ଶ୍ରୀ ଜଗନ୍ ମୋହନ ଲାଲ

ଆବିର୍ଭାବ :- ୨୫-୧୧-୧୮୩୮
ତିରୋଧାନ :- ୨୬-୧୨-୧୯୧୩
ଜନ୍ମସ୍ଥାନ :- ମାହାଙ୍ଗା, କଟକ

ଜଗନ୍ ମୋହନ ଲାଲ ହେଉଛନ୍ତି ଓଡ଼ିଶାର ଆଦିନାଟ୍ୟକାର । ଓଡ଼ିଆ ସାହିତ୍ୟକୁ ସର୍ବଜନାଦୃତ କରିବା ତାଙ୍କ ଜୀବନର ଏକମାତ୍ର ବ୍ରତ ଥିଲା । ଏକାଧାରରେ ସେ ଜଣେ ନାଟ୍ୟକାର, ଅଭିନେତା, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ । ଶୁଣିବାକୁ ମିଳେ ଯେ ଜଗନ୍ ମୋହନ ଲାଲଙ୍କର ପୂର୍ବପୁରୁଷ ଫତେଚାନ୍ଦ ଉତ୍ତରପ୍ରଦେଶରୁ ଆସି ଓଡ଼ିଶାର ମାହାଙ୍ଗାରେ ଲାଲ ବଂଶ ପ୍ରତିଷ୍ଠା କରିଥିଲେ । ଅନୁମାନ କରାଯାଏ, ଜଗନ୍ ମୋହନ ଲାଲ ତାଙ୍କ ବଂଶର ତ୍ରୟୋଦଶ ପିଢ଼ି । ପରିବାରର ଜମିଦାରି ଥିଲେ ମଧ୍ୟ ସେଥିରେ ସେ ମୁଣ୍ଡ ନ ଖେଳାଇ ରେଭେନ୍‍ସା କଲେଜିଏଟ ସ୍କୁଲ୍‍ରୁ ଉତ୍ତୀର୍ଣ୍ଣ ହେବାପରେ ଚାକିରିରେ ଯୋଗ ଦେଇଥିଲେ ଏବଂ ଡେପୁଟି କଲେକ୍ଟର ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ । ଯାତ୍ରା ଓ ନାଟକ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସନ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ ।  ଅନୁବାଦ ନାଟକ ମଞ୍ଚସ୍ଥ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏହା ଥିଲା ଓଡ଼ିଆରେ ପ୍ରଥମ ନାଟକ । ଏଥିରେ ସେ ମୁଖ୍ୟ ଚରିତ୍ର ବାବାଜି ଭୂମିକାରେ ଅଭିନୟ କରିଥିଲେ ତ‌ଥା ଏହାର ନିର୍ଦ୍ଦେଶକ ଥିଲେ । ନିଜେ ଜମିଦାର ପରିବାରରୁ ଆସି ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ । କୁସଂସ୍କାର, ଅନ୍ଧବିଶ୍ଵାସ ତଥା ଜମିଦାରମାନଙ୍କ ଶୋଷଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ନାଟକ ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେବା ଥିଲା ତାଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ । କର୍ମବୀର ଗୌରୀଶଙ୍କର ରାୟଙ୍କ ସହ ମିଶି ସେ ଉତ୍କଳ ଭାଷୋଦ୍ଦୀପନୀ ସଭା ଓ ଉତ୍କଳ ସଭା ପ୍ରତିଷ୍ଠା କରିଥିଲେ ।

ତାଙ୍କଦ୍ୱାରା ଅନୁଦିତ ଭ୍ରମ ଭଞ୍ଜନ ନାଟକ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ') ସେତେବେଳେ ସ୍କୁଲ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା ।

ତାଙ୍କର ଅନ୍ୟ ରଚନାଗୁଡ଼ିକ ହେଉଛି—

ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ୱେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚିତ);

ବାବାଜୀ (ନାଟକ-୧୮୭୭) - ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ;

ସତୀ (ନାଟକ - ୧୮୮୬) - ବିଧବା ବିବାହ ସପକ୍ଷରେ ଲିଖିତ;

ବୃଦ୍ଧ ବିବାହ (ନାଟକ) - ଅଳ୍ପ ବୟସର କନ୍ୟାଙ୍କ ସହ ବୃଦ୍ଧଙ୍କ ବିବାହ ବିରୁଦ୍ଧରେ ଲିଖିତ;

ପ୍ରୀତି (ନାଟକ) - ଜମିଦାରମାଙ୍କ କୁକର୍ମ ବିରୁଦ୍ଧରେ ଲିଖିତ;

ଅଷ୍ଟବକ୍ର ଉପଦେଶ


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll