ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ

ଆବିର୍ଭାବ :- ୦୨-୦୭-୧୯୦୧
ତିରୋଧାନ :- ୧୫-୦୫-୧୯୯୧
ଜନ୍ମସ୍ଥାନ :- ବିଶ୍ୱନାଥପୁର, ପୁରୀ

ଓଡ଼ିଶାର ପ୍ରସିଦ୍ଧ ସାରସ୍ଵତ ସାଧକ କାଳିନ୍ଦୀଚରଣ ପାଣିଗ୍ରାହୀ ତତ୍କାଳୀନ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଓ ସେ ବୃତ୍ତିରେ ଜଣେ ଆଇନଜୀବୀ ଥିଲେ । କାଳିନ୍ଦୀଚରଣ ନିଜର ବାଲ୍ୟଶିକ୍ଷା ପୁରୀରେ ସମାପ୍ତ କରିଥିଲେ । ଏହାପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ଭାବେ ବହୁ ଲୋକପ୍ରିୟତା ହାସଲ କରିଥିବା ନନ୍ଦିନୀ ଶତପଥୀ ଥିଲେ କାଳିନ୍ଦୀଚରଣଙ୍କ କନ୍ୟା ଏବଂ ତାଙ୍କ ସାନଭାଇ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ । ଭଗବତୀ ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ସୂତ୍ରପାତ କରିଥିଲେ । ତାଙ୍କର ବିଖ୍ୟାତ ଗଳ୍ପ ‘ଶିକାରୀ’ ବିଶିଷ୍ଟ ନିର୍ଦ୍ଦେଶକ ମୃଣାଳ ସେନଙ୍କଦ୍ୱାରା ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଛି ।

ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ କାଳିନ୍ଦୀ ଚରଣଙ୍କ ଅଭୂତପୂର୍ବ ସାହିତ୍ୟ ପ୍ରତିଭାର ଅଭ୍ୟୁଦୟ ଘଟିଥିଲା । କଲେଜରେ ସେ ‘ନନସେନ୍ସ କ୍ଳବ’ ଗଠନ କରିଥିଲେ । କ୍ଳବର ସଭ୍ୟ ଥିବା ନ’ଜଣ ଲେଖକ-ଲେଖିକା ମିଳିତଭାବେ ଉତ୍କଳ ସାହିତ୍ୟ ପତ୍ରିକାରେ ‘ବାସନ୍ତୀ’ ନାମକ ଏକ ଉପନ୍ୟାସ ଧାରାବାହିକ ଆକାରରେ ପ୍ରକାଶ କରୁଥିଲେ । ଏହି ସମୟରେ ‘ସବୁଜ ଗୋଷ୍ଠୀ’ର ମୁଖପତ୍ର ‘ଯୁଗବୀଣା’ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ ବାଲେଶ୍ୱରରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କଲେ ।

କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ମନୋମୁଗ୍ଧକର ଶବ୍ଦ-ସଂଯୋଜନା ଓ କବିତାର ସାମାଜିକ ତଥା ନୈତିକ ଆବେଦନ ତାଙ୍କ ଲେଖାର ମୁଖ୍ୟ ଆକର୍ଷଣ ଥିଲା । ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୁଖ ସ୍ଥାନ ଲାଭ କରିଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ସେ ତାଙ୍କର ପ୍ରତିଟି ଲେଖାରେ ସ୍ୱର ଉତ୍ତୋଳନ କରିଥିଲେ । କବିତା ବ୍ୟତୀତ କାଳିନ୍ଦୀଚରଣ ଉପନ୍ୟାସ, ଏକାଙ୍କିକା, ଗଳ୍ପ, ସମାଲୋଚନା, ଜୀବନୀ ଓ ଆତ୍ମଜୀବନୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ତାଙ୍କ ‘ମାଟିର ମଣିଷ’ ଉପନ୍ୟାସ ଏବଂ ବିଖ୍ୟାତ ଗଳ୍ପ ‘ମାଂସର ବିଳାପ’କୁ ଚଳଚ୍ଚିତ୍ରର ରୂପ ଦିଆଯାଇଛି ।

୧୯୭୧ ମସିହାରେ କାଳିନ୍ଦୀଚରଣ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ପାଇଥିଲେ ଏବଂ ସେହି ବର୍ଷ କେନ୍ଦ୍ର ସରକାରଙ୍କଦ୍ୱାରା ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା । ୧୯୭୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡି. ଲିଟ. ଡିଗ୍ରି ପ୍ରଦାନ କରି ସମ୍ମାନିତ କରିଥିଲେ ।


ରଚନାବଳୀ
କବିତା ସଂକଳନ
ଏକାଙ୍କିକା
ପାଠ୍ୟପୁସ୍ତକ
କ୍ଷୁଦ୍ରଗଳ୍ପ ସଂକଳନ
ଶ୍ରାବ୍ୟ ଉପନ୍ୟାସ
ଶ୍ରାବ୍ୟ କବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll