ଶ୍ରୀମତୀ ସୀତାଦେବୀ ଖାଡ଼ଙ୍ଗା ଜଣେ ନାଟ୍ୟକାର, ଔପନ୍ୟାସିକ, କବି ତଥା ଅନୁବାଦକ ଥିଲେ । ଗ୍ରାମ୍ୟ ଓଡ଼ିଶା ପୃଷ୍ଠଭୂମିରେ ତାଙ୍କର ସମସ୍ତ ଲେଖାରେ ସାମାଜିକ ସମସ୍ୟାବଳୀର ଚର୍ଚ୍ଚା କରାଯାଇଛି। ଓଡ଼ିଆ କବିତା କ୍ଷେତ୍ରକୁ ତାଙ୍କର ଅବଦାନ ବିଶେଷଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ |
ଶ୍ରୀମତୀ ଖାଡ଼ଙ୍ଗା ୧୯୦୨ ମସିହାରେ ଗଞ୍ଜାମ ଜିଲ୍ଲା ଆସିକାର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଜଣେ ଶିକ୍ଷକଙ୍କ ତାଙ୍କ ଘରକୁ ଆସି ତାଙ୍କୁ ପଢ଼ାଉଥିଲେ । ଜଣେ ବିଦ୍ୟାଳୟର ଶିକ୍ଷକ ବଞ୍ଚାନିଧି ଖାଡ଼ଙ୍ଗାଙ୍କ ସହ ତାଙ୍କର ବିବାହ ସଂପନ୍ନ ହୋଇଥିଲା ।
ନାଟକ ରଚନା ପ୍ରତି ସୀତାଦେବୀଙ୍କର ବିଶେଷ ଆଗ୍ରହ ଥିଲା । ୧୯୫୦ ଦଶକରେ ସେ ଅନେକ ସାମାଜିକ ନାଟକ ଲେଖିଥିଲେ ଏବଂ ସେଗୁଡ଼ିକ ଗଞ୍ଜାମର ବିଭିନ୍ନ ସ୍ଥାନରେ ସଫଳଭାବେ ମଞ୍ଚସ୍ଥ ହୋଇଥିଲା । ସେ ଆସିକାରେ ‘ହରିହର ନାଟ୍ୟ ମନ୍ଦିର’ ନାମକ ଏକ ଥିଏଟର ପ୍ରତିଷ୍ଠା କରିଥିଲେ ଏବଂ ଆସିକାରେ ‘କୃଷ୍ଣ ସିଂ ସାହିତ୍ୟ ପରିଷ’ ନାମକ ଏକ ସାହିତ୍ୟ ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରିଥିଲେ ।
ବିବାହ ପରେ ସେ ନାଟ୍ୟଜଗତର ପୂର୍ବସୂରୀମାନଙ୍କର ନାଟକ ପଢ଼ିବା ଉପରେ ମନୋନିବେଶ କରିଥିଲେ ଏବଂ ନାଟକକୁ ଉଚ୍ଚ ଶ୍ରଣୀର ସାହିତ୍ୟ ବୋଲି ବିଚାର କରି ନାଟକ ଲେଖା ଆରମ୍ଭ କରିଥିଲେ । ତାଙ୍କ ପିଲାମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବା ପରେ ସେ ଲେଖାଲେଖି ପ୍ରତି ଧ୍ୟାନ ଦେଲେ । ତାଙ୍କର ପ୍ରଥମ ନାଟକ ଥିଲା ‘ସହୋଦର’ ଏବଂ ଏହା ତାଙ୍କର ଜୀବନାନୁଭୂତି ଉପରେ ଆଧାରିତ ଥିଲା । ‘ସହୋଦର’ ନାଟକକୁ “ମଧ୍ୟବିତ୍ତ ପରିବାରରେ ସ୍ୱାମୀ ଏବଂ ପିଲାମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ଜୀବନର କାହାଣୀ” ବୋଲି ସମାଲୋଚକମାନେ ଦର୍ଶାଇଛନ୍ତି । ତାଙ୍କର ଅନ୍ୟ ନାଟକ ମଧ୍ୟରେ ‘ନାରୀ’, ‘ପୋଷ୍ୟପୁତ୍ର’, ‘ନୈଷ୍ଠିକ’, ‘ପ୍ରାଚୀନପନ୍ଥୀ’, ‘କ୍ଷୁଧାର ପୀଡ଼ା’ ଏବଂ ‘ମାତୃହୀନ’ ଅନ୍ତର୍ଭୁକ୍ତ । ତାଙ୍କ ନାଟକ ‘ମନ୍ଦିର ପ୍ରବେଶ’ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବା ପାଇଁ ହରିଜନମାନଙ୍କ ଅଧିକାର ଉପରେ ଆଧାରିତ ।
ସୀତାଦେବୀଙ୍କର ପ୍ରଥମ ଉପନ୍ୟାସ ଥିଲା ତାଙ୍କ ନିଜ ନାଟକ ପୋଷ୍ୟପୁତ୍ରର ରୂପାନ୍ତର । ଏହା ସମାଜର ବିଭିନ୍ନ ସମସ୍ୟା ଉପରେ ଆଧାରିତ । ଅଗ୍ରଜ ୨୭ ଅଧ୍ୟାୟବିଶିଷ୍ଟ ଏକ ସାମାଜିକ-ରାଜନୈତିକ ଉପନ୍ୟାସ । ପ୍ରତ୍ୟାବର୍ତ୍ତନ ଓଡ଼ିଶାର ଗ୍ରାମୀଣ ଜୀବନ ଉପରେ ଆଧାରିତ । ମୋର ଜୀବନ ସ୍ମୃତି ହେଉଛି ତାଙ୍କର ଆତ୍ମଜୀବନୀ । ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଘରେ ବାଇରେକୁ ବଙ୍ଗଳାରୁ ଓଡିଆ ଭାଷାରେ ଅନୁବାଦ କରିଥିଲେ। ସେ କବିତା ମଧ୍ୟ ଲେଖିଥିଲେ ଯାହା ଓଡ଼ିଶାର ସାଂସ୍କୃତିକ ନବଯୁଗ ଆନୟନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୧୯୮୩ ମସିହାରେ ସୀତାଦେବୀ ଖାଡ଼ଙ୍ଗାଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ ଏକାଡେମୀ