ଶ୍ରୀ ବିନୋଦ ଚନ୍ଦ୍ର ନାୟକ

ଆବିର୍ଭାବ :- ୦୨-୦୯-୧୯୧୯
ତିରୋଧାନ :- ୧୫-୧୧-୨୦୦୩
ଜନ୍ମସ୍ଥାନ :- ତେଲିପାଲି ଗ୍ରାମ, ସୁନ୍ଦରଗଡ଼

କବିଭାବେ ସ୍ୱତନ୍ତ୍ର ଯଶର ଅଧିକାରୀ ବିନୋଦ ଚନ୍ଦ୍ର ନାୟକ ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ତେଲିପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନାରାୟଣ ନାୟକ । ତାଙ୍କର ପୂର୍ବପୁରୁଷମାନେ ମରହଟ୍ଟା ଶାସନ କାଳରେ ଓଡ଼ିଶା ଆସିଥିଲେ । ତତ୍କାଳୀନ ରାଜାଙ୍କର ପୃଷ୍ଠପୋଷକତାସ୍ୱରୂପ ରଜାଙ୍କ ଗଉନ୍ତିଆ ପଦବୀ ଗ୍ରହଣ କରିଥିଲେ; ଫଳତଃ ଅର୍ଥ, ସମ୍ମାନ ତଥା କ୍ଷମତାର ଅଧିକାରୀ ହୋଇଥିଲେ । ତଦ୍‍ବ୍ୟତୀତ ଓଡ଼ିଆ ସଂସ୍କୃତି ଓ ଧର୍ମ ଚର୍ଚ୍ଚାର ନେତୃତ୍ଵ ନେଇଥିଲେ । ମହିମା ବାବାଜି, ଦକ୍ଷିଣର ଲୋକଗୀତ ଓ ସଂଗୀତ ଦଳ, ଉପକୂଳର ଯାତ୍ରାଦଳ, ଥିଏଟର ଦଳ ତାଙ୍କ ଘରେ ଆତିଥ୍ୟ ଲାଭ କରୁଥିଲେ । ତତ୍‍ସହିତ ତାଙ୍କ ଘର ତାଳପତ୍ର ପୋଥି, ବଂଗଳା ଓ ଓଡ଼ିଆ ଭାଷାର ନାନାପ୍ରକାରର ଛାପାବହିର ଏକ କ୍ଷୁଦ୍ର ପାଠାଗାରରେ ପରିଣତ ହୋଇଥିଲା । ତନ୍ମଧ୍ୟରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବାଗ୍ମୀ ବିଶ୍ଵନାଥଙ୍କଠାରୁ ଆରମ୍ଭ କରି କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ସ୍ଵଭାବକବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋର, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ତଥା ବିଶ୍ଵବିଖ୍ୟାତ ରବୀନ୍ଦ୍ରନାଥଙ୍କ ସଂଗ୍ରହଗୁଡ଼ିକ ବାଳୁତ ବୟସରୁ ବିନୋଦବାବୁଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା ।

ତାଙ୍କର ପ୍ରାଥମିକ ଶିକ୍ଷାର ମୂଳଭିତ୍ତି ସ୍ଥାପନ ଗାଁର ପ୍ରାଇମେରି ସ୍କୁଲ୍‌ରୁ ଆରମ୍ଭ ହୋଇଥିଲା । ତତ୍ପରେ ସେ  ସୁନ୍ଦରଗଡ଼ ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ସମାପନ କରି ଯଥାକ୍ରମେ ରେଭେନ୍ସା କଲେଜ ଓ ପରେ ପାଟଣା ବିଶ୍ଵବିଦ୍ୟାଳୟରେ ଇଂରାଜୀରେ ଅନର୍ସ ଏବଂ ଉଭୟ ଇଂରାଜୀ (୧୯୪୩) ଓ ଓଡ଼ିଆ (୧୯୫୦)ରେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ । ଏମ୍.ଏ. ପଢୁଥିଲାବେଳେ ୧୯୪୧ ମସିହାରେ ସେ ଯାଜ୍ଞସେନୀ ଦେବୀଙ୍କୁ ବିବାହ କରିଥିଲେ ।

 ତାଙ୍କ ବୃତ୍ତିଗତ ଜୀବନ ମଧ୍ୟ ବୈଚିତ୍ର୍ୟମୟ ଥିଲା । ୧୯୪୪ ମସିହାରେ ଆସିଷ୍ଟାଣ୍ଟ୍ ସିଭିଲ୍ ସପ୍ଲାଏ ଅଫିସରଭାବେ ସେ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଯାଜପୁର କଲେଜର ଇଂରାଜୀ ଅଧ୍ୟାପକରୂପେ ଓ ପରେ ପରେ ଝାରସୁଗୁଡ଼ା ହାଇସ୍କୁଲ୍, ସୁନ୍ଦରଗଡ଼ ଏବଂ ଗଙ୍ଗାଧର ମେହେର କଲେଜରେ ଉଭୟ ଇଂରାଜୀ ଓ ଓଡ଼ିଆ ଅଧ୍ୟାପକଭାବେ କାର୍ଯ୍ୟ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଓଡ଼ିଆ ବିଭାଗରେ ରହିଥିଲେ । ୧୯୬୮ ମସିହାରେ ସେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗରେ ଯୋଗଦାନ କରିଥିଲେ । କହିବା ବାହୁଲ୍ୟ ଯେ ସେ ପାଞ୍ଚବର୍ଷ ଧରି (୧୯୬୮-୭୩) ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଭାର ତୁଲାଇଥିଲେ । ସରକାରୀ ବୃତ୍ତିରୁ ଇସ୍ତଫା ଦେଇ ସେ ଝାରସୁଗୁଡ଼ା କଲେଜରେ ପୁଣି ଅଧ୍ୟାପନା କରିଥିଲେ । ସେଠାରୁ ବ୍ରଜରାଜନଗର କଲେଜରେ ଅଧ୍ୟକ୍ଷତା ଏବଂ ପରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଦାୟିତ୍ୱ ତୁଲାଇଥିଲେ ।

ଶ୍ରୀ ବିନୋଦ ଚନ୍ଦ୍ର ଏକାଧାରରେ ଜଣେ ଉଚ୍ଚକୋଟୀର ସାହିତ୍ୟ ସାଧକ ଥିଲେ । ଗଳ୍ପ, ନାଟକ, ଆଲୋଚନା ଓ କାବ୍ୟ ଇତ୍ୟାଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ । ମାତ୍ର ମୁଖ୍ୟତଃ ଜଣେ ଉଚ୍ଚକୋଟୀର କବି ଭାବରେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଆଲୋଚନାଗୁଡ଼ିକ ସାହିତ୍ୟିକ ତତ୍ତ୍ଵ, ସାହିତ୍ୟ ଓ ସମାଜ, କବିତା ଓ କଳା ସଂପର୍କିତ । ସେଗୁଡ଼ିକ ସଂଖ୍ୟାରେ ବିଂଶାଧିକ ଏବଂ ନବଭାରତ, ନବୀନ ଓ ଭଞ୍ଜପ୍ରଦୀପ ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏକାଙ୍କିକା, କାବ୍ୟନାଟିକା (ଗୋଟିଏ ଥିଲା ରାଣୀ:୧୯୬୨) ଓ ଗପ (ପ୍ରଥମ ପ୍ରେମ, ବଳ ପୁରୁଷ, ଅରଣ୍ୟର ରାତି) ଡଗର, ଝଙ୍କାର ଆଦି ପତ୍ରିକାରେ ପ୍ରକାଶ ପାଇଥିଲା । ଭାବ ଓ ପ୍ରକାଶଭଙ୍ଗୀରେ ତାଙ୍କ ରଚନା ସମସାମୟିକ ଲେଖକମାନଙ୍କଠାରୁ ସ୍ୱତନ୍ତ୍ର ଥିଲା ।

ପ୍ରାୟ ଦଶ ଏଗାର ବର୍ଷ ବୟସରୁ ବିନୋଦ କବିତା ଲେଖା ଆରମ୍ଭ କରିଥିଲେ । ଷଷ୍ଠ ଶ୍ରେଣୀରେ ପଢ଼ିଲାବେଳେ ଚୋଖୀ ରାଗରେ ସେ ଗଣେଶ ବନ୍ଦନା ଗାଇଥିଲେ । ହାଇସ୍କୁଲ୍‌ରେ କବିତା ଲେଖା ଆରମ୍ଭ କରିଥିଲେ – ଠିକ୍‍ ସରସ୍ଵତୀ ପୂଜାରେ – ଭକ୍ତି  କବିତା, ମାତ୍ର ରୋମାଣ୍ଟିକ । ଶିକ୍ଷୟିତ୍ରୀ କବିତାର ନାୟିକା । କବିତା ଲେଖି କୃପାସିନ୍ଧୁ ଜଗଦ୍ଦେବଙ୍କ ସଂପାଦିତ ଓ ଗଞ୍ଜାମରୁ ପ୍ରକାଶିତ ନବୀନ ପତ୍ରିକାକୁ ପଠାଇଥିଲେ କବିତା ‘ଆଶ୍ଚର୍ଯ୍ୟ ଅର୍ଘ୍ୟ’ । ୧୯୩୩ ମସିହାରେ ତାହା ପ୍ରକାଶ ପାଇଥିଲା । କଲେଜରେ ପାଦଦେବା ପରେ ଇଂରେଜ ରୋମାଣ୍ଟିକ କବି ଏବଂ ପରେ ପରେ ପାଶ୍ଚାତ୍ୟ କାବ୍ୟଜଗତର ସକଳ କାବ୍ୟତତ୍ତ୍ଵ ଓ ସେଗୁଡ଼ିକର ପ୍ରୟୋଗ ସଂସ୍ପର୍ଶରେ ଆସିଥିଲେ । ବିଶ୍ଵର ମଧ୍ୟଯୁଗୀୟ ଓ ତାଙ୍କ ସମକାଳର ଏମିତି କୌଣସି କ୍ରାନ୍ତିକାରୀ କବି ନାହାନ୍ତି, ଯେଉଁମାନଙ୍କୁ ସେ ପଢ଼ିନଥିଲେ କି ବୁଝିନଥିଲେ । ମାତ୍ର ୧୫ ବର୍ଷ ବୟସର ଜଣେ ତରୁଣ – ବିନୋଦ – ନବୀନ ପତ୍ରିକା ପକ୍ଷରୁ ସ୍ୱୀକୃତି ପାଇପାରିଥିଲେ । ‘ଏବଂ’ ଓ ‘ନବୀନ’ ମାଧ୍ୟମ ଦେଇ ତାଙ୍କ କବି-ବ୍ୟକ୍ତିତ୍ଵ ସମକାଳୀନ ପ୍ରାୟ ପ୍ରତ୍ୟେକ ପତ୍ରିକା – ‘ଡଗର, ‘ନବଭାରତ’, ‘ଆରତୀ’, ‘ଝଙ୍କାର’, ‘ନବଜୀବନ’, ‘ଆସନ୍ତାକାଲି’ ଓ ‘ଦିଗନ୍ତ’ ଆଦିରେ ପ୍ରକାଶ ପାଇଥିଲା ।

ବିନୋଦଚନ୍ଦ୍ରଙ୍କ କବିତା ଗ୍ରନ୍ଥଗୁଡ଼ିକର ନାମ ଓ ପ୍ରକାଶକାଳ : ହୈମନ୍ତୀ (୧୯୩୩), ନୀଳଚନ୍ଦ୍ରର ଉପତ୍ୟକା (୧୯୪୧), ଚନ୍ଦ୍ର ଓ ତାରା (୧୯୫୧: ରବୀନ୍ଦ୍ରନାଥଙ୍କ ଚନ୍ଦ୍ର ଓ ତାରାର ଅନୁଭୂତି), ସାତ ତାରାର ଦୀପ (୧୯୬୨), ନନ୍ଦାଦେବୀ (୧୯୬୨), ଇଳାବୃତ୍ତ (୧୯୬୯), ସରିସୃପ (୧୯୬୯), ପୋହଳା ଦ୍ଵୀପର ଉପକଥା (୧୯୭୦), ଅନ୍ୟ ଏକ ଅସରପି (୧୯୭୭), ରାଜକୀୟ ନିଃସଂଗତା (୧୯୮୯) ଏବଂ କାଞ୍ଚନ କୁନ୍ତଳର ତରବାରୀ (୧୯୯୦) ।

ଏ ସମସ୍ତ ଗ୍ରନ୍ଥ ୧୯୮୭ ମସିହାରେ ବିନୋଦନାୟକ କବିତା ସଂଚୟନ ଶୀର୍ଷକରେ ପାଞ୍ଚ ଖଣ୍ଡରେ ପ୍ରକାଶିତ ହୋଇଛି । କେତେକ ବହିର ମୁଖବନ୍ଧ ଅନ୍ୟ ବନ୍ଧୁଙ୍କଦ୍ୱାରା ଲେଖାଯାଇଛି ଏବଂ ଏହି ମୁଖବନ୍ଧଗୁଡ଼ିକ ମଧ୍ୟରେ ‘ନୀଳଚନ୍ଦ୍ରର ଉପତ୍ୟକା’ ମୁଖବନ୍ଧର ଲେଖକ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି । ଏହି ମୁଖବନ୍ଧର କ୍ଷୁଦ୍ର ଆଲୋଚନାଟିକୁ  ବିନୋଦ ଚନ୍ଦ୍ରଙ୍କ କବି-ପ୍ରତିଭାର ଯଥାର୍ଥ ମୂଲ୍ୟାୟନ କୁହାଯାଇପାରେ ।

ବିନୋଦଙ୍କ କବିତାର ରଚନାଶୈଳୀ ବହୁ ସମୟରେ କଥୋପକଥନ ଧର୍ମୀ, ପାଠକୀୟ ସତ୍ତା ଓ କବିତା ସତ୍ତା ଯେପରି ରହସ୍ୟକୁ ବୁଝିବାପାଇଁ ଆପଣା ଆପଣା ମଧ୍ୟରେ ଆଳାପରତ । ସେ ଅବଶ୍ୟ ସମସାମୟିକ କବିମାନଙ୍କ ପରି ଚିତ୍ରକଳ୍ପ, ପ୍ରତୀକ ଓ ମିଥ୍‍ ପ୍ରୟୋଗର ଆଶ୍ରୟ ନେଇଛନ୍ତି, ମାତ୍ର ଏଗୁଡ଼ିକର ପ୍ରୟୋଗ-ସଚେତନତା ହେଉଛି ତାଙ୍କ କାବ୍ୟିକତାର ବୈଶିଷ୍ଟ୍ୟ ଏବଂ ରଚନାଶୈଳୀର ଗୁରୁତ୍ଵପୂର୍ଣ୍ଣ ବିଭବ । ସେ ଉଭୟ ମୁକ୍ତଛନ୍ଦ ଓ ଛନ୍ଦୋବଦ୍ଧ ରୀତିକୁ ଶ୍ରଦ୍ଧାର ସହିତ ସ୍ୱୀକାର କରିଛନ୍ତି । ଫଳତଃ, ତାଙ୍କ କବିତାରେ ସଂଗୀତର ଅନ୍ତରୀଣ ପ୍ରବାହ ଓ ଭାବକୁ ଅନୁଭବ କରିହୁଏ । ମନେହୁଏ, ପିଲାଦିନେ ମଧ୍ୟଯୁଗୀୟ ସାହିତ୍ୟରେ ଅବଗାହନ-ଅଭିଜ୍ଞତାର ଏହା ଅବଚେତନ ପରିପ୍ରକାଶ । ସୃଜନକର୍ମ ସହିତ ଜୀବନର ବିଭିନ୍ନ ସମୟରେ ଶିକ୍ଷା, ପ୍ରଶାସନ ଓ ସଂଗଠନ ଗଢ଼ିବା କ୍ଷେତ୍ରରେ ଆପଣା ବ୍ୟକ୍ତିତ୍ଵକୁ ପ୍ରତିଷ୍ଠା କରିଥିବା ବିନୋଦ ବିପୁଳ ପାଠକୀୟ ସ୍ଵୀକୃତି ଲାଭ କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll