ଶ୍ରୀ ବିଜୁ ପଟ୍ଟନାୟକ

ଆବିର୍ଭାବ :- ୦୫-୦୩-୧୯୧୬
ତିରୋଧାନ :- ୧୭-୦୪-୧୯୯୭
ଜନ୍ମସ୍ଥାନ :- ତୁଳସୀପୁର ଗ୍ରାମ, କଟକ

ଦୁଃସାହସୀ ସ୍ୱାଧୀନତା ସଂଗ୍ରାମୀ, ଜରୁରୀ ପରିସ୍ଥିତି ପରବର୍ତ୍ତୀ ଜାତୀୟ ରାଜନୀତିରେ ‘କିଙ୍ଗମେକର’- ଏବଂ ‘ଦାଦା’ଭାବେ ଖ୍ୟାତ, ବହୁମୁଖୀ ପ୍ରତିଭାର ଅଧିକାରୀ, ଜଣେ ଯୁଗପୁରୁଷଭାବେ ପରିଚିତ, ଏକାଧାରରେ ବିକାଶର ଯୁଗପ୍ରବର୍ତ୍ତକ, ଉଚ୍ଚକୋଟୀର ରାଜନେତା, ପ୍ରତ୍ୟୁତ୍ପନ୍ନମତି ଓ ବାଗ୍ମୀ, ମହାନ୍‍ ରାଷ୍ଟ୍ରନେତା ତଥା କଳିଙ୍ଗର କର୍ମଯୋଗୀ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ଜିଲ୍ଲାର ତୁଳସୀପୁର ଗ୍ରାମରେ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ତଥା ମାତା ଆଶାଲତା ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନରୂପେ ଭୂମିଷ୍ଠ ହୋଇଥିଲେ । ଦୁଃସାହସିକ ସେବା ପାଇଁ ଇଣ୍ଡୋନେସିଆର ‘ଭୂମିପୁତ୍ର’ଭାବେ ସମ୍ମାନିତ ଏବଂ ବିଜ୍ଞାନର ଉତ୍ତରଣ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ‘କଳିଙ୍ଗ ପୁରସ୍କାର’ର ପ୍ରବର୍ତ୍ତକ ବିଜୁ ପଟ୍ଟନାୟକ ସମଗ୍ର ବିଶ୍ୱର ସଚେତନ ଜନସମୁଦାୟ ନିକଟରେ ଚିରନମସ୍ୟ ହୋଇଯାଇଛନ୍ତି ।

ଓଡ଼ିଶାର ଦୁଇ ବରପୁତ୍ର ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଉଚ୍ଚକୋଟୀର ବ୍ୟକ୍ତିତ୍ଵ ବିଜୁବାବୁଙ୍କ ଉପରେ ଗଭୀର ରେଖାପାତ କରିଥିଲା । ଛାତ୍ରଜୀବନରେ ଜାତିର ପିତା ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ସ୍ଵାଧୀନତା ସଂଗ୍ରାମରେ ତାଙ୍କ ନେତୃତ୍ୱ ତାଙ୍କୁ ବେଶ୍‍ ଅନୁପ୍ରାଣିତ କରିଥିଲା ।

କଟକ ଜିଲ୍ଲାର ପ୍ରଖ୍ୟାତ ମିଶନ ପ୍ରାଇମେରୀ ସ୍କୁଲ (ଅଧୁନା ଖ୍ରୀଷ୍ଟ କଲେଜିଏଟ ସ୍କୁଲ)ରେ ସେ ପ୍ରାରମ୍ଭିକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ୧୯୨୭ରେ ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ ଏବଂ ପୁନର୍ବାର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ ୧୯୩୨ରେ ରେଭେନ୍ସା କଲେଜରେ ବିଜ୍ଞାନ ଅଧ୍ୟୟନ କରିଥିଲେ । ବିଦ୍ୟାଧ୍ୟୟନ ସହିତ ସେ ବହୁ ପ୍ରକାରର କ୍ରୀଡ଼ାରେ ଭାଗ ନେବା ସହିତ ସେଥିରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦୁଇ ଦୁଇ ଥର ଚମ୍ପିୟନ ହୋଇଥିଲେ ।

ବାଲ୍ୟକାଳରୁହିଁ ଜଣେ ଦକ୍ଷ ବିମାନଚାଳକ ହେବାର ସ୍ଵପ୍ନ ତାଙ୍କ ମନରେ ଉଙ୍କିମାରିଥିଲା । କଲେଜ ଶିକ୍ଷା ସମାପ୍ତି ପୂର୍ବରୁ ସେ ପାଠପଢ଼ାରେ ଡୋରି ବାନ୍ଧି ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅନ୍ତର୍ଗତ ଏରୋନଟିକାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ବିମାନ ଚାଳନା ତାଲିମ ନେଇଥିଲେ । ତାଲିମରେ ନିଜର ଶ୍ରେଷ୍ଠତ୍ୱ  ପ୍ରଦର୍ଶନ କରି ଡାଲମିଆ ଏୟାରଲାଇନ୍ସରେ ମୁଖ୍ୟ ପାଇଲଟଭାବେ ଯୋଗଦେଇଥିଲେ । ୧୯୪୨ରେ ବିଜୁବାବୁ ଭାରତର ଐତିହାସିକ ସ୍ଵାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରି ନିଜର ସଂଗ୍ରାମୀ ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୯୪୩ ମସିହାରେ ସେ ତତ୍କାଳୀନ ସ୍ଵାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିୟାଙ୍କ ସହିତ ମିଶି ଭାରତଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ ।  ଆନ୍ଦୋଳନରେ ଭାଗନେଇ ତାଙ୍କ ବିମାନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗୋପନ ସ୍ଥଳକୁ ନେବା ଆଣିବା କରିବା ଅଭିଯୋଗରେ ସେହିବର୍ଷ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ହୋଇଥିଲା । ସେହି ସମୟରେ ଜବାହରଲାଲ ନେହେରୁଙ୍କ ସହିତ ତାଙ୍କର ବନ୍ଧୁତା ଜମିଯାଇଥିଲା । ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେବାପରେ ସେ ବ୍ରିଟିଶ ରୟାଲ ଏୟାରଫୋର୍ସରେ ଯୋଗଦେଇଥିଲେ ଏବଂ ୧୯୪୧ ମସିହାରେ ଜାପାନ ବର୍ମା ଆକ୍ରମଣ କରିବା ପରେ ସେଠାରୁ ବ୍ରିଟିଶ ଲୋକମାନଙ୍କୁ ଉଦ୍ଧାର କରିଥିଲେ ।  ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଯୁଗପତ୍‍ ଚାଲିଥିବା ଇଣ୍ଡୋନେସିଆର ଡଚ୍‍-ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୪୭ ମାର୍ଚ୍ଚ ୨୩ରେ ନେହେରୁ ପ୍ରଥମ ଥର ପାଇଁ ଏସୀୟ ରାଷ୍ଟ୍ର ସମ୍ମିଳନୀ ଆହ୍ୱାନ କରି ଏଥିରେ ଯୋଗଦେବା ପାଇଁ ୨୨ଟି ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ସ୍ୟାହ୍‍ରିରଙ୍କୁ ନିରାପଦରେ ଆଣିବାର ଦାୟିତ୍ୱ ନେହେରୁ ବିଜୁବାବୁଙ୍କ ଉପରେ ନ୍ୟସ୍ତ କରିଥିଲେ । ଡଚ୍‍ ସୈନ୍ୟଙ୍କ ଆଖିରେ ଧୂଳିଦେଇ ବିଜୁବାବୁ ତାହାହିଁ କରିଥିଲେ । ଅନୁରୂପ ପରିସ୍ଥିତିରେ ସେ ଅନ୍ୟ ବହୁ ବିଦ୍ରୋହୀ ନେତାଙ୍କ ଜୀବନରକ୍ଷା କରିବା ସହ ସେମାନଙ୍କୁ ସପରିବାର ବିମାନରେ ଦିଲ୍ଲୀ ନେଇଆସିଥିଲେ । ଇଣ୍ଡୋନେସିଆର ବିଦ୍ରୋହୀମାନଙ୍କ ପାଇଁ ସେ ଦୀର୍ଘ ତିନିବର୍ଷ ଧରି ଆବଶ୍ୟକ ଖାଦ୍ୟସାମଗ୍ରୀ ଓ ଔଷଧ ଯୋଗାଇଆସିଥିଲେ । ସେହି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ସୁକର୍ଣ୍ଣୋପୁତ୍ରୀ ମେଗାବତୀ ତାଙ୍କ ନାମକରଣ ପାଇଁ ବିଜୁବାବୁଙ୍କୁ ନିଜର ପିତା ଓ ଜ୍ଞାନଦେବୀଙ୍କୁ ନିଜର ମାତାସଦୃଶ ସମ୍ମାନ କରୁଥିଲେ । ବିଜୁବାବୁଙ୍କ ଦୁଃସାହସିକ ସେବା ପାଇଁ ତାଙ୍କୁ ତତ୍କାଳୀନ ଇଣ୍ଡୋନେସିଆ ସରକାର ‘ଭୂମିପୁତ୍ର’ ଉପାଧିରେ ଭୂଷିତ କରିଥିଲେ । ଏତଦ୍‍ବ୍ୟତୀତ, ୧୯୯୬ରେ ଇଣ୍ଡୋନେସିଆର ୫୦ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ବିନ୍‍ତାଙ୍ଗ ଯାସୁ ଉତ୍ତମା’ ପ୍ରଦାନ କରାଯାଇଥିଲା ।  ଗଭୀର କୃତଜ୍ଞତାସ୍ୱରୂପ ଇଣ୍ଡୋନେସିଆ ସରକାର ତାଙ୍କୁ ଦେଶର ନାଗରିକତା, ବିପୁଳ ଭୂସଂପତ୍ତି ଏବଂ ରହିବା ପାଇଁ ବିରାଟ ବଙ୍ଗଳା ଯାଚିଥିଲେ ମଧ୍ୟ ନିଜ ମାତୃଭୂମିର ସେବା ପାଇଁ ବଦ୍ଧପରିକର ବିଜୁବାବୁ ସେସବୁକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ । କାଶ୍ମୀର ଉପରେ ପାକିସ୍ଥାନର ଆକ୍ରମଣ ପରେ ୨୭ ଅକ୍ଟୋବର ୧୯୪୭ରେ ନେହେରୁଙ୍କ ଆହ୍ଵାନରେ ବିଜୁବାବୁ ଦିଲ୍ଲୀ ସଫଦରଗଞ୍ଜ ବିମାନବନ୍ଦରରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦିୱାନ ରଣଜିତ୍‍ ରାୟଙ୍କ ପରିଚାଳନାଧୀନ ୧-ଶିଖ ରେଜିମେଣ୍ଟର ୧୭ ଜଣ ସୈନିକଙ୍କୁ ଧରି ୧୯୪୭ ଅକ୍ଟୋବର ୨୭ ତାରିଖରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚାଇଥିଲେ ।

୧୯୪୬ ମସିହାରେ ବିଜୁବାବୁ ଉତ୍ତର କଟକ ବିଧାନସଭା ଆସନରୁ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ୧୯୫୨ ଓ ୧୯୫୭ରେ ଯଥାକ୍ରମେ ଜଗନ୍ନାଥପ୍ରସାଦ ଓ ସୋରଡ଼ାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୬୦ ମସିହାରେ ପ୍ରଦେଶ କଂଗ୍ରେସର ସଭାପତି ହେବାପରେ ତାଙ୍କ ନେତୃତ୍ୱରେ ଦଳ ବିଧାନସଭାର ୧୪୦ ଆସନରୁ ୮୨ ଆସନ ଲାଭ କରିଥିଲା ଏବଂ ୧୯୬୧ ଜୁନ ୨୩ରେ ବିଜୁବାବୁ ମାତ୍ର ୪୫ ବର୍ଷ ବୟସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରି ସେହି ପଦରେ ୧୯୬୩ ଅକ୍ଟୋବର ୨ ପର୍ଯ୍ୟନ୍ତ ରହିଥିଲେ । ଦଳକୁ ପୁନର୍ଗଠିତ କରିବା ପାଇଁ କାମରାଜ ପ୍ଲାନ ଅନୁସାରେ ତାଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା ।

୧୯୬୭ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ କଂଗ୍ରେସ ଦଳର ଦାୟିତ୍ୱ ନିଜ ହାତକୁ ନେଇଥିଲେ । ୧୯୬୯ ମସିହାରେ ସଭାପତି ନିର୍ବାଚନକୁ କେନ୍ଦ୍ର କରି ତାଙ୍କ ସହ ବିଜୁବାବୁଙ୍କର ମତାନ୍ତର ହେବା ଫଳରେ ସେ ଦଳତ୍ୟାଗ କରି ରାଜ୍ୟରେ ଉତ୍କଳ କଂଗ୍ରେସ ଗଠନ କରିଥିଲେ । ୧୯୭୧ ମସିହାରେ କଟକ ଅନ୍ତର୍ଗତ ରାଜନଗର ଆସନରୁ ଓଡ଼ିଶା ବିଧାନସଭା ଆସନ ପାଇଁ ଲଢ଼ିଥିଲେ । ଏହି ନିର୍ବାଚନରେ ତାଙ୍କ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ୧୯୭୧ ରୁ ୧୯୭୨ ମସିହା ପର୍ଯ୍ୟନ୍ତ ବିଜୁବାବୁ ଓଡ଼ିଶା ପ୍ଲାନିଙ୍ଗ ବୋର୍ଡ଼ର ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ । ୧୯୭୧ ମସିହାରେ ହୋଇଥିବା ରାଜନଗର ଅଞ୍ଚଳର ବାତ୍ୟା ବିପର୍ଯ୍ୟସ୍ତ ଲୋକଙ୍କୁ ବିପୁଳ ସାହାଯ୍ୟ-ସହଯୋଗ କରି ସେ ସାଧାରଣ ଜନତାର ପ୍ରିୟତାଭାଜନ ହୋଇପାରିଥିଲେ । ଏହାପରେ ସେ ତାଙ୍କର ପୁରାତନ ବନ୍ଧୁ ଜୟପ୍ରକାଶଙ୍କ ସହ ପୁନର୍ବାର ଯୋଗାଯୋଗ ସ୍ଥାପନ କରି କଂଗ୍ରେସର କୁଶାସନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନରେ ଝାସ ଦେଇଥିଲେ । ୧୯୭୪ ମସିହାରେ ଜେପି ଆନ୍ଦୋଳନ ଉତ୍କଟ ରୂପ ଧାରଣ କରିଥିଲା । ଫଳରେ ଇନ୍ଦିରା ଗାନ୍ଧୀ ୧୯୭୫ ମସିହାରେ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଜାରୀ କରିଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେହିଁ ବିଜୁବାବୁଙ୍କୁ ଗିରଫ କରାଯାଇଥିଲା । ୧୯୭୭ରେ ସେ ଜେଲରୁ ମୁକୁଳିଥିଲେ ।

୧୯୭୭ ମସିହାରେ ବିଜୁବାବୁ କେନ୍ଦ୍ରାପଡ଼ା ଆସନରୁ ସର୍ବପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇ ମୋରାର୍‍ଜୀ-ଚରଣ ସିଂ ମନ୍ତ୍ରିମଣ୍ଡଳରେ ୧୯୭୯ ପର୍ଯ୍ୟନ୍ତ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ପୁନଶ୍ଚ ୧୯୮୦ ମସିହାରେ, ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪  ମସିହାରେ କଂଗ୍ରେସ ସପକ୍ଷରେ ପ୍ରବଳ ହାୱା ସତ୍ତ୍ୱେ ସେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ତରଫରୁ ଲୋକସଭା ଆସନକୁ ନିର୍ବାଚିତ ହୋଇଥିଲେ । ୧୯୮୫ରେ ସେ ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ଏବଂ ଜଣେ ଆଦର୍ଶ ବିରୋଧିଦଳ ନେତାର ଭୂମିକା ତୁଲାଇଥିଲେ । ୧୯୮୯ ମସିହା ନିର୍ବାଚନରେ କଂଗ୍ରେସ ହାରିଯିବା ପରେ ବିଜୁବାବୁଙ୍କୁ ପୁନର୍ବାର ଜାତୀୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ପଡ଼ିଥିଲା । ଦ୍ୱନ୍ଦ୍ୱ- ଓ ଅନିଶ୍ଚିତତାପୂର୍ଣ୍ଣ ପରିସ୍ଥିତିରେ ପ୍ରଚ୍ଛଦରେ ରହି ସମସ୍ତ ନେତାମାନଙ୍କୁ ରାଜି କରାଇ ସେ ଭି.ପି. ସିଂହଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପରେ ରାଜ୍ୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କଲେ ।   ୧୯୯୦ ମସିହାରେ ସେ ପୁନଶ୍ଚ ଓଡ଼ିଶା ବିଧାନସଭା ଆସନ ପାଇଁ ନିଜସ୍ଵ ଦଳ ‘ଜନତା ଦଳ’ ତରଫରୁ ଲଢ଼ି ଅପ୍ରତ୍ୟାଶିତ ଭାବରେ ବିଧାନସଭାର ତିନି-ଚତୁର୍ଥାଂଶ ଆସନ ହାସଲ କରିବା ସହ ନିଜର ଜନ୍ମଦିନ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀଭାବେ  ଶାସନଭାର ଗ୍ରହଣ କରିଥିଲେ ।  ୧୯୯୫ ମସିହାରେ ସେ ପୁନର୍ବାର ନିର୍ବାଚିତ ହୋଇ ଜଣେ ଆଦର୍ଶ ବିରୋଧିଦଳ ନେତାରୂପେ ପାୟିତ୍ୱ ନିର୍ବାହ  କରିଥିଲେ । ୧୯୯୬ ମସିହାରେ ସେ ଗଞ୍ଜାମ ଅନ୍ତର୍ଗତ ଆସ୍କା ଏବଂ କଟକ- ଏ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପକ୍ଷରୁ ଲଢ଼ି ଜୟଯୁକ୍ତ ହୋଇଥିଲେ । କଟକ ଆସନରୁ ଇସ୍ତଫା ଦେଇ ସେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଆସ୍କାର ଲୋକସଭା ପ୍ରତିନିଧି ରହିଥିଲେ ।

ପ୍ରଥମ ଭାରତୀୟ ମହିଳାଭାବେ ବ୍ୟବସାୟିକ ବିମାନ ଚାଳନା ଲାଇସେନ୍ସ ପାଇଥିବା ପଞ୍ଜାବର ଜ୍ଞାନ (ପଟ୍ଟନାୟକ)ଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିଜୁବାବୁଙ୍କ ବିଭିନ୍ନ ଦୁଃସାହସିକ ଅଭିଯାନରେ ଜ୍ଞାନ ପଟ୍ଟନାୟକ ତାଙ୍କ ସହିତହିଁ ରହୁଥିଲେ ।  ତାଙ୍କର ଏକମାତ୍ର କନ୍ୟା ଗୀତା ମେହେତା ସଂପ୍ରତି ଆମେରିକାରେ ରହୁଥିବା ଜଣେ ସୁପ୍ରସିଦ୍ଧ ଲେଖିକା । ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରେମ ପଟ୍ଟନାୟକ ଦିଲ୍ଲୀସ୍ଥ ଜଣେ ପ୍ରଖ୍ୟାତ ଶିଲ୍ପପତି; କନିଷ୍ଠ ସନ୍ତାନ ନବୀନ ପଟ୍ଟନାୟକ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିଜୁବାବୁ ୧୭ ଏପ୍ରିଲ, ୧୯୯୭ରେ ଦିଲ୍ଲୀସ୍ଥିତ ଏସ୍କର୍ଟ ହସ୍ପିଟାଲରେ ଶେଷନିଶ୍ଵାସ ତ୍ୟାଗ କରିଥିଲେ ।

୧୯୯୨ ମସିହାରେ ବିଜୁବାବୁ କହିଥିଲେ :

“ଏକବିଂଶ ଶତାବ୍ଦିରେ ମୋ ସ୍ୱପ୍ନର ଓଡ଼ିଶାରେ ମୁଁ ଚାହେଁ ସମସ୍ତ ଯୁବକ-ଯୁବତୀ ସର୍ବାଗ୍ରେ ରାଜ୍ୟର ସ୍ୱାର୍ଥକୁ ରଖନ୍ତୁ; ନିଜ ଭିତରେ ଅସ୍ମିତା ଓ ଆତ୍ମବିଶ୍ୱାସ ରଖନ୍ତୁ । ନିଜ ବ୍ୟତୀତ ଅନ୍ୟ କାହା ଦୟା ଉପରେ ନିର୍ଭର କରନ୍ତୁ ନାହିଁ । ନିଜ ବୁଦ୍ଧି, ଜ୍ଞାନ ଓ ପୁରୁଷାର୍ଥ ବଳରେ ସେମାନେ କଳିଙ୍ଗର ଗୌରବକୁ ଫେରାଇଆଣିପାରିବେ ।”

ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ବିଜୁବାବୁ କଳିଙ୍ଗ ଟ୍ୟୁବ୍‍ସ, କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଆଇରନ ୱାର୍କ୍ସ, କଳିଙ୍ଗ ରିଫ୍ରାକ୍‍ଟରିଜ ପ୍ରତିଷ୍ଠା ସହ ଦୈନିକ ସଂବାଦପତ୍ର କଳିଙ୍ଗ ପ୍ରକାଶ କରିଥିଲେ । 

ବିଜୁବାବୁଙ୍କ ବିକାଶ କୃତି : ଚୌଦ୍ଵାର-ବଡ଼ବିଲ ଶିଳ୍ପଭିତ୍ତିକ କଳକାରଖାନା, କଟକ-ଜଗତପୁର ମହାନଦୀ ବନ୍ଧ, ଭୁବନେଶ୍ଵର ଆନ୍ତର୍ଜାତିକ ବିମାନ ବନ୍ଦର, ରିଜିଓନାଲ କଲେଜ ଅଫ ଏଜୁକେସନ (ଭୁବନେଶ୍ଵର), ଓଡ଼ିଶା ଆଭିଏସନ ସେଣ୍ଟର, ପାରାଦୀପ ବନ୍ଦର, ମିଗ ବିମାନ ନିର୍ମାଣ କାରଖାନା (ସୁନାବେଡ଼ା), ତାପଜ ବିଦ୍ୟୁତ କେନ୍ଦ୍ର (ତାଳଚେର), ଜଳବିଦ୍ୟୁତ୍‍ ପ୍ରକଳ୍ପ (ବାଲିମେଳା), ହୀରାକୁଦ ଜଳବିଦ୍ୟୁତ୍‍ ପ୍ରକଳ୍ପ, ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲ୍ଚର ଆଣ୍ଡ ଟେକ୍ନୋଲୋଜି, ବୁର୍ଲା ଇଞ୍ଜିନିୟରିଙ୍ଗ କଲେଜ ଓ ବୁର୍ଲା ମେଡ଼ିକାଲ କଲେଜ, ଓଡ଼ିଶା ଷ୍ଟେଟ ପ୍ଲାନିଙ୍ଗ ବୋର୍ଡ଼, ଫେରୋ ସିଲିକନ କମ୍ପ୍ଲେକ୍ସ (ଥେରୁବାଲି), ରାଉରକେଲା ଇଞ୍ଜିନିୟରିଙ୍ଗ କଲେଜ, ଦୈତାରୀ-ପାରାଦୀପ ଏକ୍ସପ୍ରେସ ରାଜପଥ, ଭୁବନେଶ୍ଵର ସୈନିକ ସ୍କୁଲ ଏବଂ ରିଜିଅନାଲ ରିସର୍ଚ୍ଚ ଲାବୋରୋଟୋରି (ଭୁବନେଶ୍ୱର) । ତାଙ୍କ ଉଦ୍ୟମରେହିଁ ରାଉରକେଲା ଷ୍ଟିଲ୍‍ପ୍ଲାଣ୍ଟ ଓ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll