Odia Blog

ଆଦିକବି ସାରଳା ଦାସ
Date : July 6, 2021

ପଞ୍ଚଦଶ ଶତାବ୍ଦୀର ମହାନ୍ ସାହିତ୍ୟ ସାଧକ ଆଦିକବି ସାରଳା ଦାସ ଜଗତସିଂହପୁର ଜିଲ୍ଲା ତେନ୍ତୁଳିପଦା ଅନ୍ତର୍ଗତ କନକବତୀ ପାଟଣା ବା କନକପୁରରେ, ଗ୍ରାମାଞ୍ଚଳରେ ସାଧାରଣତଃ ଶୂଦ୍ରଭାବେ କଥିତ ଏକ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସମସ୍ତ କର୍ମ, ଧର୍ମ, ସାହିତ୍ୟ ଓ ସଂସ୍କାର ମୁନି ତଥା ସାଧକ ଶ୍ରେଣୀର ହୋଇଥିବାରୁ ତାଙ୍କ କାବ୍ୟସାଧନାରେ ସନ୍ତୁଷ୍ଟ ହୋଇ ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସାରଳା ଦାସଙ୍କୁ 'ଶୂଦ୍ରମୁନି' ଉପାଧିରେ ଭୂଷିତ କରିଥିଲେ । ସେ ଓଡ଼ିଆ ଭାଷାରେ ସାହିତ୍ୟ ରଚନାର ଭିତ୍ତିଭୂମି ସ୍ଥାପନ କରିଥିଲେ ବୋଲି ବିଚାର କରାଯାଇ ତାଙ୍କୁ ଆଦିକବି ବୋଲି ମଧ୍ୟ କୁହାଯାଇଥାଏ ।

ଜନଶ୍ରୁତି ଅନୁସାରେ ତାଙ୍କର ପ୍ରକୃତ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା" । ପ୍ରାରମ୍ଭିକ ଅବସ୍ଥାରେ ତାଙ୍କର ବିଶେଷ ଜ୍ଞାନ ନ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ନିଜର ସାଧନା ଓ ଭକ୍ତି ଯୋଗୁଁ ଝଙ୍କଡ଼ ବାସିନୀ ଦେବୀ ଶାରଳାଙ୍କଠାରୁ ବର ପାଇ କାବ୍ୟସାଧନାରେ ମନୋନିବେଶ କରିଥିଲେ ଏବଂ ନିଜକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ । ମା’ଙ୍କ ମନ୍ଦିରରେ ପ୍ରତିଦିନ ପଢ଼ାଯାଉଥିବା ସଂସ୍କୃତ ମହାଭାରତ ଶୁଣି ଶୁଣି ସାଧାରଣ ଲୋକଙ୍କର ବୋଧଗମ୍ୟ ହେଲାଭଳି ସରଳ କଥିତ ଭାଷାରେ ସେ ଓଡ଼ିଆରେ ମହାଭାରତ ରଚନା କରିଥିଲେ । ଏଥିରେ ମୂଳ ମହାଭାରତର ଭାବ ସମାନ ରହିଥିଲେହେଁ ପାରଦର୍ଶିତା କାରଣରୁ ନିଜ ମନରୁ ଅନେକ କାହାଣୀ ଯୋଡ଼ି କାଳିଦାସଙ୍କ ରଘୁବଂଶ ଅନୁରୂପ ଏହାକୁ ଅତି ମୌଳିକ ଏବଂ ଉଚ୍ଚକୋଟିର ରୂପ ଦେଇପାରିଥିଲେ । ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ (୧୪୩୫-୬୭) ସେ ମହାଭାରତ ରଚନା କରିଥିବା ଜଣାଯାଏ । ଗଜପତିଙ୍କ ସେନାବାହିନୀରେ କାମ କରି ସେ ବିଭିନ୍ନ ଅଞ୍ଚଳ ବୁଲିଥିବା ବିଷୟରେ ଗ୍ରନ୍ଥର କେତେକ ସ୍ଥାନରେ ଉଲ୍ଲେଖ କରିଛନ୍ତି । ଗଜପତି ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିବା ମଧ୍ୟ କୁହାଯାଇଛି । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ବ୍ୟବହାର କରିଆସୁଛନ୍ତି ।

ସାରଳା ଦାସଙ୍କ ନାମାନୁଯାୟୀ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମ ବର୍ତ୍ତମାନ 'ବଡ଼ ସାରୋଳ' ନାମରେ ଜଣାଶୁଣା । ମହାଭାରତ ଲେଖିସାରି ସେ ବୁଢ଼ାନଦୀ କୂଳସ୍ଥ ଏକ ମଠରେ ଶେଷ ଜୀବନ କଟାଇଥିଲେ । ତାଙ୍କର ସଠିକ ଜନ୍ମ ଦିବସ ଏଯାଏଁ ଆକଳନ କରାଯାଇ ପାରିନାହିଁ । ମାଘ ଶୁକ୍ଳ ସପ୍ତମୀ ଦିନ ସେ ଦେହତ୍ୟାଗ କରିଥିଲେ ।

ସାରଳା ଦାସଙ୍କ ରଚିତ ତିନିଟି କାବ୍ୟଗ୍ରନ୍ଥ ହେଉଛି ସାରଳା ମହାଭାରତ / ସାରୋଳ ମହାଭାରତବିଲଙ୍କା ରାମାୟଣଚଣ୍ଡୀପୁରାଣ ।  ଏହି ତିନିଟିଯାକ ଗ୍ରନ୍ଥ ଦାଣ୍ଡି ଶୈଳୀରେ ରଚିତ । ସେ ଲକ୍ଷ୍ମୀ-ନାରାୟଣ ବଚନିକା ମଧ୍ୟ ରଚନା କରିଛନ୍ତି  ।










Copyright © 2024 Odia Virtual Academy. All rights reserved      Total Visitors-   1

scroll