ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଭକ୍ତକବି ତଥା ଓଡ଼ିଆ ଭାଗବତ ପ୍ରଣେତା ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀରେ ଆଦୃତ । ୧୪୮୭ ମସିହା ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ମଧ୍ୟାହ୍ନ ସମୟରେ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଶାସନରେ ମାତା ପଦ୍ମାବତୀଙ୍କ ଗର୍ଭରୁ ଜନ୍ମିତ ଜଗନ୍ନାଥ ଦାସ ସାଧାରଣ ଶ୍ରୋତାଙ୍କ ପକ୍ଷେ ଅବୋଧ୍ୟ ସଂସ୍କୃତ ଭାଗବତକୁ ସରଳ, ସୁବୋଧ୍ୟ ଭାଷା ତଥା ଛନ୍ଦୋବଦ୍ଧ ଶୈଳୀରେ ଓଡ଼ିଆରେ ରଚନା କରି କାଳଜୟୀ କବିଭାବେ ନିଜକୁ ପ୍ରତିଷ୍ଠିତ କରିଯାଇଛନ୍ତି ।
ନବାକ୍ଷରୀ ଛନ୍ଦରେ ଶ୍ରୀକୃଷ୍ଣ ଚରିତକୁ ସେ ଏପରି ମଧୁସ୍ରାବୀ ଓ ହୃଦୟସ୍ପର୍ଶୀ ପଦାବଳୀ ମାଧ୍ୟମରେ ପରିବେଷଣ କରିଛନ୍ତି ଯାହାର ପଠନ ବା ଶ୍ରବଣରେ ମନପ୍ରାଣ ଭକ୍ତି ଓ ଆଧ୍ୟାତ୍ମିକତାରେ ଆହ୍ଲାଦିତ ହୋଇଉଠେ । ଭକ୍ତିଯୁଗୀୟ ପଞ୍ଚସଖାଙ୍କ ମଧ୍ୟରେ ସେ ଅନ୍ୟତମ ତଥା ଅଗ୍ରଣୀରୂପେ ସର୍ବଜନଗୃହୀତ । ଓଡ଼ିଆ ଭାଷା ଓ ସାହିତ୍ୟ ସମାଜକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ‘ଅତିବଡ଼ୀ’ ଉପାଧିରେ ଭୂଷିତ । ଓଡ଼ିଆରେ ଭାଗବତ ରଚନା କରିଥିବାରୁ ସେଥିପାଇଁ ତାଙ୍କୁ ମୌଳବାଦୀ ବ୍ରାହ୍ମଣ୍ୟ ଧର୍ମ ତଥା କଠୋର ସଂସ୍କୃତ ଭାଷାର ଧ୍ୱଜାଧାରୀ ତତ୍କାଳୀନ ବଡ଼ପଣ୍ଡାମାନଙ୍କର ନିର୍ଦ୍ଦୟ ଷଡ଼ଯନ୍ତ୍ର, ଲାଞ୍ଛନା ଏବଂ ରାଜରୋଷର ଶିକାର ହେବାକୁ ପଡ଼ିଥିଲା ।
ପିତା ଭଗବାନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଗନ୍ନାଥ ବାଲ୍ୟକାଳରୁ ଅମରକୋଷ ଅଭିଧାନ ତଥା ବେଦ ଓ ସଂହିତାମାନ କଣ୍ଠସ୍ଥ କରିଥିଲେ । ମାତୃଭକ୍ତିର ଶ୍ରେଷ୍ଠ ନିଦର୍ଶନସ୍ୱରୂପ ସେ ସଂସ୍କୃତ ଭାଗବତକୁ ଓଡ଼ିଆରେ ରଚନା କରି ଓଡ଼ିଆ ସାହିତ୍ୟ ଇତିହାସରେ ମୌଳିକତାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି ।
ଗୁପ୍ତଭାଗବତ, ଦାରୁବ୍ରହ୍ମଗୀତା, ଗୁଣ୍ଡିଚାବିଜେ, ଶୈବାଗମ ଭାଗବତ, ଷୋଳ ଚଉପଦୀ, ଅର୍ଥ କୋଇଲି, ତୁଳାଭିଣା ପ୍ରଭୃତି ଅନେକ ଯୁଗୋପଯୋଗୀ ମାର୍ଗଦର୍ଶୀ କୃତିପାଇଁ ତାଙ୍କ ନାମ ଯୁଗ ଯୁଗ ପାଇଁ ଭାଷା-ସାହିତ୍ୟ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଦ୍ୱାଦଶ ସ୍କନ୍ଧ (ଖଣ୍ଡ) ବିଶିଷ୍ଟ, ଅଗଣିତ ଅଳଙ୍କାର ଏବଂ ଅନନ୍ତ ଉପମାରେ ପରିପୂର୍ଣ୍ଣ ଶ୍ରୀମଦ୍ଭାଗବତ ରଚନା ପାଇଁ ସମଗ୍ର ଓଡ଼ିଆ ସାହିତ୍ୟ ସମାଜ ତଥା ଓଡ଼ିଶାର କୋଟି କୋଟି ନରନାରୀ ଜଗନ୍ନାଥ ଦାସଙ୍କ ନିକଟରେ ଚିରଋଣୀ ହୋଇ ରହିବେ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ