ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଉତ୍କଳ ସାହିତ୍ୟାକାଶର ଅନ୍ୟତମ ଦୀପ୍ତିମାନ୍ ଜ୍ୟୋତିଷ୍କ ଥିଲେ । ନିଜର ଅସାଧାରଣ ନାଟ୍ୟ ପ୍ରତିଭା ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ଆଜୀବନ ସାହିତ୍ୟ ସାଧନା ଭିତରେ ସେ ପ୍ରାୟ ଚାଳିଶିରୁ ଅଧିକ ନାଟକ ରଚନା କରିଛନ୍ତି । ମଧ୍ୟବିତ୍ତ ପରିବାରର ସୁଖଦୁଃଖର କାହାଣୀ ଥିଲା ତାଙ୍କ ନାଟ୍ୟ ରଚନାର ମର୍ମ । ନିଜର ଅତୁଳନୀୟ ପ୍ରତିଭା ପାଇଁ ସମ୍ମାନନଜନକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ରାମଚନ୍ଦ୍ର ମିଶ୍ର ୧୯୨୦ ମସିହାରେ ପୂର୍ବତନ ଦଶପଲ୍ଲା ଗଡ଼ଜାତ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । କଟକ ମିଶନ ସ୍କୁଲ୍ରୁ ମାଟ୍ରିକ ପାଶ କରିବା ପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ଓ ଆଇନ କଲେଜରୁ ବି.ଏଲ. ଡିଗ୍ରି ହାସଲ କରିଥିଲେ । ବୃତ୍ତି ଜୀବନର ପ୍ରାରମ୍ଭିକ ଅବସ୍ଥାରେ ପ୍ରଶାସନିକ ସେବା ଏବଂ ତତ୍ପରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ବି.ଏ. ଅଧ୍ୟୟନ ସମୟରେ ୧୯୪୨ ମସିହାରେ ‘ଭାରତୀ ରଙ୍ଗମଞ୍ଚ’ରେ ତାଙ୍କ ପ୍ରଥମ ନାଟକ ‘ଅଭିମାନ’ ମଞ୍ଚସ୍ଥ ହୋଇଥିଲା । ନାଟକର ଉତ୍କୃଷ୍ଟ ଉପସ୍ଥାପନା ଓ ଆବେଗାତ୍ମକ ଭାବଧାରା ଯୋଗୁଁ ସେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ‘ଭାଇଭାଉଜ’, ‘ଘରସଂସାର’, ‘ମୂଲିଆ’, ‘ପୁଆଣିଘର’, ‘ସେବିକା’, ‘ମମତା’, ‘ଚାବୁକ’, ‘ନାଟକ ରୀତିମତ୍’, ‘ନରୋତ୍ତମ ଦାସ କହେ’, ‘କିସ ପୁଣି ଦେଖାନଯାଏ’, ‘ମନ୍ତ୍ରୀଯୁଗ’, ‘ଅର୍ଥ ଅନର୍ଥ’ ପ୍ରଭୃତି ୩୬ଟି ନାଟକ ରଚନା କରି ସେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ହୋଇପାରିଥିଲେ ।
୧୯୯୨ରେ ସେ ଇହଧାମ ତ୍ୟାଗ କରିଥିଲେ । ନିଜର ସାରସ୍ଵତ ପ୍ରତିଭା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ