ଗଣକବି ବୈଷ୍ଣବ ପାଣି

ଆବିର୍ଭାବ :- ୨୭-୦୯-୧୮୮୭
ତିରୋଧାନ :- ୧୦-୦୫-୧୯୫୬
ଜନ୍ମସ୍ଥାନ :- କୋଠପଦା, ମାହାଙ୍ଗା, କଟକ

ଗଣକବିଭାବେ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ  ଶ୍ରୀ ବୈଷ୍ଣବ ପାଣି ଓଡ଼ିଶାର ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ କୋଠପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଛାୟାଦେବୀ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଦାରିଦ୍ର୍ୟର କଷାଘାତରେ ନିଷ୍ପେଷିତ ହୋଇଥିଲେ ।  

ବୈଷ୍ଣବ ପାଣି ମାଳିହତା ଗ୍ରାମରେ ନାଟ୍ୟକାରର ଜୀବନର ଆରମ୍ଭ କରିଥିଲେ । ଜଣେ ପ୍ରସିଦ୍ଧ ଗୀତିନାଟ୍ୟ ଲେଖକ ହିସାବରେ କ୍ରମେ ସେ ପ୍ରସିଦ୍ଧି ଅର୍ଜନ କଲେ । ତାଙ୍କ ଗୀତିନାଟ୍ୟ ଅଭିନୟରେ ଉଚ୍ଚକୋଟିର ଶିକ୍ଷଣୀୟ ତଥ୍ୟ ଉପସ୍ଥାପନା, ଲେଖାର ଶୈଳୀ, ସାଧାରଣ ଦର୍ଶକଙ୍କୁ ଆକୃଷ୍ଟ କଲାଭଳି ସାବଲୀଳ ଭାଷା ତଥା ଭାଷାର ଲାଳିତ୍ୟ ଏବଂ କଳାକାରମାନଙ୍କ ଅଭିନୟ ନିପୁଣତା ଓଡ଼ିଶା ତଥା ଓଡ଼ିଶା ବାହାରେ ପଡ଼ୋଶୀ ରଜ୍ୟମାନଙ୍କରେ ତାଙ୍କୁ ଲୋକପ୍ରିୟ କରାଇ ପାରିଥିଲା । ତାଙ୍କ ରଚନାରେ ଅସ୍ପୃଶ୍ୟତା ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅକଥନୀୟ ଅତ୍ୟାଚାର, ମାଦକ ଦ୍ରବ୍ୟ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ବ୍ୟଙ୍ଗାତ୍ମକ ବର୍ଣ୍ଣନା ବହୁଳ ଭାବରେ ଦୃଷ୍ଟିଗୋଚର ହୁଏ ।

ଦାରିଦ୍ର୍ୟ ହେତୁ ସପ୍ତମ ଶ୍ରେଣୀରୁ ଉପରକୁ ଯାଇପାରି ନ ଥିଲେ ମଧ୍ୟ ନିଜ ଅଧ୍ୟବସାୟ ବଳରେ ଓଡ଼ିଆ ଓ ସଂସ୍କୃତ ଭାଷାରେ ଢେର୍‍ ପାରଦର୍ଶିତା ହାସଲ କରିପାରିଥିଲେ । ପ୍ରଥମେ ସେ ପୋଠପଦା ମହନ୍ତଙ୍କ ଯାତ୍ରାଦଳରେ ଅଭିନୟ କରି କିଛି ଉପାର୍ଜନ କଲେ ଓ ନିଜ ଖର୍ଚ୍ଚ ତୁଲାଇଲେ । ପରେ ସେ ନିଜର ମଞ୍ଚ ପ୍ରତିଷ୍ଠା କରି ନିଜ ଗୀତିନାଟ୍ୟ ଓ ସୁଆଙ୍ଗରେ ମଧ୍ୟ ଅଭିନୟ କରିଥିଲେ ।

ମାତ୍ର ୨୧ ବର୍ଷ ବୟସରେ ସେ ପ୍ରଥମ ଗୀତିନାଟ୍ୟ ‘ମେଘନାଦ ବଧ’ ଲେଖି ଲୋକପ୍ରିୟ ହୋଇଥିଲେ । ବୈଷ୍ଣବ ପାଣି ପୁରାତନ ଶାସ୍ତ୍ରାଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ । ଏହା ତାଙ୍କର ଅଧିକାଂଶ ନାଟକରେ ପରିଲକ୍ଷିତ ହୁଏ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ସାଧାରଣ ମନୁଷ୍ୟ ଜୀବନର ଭାଷା, ସୁଖଦୁଃଖ ସହିତ ପଲ୍ଲିପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ହୁଏ ତାଙ୍କ ନାଟକମାନଙ୍କରେ । ‘ଶକୁନ୍ତଳା’ ଓ ‘ଛାନ୍ଦକିଶୋରୀ ବିଳାପ’ ତାଙ୍କର ଦୁଇଟି ଗାଥାକାବ୍ୟ । ମହାକବି କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ଓ ସ୍ୱଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ଗଣକବି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ‘ଛାନ୍ଦ କିଶୋରୀ ବିଳାପ’ ଗଣକବିଙ୍କର ଏକ ଅନନ୍ୟ ହୃଦୟସ୍ପର୍ଶୀ ସୃଷ୍ଟି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ମନୋମୁଗ୍ଧକର ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‍ବ୍ୟତୀତ ‘ସାରଳା ଦେବୀ ଜଣାଣ ଚଉତିଶା’, ‘ଓଲଟ ଚଉତିଶା’, ‘ରାଧାକୃଷ୍ଣ ଚଉତିଶା’, ‘ମଙ୍ଗଳା ଚଉତିଶା’ ଆଦି ତାଙ୍କର ଲୋକପ୍ରିୟ ଚଉତିଶା ।

ବୈଷ୍ଣବ ପାଣିଙ୍କ ଭଜନ ଓ ଜଣାଣଗୁଡ଼ିକରୁ ତାଙ୍କର ଭଗବତ୍‍ ପ୍ରୀତିର ପରିଚୟ ମିଳେ । ତାଙ୍କ ଶୋକଗୀତି କବିତା ମଧ୍ୟରେ ‘ଉତ୍କଳମଣି ଗୋପବନ୍ଧୁ ଶୋକ’ ଓ ‘ପଞ୍ଜାବକେଶରୀ ବିୟୋଗ’ ଅନ୍ୟତମ । ସେ ‘ସ୍ୱରାଜ୍ୟ ପ୍ରଶଂସା’, ‘ସତ୍ୟାଗ୍ରହୀ’, ‘ଜାତୀୟ ଗୀତିକା’, ‘ବାପୁଜୀ’ ପ୍ରଭୃତି ବହୁ ଦେଶାତ୍ମବୋଧକ ଗୀତିକବିତା ରଚନା କରିଥିଲେ ।

ସମଗ୍ର ଜୀବନକାଳ ମଧ୍ୟରେ ସେ ୬୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରେ ୧୫୦ଟି ଯାତ୍ରା, ୧୯ଟି ସୁଆଙ୍ଗ, ଭଜନ, ଜଣାଣ, ଚଉତିଶା, ଦେଶାତ୍ମବୋଧକ କବିତା ଇତ୍ୟାଦିକୁ ନେଇ ୬୫ଟି ସଂକଳନ ଏବଂ ଗୋଟିଏ ଉପନ୍ୟାସ ଅନ୍ତର୍ଭୁକ୍ତ ।

ତାଙ୍କ ନାଟ୍ୟାଭିନୟଗୁଡ଼ିକରେ ସଂଯୋଜିତ ଲୋକକଳା-ଭିତ୍ତିକ ସଙ୍ଗୀତଗୁଡ଼ିକ ପାଇଁ ଏବଂ ଓଡ଼ିଆ ନାଟ୍ୟ ଜଗତକୁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ତାଙ୍କ ମୃତ୍ୟୁର ୧୦ ବର୍ଷ ପରେ ‘ଗଣକବି’ ଉପାଧିରେ ଭୂଷିତ କରିଥିଲା । ଏପର୍ଯ୍ୟନ୍ତ ତାଙ୍କର ଅନେକ ପାଣ୍ଡୁଲିପି ଅପ୍ରକାଶିତ ଅବସ୍ଥାରେ ପଡ଼ିରହିଛି ।

 


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll