ଉତ୍କଳମଣି ଗୋପବନ୍ଧୁ ଦାସ

ଆବିର୍ଭାବ :- ୦୯-୧୦-୧୮୭୭
ତିରୋଧାନ :- ୧୭-୦୬-୧୯୨୮
ଜନ୍ମସ୍ଥାନ :- ସୁଆଣ୍ଡୋ, ପୁରୀ

ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସୁଯୋଗ୍ୟ ସନ୍ତାନଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଗ୍ରାମ ସ୍କୁଲରେ ପ୍ରାଥମିକ ଶିକ୍ଷା ଓ ନିକଟବର୍ତ୍ତୀ ରୂପଦେଈପୁରରେ ମଧ୍ୟ-ଇଂରାଜୀ ଶିକ୍ଷା ସମାପ୍ତ କରି ସାରିବାବେଳକୁ ତାଙ୍କର ମାତୃବିୟୋଗ ଘଟିଲା । ଏହାପରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ଶିକ୍ଷକ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କଠାରୁ ଦେଶସେବାର ପ୍ରେରଣା ପାଇଲେ । ପୁରୀରେ ହଇଜା ପୀଡ଼ିତ ଲୋକମାନଙ୍କର ସେବାପାଇଁ  ସେ “ପୁରୀ ସେବା ସମିତି” ପ୍ରତିଷ୍ଠା କରିଥିଲେ । ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନତା ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।

ଗୋପବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ବିବାହ କରିଥିଲେ । ପୁରୀରୁ ମାଟ୍ରିକ ପାସ୍‌ କରିବା ପରେ ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଏହି ଷଡ଼ଯନ୍ତ୍ରର ତୀବ୍ର ପ୍ରତିବାଦ କଲେ । ପ୍ରଥମ ପୁତ୍ରବିୟୋଗରେ ମ୍ରିୟମାଣ ନ ହୋଇ ସେ ସେତେବେଳେ ବଢ଼ି ଅଞ୍ଚଳରେ ସେବା କାର୍ଯ୍ୟରେ ବ୍ରତୀ ରହିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବିଏ ସମାପ୍ତି ପରେ ଘୋପବନ୍ଧୁ କଲିକତାରେ ଓକିଲାତି ପଢ଼ିଲେ  । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଗୋପବନ୍ଧୁ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟି ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଲା । ଏପରିକି, ଯେଉଁଦିନ ସେ ଓକିଲାତି ପାସ୍‌ କରିବା ଖବର ପାଇଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ମାତ୍ର ଏ ସବୁ ଦୁଃଖ ତାଙ୍କୁ କର୍ମ ପଥରୁ ବିଚ୍ୟୁତ କରିପାରିନଥିଲା ।

ଭକ୍ତକବି ମଧୁସୂଦନ ରାଓଙ୍କ ପରାମର୍ଶକ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଓଡ଼ିଶାରେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଠିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ଜନସାଧାରଣଙ୍କୁ ଅବଗତ କରାଇବା ଅଭିପ୍ରାୟରେ ଗୋପବନ୍ଧୁ ୧୯୧୪ ମସିହା ଦଶହରା ତିଥିରେ ପ୍ରକାଶ କଲେ ସାପ୍ତାହିକ ସମାଜ । ୧୯୩୦ରେ ସାପ୍ତାହିକ ସମାଜ ଦୈନିକ ସମାଜରେ ପରିଣତ ହୋଇଥିଲା । ‘ସମାଜ’ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ‘କାରାକବିତା’ ଓ ‘ବନ୍ଦୀର ଆତ୍ମକଥା’ ।

୧୯୨୪ରେ ଜେଲରୁ ଖଲାସ ହେବାପରେ କଟକରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରିଥିଲେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ପରିଷଦର ସଦସ୍ୟରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ।

କବି ହିସାବରେ ତାଙ୍କର କୃତି ହେଉଛି କାରା କବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ଅବକାଶ ଚିନ୍ତା, ଗୋ-ମାହାତ୍ମ୍ୟ, ନଚିକେତା ଉପାଖ୍ୟାନ, ଦାସେ ଆପଣେଙ୍କ ଚିଠିପତ୍ର ଓ ଗୋପବନ୍ଧୁ ରଚନାବଳୀ : ଶିକ୍ଷା, ଶିକ୍ଷକ ଓ ଛାତ୍ର ।

 


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll