ଚକ୍ଷୁରେ ପାପ ଓ ପୁଣ୍ୟ ଉଭୟ ନିହିତ ଅଛନ୍ତି । ପୁଣ୍ୟଚକ୍ଷୁରେ ସନ୍ଦର୍ଶନ କର, ସମୁଦାୟ ଜଗତ୍ ପବିତ୍ର; ଅଦ୍ଭୁତ ଶିଳ୍ପୀ ଜଗତସ୍ରଷ୍ଟାଙ୍କ ସୃଷ୍ଟି ପଦାର୍ଥ ସମୁଦାୟ ପବିତ୍ର । କିନ୍ତୁ ପାପଚକ୍ଷୁରେ ଦେଖ ସମୁଦାୟ ନାରକୀୟ ଓ ସୟତାନର ସୃଷ୍ଟ । ଆମ୍ଭମାନଙ୍କ ସମ୍ମୁଖରେ ବିଦ୍ୟମାନ୍ ଦୃଶ୍ୟ ପୁଣ୍ୟବାନ୍ ପୁଣ୍ୟ ଚକ୍ଷୁରେ ଦେଖୁଥିଲେ ଓ ପାପାସକ୍ତ ଦୁରାତ୍ମା ପାପଚକ୍ଷୁରେ ଦେଖୁଥିଲା । ଧାର୍ମିକ ଓ ପାପୀ ଉଭୟ ସେହି ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଉଥିଲେ, କିନ୍ତୁ ଧାର୍ମିକ ପୁଣ୍ୟଚକ୍ଷୁରେ ଦେଖି, ଏ ସୌନ୍ଦର୍ଯ୍ୟର ସୃଷ୍ଟିକର୍ତ୍ତା କେତେଦୂର ସୁନ୍ଦର ହୋଇ ନ ଥିବେ ଭାବନା କରି ମୁଗ୍ଧ; ପାପୀ ପାପଚକ୍ଷୁରେ ଦେଖି ପାଶବବୃତ୍ତିରେ ଏକାନ୍ତ ଅଧିନ ହୋଇ ମୁଗ୍ଧ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy