୁରାତନ ଅବିଭକ୍ତ କଟକ ଜିଲ୍ଲାରେ ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପିତା ଅକ୍ଷୟ କୁମାର ଘୋଷ ଓ ମାତା ସୁନ୍ଦରମଣି ଦେବୀଙ୍କ ଜ୍ୟେଷ୍ଠପୁତ୍ର । ସମ୍ପର୍କରେ ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, ଗୌରୀଶଙ୍କର ରାୟ ତାଙ୍କର ଅଜା ଏବଂ ନାଟ୍ୟକାର କାର୍ତ୍ତିକ କୁମାର ଘୋଷ ତାଙ୍କର ସାନଭାଇ ଥିଲେ । ଶିକ୍ଷାଗ୍ରହଣ ଦୃଷ୍ଟିରୁ  ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ.ରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।

୧୯୧୫ ମସିହାରେ ସାହିତ୍ୟ ସାଧନାର ପ୍ରଥମ ସୋପାନରେ ପାଦ ଦେଇ ଘୋଷ ରଚନା କରିଥିଲେ ପୁରାଣ ଉପରେ ଆଧାରିତ ପ୍ରଥମ ନାଟକ ‘ଭୀଷ୍ମ’ ଏବଂ ତାହା ରେଭେନ୍ସା କଲେଜରେ ଛାତ୍ରମାନଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଏହାର ସଫଳତାରେ ଉତ୍ସାହିତ ହୋଇ ସେ ରଚନା କରିଥିଲେ ତାଙ୍କର ଦ୍ୱିତୀୟ ତଥା ଐତିହାସିକ ନାଟକ ଶେଓଜୀ ୧୯୧୮ ମସିହାରେ ଏବଂ ତାହା କଟକ ମେଡ଼ିକାଲ ସ୍କୁଲ ଛାତ୍ରମାନଙ୍କଦ୍ୱାରା ଅଭିନୀତ ହୋଇଥିଲା । ସେଠାରେ ତାଙ୍କର ପୁରୀ ବଳଙ୍ଗା ରାଧାକୃଷ୍ଣ ଥିଏଟର୍‍ର ମାଲିକ ବନମାଳୀ ପତିଙ୍କ ସହ ପରିଚୟ ହୋଇଥିଲା । ମଞ୍ଚ ମାଲିକ ଏବଂ ନାଟ୍ୟକାରଙ୍କ ଏହି ମିଳନ ଓଡ଼ିଆ ଥିଏଟର ପାଇଁ ଏକ ସୁବର୍ଣ୍ଣ ମୁହୂର୍ତ୍ତର ଦ୍ୟୋତକ ଥିଲା । ରାଧାକୃଷ୍ଣ ଥିଏଟର୍‍ ପାଇଁ ନିୟମିତ ନାଟକ ଲେଖିବାକୁ ପତି ମହାଶୟଙ୍କ ପ୍ରସ୍ତାବରେ ଘୋଷ ମହାଶୟ ରାଜି ହୋଇ କଲମ ଚାଳନା କରିଥିଲେ । ୧୯୨୨ରେ କଳାପାହାଡ଼ ଏବଂ ୧୯୨୭ରେ କୋଣାର୍କ ଏହି ଥିଏଟର ମଞ୍ଚରେ ଦୀର୍ଘଦିନ ଧରି ଚାଲିଥିଲା ।

ବନମାଳୀ ପତିଙ୍କ ଅକାଳ ବିୟୋଗ ପରେ ଘୋଷ ଅଭାବ ଭିତରେ ନିଜ ଘର ବନ୍ଧା ପକାଇ ଥିଏଟରଟିକୁ କିଣିନେଇଥିଲେ ଏବଂ ବନ୍ଧୁଙ୍କ ନାମାନୁସାରେ ଏହାର ନାମ ରଖିଥିଲେ ବନମାଳୀ ଆର୍ଟ ଥିଏଟର । କିନ୍ତୁ ତାହା ସେ ବେଶୀଦିନ ଚଳାଇ ପାରି ନଥିଲେ । ଥିଏଟର୍‍ଟି ବନ୍ଦ ହୋଇଯିବା ପରେ ସେ ନୂଆକରି ଗଢ଼ାଯାଇଥିବା ଅନ୍ନପୂର୍ଣ୍ଣା ଥିଏଟର ପାଇଁ ନାଟକ ଲେଖିଲେ । ଏହି ମଞ୍ଚରେ ତାଙ୍କର ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥ ଓ ଚଷାଝିଅ ପ୍ରଭୃତି ଅନେକ ନାଟକ ଅଭିନୀତ ହୋଇ ବହୁ ଲୋକପ୍ରିୟତା ଅର୍ଜନ କରିପାରିଥିଲା । 

 ସେ ତାଙ୍କ ଜୀବନକାଳମଧ୍ୟରେ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଥିଲେ । ମୁଖ୍ୟତଃ ୫ଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ ରଚନା କରିଛନ୍ତି । ସେ ଜଣେ ଔପନ୍ୟାସିକ ମଧ୍ୟ ଥିଲେ । ଉଭୟ ଉପନ୍ୟାସ ଓ ନାଟକ ରଚନା କ୍ଷେତ୍ରରେ ନିଜର ଅଦ୍ଵିତୀୟ ସୃଜନଶୀଳତା ପାଇଁ ଅଶ୍ୱିନୀକୁମାର ବହୁ ଲୋକପ୍ରିୟ ହୋଇ ପାରିଥିଲେ । ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥ' ସହିତ କାହାଣୀକାର ଓ ଗୀତିକାର ଭାବରେ ଅଶ୍ୱିନୀ କୁମାର ଘୋଷ ସମ୍ପୃକ୍ତ ଥିଲେ । ପରେ ‘ଶ୍ରୀ ଲୋକନାଥ’ ଚଳଚ୍ଚିତ୍ରର କାହାଣୀକାର ମଧ୍ୟ ଥିଲେ । ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚରଣଶୀଳ ଧ୍ୱନି ଓ ଯମଜ ଶବ୍ଦ ପ୍ରୟୋଗକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ । ତାଙ୍କର ଅସାଧାରଣ ପାରଦର୍ଶିତା ଓ ହୃଦୟସ୍ପର୍ଶୀ କଳା ପାଇଁ ସେ ସଦାସର୍ବଦା ଓଡ଼ିଆ ଜନମାନସରେ ବଞ୍ଚି ରହିବେ । ୧୯୬୨ ମସିହାରେ ତାଙ୍କର ପରଲୋକ ହୋଇଥିଲା ।

 


ରଚନାବଳୀ
ଗୀତିନାଟ୍ୟ
ଉପନ୍ୟାସ

Copyright © 2024 Odia Virtual Academy. All rights reserved      Total Visitors-   1

scroll