ପିଲାମାନେ ପଚାରି ପାରନ୍ତି ପୃଥିବୀର ପିଲାଦିନ କ’ଣ ? ମନୁଷ୍ୟର ପିଲାଦିନ ଅଛି । ପଶୁପକ୍ଷୀମାନଙ୍କର ପିଲାଦିନ ଅଛି । ଜଣକୁ ଯଦି ୬୦ ବର୍ଷ ହୋଇଥାଏ ତା’ହାଲେ ୫୦ ବର୍ଷ ତଳେ ତା’ର ଥିଲା ପିଲାଦିନ । ଜନ୍ମ ହେବାର ଅଳ୍ପ କେତେକ ବର୍ଷ ଭିତରେ ମନୁଷ୍ୟ ଯେଉଁ ଅବସ୍ଥାରେ ଥାଏ ଅର୍ଥାତ୍ ଜୀବନର ପ୍ରଥମାବସ୍ଥାକୁ ପିଲାଦିନ ବୋଲି କୁହାଯାଇଥାଏ । ମନୁଷ୍ୟ ଏବଂ ପଶୁପକ୍ଷୀଙ୍କ ପିଲାଦିନ ଜାଣିବା କଷ୍ଟକର ନୁହେଁ; ମାତ୍ର ପୃଥିବୀର ପିଲାଦିନ ବା ପ୍ରଥମାବସ୍ଥା ଜାଣିବା ସହଜ ହୋଇନଥିଲା । ଆମେ ଯେଉଁ ପୃଥିବୀ ଉପରେ ବସବାସ କରି ରହିଛେ ଏବଂ ବହୁ ଅତୀତ କାଳରୁ ଆମ ପୂର୍ବପୁରୁଷମାନେ ମଧ୍ୟ ରହିଆସିଛନ୍ତି ସେହି ପୃଥିବୀର ସୃଷ୍ଟି ବା ଗଠନ ବିଷୟରେ କୌଣସି ଲିପିବଦ୍ଧ ବିବରଣୀ ନ ଥିବାରୁ ଏ ବିଷୟରେ ପୁରାଣମାନଙ୍କରେ ନାନା କାଳ୍ପନିକ କାହାଣୀ ଓ କିମ୍ବଦନ୍ତୀମାନ ରଚନା କରାଯାଇଥିଲା । ମାତ୍ର ବୈଜ୍ଞାନିକମାନେ ଦୀର୍ଘକାଳ ଧରି ଅଧ୍ୟୟନ, ଗବେଷଣା ଓ ପର୍ଯ୍ୟବେକ୍ଷଣ କରି ପୃଥିବୀର ବୟସ ଅର୍ଥାତ୍ ପୃଥିବୀ କେବେ ସୃଷ୍ଟି ବା ଗଠିତ ହେଲା ଏବଂ କିପରି ବିକାଶ ଲାଭ କଲା ସେ ସମ୍ବନ୍ଧରେ ସଠିକ୍ ତଥ୍ୟ ଲିପିବଦ୍ଧ କରିଛନ୍ତି ଏବଂ ଏ ବିଷୟରେ ଅଧିକ ଗବେଷଣା ଚାଲିଛି ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy