ଇଏ ପ୍ରକୃତରେ ସୁନ୍ଦର ତ, ତହିଁରେ ପୁଣି ଏତେ ଶାନ୍ତ, ମଧୁର ମୁଖଶ୍ରୀ, ବୁଦ୍ଧିଦୀପ୍ତ ଚାହାଣି-ଆଚ୍ଛା ବ୍ଲାକ ବିଉଟି ନାମଟି କେମିତି ହେବ ? ବ୍ଲାକ ବିଉଟି । ବାଃ ବେଶ୍ ତ ଏଇଟା ହିଁ ସବୁଠାରୁ ଭଲ ନାମ । ଯଦି ତୁମକୁ ଭଲ ଲାଗୁଛି ତାହାହେଲେ ଏଇ ନାମଟି ହିଁ ତାର ରହିବ ।’’ ଏବଂ ସେଇ ନାମଟି ହିଁ ରହିଲା ।
ତାପରେ ଜନ୍ ଘୋଡ଼ାଶାଳକୁ ଆସି ମୋର ଏଇ ନାମଟି ମାଲିକମାଲିକାଣୀ ରଖିଛନ୍ତି ବୋଲି ଜେମ୍ସକୁ ଜଣାଇଦେଲା ।
ଜନ୍ ମୋ ପାଇଁ ଗର୍ବିତ ବୋଲି ମନେ ହୁଏ । ସେ ମୋ ଦାଢ଼ି ଆଉ ଲାଞ୍ଜକୁ ବ୍ରଶ କରି ତରୁଣୀର କେଶ ସଦୃଶ ନରମ ମସୃଣ କରି ରଖେ, ମୋ ସହିତ ଅନେକ କଥାବାର୍ତ୍ତା ବି କରେ । ଅବଶ୍ୟ ସେ କ’ଣ କହେ ମୁଁ ବୁଝିପାରେ ନାହିଁ । ମାତ୍ର ଧୀରେ ଧୀରେ ମୁଁ ତା କଥା ବୁଝିଲି ଏବଂ ତା ନିର୍ଦ୍ଦେଶ ମଧ୍ୟ ବୁଝିପାରିଲି । ସେ-ମଧ୍ୟ ମୋର ଖୁବ୍ ପ୍ରିୟ ହୋଇ ପଡ଼ିଲା । ବୋଧହୁଏ ସେ ଘୋଡ଼ାର ଅନୁଭବ ମଧ୍ୟ ବୁଝେ । କାରଣ ମତେ ପରିଷ୍କାର କଲାବେଳେ ସେ ଦେହର ନରମ ଓ କୁତୁକୁତିଆ ଜାଗାଗୁଡ଼ିକୁ ବୁଝି ଆସ୍ତେ ଆସ୍ତେ ବ୍ରଶ ଚଳାଏ । ଆଉ ମୁଣ୍ଡ କୁଣ୍ଡେଇ ଦେଲାବେଳେ ଆଖିର ଆଖପାଖକୁ ଭାରି ସାବଧାନରେ ସଫା କରେ । ମନେ ହେବ ସତେ ଅବା ଆଖି ଦୁଇଟି ତା’ରି । ମତେ ବିରକ୍ତ କରିବା ବା କଷ୍ଟ ଦେବା ପରି ସେ କିଛି ବି କରେ ନାହିଁ ।
ଲେଖକ- ଶ୍ରୀମତୀ କନକ ମିଶ୍ର ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୩୫
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy