ସୁଜନପୁର ଗାଁର ଦକ୍ଷିଣକୁ ଅଧମାଇଲ ଦୂରରେ ବହିଯାଉଥିଲା ଚନ୍ଦ୍ରାବତୀ ନଈ ତା’ର କଳ କଳ ସଙ୍ଗୀତ ଗାଇ ଗାଇ । ନଈଖଣ୍ଡିରେ କେଉଁକାଳୁ ଛିଡ଼ାହୋଇ ରହିଥିଲା ଝଙ୍କାଳିଆ ବରଗଛଟିଏ । ତା’ର ପତ୍ରମାନଙ୍କର ଟିକି ଟିକି ବୀଣାରେ ରୁଣୁଝୁଣୁ ଝଙ୍କାର ଉଠୁଥାଏ । ସଞ୍ଜ ବୁଡ଼ିଥାଏ । ଦେବ ଯାଇ ତା’ର ସେହି ଚିହ୍ନା ଗଛମୂଳେ ବସିଲା । ସାମ୍ନାକୁ ଚାହିଁଲା । ପଶ୍ଚିମ ଦିଗ୍ବଳୟର ଫିକା ନାଲିକୁ ଅନ୍ଧାର ଗ୍ରାସ କରୁଛି । ଦୀର୍ଘଶ୍ଵାସ ପକାଇ ସେ ମୁହଁ ବୁଲେଇଦେଲା । ଦି’ ଆଣ୍ଠୁ ମଝିରେ ମୁଣ୍ଡ ମାଡ଼ିଦେଇ ଅନାଇଁ ରହିଲା ଚନ୍ଦ୍ରାବତୀ ନଈର ଚହଲା ପାଣି ସୁଅକୁ ।
ପାହାଡ଼ିଆ ନଈ ଚନ୍ଦ୍ରାବତୀର ପ୍ରସ୍ତ ଦୁଇଶହ ଫୁଟରୁ ବେଶି ହେବ ନାହିଁ । ବଇଶାଖୀ ଝାଞ୍ଜିରେ ନଈ ଶୁଖି ସରୁ ଧାର ହୋଇଯାଇଛି । ଖାଲି ବାଲି, ଆଉ ବାଲି । ବଡ଼ ବଡ଼ ରେଞ୍ଚେଡ଼ା ପଥର ଆଗୁଳମାନ ଏଡ଼ି ଏଡ଼ି ଛୋଟିଆ ନଈ ସୁଅର ଗତି । କଷ୍ଟ, କିନ୍ତୁ ଅବିରାମ, ଅବାରିତ । ତା’ର ଛୁଆଁ ଲାଗି ତତଲା ପବନ ବି ଶୀତଳ ହୋଇଯାଉଥିଲା ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy