ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ଅନ୍ୟତମ ସାରଥି, ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା, ପ୍ରଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଭ୍ରାତା ଭଗବତୀଚରଣ ପାଣିଗ୍ରାହୀ ତତ୍କାଳୀନ ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କର ସେ ଥିଲେ କନିଷ୍ଠ ପୁତ୍ର । ଦିବ୍ୟସିଂହ ପାଣିଗ୍ରାହୀ ତାଙ୍କର ଅନ୍ୟତମ ଭାଇ । ଭଗବତୀଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲାସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।
ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ମଧ୍ୟ ଲାଭ କରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ସେ ସମୟରେ ଭଗବତୀଚରଣ ହରବର୍ଟ ଜର୍ଜ ୱେଲ୍ସ, ହ୍ୟାରି ସିନ୍କ୍ଳେୟାର, ବର୍ଣ୍ଣାଡ଼ ଶ’ ଆଦି ପାଶ୍ଚାତ୍ୟ ଲେଖକଙ୍କ ପୁସ୍ତକମାନ ଅଧ୍ୟୟନ କରି ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ ।
ଭଗବତୀଚରଣ ପ୍ରାରମ୍ଭରୁ ଗାନ୍ଧିବାଦୀ ଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ପରେ କଲିକତାରେ ଅବସ୍ଥାନ ସମୟରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ । ତତ୍ପରେ ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ, ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ସେ ଥିଲେ ଦଳର ପ୍ରଥମ ସମ୍ପାଦକ ।
ଏହି ଦଳପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବୀମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।
ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟମାରମ୍ଭ କରିଥିଲେ ଭଗବତୀଚରଣ ପାଣିଗ୍ରାହୀ । ସେ ‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଓ ଏହି ଅନୁଷ୍ଠାନର ମୁଖପତ୍ରରୂପେ ‘ଆଧୁନିକ’ ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକ ଗୋଷ୍ଠୀ ସୃଷ୍ଟି କରିଥିଲେ ।
ଭଗବତୀଚରଣ ନିଜ ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ କ୍ଷୁଦ୍ରଗଳ୍ପ ରଚନା କରିଯାଇଛନ୍ତି । ‘ଶିକାର’ ଗଳ୍ପଟିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଭାବରେ ବିବେଚନା କରାଯାଏ । ଏହି ଗଳ୍ପକୁ ‘ମୃଗୟା’ ନାମକ ସଫଳ ଚଳଚ୍ଚିତ୍ରରେ ରୂପାୟିତ କରିଛନ୍ତି ବିଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନ । ‘ଶିକାର’ ପ୍ରଭୃତି ୧୨ଟି ଗଳ୍ପକୁ ନେଇ ‘ଭଗବତୀଚରଣ ଗଳ୍ପମାଳା’ ନାମରେ ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି । ଶିକାର ବ୍ୟତୀତ ଅନ୍ୟ ଗଳ୍ପଗୁଡ଼ିକ ହେଲା– ‘ମୀମାଂସା’, ‘ଜଙ୍ଗଲି’, ‘ଆରମ୍ଭ’, ‘ଓଃ ଶେଷ’, ‘ମୃତ୍ୟୁର ଚେତନା’, ‘ଜୀବନର ସମାଧି’, ‘ବଞ୍ଚିତା’, ‘ସମୟାତୀତ’, ‘ଝଡ଼’, ‘ମିଶ୍ରଙ୍କ କୋପ’ ଓ ‘ମଜଲିସ’ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ