ଶ୍ରୀ ହର ପ୍ରସାଦ ଦାସ

ଆବିର୍ଭାବ :- ୧୫-୦୧-୧୯୪୫
ଜନ୍ମସ୍ଥାନ :- ଗଜରାଜପୁର ଗ୍ରାମ, ଜଗତସିଂହପୁର

ଓଡ଼ିଶାର ଅନ୍ୟତମ ସଫଳ କବି, କଥାକାର, ସାହିତ୍ୟ-ସମାଲୋଚକ ତଥା ଗବେଷକ, ଅନୁବାଦକ, ସମ୍ପାଦକ, ଐତିହାସିକ ଓ ସଂସ୍କୃତିବିଦ୍ଭାବେ ବିପୁଳ ଯଶର ଅଧିକାରୀ ହରପ୍ରସାଦ ଦାସ ଜଗତସିଂହପୁର ଜିଲ୍ଲାନ୍ତର୍ଗତ ଗଜରାଜପୁର ଗ୍ରାମରେ ୧୯୪୫ ମସିହା ଜାନୁଆରୀ ୧୫ ତାରିଖ ଦିନ ପିତା କୃତ୍ତିବାସ ଦାସଙ୍କ ଔରସରୁ ଜନ୍ମଲାଭ କରିଥିଲେ । ତାଙ୍କ ମାତାଙ୍କ ନାମ ନୀଳବାଳା ଦାସ ।

ରାଜନୀତି ବିଜ୍ଞାନ ଅଧ୍ୟାପନାରୁ ବୃତ୍ତିଗତ ଜୀବନ ଆରମ୍ଭ କରି ହରପ୍ରସାଦ ପରବର୍ତ୍ତୀ କାଳରେ ଭାରତୀୟ ବିତ୍ତସେବା ଅଧିକାରୀ (ଆକାଉଣ୍ଟାଣ୍ଟ ଜେନେରାଲ ଅଫ୍ ଇଣ୍ଡିଆ), ସ୍ୟାଟ୍‍ର ଉପାଧ୍ୟକ୍ଷ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସେଲର୍‍ଭାବେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀ ଦାସ ହେଉଛନ୍ତି ସମସାମୟିକ ସାହିତ୍ୟଜଗତର ଜଣେ ଅଗ୍ରଗଣ୍ୟ କବି, କଥାକାର, ସାହିତ୍ୟ-ସମାଲୋଚକ, ଗବେଷକ, ଅନୁବାଦକ, ସମ୍ପାଦକ, ସ୍ତାମ୍ଭିକ, ଐତିହାସିକ ଓ ସଂସ୍କୃତିବିଦ୍ । ତାଙ୍କର ପ୍ରକାଶିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି: ‘ଆଲୋକିତ ବନବାସ’ (୧୯୮୦), ‘ମନ୍ତ୍ରପାଠ', ‘ଗର୍ଭଗୃହ’, ‘ଦୂରତ୍ଵର ଭ୍ରମ’, ‘ଅର୍ଥ ସହିତ ଶତ୍ରୁତା’, ‘ଖୁଣୀ ଅପ୍ସରା’, ‘ଦେଶ’, ‘ନିର୍ବାଚିତ କବିତା', ‘ଅପାର୍ଥିବ ପ୍ରେମ କବିତା’, ‘ସ୍ଥଳପୁରାଣ’, ‘ହାରମୋନିୟମରେ ତୋଡ଼ି’, ‘ବଂଶ’ (କବିତା); ‘ଲୁବ୍ଧକର ତିନିପ୍ରହର’ (ଉପନ୍ୟାସ), ‘ଆଧୁନିକତାର ପରମ୍ପରା’, ଆଧୁନିକତାର ସମକାଳ (ସମାଲୋଚନା); ‘ଶ୍ରୀମଦ୍ ଭାଗବତ ଗୀତା’, ‘ଗୀତାଞ୍ଜଳି’ (ଅନୁବାଦ) ଏବଂ ‘ପ୍ରତିବେଶୀ’ (ପତ୍ରିକା ସମ୍ପାଦନା) ।

ହରପ୍ରସାଦଙ୍କ ଆଦ୍ୟ ସ୍ରଷ୍ଟାଜୀବନର କବିତା ବୌଦ୍ଧିକ ଉତ୍ତେଜନାରେ ଉତ୍ତପ୍ତ । ସ୍ଥାନୀୟତାର ବସ୍ତୁନିଷ୍ଠ ଆହ୍ଵାନ ସେଗୁଡ଼ିକର ଲକ୍ଷଣୀୟ ଉପାଦାନ, ଚିତ୍ରକଳ୍ପ ଓ ପ୍ରତୀକରେ ଆଧୁନିକ ବ୍ୟକ୍ତିଜୀବନର ଅଭିପ୍ରକାଶ । ତାଙ୍କ କବିତା ପଢ଼ିଲେ ଅନୁଭବ ହୁଏ, ତାହା ଯେମିତି ଗୋଟିଏ ବୃନ୍ତରେ ଫୁଟିଥିବା ଦୁଇଟି ସୂର୍ଯ୍ୟମୁଖୀ - ଗୋଟିଏ ଫୁଲରେ ଆଶା ଓ ସମ୍ଭାବନା ଏବଂ ଅନ୍ୟଟିରେ ମୋହଭଙ୍ଗ ଓ ଅବସାଦ - ରୂପ ଓ ଭାବର ଅପୂର୍ବ ସମନ୍ୱୟ । ବେଳେବେଳେ କବିତା ଲାଗେ- ଦର୍ଶନର କାବ୍ୟାୟନ, ରହସ୍ୟର ଉନ୍ମୋଚନ, ବିଶ୍ଵର ଇତିହାସ, ଭୂଗୋଳ, କିମ୍ବଦନ୍ତୀ ଓ ସମକାଳୀନ ଜୀବନଧାରାର ଚିତ୍ର । ‘ଏକ ଅପାର୍ଥିବ ପ୍ରେମ କବିତା’ ଦାମ୍ପତ୍ୟ ଜୀବନର ଗଭୀର ଉପଲବ୍ଧି । ସ୍ଥାନୀୟତା ତାଙ୍କ କବିତାର ଅନ୍ୟତମ ଭାବଭୂମି । ଆପଣା ସଂସ୍କୃତିକୁ ଅନୁଭବିବା ଏବଂ ସଂସ୍କୃତି-ମନସ୍କ ଜୀବନ ବଞ୍ଚିବାପାଇଁ ଏହା ଯେପରି ପ୍ରଚୋଦନା ।

‘ଆଧୁନିକତାର ପରମ୍ପରା ଓ ଆଧୁନିକତାର ସମକାଳ’ ହରପ୍ରସାଦଙ୍କ ବହୁପାଠୀ, ସୂକ୍ଷ୍ମ ଅନ୍ତର୍ଦୃଷ୍ଟିସମ୍ପନ୍ନ ଓ ବୁଦ୍ଧିଦୀପ୍ତ ବ୍ୟକ୍ତିତ୍ଵର କାଳଜୟୀ ଗଦ୍ୟଗ୍ରନ୍ଥ । ଓଡ଼ିଶା ଓ ବିଶ୍ଵର କବିମାନଙ୍କ ସମ୍ପର୍କରେ ଏହା ଏକ ନିର୍ମୋହ ମୂଲ୍ୟାୟନ । ଜଣେ ସୃଜନପ୍ରତିଭା ସମଧର୍ମାମାନଙ୍କୁ ଅନ୍ତରଙ୍ଗ ଭାବରେ ଯେ ଅନୁଭବ କରିପାରେ, ଏହି ବହିଗୁଡ଼ିକରେ ସଂଯୋଜିତ ଆଲୋଚନା ତାହାର ଦୃଷ୍ଟାନ୍ତ । ‘ଓଡ଼ିଆ ଜାତିର ଜୀବନଗାଥା’ ହରପ୍ରସାଦଙ୍କ ଇତିହାସର ପୁନର୍ଲିଖନ ଓ ସଂସ୍କୃତିର ପୁନର୍ବାଖ୍ୟାନର ଚମତ୍କାର ଉଦାହରଣ । ଓଡ଼ିଆ ଅସ୍ମିତା ଅନୁଭବ କରିବାପାଇଁ ଏହି ଆଲୋଚନାଗୁଡ଼ିକ ମୁଖଶାଳାସଦୃଶ । କବିତା, ଉପନ୍ୟାସ ଅଥବା ସାହିତ୍ୟସଂସ୍କୃତି ଚର୍ଚ୍ଚା ହେଉ, ଲେଖକଙ୍କ ନାଁକୁ ଲିଭେଇଦେଇ ତାହା ପଢ଼ିଲେ ଜଣେ ସଚେତନ ପାଠକ କହିଦେଇପାରିବ- ଏହା ହରପ୍ରସାଦଙ୍କ ଅକ୍ଷର କୀର୍ତ୍ତି ।

ହରପ୍ରସାଦ ଦାସ ତାଙ୍କର ସାହିତ୍ୟ କୃତିପାଇଁ ୧୯୯୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ରେ ଶାରଳା ପୁରସ୍କାର, ଗଙ୍ଗାଧର ମେହେର ପୁରସ୍କାର, ୨୦୧୩ରେ ମୂର୍ତ୍ତିଦେବୀ ପୁରସ୍କାର ଏବଂ ୨୦୧୭ରେ କଳିଙ୍ଗ ଲିଟରାରି ଫେଷ୍ଟିଭାଲଦ୍ୱାରା ପ୍ରଦତ୍ତ କଳିଙ୍ଗ ଲିଟରାରି ଆୱାର୍ଡ଼ରେ ସମ୍ମାନିତ ହେବାସହ ସମ୍ବର୍ଦ୍ଧିତ ହୋଇଛନ୍ତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll