ପଣ୍ଡିତ ଗୋଦାବରୀଶ ମିଶ୍ର

ଆବିର୍ଭାବ :- ୨୬-୧୦-୧୮୮୬
ତିରୋଧାନ :- ୨୬-୦୭-୧୯୫୬
ଜନ୍ମସ୍ଥାନ :- ଶ୍ରୀନିବାସପୁର ଶାସନ, ପୁରୀ

ଅମର କାହାଣୀ କାଳିଜାଈର ଯଶସ୍ୱୀ କବି, ଅନନ୍ୟ କାହାଣୀକାର, ଔପନ୍ୟାସିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍‍, ନିର୍ଭିକ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ, ନିଷ୍ଠାପର ସମାଜ ସଂସ୍କାରକ ଓ ରାଜନୀତିଜ୍ଞ  ପଣ୍ଡିତ ଗୋଦାବରୀଶ ମିଶ୍ର ୧୮୮୬ ମସିହା ଅକ୍ଟୋବର ୨୬ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଣପୁର ନିକଟବର୍ତ୍ତୀ ଶ୍ରୀନିବାସପୁର ଶାସନରେ ପିତା ଲିଙ୍ଗରାଜ ମିଶ୍ରଙ୍କ ଔରସରୁ ମାତା ଅପ୍‍ସରା ଦେବୀଙ୍କ କୋଳମଣ୍ଡନ କରିଥିଲେ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୦୬ ମସିହାରେ ସେ ପୁରୀ ଜିଲ୍ଲାସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍‍ସା ମହାବିଦ୍ୟାଳୟରୁ ୧୯୧୦ ମସିହାରେ ଦର୍ଶନରେ ବି.ଏ. ଏବଂ ୧୯୧୨ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍.ଏ. ପାସ୍‍ କରିଥିଲେ ।

ଅଧ୍ୟୟନ ସମାପ୍ତି ପରେ ଗୋଦାବରୀଶ ଗୋପବନ୍ଧୁଙ୍କ ଆହ୍ଵାନରେବିଦେଶରେ ଅଧ୍ୟୟନର ମୋହ ଓ ଉଚ୍ଚ ଚାକିରିର ପ୍ରତିଶ୍ରୁତିକୁ ଆଡ଼େଇ ଦେଇ ସତ୍ୟବାଦୀ ବନବିଦ୍ୟାଳୟରେ ସାମାନ୍ୟ ବେତନଭୋଗୀ ଶିକ୍ଷକଭାବେ ଯୋଗଦେଇଥିଲେ । ସେତେବେଳେ ଓଡ଼ିଶାକୁ ନୂତନ ଭାବେ ଗଢ଼ିବାକୁ କେତେଜଣ ତ୍ୟାଗୀ ଓ ଦେଶପ୍ରେମୀ ଯୁବକଙ୍କ ସନ୍ଧାନରେ ଗୋପବନ୍ଧୁ ଥା'ନ୍ତି । ତେଣୁ ଜାତୀୟ ଜୀବନର ଦୁରୂହ କାର୍ଯ୍ୟରେ ସେ ଗୋଦାବରୀଶଙ୍କୁ ଉପଯୁକ୍ତ ସହକର୍ମୀ ଭାବେ ବାଛି ନେଇଥିଲେ । ସମୟକ୍ରମେ ଗୋଦାବରୀଶ ଗୋପବନ୍ଧୁଙ୍କ ପ୍ରତି ଏତେ ଆସକ୍ତ ହୋଇ ପଡ଼ିଥିଲେଯେ, ତାଙ୍କୁ ‘ମୋ ଜୀବନର ଦେବତା’ ବୋଲି ନିଜ ଆତ୍ମଜୀବନୀରେ ଅକପଟଭାବେ ଉଲ୍ଲେଖ କରିଛନ୍ତି । ଗୋପବନ୍ଧୁଙ୍କ ବ୍ୟକ୍ତିତ୍ଵ ପ୍ରତି ତାଙ୍କର ଆକର୍ଷଣ ଥିଲା ଏକାନ୍ତ ବୈଷ୍ଣବ ଜନୋଚିତ ଭକ୍ତିଭାବାପନ୍ନ ।

ସତ୍ୟବାଦୀରେ ରହଣି କାଳର ଜୀବନଧାରା ଗୋଦାବରୀଶଙ୍କ କାବ୍ୟକବିତା, ନାଟକ ଓ ଗଳ୍ପ-ଉପନ୍ୟାସରେ ସ୍ୱାଭାବିକଭାବେ ପ୍ରତିଫଳିତ ହୋଇଛି । ଗୋଦାବରୀଶଙ୍କ ବ୍ୟକ୍ତିତ୍ଵ ଥିଲା ସରଳ ଓସ୍ଵଚ୍ଛ;କୁଟିଳତାଠାରୁ ସେ ଥିଲେ ବହୁ ଦୂରରେ ।

ପଡ଼ୋଶୀ ରାଜ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ନିମିତ୍ତ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ଗୋଦାବରୀଶ ସତ୍ୟବାଦୀ ବନବିଦ୍ୟାଳୟ ଛାଡ଼ି ୧୯୧୯ରୁ ୧୯୨୧ ପର୍ଯ୍ୟନ୍ତ ବିହାର ସିଂଭୂମ ଜିଲ୍ଲା ଅନ୍ତର୍ଗତ ଚକ୍ରଧରପୁର ସ୍କୁଲର ଦାୟିତ୍ୱ ବହନ କରିଥିଲେ । ୧୯୨୨ରେ ଗୋପବନ୍ଧୁ ଜେଲ ଗଲାବେଳକୁ ଚକ୍ରଧରପୁର ହାଇସ୍କୁଲ ସତ୍ୟବାଦୀ ବନବିଦ୍ୟାଳୟ ପରି ଜାତୀୟ ସ୍କୁଲରେ ପରିଣତ ହୋଇସାରିଥିଲା ।

ଗୋଦାବରୀଶଙ୍କ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ପୁସ୍ତକରେ ତାଙ୍କ  ଚରିତ୍ରର ନିଷ୍କପଟତା,ଜଣେ ସଚ୍ଚା ମଣିଷର ହୃଦୟବତ୍ତା ଓସତ୍ୟପ୍ରତି ଉତ୍କଣ୍ଠା ସେ ଅତି ନିର୍ବିକାରଭାବେ ପ୍ରକାଶ କରିଛନ୍ତି । ଏଥିରେ ବହୁ ଗୋପନୀୟ ବିଷୟକୁ ଖୋଲାମେଲା ପ୍ରକାଶ କରିବାରେ ସେ ଯେଉଁ ନୈତିକ ସାହସ ପ୍ରଦର୍ଶନ କରିଛନ୍ତି, ତାହା ଏହି ଆତ୍ମଜୀବନୀକୁ ଫକୀରମୋହନଙ୍କ ଆତ୍ମଜୀବନୀପରେ ଏଯାବତ୍ ସ୍ୱତନ୍ତ୍ର କରି ରଖିଛି । ଏହି ଆତ୍ମଜୀବନୀ ତାଙ୍କ ସମସାମୟିକଓଡ଼ିଶାର ନିଛକ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଗୋଦାବରୀଶଙ୍କ ବିଶେଷତ୍ଵ ହେଉଛି ତାଙ୍କର ଗାଥାକବିତା । ‘ଆଲେଖିକା’ (୧୯୨୨) ସଂପର୍କରେ ମାନସିଂହ ମନ୍ତବ୍ୟ ଦେଇଛନ୍ତି—କବି ଗୋଦାବରୀଶଙ୍କ ଏଇ ରୋମାଣ୍ଟିକ ବ୍ୟକ୍ତିତ୍ୱର ଚରମ ପ୍ରକାଶଘଟିଛି ‘ଆଲେଖିକା’ର ଗାଥା କବିତାଗୁଡ଼ିକରେ । ଏହାହିଁ ଗୋଦାବରୀଶଙ୍କର ଓଡ଼ିଆ ସାହିତ୍ୟକୁ ଶ୍ରେଷ୍ଠ ଓ ଅତୁଳନୀୟ ଦାନ ।” ‘ଆଲେଖିକା’ରେ ସର୍ବମୋଟ ଦଶଟି କାହାଣୀଧର୍ମୀ କବିତା ରହିଛି । ଏହାବ୍ୟତୀତ ଆଉ ପନ୍ଦରଟି ଗାଥାକବିତା ଅନ୍ୟତ୍ର ବିଚ୍ଛୁରିତ ରହିଛି। ଇତିହାସ, କିମ୍ବଦନ୍ତୀ ଓ ରୂପକଥାକୁ ଅବଲମ୍ବନ କରି ଏହି କବିତାଗୁଡ଼ିକ ରଚିତ । ତେବେ ଏସବୁ ମଧ୍ୟରେ ‘କାଳିଜାଈ ଗାଥାକବିତା ତାଙ୍କର ଏକସ୍ଵର୍ଣ୍ଣିମ ସୃଷ୍ଟି । ତାଙ୍କ ଅନ୍ୟାନ୍ୟ ଗାଥାକବିତାରେ ଦେଶାତ୍ମବୋଧ ଓ ମାନବିକତାର ସ୍ଵର ନିହିତ ।

ଗୋଦାବରୀଶଙ୍କ ରାଶିରାଶି ଗୀତିକବିତା ‘ଚୟନିକା’, ‘କଳିକା', କୁସୁମ’, ‘ଗୀତାୟନ, ‘ଗୀତିଗୁଚ୍ଛ’ ସଂକଳନରେ ରହିଛି । କବିତାରେ ତାଙ୍କ ବ୍ୟକ୍ତିକ ଜୀବନର କରୁଣ ଓ ଦୁଃଖାବହ ଅନୁଭୂତିର ମର୍ମସ୍ପର୍ଶୀ ଚିତ୍ର ଓ ଉଚ୍ଚ ମାନବତାବାଦୀ ସ୍ୱର ପ୍ରକାଶପାଇଛି ।

ଗୋଦାବରୀଶ ଦୁଇଟି ନାଟକ ମଧ୍ୟ ଲେଖିଛନ୍ତି—୧୯୧୭ରେ ‘ପୁରୁଷୋତ୍ତମ ଦେବ’ ଏବଂ୧୯୨୦ରେ ‘ମୁକୁନ୍ଦଦେବ’ । କିନ୍ତୁ ମଞ୍ଚ-ଉପସ୍ଥାପନା ଦୃଷ୍ଟିରୁ ଏ ନାଟକ ଦୁଇଟି ଅସଫଳ । ସେଥିପାଇଁ ନିଜ ନାଟକର କଳାଗତ ଦୁର୍ବଳତାକୁ ଉପଲବ୍ଧି କରି ସେ କହିଛନ୍ତି- ମୁଁ ଯୌବନରେ ଦୁଇଖଣ୍ଡ ନାଟକ ଲେଖିଥିଲି । ତାକୁ ନାଟକ ନ କହି ନାଟକ ଆକାରରେ ଲିଖିତ ଐତିହାସିକ ଉପନ୍ୟାସ କୁହାଯାଇପାରେ ।” ତେବେ ତାଙ୍କ ଗୀତିକବିତାରେ ଅପରିବ୍ୟାପ୍ତ ଥିବା ଜାତୀୟତାର ପରିପୂର୍ତ୍ତି ଘଟିଛି ନାଟକରେ ।

 ଗୋଦାବରୀଶ ଗଳ୍ପ-ଉପନ୍ୟାସ ତତ୍କାଳୀନ ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ଆର୍ଥନୀତିକ ପରିବେଶ ଓ ପୃଷ୍ଠଭୂମି ଉପରେ ଆଧାରିତ । ସେ ସର୍ବମୋଟ ୨୭ଟି ଗଳ୍ପର ରଚୟିତା ଓ ‘ପୁଆଣିଘର’ ତାଙ୍କର ଗଳ୍ପ ସଂକଳନ । ନାରୀ ଜୀବନର ବୈଚିତ୍ର୍ୟ ଓ ଦୁର୍ଗତିକୁ ନେଇ ‘ତୋଳାକନ୍ୟା', ‘ବିଧବା କନ୍ୟା’, ‘ନାରୀରଗତି', 'ପରଦାସୀନ', ‘ଶ୍ରୀମତୀ’, ‘ପୁଆଣିଘର’; ପାରିବାରିକ ସମସ୍ୟାକୁ ନେଇ ‘ସାବତପୁଅ’, ‘ଭାଇଭାଗ’, ‘ସେବତୀର ଶବ’,‘ପାଷାଣର ଭାଷା’; ରାଜନୀତିକ ସମସ୍ୟାକୁ ନେଇ ‘ବନ୍ଦୀ’,‘ଅନ୍ନଛତ୍ର’, ‘ପୋଲ ଉନ୍ମୋଚନ’,‘ରାଜଭାଗ’ଆଦିରେ ପୁରାତନ ଓ ନୂତନ ପିଢ଼ି ମଧ୍ୟରେ ଦ୍ୱନ୍ଦ୍ୱ ସହିତ ସଂସ୍କାରର ସ୍ୱର ରହିଛି । ଚରିତ୍ରମାନଙ୍କ ମୁହଁରେ ଅଭିଜାତ ଭାଷା ସହିତ ଗ୍ରାମୀଣ ଭାଷା ଖଞ୍ଜିଦିଆଯାଇଛି । ବହୁ ଗଳ୍ପରେ ଢଗଢମାଳି, ପ୍ରବଚନ ଓ ପହେଳି, ଉପମା, ରୂପକ ଓ ରୂପକଳ୍ପର ପ୍ରୟୋଗ ବେଶ୍ ଉପଭୋଗ୍ୟ ।

ସେ ଚାରିଟି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି: ‘ଘଟାନ୍ତର’, ‘ଅଭାଗିନୀ’, ‘ଅଠର ଶହ ସତର’ଓ‘ନିର୍ବାସିତ’ । ଇଂରେଜ ରାଜଶକ୍ତି ବିରୋଧରେ ଦେଶୀୟ ଲୋକମାନଙ୍କ ସଂଘର୍ଷ ଓ ପରିଣତିରେ ବିଫଳତା ଉପନ୍ୟାସଗୁଡ଼ିକର ସାରକଥା । ବାଙ୍କୀ ରାଜ୍ୟର ରାଣୀଙ୍କ ସହିତ ୧୮୪୦ ମସିହାରେ ଇଂରେଜ ସୈନ୍ୟଙ୍କ ଯୁଦ୍ଧ ଓ ସେନାପତି ଗୋବିନ୍ଦ ସିଂହଙ୍କ ପରାକ୍ରମ, ପୁଣି ଖୋରଧାକୁ ଗଡ଼ଜାତଭାବେ ପରିଗଣିତ କରିବା ବିରୋଧରେ ବନମାଳୀ ରାଏକର୍ତ୍ତୃକ ପ୍ରତିବାଦ ଓ ସଂଘର୍ଷ ‘ଅଭାଗିନୀ’ ଉପନ୍ୟାସର ବିଷୟବସ୍ତୁ । ସେହିପରି ‘ଅଠର ଶହ ସତର’ ଉପନ୍ୟାସରେ ଇଂରେଜମାନଙ୍କ ବିରୋଧରେ ଖୋରଧାର ପାଇକମାନଙ୍କର ବିଦ୍ରୋହ ଓ ଅନେକ ପାଇକଙ୍କ ପ୍ରାଣପାତ ମଧ୍ୟରେ ବକ୍ସି ଜଗବନ୍ଧୁଙ୍କ ନିଃସ୍ୱାର୍ଥ ଦେଶପ୍ରେମ ଓ ଜୀବନଦାନ ମୁଖ୍ୟ ପ୍ରସଙ୍ଗ । ‘ନିର୍ବାସିତ ଉପନ୍ୟାସରେ ଉତ୍କଳ ଇତିହାସର ଏକ କ୍ଷୀଣସ୍ରୋତ ପ୍ରତିଫଳିତ । ଗଜପତି ଦିବ୍ୟସିଂହ ଦେବଙ୍କୁ ନରହତ୍ୟା ଅପରାଧରେ ୧୮୭୮ ମସିହାରେ କଳାପାଣି ଦଣ୍ଡ ହୋଇଥିଲା ସତ୍ୟ, କିନ୍ତୁ ତା’ପରେ ମାଳୟ ଦେଶର ପେରକ ରାଜ୍ୟରେ ତାଙ୍କୁ ବନ୍ଦୀ କରି ରଖାଯାଇଥିବା ଘଟଣା କାଳ୍ପନିକ ମନେହୁଏ । ସେହିଭଳିଡ. ଜ୍ୟାକିଲ ଏଣ୍ଡ ମି. ହାଇଡ଼୍ଉପନ୍ୟାସର ଅନୁବାଦ ଓ ଅନୁସରଣରେ ରଚିତ ‘ଘଟାନ୍ତର’ ଉପନ୍ୟାସତାଙ୍କ କଳ୍ପନାପ୍ରବଣରୋମାଣ୍ଟିକ ଗଦ୍ୟମାନସର ପରିଚୟ ବହନ କରେ।

ପଣ୍ଡିତ ଗୋଦାବରୀଶ ମିଶ୍ର ବହୁମୁଖୀ ପ୍ରତିଭାର ଅଧିକାରୀ ହେବାସହଓଡ଼ିଶାର ରାଜନୀତି, ଶିକ୍ଷାବ୍ୟବସ୍ଥା, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାର ଜଣେ ନିଖୁଣ ବ୍ୟାଖ୍ୟାକାରଥିଲେ । ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ଉତ୍କଳ ସମ୍ମିଳନୀ ନେତୃତ୍ୱରେ ପରିଚାଳିତ ଆନ୍ଦୋଳନ ସହ ସେ ଓତପ୍ରୋତଭାବେ ଜଡ଼ିତ ଥିଲେ । ଚକ୍ରଧରପୁରରେ ଶିକ୍ଷକ ଥିଲାବେଳେ ୧୯୨୧ ମସିହାରେ ସେ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରେରଣାରେ ଗୋଦାବରୀଶ ରାଜନୀତି କ୍ଷେତ୍ରକୁ ଲମ୍ଫ ପ୍ରଦାନ କରି କଂଗ୍ରେସ ଦଳରେ ଯୋଗଦେଇଥିଲେ ଏବଂ ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହୋଇଥିଲେ ।୧୯୨୪ରୁ ୧୯୩୩ ପର୍ଯ୍ୟନ୍ତ ଜିଲ୍ଲା ବୋର୍ଡ଼ର ସଭ୍ୟ ମଧ୍ୟ ଥିଲେ । ୧୯୩୭ରୁ ଜୀବନର ଶେଷ ଅବଧି ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ । ମଝିରେ କେବଳ ୫ ବର୍ଷ ପାଇଁ ଏହି ପଦରୁ ବିରତ ଥିଲେ । କଂଗ୍ରେସ ସହ ମତାନ୍ତର ଯୋଗୁଁ ଏହି ସମୟ ମଧ୍ୟରେ ସେ ଦଳର କୌଣସି ପଦ-ପଦବୀରେ ନଥିଲେ ।କଂଗ୍ରେସ ସରକାର ଗଠନ ପରେ ଗୋଦାବରୀଶ ମନ୍ତ୍ରିମଣ୍ଡଳରୁ ବାଦ୍‍ ପଡ଼ିଥିଲେ । ୧୯୫୨ରେ ସେ ସ୍ୱାଧୀନଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଜଣେ ଦକ୍ଷ ପ୍ରଶାସକ ତଥା ବିରୋଧିଦଳ ସଭ୍ୟଭାବେ ସଫଳତାର ସହିତ ପାୟିତ୍ୱ ନିର୍ବାହ କରିଥିଲେ । ୧୯୩୯ ମସିହାରେ କଂଗ୍ରେସ ଛାଡ଼ି ସେ ଫର୍‍ୱାର୍ଡ଼ ବ୍ଲକରେ ଯୋଗଦେଇଥିଲେ । ୧୯୪୧ରୁ ୧୯୪୪ ମଧ୍ୟରେ ଗୋଦାବରୀଶ ପାରଳା ମହାରାଜାଙ୍କ ସରକାରରେ ଅର୍ଥ- ଓ ଶିକ୍ଷାମନ୍ତ୍ରୀ ଭାବରେ ଦକ୍ଷତାସହକାରେ ଦାୟିତ୍ୱ ତୁଲାଇଥିଲେ ।ଏହି ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ, କଟକରେ ହାଇକୋର୍ଟ ପ୍ରତିଷ୍ଠା ଏବଂ ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରେ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଉତ୍କଳମଣିଙ୍କ ପରଲୋକ ଗମନ ପରେ ୧୯୨୮ ମସିହାରେ ଗୋଦାବରୀଶ ସମାଜ ସଂବାଦପତ୍ରର ସଂପାଦକ ଦାୟିତ୍ୱ ନେଇ ଏହି ପଦରେ ଦୁଇବର୍ଷ ରହିଥିଲେ ।

ସମାଜ ସଂସ୍କାରକଭାବେ ପଣ୍ଡିତ ଗୋଦାବରୀଶଙ୍କ କାର୍ଯ୍ୟ ଆଦର୍ଶସ୍ଥାନୀୟ ଥିଲା । ସେ ଜାତିପ୍ରଥାର ଘୋର୍‍ ବିରୋଧ କରୁଥିଲେ ଏବଂ ମଣିଷର ସମାନତାରେ ବିଶ୍ୱାସ କରୁଥିଲେ । ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସୀ ଗୋଦାବରୀଶ ପଇତା ପିନ୍ଧିବା ଛାଡ଼ିଦେଇଥିଲେ ଏବଂ ବ୍ରାହ୍ମଣ ସମାଜ ପରମ୍ପରା ବିରୋଧରେ ଯାଇ ନିଶ ରଖିଥିଲେ ।

୧୯୬୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।


ରଚନାବଳୀ
କବିତା ସଂକଳନ
ଗୀତିକବିତା ସଂକଳନ
କ୍ଷୁଦ୍ରଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll