ରଥ ଉପରେ ତିନିଦିଅଁଙ୍କୁ ଦେଖି ସେମାନଙ୍କର ପତିତପାବନ ରୂପ ଦର୍ଶନ ପାଇଁ ସ୍ୱାଭାବିକ କୌତୂହଳ ଯଦିଓ ମୋର ରହିଛି, ରଥ ଟାଣିବା ନାଆଁରେ କୌଣସିମତେ ନିଜର ଗୋଟାଏ ହାତକୁ ଆଗକୁ ଟିକିଏ ଠେଲିନେଇ ଦଉଡ଼ିକୁ ଟିକିଏ ଛୁଇଁଦେଲେ ଯେ ଯମ ଦଉଡ଼ିର ଆଶଙ୍କା ତୁଟିଯିବ, ଏମିତି ଏକ ଅନୁଚିତ ବିଶ୍ୱାସ ମୋର ନାହିଁ । ତଥାପି ଲକ୍ଷ ଲକ୍ଷ ପୁଣ୍ୟ-କାଙ୍ଗାଳ, ଜଗନ୍ନାଥପ୍ରେମୀ ମଣିଷଙ୍କ ଭିତରେ ନିଜକୁ ମିଶେଇ ଦେବାର ଏକ ଦୁର୍ବାର ବାସନା ମୋତେ କେବେ କେବେ ଟାଣିନିଏ ବଡ଼ଦାଣ୍ଡକୁ । ମାତ୍ର କେଜାଣି କାହିଁକି ରଥଯାତ୍ରା-ଫେରନ୍ତା ଏ ପ୍ରତିଜ୍ଞା ଓ ମନର ଟାଣପଣ ଆରବର୍ଷ ଆଷାଢ଼ ଯାଏ ରହିପାରେ ନାହିଁ । ରଥଯାତ୍ରା ଆଗଦିନ ମନକୁ ବୁଝାଇଦିଏ ସ୍ୱାଭାବିକ ଭାବରେ, ଭୁବନେଶ୍ୱରରେ ଥାଇ ଯଦି ତୁ ପୁରୀର ରଥଯାତ୍ରା ଦେଖିପାରିବୁନି, ତା’ହେଲେ ଭାବ୍ ତୁ କେଡ଼େବଡ଼ ପାପୀ । କାହିଁ ଇଂଲଣ୍ଡ, ଆମେରିକାରୁ ବିଦେଶୀ ଲୋକଙ୍କୁ ରଥ ଦଉଡ଼ି ଟାଣିଆଣୁଛି । ଲକ୍ଷ ଲକ୍ଷ ନରନାରୀ, ଆବାଳ ବୃଦ୍ଧ ଛୁଟୁଛନ୍ତି ଏକମୁହାଁ ହୋଇ । ତୁ କେମିତି ଯିବୁନାହିଁ ? ଇଏ ବି ସତକଥା । ମନକୁ ମନ ଉତ୍ତର ଦିଏ ଏବଂ ରଥଯାତ୍ରାକୁ ବାହାରି ପଡ଼େ ପୁଣି ।...... ବହି–ସ୍ୱପ୍ନ ପାଇଁ ରାତି କାହିଁ ଲେଖକ–ଗୌରହରି ଦାସ https://ova.gov.in/de/ReadEbooks?bid=AX6ntM3Ynnc=
Copyright © 2026 Odia Virtual Academy. All rights reserved Total Visitors- 1
Powered by: Odia Virtual Academy