Odia Blog

ଅତିବଡ଼ୀ ଜଗନ୍ନାଥ ଦାସ
Date : July 6, 2021

ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଭକ୍ତକବି ତଥା ଓଡ଼ିଆ ଭାଗବତ ପ୍ରଣେତା ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀରେ ପରିଚିତ । ୧୪୮୭ ମସିହା ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ମଧ୍ୟାହ୍ନ ସମୟରେ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଶାସନରେ ମାତା ପଦ୍ମାବତୀଙ୍କ ଗର୍ଭରୁ ଜନ୍ମିତ । ଜଗନ୍ନାଥ ଦାସ ସାଧାରଣ ଶ୍ରୋତାଙ୍କ ପକ୍ଷେ ଅବୋଧ୍ୟ ସଂସ୍କୃତ ଭାଗବତକୁ ସରଳ, ସୁବୋଧ୍ୟ ଭାଷା ତଥା ଛନ୍ଦୋବଦ୍ଧ ଶୈଳୀରେ ଓଡ଼ିଆରେ ରଚନା କରି କାଳଜୟୀ କବିଭାବେ ନିଜକୁ ପ୍ରତିଷ୍ଠିତ କରିଯାଇଛନ୍ତି । ନବାକ୍ଷରୀ ଛନ୍ଦରେ ଶ୍ରୀକୃଷ୍ଣ ଚରିତକୁ ସେ ଏପରି ମଧୁସ୍ରାବୀ ଓ ହୃଦୟସ୍ପର୍ଶୀ ପଦାବଳୀ ମାଧ୍ୟମରେ ପରିବେଷଣ କରିଛନ୍ତି ଯାହାର ପଠନ ବା ଶ୍ରବଣରେ ମନପ୍ରାଣ ଭକ୍ତି ଓ ଆଧ୍ୟାତ୍ମିକତାରେ ଆହ୍ଲାଦିତ ହୋଇଉଠେ । ଭକ୍ତିଯୁଗୀୟ ପଞ୍ଚସଖାଙ୍କ ମଧ୍ୟରେ ସେ ଅନ୍ୟତମ ତଥା ଅଗ୍ରଣୀରୂପେ ସର୍ବଜନଗୃହୀତ । ଓଡ଼ିଆ ଭାଷା ଓ ସାହିତ୍ୟ ସମାଜକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ‘ଅତିବଡ଼ୀ’ ଉପାଧିରେ ଭୂଷିତ । ଓଡ଼ିଆରେ ଭାଗବତ ରଚନା କରିଥିବାରୁ ସେଥିପାଇଁ ତାଙ୍କୁ ମୌଳବାଦୀ ବ୍ରାହ୍ମଣ୍ୟ ଧର୍ମ ତଥା କଠୋର ସଂସ୍କୃତ ଭାଷାର ଧ୍ୱଜାଧାରୀ ତତ୍କାଳୀନ ବଡ଼ପଣ୍ଡାମାନଙ୍କର ନିର୍ଦ୍ଦୟ ଷଡ଼ଯନ୍ତ୍ର, ଲାଞ୍ଛନା ଏବଂ ରାଜରୋଷର ଶିକାର ହେବାକୁ ପଡ଼ିଥିଲା ।

ପିତା ଭଗବାନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଗନ୍ନାଥ ବାଲ୍ୟକାଳରୁ ଅମରକୋଷ ଅଭିଧାନ ତଥା ବେଦ ଓ ସଂହିତାମାନ କଣ୍ଠସ୍ଥ କରିଥିଲେ । ମାତୃଭକ୍ତିର ଶ୍ରେଷ୍ଠ ନିଦର୍ଶନସ୍ୱରୂପ ସେ ସଂସ୍କୃତ ଭାଗବତକୁ ଓଡ଼ିଆରେ ରଚନା କରି ଓଡ଼ିଆ ସାହିତ୍ୟ ଇତିହାସରେ ମୌଳିକତାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି । ଗୁପ୍ତଭାଗବତଦାରୁବ୍ରହ୍ମଗୀତାଗୁଣ୍ଡିଚାବିଜେଶୈବାଗମ ଭାଗବତଷୋଳ ଚଉପଦୀଅର୍ଥ କୋଇଲିତୁଳାଭିଣା ପ୍ରଭୃତି ଅନେକ ଯୁଗୋପଯୋଗୀ ମାର୍ଗଦର୍ଶୀ କୃତିପାଇଁ ତାଙ୍କ ନାମ ଯୁଗ ଯୁଗପାଇଁ ଭାଷା-ସାହିତ୍ୟ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଦ୍ୱାଦଶ ସ୍କନ୍ଧ (ଖଣ୍ଡ) ବିଶିଷ୍ଟ, ଅଗଣିତ ଅଳଙ୍କାର ଏବଂ ଅନନ୍ତ ଉପମାରେ ପରିପୂର୍ଣ୍ଣ ଶ୍ରୀମଦ୍‍ଭାଗବତ ରଚନା ପାଇଁ ସମଗ୍ର ଓଡ଼ିଆ ସାହିତ୍ୟ ସମାଜ ତଥା ଓଡ଼ିଶାର କୋଟି କୋଟି ନରନାରୀ ଜଗନ୍ନାଥ ଦାସଙ୍କ ନିକଟରେ ଚିରଋଣୀ ହୋଇ ରହିବେ । 










Copyright © 2024 Odia Virtual Academy. All rights reserved      Total Visitors-   1

scroll