ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମା

ଆବିର୍ଭାବ :- ୨୨-୦୨-୧୯୦୪
ତିରୋଧାନ :- ୧୦-୧୦-୧୯୯୧
ଜନ୍ମସ୍ଥାନ :- ଗୁଣ୍ଡପଡ଼ା ଜଗନ୍ନାଥପୁର ଶାସନ, ଆସିକା

ସଂସ୍କୃତ, ଓଡ଼ିଆ, ଇଂରେଜୀ, ହିନ୍ଦୀ, ତେଲୁଗୁ, ତାମିଲ, ସଂସ୍କୃତ ଓ ପ୍ରାକୃତ  ଭାଷାରେ  ଜଣେ ଅନନ୍ୟ ବିଦ୍ୱାନଭାବେ ସୁପ୍ରତିଷ୍ଠିତ ଏବଂ ଜଣେ ଲେଖକ ତଥା ଅନୁବାଦକଭାବେ ରାଜ୍ୟ ଓ ଜାତୀୟ ସ୍ତରରେ ବିବିଧ ସମ୍ମାନରେ ଭୂଷିତ ଆୟୁର୍ବେଦାଚାର୍ଯ୍ୟ ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମା ୧୯୦୪ ମସିହା ଫେବ୍ରୁଆରି ୨୨ ତାରିଖରେ  ଆସିକା ନିକଟବର୍ତ୍ତୀ ଗୁଣ୍ଡପଡ଼ା ଜଗନ୍ନାଥପୁର ଶାସନରେ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ପିତା ଥିଲେ କବିରାଜ ତଥା  ଜ୍ୟୋତିଷଶାସ୍ତ୍ର ବିଶାରଦ ଗଦାଧର ତ୍ରିପାଠୀ ଏବଂ ମାତା ଥିଲେ ମୋହିନୀ ଦେବୀ । ପିତୃବ୍ୟ ଥିଲେ ପଣ୍ଡିତ ଚନ୍ଦ୍ରଶେଖର ତ୍ରିପାଠୀ ଏବଂ ମାମୁଁ ଥିଲେ ପାରଳା ସଂସ୍କୃତ ମହାବିଦ୍ୟାଳୟର ସ୍ୱନାମଧନ୍ୟ ବ୍ୟାକରଣ ଅଧ୍ୟାପକ ଉପେନ୍ଦ୍ର ମିଶ୍ର ।

ଶୈଶବରୁ ସଂସ୍କୃତ ଶିକ୍ଷା  କରି ଅନନ୍ତ ତ୍ରିପାଠୀ ଶର୍ମା ବିଜୟନଗର ସଂସ୍କୃତ କଳାଶାଳାରୁ ସାହିତ୍ୟ ଶିରୋମଣି, ନାଗପୁର ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ଏମ୍.ଏ., ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ପି.ଓ.ଏଲ୍., ବ୍ୟାକରଣରେ ଶାସ୍ତ୍ରୀ, ପୁରୀରୁ ଆୟୁର୍ବେଦାଚାର୍ଯ୍ୟ ପ୍ରଭୃତି ଉପାଧି ଆହରଣ କରିଥିଲେ । ଉତ୍ତୀର୍ଣ ବୟସରେ ସେ ରାଷ୍ଟ୍ରଭାଷାରେ ରତ୍ନ ଉପାଧି ମଧ୍ୟ ହାସଲ କରିଥିଲେ । ସରଳ ଓ ସୁବୋଧ୍ୟ ସଂସ୍କୃତ ଭାଷାରେ ତାଙ୍କର ଅନର୍ଗଳ ବକ୍ତୃତାଦ୍ୱାରା ସେ ଶ୍ରୋତୃମଣ୍ଡଳୀଙ୍କୁ ବିସ୍ମିତ ଓ ବିମୁଗ୍ଧ କରିପାରୁଥିଲେ । ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ପରେ ଅନନ୍ତ ତ୍ରିପାଠୀ ଶର୍ମା ଥିଲେ ପାରଳାଖେମୁଣ୍ଡି ରାଜ-ମହାବିଦ୍ୟାଳୟର ପ୍ରଥମ ଉପାଧିଧାରୀ ଅଧ୍ୟାପକ । ପରେ ସେଠାରେ ଥିବା ସଂସ୍କୃତ ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକ- ଓ ଅଧ୍ୟକ୍ଷଭାବେ ନିର୍ବାହ କରି ଯୁବତୀ ବିବାହର ସମର୍ଥନଯୋଗୁଁ ମହାରାଜାଙ୍କ ବିରାଗଭାଜନ ହୋଇଥିଲେ ଏବଂ ଆନୁଷ୍ଠାନିକ ଅଧ୍ୟାପନା ବୃତ୍ତିରୁ ସ୍ୱତଃପ୍ରବୃତ୍ତଭାବେ ଅବସର ନେଇଥିଲେ । ତଥାପି ଜୀବନର ଶେଷ ପର୍ଯ୍ୟନ୍ତ ସେ ବହୁ ଛାତ୍ରଙ୍କୁ ଅଣାନୁଷ୍ଠାନିକଭାବେ ସାହିତ୍ୟ, ଅଳଙ୍କାର, ଆୟୁର୍ବେଦ ସଂପର୍କରେ ଶିକ୍ଷା ଦେବାର ସୁଯୋଗ ହାତଛଡ଼ା କରିନଥିଲେ । ସଂସ୍କୃତ ଭାଷା, ବିଶେଷତଃ, ଆୟୁର୍ବେଦର ପ୍ରଚାର ଓ ପ୍ରସାର ନିମିତ୍ତ ତାଙ୍କ ଉଦ୍ୟମ ଅବିସ୍ମରଣୀୟ । ଭେଷଜ ମନ୍ଦିର ଏବଂ ବ୍ରହ୍ମପୁରସ୍ଥିତ ଆୟୁର୍ବେଦ ମହାବିଦ୍ୟାଳୟ ତାଙ୍କ ପ୍ରତିଷ୍ଠିତ ଦୁଇଟି ବିଖ୍ୟାତ ଅନୁଷ୍ଠାନ । ସାଂସଦ ଥିଲାବେଳେ ତାଙ୍କରି ଉଦ୍ୟମ ଫଳରେ ହିଁ ଆୟୁର୍ବେଦ ଚିକିତ୍ସାକୁ ରାଷ୍ଟ୍ରୀୟ ସ୍ୱୀକୃତି ମିଳିପାରିଥିଲା । ନିଖିଳ ଭାରତ ଆୟୁର୍ବେଦ କଂଗ୍ରେସ ଏବଂ ଉତ୍କଳ ବୈଦ୍ୟ ସମେଳନର ସେ ସଭାପତି ଥିଲେ । ଭାରତର ସମସ୍ତ ଆୟୁର୍ବେଦ ଅନୁଷ୍ଠାନ ସହିତ ସେ ବିଭିନ୍ନ ଭାବରେ ସଂପୃକ୍ତ ଥିଲେ । ସେ ନିଜେ ଜଣେ ପ୍ରବୀଣ ଆୟୁର୍ବେଦ ଚିକିତ୍ସକ ଏବଂ ଓଡ଼ିଶାରେ ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସାର ପ୍ରସାର ପାଇଁ ସେ ଚରକ ସଂହିତା, ଶୁତ ସଂହିତା, ଅଥର୍ବବେଦ ସଂହିତା, ଅଷ୍ଟାଙ୍ଗ ସଂଗ୍ରହ ପ୍ରଭୃତିର ଓଡ଼ିଆ ଅନୁବାଦ କରିଯାଇଛନ୍ତି ।

            କେବଳ ଆୟୁର୍ବେଦରେ ନୁହେଁ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସମଗ୍ର ଭାରତ ବର୍ଷରେ ଜଣେ ଅସାଧାରଣ ବିଦ୍ୱାନ୍ ଥିଲେ । ଏଥିପାଇଁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଭାରତର ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ବହୁ ଅନୁଷ୍ଠାନଦ୍ୱାରା ସମ୍ମାନିତ ଓ ଉପାଧିପ୍ରାପ୍ତ ହୋଇଛନ୍ତି । ସାହିତ୍ୟ, ଦର୍ଶନ, ବେଦ, ଉପନିଷଦ, କାବ୍ୟ, ନାଟକ ଇତ୍ୟାଦି ଜ୍ଞାନରାଜ୍ୟର ବିଭିନ୍ନ ଶାଖାରେ ତାଙ୍କର ଥିଲା ଅସାଧାରଣ ବ୍ୟୁତ୍ପତ୍ତି । ଏକଦା ସଂସ୍କୃତ ସାହିତ୍ୟର ସାରସ୍ୱତ ପୀଠରୂପେ ପରିଚିତ ଓଡ଼ିଶାରେ ଏହାର ଅବକ୍ଷୟ ଲକ୍ଷ୍ୟକରି ସେ ବହୁ ଗ୍ରନ୍ଥକୁ ଓଡ଼ିଆ ଏବଂ ସଂସ୍କୃତରେ ଅନୁବାଦ କରିଯାଇଛନ୍ତି । ଏଗୁଡ଼ିକ ମଧ୍ୟରୁ ତିନିଭାଗରେ ପ୍ରକାଶିତ ଉପନିଷଦ ସଂଗ୍ରହ, ବୈଶେଷିକ ଦର୍ଶନ ସୂତ୍ର, ଅର୍ଥ ସଂଗ୍ରହ, ପରିଭାଷା ପ୍ରଦୀପ, ବାତ୍ସାୟନଙ୍କ କାମସୂତ୍ର, ଭି. ଭି. ମିରାଶିଙ୍କ ‘କାଳିଦାସ’ (ହିନ୍ଦୀ), ରବୀନ୍ଦ୍ରନାଥ ଠାକୁରଙ୍କ ‘ନୌକାଡୁବି’ର ସଂସ୍କୃତ ଅନୁବାଦ ଉଲ୍ଲେଖଯୋଗ୍ୟ । ବିଶ୍ଵବିଶ୍ରୁତ ନାଟ୍ୟକାର ସେକ୍‌ସପିୟରଙ୍କ ପାଞ୍ଚଟି ନାଟକକୁ ସେ ସଂସ୍କୃତରେ ଅନୁବାଦ କରିଛନ୍ତି— ହେମଲାତ (Hamlet), ଦ୍ଵାଦଶୀ ରାତ୍ରି (Twelfth Night), ବେଣିଶ ସାର୍ଥାବାହ (The Merchant of Venice), ଯଥା ତେ ରୋଚତେ (As you like it), ବହ୍ଵାରମ୍ଭ ଲଘୁକ୍ରିୟା (Much Ado About Nothing) ।

            ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ଓ ବୈଦେହୀଶ ବିଳାସ (ତ୍ରୟୋଦଶ ଛାନ୍ଦ ପର୍ଯ୍ୟନ୍ତ) କାବ୍ୟର କବିଙ୍କ ଶବ୍ଦ ଓ ଅର୍ଥାଳଙ୍କାର ଚାତୁର୍ଯ୍ୟ ଏବଂ ଛନ୍ଦ ବୈଭବକୁ ଅକ୍ଷୁଣ୍ଣ ରଖି ସେ ଯେଉଁ ସଂସ୍କୃତ ଅନୁବାଦ ପ୍ରସ୍ତୁତ କରିଛନ୍ତି, ତା’ର ପଟାନ୍ତର ନାହିଁ । ଉଦାହରଣ ସ୍ଵରୂପ—

“ଦେଖି ନବକାଳିକା ବକାଳିକା ମାଳିକା...” ପଦଟିର ଅନୁବାଦ କରିବାକୁ ଯାଇ ସେ ଲେଖିଛନ୍ତି :

“ଦୃଷ୍ଟ୍ୱା କାଳୀ ଘନାଳି ଶ୍ରିତବକ ବଳୟା କାଳିକେ ବେଶକାନ୍ତ, ସଖ୍ୟା ରକ୍ଷା କଥ୍ୟ ବା ପ୍ରମଦ କରିଗତେ ସଂବିଧେୟତ ଭାଳି ।

ବାଳାଦୀନା ନବୀନା ନଗତ ମିଳନା ପ୍ରେୟସୀ ଦୁର୍ଭନେସ୍ତୁ , ଜୀବନ୍ତୀ କ୍ଷେମନୀୟାଦ୍ ଯଦି ଭବତି ବିଧ୍ୟ ସୁପ୍ରସନ୍ଧୁ କଦାଚିତ୍ ।”

            ଅଧ୍ୟାପକ ଚାକିରିରୁ ଅବସର ନେବା ପରେ ତତ୍କାଳୀନ ବରିଷ୍ଠ ନେତୃବୃନ୍ଦଙ୍କ ଅନୁରୋଧକ୍ରମେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ଗଞ୍ଜାମ ଜିଲ୍ଲା ବୋର୍ଡ଼ର ଉପସଭାପତି, ଓଡ଼ିଶା ବିଧାନସଭାର ସଦସ୍ୟ ଓ ଲୋକସଭାର ସାଂସଦ ମଧ୍ୟ ହୋଇଥିଲେ । ସଂସ୍କୃତ ଶିକ୍ଷା ଓ ଆୟୁର୍ବେଦର ପ୍ରଚାର ଓ ପ୍ରସାର ପାଇଁ ସେ ବହୁ ସ୍ମରଣୀୟ କାର୍ଯ୍ୟ କରିଯାଇଛନ୍ତି ।

            ସଂସ୍କୃତ ମାସିକ ପତ୍ରିକା ‘ମନୋରମା’ର ସଂପାଦନା ତାଙ୍କ ପ୍ରତିଭାର ଜ୍ୱଳନ୍ତ ସ୍ୱାକ୍ଷର । ଏହାର ମୁଦ୍ରଣପାଇଁ ସେ ଶିରୋମଣି ପ୍ରେସ ସ୍ଥାପନ କରିଥିଲେ । ପତ୍ରିକାଟିର ସେ ଥିଲେ ଏକାଧାରରେ ପୃଷ୍ଠପୋଷକ, ସଂପାଦକ, ଅନ୍ୟତମ ଲେଖକ, ସଂଚାଳକ ଏବଂ ବେଳେବେଳେ କମ୍ପାଜିଟର ମଧ୍ୟ । ଏଥିରେ ବିସ୍ମୃତପ୍ରାୟ ସଂସ୍କୃତ କବିମାନଙ୍କର ରଚନାମାନ ପ୍ରକାଶ ପାଇଥିଲା । ସେ କବିଚିନ୍ତାମଣି, ନୀଳାଦ୍ରିନାଥ ଶତକମ୍ ଓ ଗୁଣ୍ଡିଚା ଚମ୍ପୂ ଇତ୍ୟାଦିର ଟୀକା ରଚନା କରିଥିଲେ । ପତ୍ରିକାରେ ଓଡ଼ିଶା ଓ ଓଡ଼ିଶା ବାହାରର ବହୁ ଲେଖକଙ୍କର ସେମାନଙ୍କ ମାତୃଭାଷାରେ ଲିଖିତ ରଚନାଗୁଡ଼ିକର ସଂସ୍କୃତ ଅନୁବାଦ ପ୍ରକାଶ କରିଛନ୍ତି । ଏଥିରେ ପଣ୍ଡିତ ମହାଶୟଙ୍କ ରାମାୟଣେ ଆୟୁର୍ବେଦ, କାଳିଦାସସ୍ୟ ରାମଗିରି, କାଳିଦାସୋମୀମାଂସା, ଉତ୍ତର ରାମ ଚରିତ ସମାଲୋଚନା, ମହାକବିନା ବିରୁଦାନି, ସଂସ୍କୃତୀୟ ପ୍ରଶାସନ ଶବ୍ଦାବଳୀ ପ୍ରଭୃତି ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧମାନ  ପ୍ରକାଶିତ ହୋଇଥିଲା । ପତ୍ରିକାଟି ଓଡ଼ିଶାର ପୁରାତନ ଓ ସମସାମୟିକ ପଣ୍ଡିତମଣ୍ଡଳୀଙ୍କୁ ଓଡ଼ିଶା ଓ ଭାରତ ବାହାରେ ଯେ ପରିଚିତ କରାଇଥିଲା ତା’ ନୁହେଁ, ପଣ୍ଡିତ ତ୍ରିପାଠୀଙ୍କୁ ବିଶ୍ୱ ଦରବାରରେ ପ୍ରତିଷ୍ଠା ଓ ବିପୁଳ ସମ୍ମାନ ଆଣିଦେଇଥିଲା ।

            ‘ଅଳଙ୍କାର ଚନ୍ଦ୍ରିକା’ ପଣ୍ଡିତ ତ୍ରିପାଠୀ ଶର୍ମାଙ୍କଦ୍ଵାରା ଓଡ଼ିଆରେ ଏଯାବତ୍ ଲିଖିତ ଓ ପ୍ରକାଶିତ ଗ୍ରଛଗୁଡ଼ିକ ମଧ୍ୟରେ ଏକ ଅନତିକ୍ରମଣୀୟ କୃତି । ସଂସ୍କୃତ ଆଳଙ୍କାରିକମାନଙ୍କ ପ୍ରଦତ୍ତ ଲକ୍ଷଣସମୂହର ସରଳୀକୃତ ବ୍ୟାଖ୍ୟା ସହ ଓଡ଼ିଆ କାବ୍ୟଗୁଡ଼ିକରୁ ସଂଗୃହୀତ ଯଥୋପଯୁକ୍ତ ଉଦାହରଣର ସମୀକରଣ ଏହାର ବିଶେଷତ୍ଵ । ‘କାଳିଦାସଙ୍କ ଦୃଷ୍ଟିରେ’ର ସମୀକ୍ଷା ଏବଂ ସଂସ୍କୃତ ସାହିତ୍ୟର ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଦୁଇଟି ସମାର୍ଜନୀମୂଳକ ପ୍ରବନ୍ଧ ପଣ୍ଡିତ ମହାଶୟଙ୍କ ପାଣ୍ଡିତ୍ୟର ପରିଚାୟକ । ଏତଦ୍‌ବ୍ୟତୀତ ସଂସ୍କୃତ ଛାତ୍ରମାନଙ୍କ ସହାୟତାପାଇଁ ସେ ସଂକଳନ କରିଥିଲେ ପ୍ରଥମା ପଦ୍ୟ ସଂଗ୍ରହ, ପ୍ରଥମା ଗଦ୍ୟ ସଂଗ୍ରହ, ପ୍ରଥମା ଗୀତା ସଂଗ୍ରହ, ପ୍ରଥମା ସ୍ୱାସ୍ଥ୍ୟ ସଂଗ୍ରହ, ଅମରକୋଷ ଓ ସହୃଦୟାନନ୍ଦ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll