ତ୍ରେତା ଯୁଗରେ ରାବଣ ପ୍ରଭୃତି ରାକ୍ଷସମାନେ ମହା ଉତ୍ପାତ ଓ ଅତ୍ୟାଚାର କରିବାରୁ ତିନିଶକ୍ତି ଧର୍ମ ରକ୍ଷା କରିବା ଲାଗି ଏକ ଦିବ୍ୟଶକ୍ତି କନ୍ୟାରୂପରେ ପ୍ରକଟ ହେଲେ । ମହାଶକ୍ତିଙ୍କ ଆଜ୍ଞାନୁସାରେ ସେହି ଦିବ୍ୟ କନ୍ୟା ରତ୍ନାକର ସାଗରର ଘରେ ଜନ୍ମଗ୍ରହଣ କଲେ । କନ୍ୟାର ନାମ ତ୍ରିକୂଟା । ପରେ ଏହି କନ୍ୟା ଭଗବାନ ବିଷ୍ଣୁଙ୍କ ଅଂଶରୁ ଜାତ ହୋଇଥିବାରୁ ‘ବୈଷ୍ଣବୀ’ ନାମରେ ପରିଚିତା ହେଲେ । ଏହି ବୈଷ୍ଣବୀର ଅପଭ୍ରଂଶ ‘ବୈଷ୍ଣୋଦେବୀ’ । ବିଶ୍ଵାସ କରାଯାଉଛି ଯେ ସେହିଦିନଠାରୁ (ତ୍ରେତାଯୁଗରୁ) ଆଜି ପର୍ଯ୍ୟନ୍ତ ସେହି କନ୍ୟା ତପସ୍ୟାରେ ମଗ୍ନ । ମାଆଙ୍କ ଅଖଣ୍ଡ କୀର୍ତ୍ତି ଯୁଗ ଯୁଗ ଧରି ଲୋକଙ୍କୁ ଆକର୍ଷିତ କରୁଛି । ଏହି ଅନନ୍ତବୀର୍ଯ୍ୟା, ପରମବୈଷ୍ଣବୀ ମହାଶକ୍ତି ମନୁଷ୍ୟମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ମଧ୍ୟେ ମଧ୍ୟେ ଅବତୀର୍ଣ୍ଣା ହୁଅନ୍ତି । ଦେବତାମାନଙ୍କ ଏକତ୍ରିତ ତେଜରୁ ସମ୍ଭୂତ ମହାଶକ୍ତି କାଳାନ୍ତରରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପ ଧାରଣ କରି ଅବତୀର୍ଣ୍ଣା ହେଲେ । ଏହି ତିନି ରୂପ ରଜ, ତମ ଏବଂ ସାତ୍ତ୍ୱିକ ଗୁଣର ପ୍ରତୀକ ଅଟେ ।
ତ୍ଵଂ ବୈଷ୍ଣବୀ ଶକ୍ତିରନନ୍ତ ବୀର୍ଯ୍ୟା ବିଶ୍ଵସ୍ୟ ବୀଜଂ ପରମାସି ମାୟା । ସମ୍ମୋହିତଂ ଦେବି ସମସ୍ତମେତଂ ତ୍ଵବୈ ପ୍ରସନ୍ନା ଭୁବି ମୁକ୍ତିହେତୁ ।
‘‘ଜୟ ମାତା ଦି’’ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଆମେ ମହାଶକ୍ତିଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲୁ ଅବତରଣ । ବହି- କାଶ୍ମୀରରୁ କନ୍ୟାକୁମାରୀ ଲେଖକ– ସାତକଡ଼ି ହୋତା, ଗୀତା ହୋତା https://ova.gov.in/de/ReadEbooks?bid=GbwW41p4tik=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy