ଆହା ! ଆଜି ଲକ୍ଷ୍ମୀର କି ସୁଦିନ ! ଏଡ଼େ ବଡ଼ ସତ୍ୟ ! ସେ ସମାଜ ସେବିକା । ଓଡ଼ିଶାର ନାରୀ ସମାଜ ତାହାକୁ ଚାହେଁ । ତାହାର ସେବା, ତାହାର ରଚନା, ତାହାର ଜ୍ଞାନ, ତାହାର ଶକ୍ତି ଓଡ଼ିଶାର ହିତ ସକାଶେ ଦେବାପାଇଁ ସେ ଜନ୍ମ ! ଆଜି ଯେ ସେ ଭାଗ୍ୟବତୀ । ଲକ୍ଷ୍ମୀ ଆପଣାର ଦୁଃଖ ଭୁଲିଲା । ନିଜର ବୈଧବ୍ୟ ବିସ୍ମୃତ ହେଲା । ଜୀବନର ପୂର୍ବ ଘଟନାସବୁ ମନରୁ ପୋଛିବାକୁ ବସିଲା । ସେତ ସାମୟିକ ଅନୁଭୂତି । ଓଡ଼ିଶାର ମଙ୍ଗଳ, ଓଡ଼ିଶାର କଲ୍ୟାଣ ହେଲା ତାହାର ଜପାମାଳି । ତାହାପାଇଁ ସେ ଜୀବନ ଢାଳିବ । କର୍ତ୍ତବ୍ୟ କର୍ମରେ ଆତ୍ମ ସମର୍ପଣ କରି ଆତ୍ମପ୍ରସାଦ ଲାଭ କରିବ । ଏଥିରେ କଣ ତାହାର ନାରୀତ୍ୱ ସଫଳ ହେବ ନାହିଁ । ଅନ୍ୟର ସନ୍ତାନକୁ ନିଜର ସନ୍ତାନ ଭାବିଲେ କଣ ତାହାର ମାତୃତ୍ଵ ଆକାଂକ୍ଷା ପୂର୍ଣ୍ଣ ହେବ ନାହିଁ ? ସେ କିମ୍ପା ଭାବିବ ସେ ବିଧବା, ସେ ସର୍ବସ୍ଵ ବଞ୍ଚିତା !
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy