ଆବିର୍ଭାବ :- ୧୬-୦୩-୧୮୬୭
ତିରୋଧାନ :- ୧୭-୧୨-୧୯୪୩
ଜନ୍ମସ୍ଥାନ :- ଅସ୍ତଳ, ଭଦ୍ରକ
ଆଧୁନିକ ଓଡ଼ିଶାର ଭଦ୍ରକ ନିକଟସ୍ଥ ଅସ୍ତଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ କାବ୍ୟ ଓ ଉପନ୍ୟାସ ଜଗତର ଜଣେ ଜାଜ୍ଜ୍ୱଲ୍ୟମାନ ତାରକା ଶ୍ରୀ ଚିନ୍ତାମଣି ମହାନ୍ତି । ପିତା ମଦନ ମୋହନ ଓ ମାତା ନେତ୍ରମଣି । ପ୍ରାରମ୍ଭିକ ଜୀବନରେ ଶିକ୍ଷକତାକୁ ବୃତ୍ତିରୂପେ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଅଦମ୍ୟ ଆକର୍ଷଣ ତାଙ୍କୁ ସମ୍ମାନର ଶୀର୍ଷ ଆସନରେ ଆସୀନ କରାଇଥିଲା । ପତ୍ରପତ୍ରିକା ସମ୍ପାଦନା କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା । ସେ ଦୀର୍ଘଦିନ ଧରି ହିତବାଣୀ ଓ ସ୍ୱଦେଶ ଲକ୍ଷ୍ମୀ ପତ୍ରିକାର ସଂପାଦନା ଦାୟିତ୍ୱ ସଫଳଭାବେ ସମ୍ପାଦନ କରିଥିଲେ । ନିଜର ସଂଘର୍ଷପୂର୍ଣ୍ଣ ଜୀବନର ଉତ୍ଥାନ-ପତ୍ତନ ମଧ୍ୟରେ ସାହିତ୍ୟ ସାଧନାରୁ କେବେ ବି ଚ୍ୟୁତ ନ ହୋଇ ରଚିଯାଇଛନ୍ତି ଅଗଣିତ ଉପନ୍ୟାସ, କାବ୍ୟ, ଖଣ୍ଡକାବ୍ୟ ଓ ହୃଦୟସ୍ପର୍ଶୀ କବିତା । ମହାରାଜା ବିକ୍ରମଦେବ ବର୍ମାଙ୍କ ପୃଷ୍ଠପୋଷକତା ଯୋଗୁଁ ସେ ‘କବିଶେଖର’ ଉପାଧିରେ ଭୂଷିତ ହୋଇଥିଲେ । ଘୁମୁସର, ଉତ୍କଳ କମଳା, ମହେନ୍ଦ୍ର, ସାଳନ୍ଦି, ମେଘାସନ, ସୁରଙ୍ଗୀ, ଗଞ୍ଜାମ ଭ୍ରମଣ, ଜୟପୁର ପରି ସୁନ୍ଦର କାବ୍ୟ, ସନ୍ଧ୍ୟାତାରା, କଳ୍ପନା କୁଞ୍ଜ, ପତ୍ର ପୁଷ୍ପ, ଶତଦଳ ପରି ଲୋକପ୍ରିୟ ଖଣ୍ଡ କାବ୍ୟ ଏବଂ ରୂପା ଚୁଡ଼ି, ବୁଲା ଫକୀର, ଶନିସପ୍ତା, ଟଙ୍କା ଗଛ, ଯୁଗଳମଠ ପରି କାଳଜୟୀ ଉପନ୍ୟାସମାନ ଉତ୍କଳ ଭାରତୀଙ୍କୁ ତାଙ୍କର ମହାର୍ଘ ଅବଦାନ । ତାଙ୍କର ଆତ୍ମଜୀବନୀ ‘ଜୀବନ ପଞ୍ଜିକା’ ତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ପ୍ରକାଶିତ ହୋଇଥିଲା ।
।