ପଲ୍ଲୀକବି ନନ୍ଦକିଶୋର ବଳ

ଆବିର୍ଭାବ :- ୨୨-୧୨-୧୮୭୫
ତିରୋଧାନ :- ୦୧-୦୭-୧୯୨୮
ଜନ୍ମସ୍ଥାନ :- କୁସୁପୁର, କଟକ

ଶ୍ରୀ ନନ୍ଦକିଶୋର ବଳ ଆଧୁନିକ କଟକ ଜିଲ୍ଲାର କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ବାଲ୍ୟକାଳରେ ସେ ରସାନନ୍ଦ ଜେନା ନାମରେ ପରିଚିତ ଥିଲେ, ମାତ୍ର ମାତାଙ୍କ ପରଲୋକ ଗମନ ହେତୁ ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ ନନ୍ଦକିଶୋର ବଳ ଭାବରେ ପରିଚିତ ହେଲେ । ଗାଁ ସ୍କୁଲରୁ ଆରମ୍ଭ କରି ସେ କଟକର ଭିକ୍ଟୋରିଆ ସ୍କୁଲ, ରେଭେନ୍‌ସା କଲିଜିଏଟ୍‌ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରୁ ନନ୍ଦକିଶୋର ଶିକ୍ଷକ ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ହେଡ଼୍‍ମାଷ୍ଟର ରହିବା ପରେ ସେ ସ୍କୁଲ ସବ୍-ଇନ୍‍ସପେକ୍ଟରଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ ।

ନନ୍ଦକିଶୋର ରେଭେନ୍‍ସାରେ ପଢ଼ୁଥିବାବେଳେ ପୁଷ୍ପ ଶିରୋନାମାରେ ତାଙ୍କର ପ୍ରଥମ କବିତା ରଚନା କରିଥିଲେ । ପଲ୍ଲୀଚିତ୍ର ନାମକ ତାଙ୍କର ପ୍ରଥମ କବିତା ପୁସ୍ତକ ୧୯୦୦ ମସିହାରେ ପ୍ରକାଶ ପାଇଥିଲା । ତାଙ୍କର ରଚନାବଳୀରେ ପଲ୍ଲୀ ଜୀବନ ଓ ପଲ୍ଲୀ ପ୍ରକୃତିର କମନୀୟ ବର୍ଣ୍ଣନା ତାଙ୍କୁ ଜଣେ ଅନନ୍ୟ କବିର ସମ୍ମାନ ଆଣି ଦେଇଥିଲା ।

ତାଙ୍କ ରଚନାବଳୀ ମଧ୍ୟରେ ପଲ୍ଲୀଚିତ୍ର, ନିର୍ଝରିଣୀ, ତରଙ୍ଗିଣୀ, ବସନ୍ତ କୋକିଳ, ଚାରୁଚିତ୍ର, ପ୍ରଭାତ ସଙ୍ଗୀତ, ସଂଧ୍ୟା ସଂଗୀତ, ନିର୍ମାଲ୍ୟ, କୃଷ୍ଣାକୁମାରୀ ଓ ଶର୍ମିଷ୍ଠା ଅନ୍ତର୍ଭୁକ୍ତ । କନକଲତା ହେଉଛି ତାଙ୍କ ରଚିତ ଉପନ୍ୟାସ ଯେଉଁଥିରେ ସେ ଯୌତୁକ ପ୍ରଥା, ବାଲ୍ୟବିବାହ ଓ ବାଲ୍ୟବିଧବା ଘଟଣାବଳୀର କରୁଣ ପରିଣତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।   

ପିଲାମାନଙ୍କ ଉଦ୍ଦେଶ୍ୟରେ ରଚିତ ନାନା ବାୟା ଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପ୍ରଚଳିତ । ଶତାଧିକ ସନେଟ୍‌ ଲେଖି ସେଥିରେ ସେ ଆଙ୍କି ଦେଇଥିଲେ ପ୍ରକୃତି ଓ ଗ୍ରାମ୍ୟ ସୌନ୍ଦର୍ଯ୍ୟର ହୃଦୟସ୍ପର୍ଶୀ ଛବି । ଏତାଦୃଶ ବିଶେଷତା ଯୋଗୁଁ ସେ ପଲ୍ଲୀକବି ନନ୍ଦକିଶୋର ଭାବରେ ସର୍ବତ୍ର ପରିଚିତ ।

 


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll