ଆବିର୍ଭାବ :- ୨୭-୦୯-୧୯୬୨
ଜନ୍ମସ୍ଥାନ :- ମାନିଗୁଡ଼ା, ନୂଆପଡ଼ା
ନୂଆପଡ଼ା ଜିଲ୍ଲା କୋମନା ଅନ୍ତର୍ଗତ ଜଟଗଡ଼ସ୍ଥ ମାନିଗୁଡ଼ା ଗ୍ରାମରେ ୧୯୬୨ ମସିହା ସେପ୍ଟେମ୍ବର ୨୭ ତାରିଖରେ ବାସୁଦେବଙ୍କ ଜନ୍ମ । ମାତା ଜାଇଫୁଲ ସୁନାନୀ, ପିତା ଗୁରୁବାରୁ ସୁନାନୀ । ଓଡ଼ିଶା ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟରୁ ସ୍ନାତକ ଉପାଧି ଲାଭ କରିଛନ୍ତି । ଶିକ୍ଷା ସମାପ୍ତ ପରେ ସେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗରେ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରି ଅଧୁନା ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଅଧିଷ୍ଠିତ । କଳ୍ପନାରେ ବିଶ୍ଵାସ ରଖୁନଥିବା କବି ବାସୁଦେବ ଯାହା ଦେଖନ୍ତି, ବୁଝନ୍ତି ବା ଉପଲବ୍ଧ କରନ୍ତି ତାକୁ ହିଁ ତାଙ୍କ ଲେଖାର ମାଧ୍ୟମରେ ରୂପ ଦେବାକୁ ଚେଷ୍ଟିତ ହୋଇଥାନ୍ତି । ତାଙ୍କ ସୃଷ୍ଟିର ଚରିତ୍ରମାନେ ଆମ ଚାରିପାଖରେ ଜୀବନ୍ତ ଏବଂ ପ୍ରତ୍ୟକ୍ଷ ଭାବେ ଆତଯାତ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଭାବରେ ଓଡ଼ିଆ ସାହିତ୍ୟର ପାଠକ ପାଠିକା ମହଲରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୧୯୯୫ ମସିହାରେ ତାଙ୍କର ‘ଅନେକ କିଛି ଘଟିବାର ଅଛି’ ପ୍ରଥମ ପ୍ରକାଶିତ କବିତା ପୁସ୍ତକ । ସେ ଅନେକ ଅନ୍ତଃର୍ଜାତୀୟ ମଞ୍ଚରେ ଓଡ଼ିଆ କବିତାକୁ ପ୍ରତିନିଧିତ୍ଵ କରାଇବାର ସୁଯୋଗ ଲାଭ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ଦିଗନ୍ତପ୍ରସାରୀ କରିବା ସଙ୍ଗେ ସଙ୍ଗେ ନିଜକୁ ଜଣେ ସମକାଳର ଯଶସ୍ୱୀ କବି ଭାବରେ ପ୍ରତିଷ୍ଠିତ କରାଇ ପାରିଛନ୍ତି ।
ଉଲ୍ଲେଖନୀୟ ରଚନାବଳୀ : କବିତା: ମହୁଲ ବଣ, ଅସ୍ପୃଶ୍ୟ, ଦଳିତ, ପୁଞ୍ଜିବାଦ ଓ ଭୂମଣ୍ଡଳୀକରଣ, କରଡ଼ି ହାଟ, ଛି, କାଳିଆ ଉବାଚ, ପଡ଼ା ପୋଡ଼ି
ଜୀବନୀ: ମହାତ୍ମା ଫୁଲେ, ଜ୍ୟୋତିରାଓ ଫୁଲେ
ସମ୍ପାଦନା : ଓଡ଼ିଆ ଦଳିତ ସାହିତ୍ୟ
ପ୍ରବନ୍ଧ : ବ୍ରାହ୍ମଣବାଦ ଓ ଭାରତୀୟ ନାରୀ, ବାଜା, ମୁଁ ଅଛି ବୋଲି, ଛେଳି କଥା ଇତ୍ୟାଦି ।
ସମ୍ମାନ ଓ ସ୍ୱୀକୃତି : ନିର୍ମାତା କବିତା ସମ୍ମାନ, ବସନ୍ତ ମୁଦୁଲି ପୁରସ୍କାର, ଭୁବନେଶ୍ଵର ପୁସ୍ତକ ମେଳା ପୁରସ୍କାର, ଦଳିତ ସାହିତ୍ୟ କବିତା ପୁରସ୍କାର, ଖରିଆର ସାହିତ୍ୟ ସମିତି ପୁରସ୍କାର, ଗଦାଧର ସାହିତ୍ୟ ସଂସଦ ପୁରସ୍କାର, ଅଶୋକ ଚନ୍ଦନ ପୁରସ୍କାର, କବି ଗୌରବ ସମ୍ମାନ, ଚର୍ଚ୍ଚା ସମ୍ମାନ ଇତ୍ୟାଦି ।