ଡ. ଗୋକୁଳାନନ୍ଦ ମହାପାତ୍ର

ଆବିର୍ଭାବ :- ୧୩-୧୧-୧୯୨୨
ତିରୋଧାନ :- ୧୦-୦୭-୨୦୧୩
ଜନ୍ମସ୍ଥାନ :- କୁଆଁସ ଗ୍ରାମ, ଭଦ୍ରକ

ଓଡ଼ିଆରେ ଅତ୍ୟନ୍ତ ରୋଚକ ଶୈଳୀରେ ବିଜ୍ଞାନ ସଂପର୍କୀୟ ଲେଖା ଲେଖିବାରେ ବୈଜ୍ଞାନିକ ଡଃ ଗୋକୁଳାନନ୍ଦ ମହାପାତ୍ର ଯେତିକି ନାଁ କରିଛନ୍ତି, ଅଭିଧାନ ଓ ଭାଷାତତ୍ତ୍ୱ ଆଲୋଚନା କ୍ଷେତ୍ରରେ ମଧ୍ୟ ଅନୁରୂପଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଅଧିକନ୍ତୁ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ବିଜ୍ଞାନ-ଭିତ୍ତିକ ଶିଶୁସାହିତ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଶାରେ ବିଜ୍ଞାନକୁ ଲୋକପ୍ରିୟ କରାଇବା ଲାଗି ଉଦ୍ଦିଷ୍ଟ ତାଙ୍କର ପ୍ରାୟ ସମସ୍ତ ରଚନା ଓଡ଼ିଆ ଭାଷାକୁ ଅଭିନବଭାବେ ସମୃଦ୍ଧ କରିଛି ।

ଗୋକୁଳାନନ୍ଦ ୧୯୨୨ ମସିହା ନଭେମ୍ବର ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ଅନ୍ତର୍ଗତ କୁଆଁସ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଜୟଗୋବିନ୍ଦ ମହାପାତ୍ର ଓ ମାତା ଫୁକ ଦେବୀ । ସ୍ଥାନୀୟ ବିଦ୍ୟାଳୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ସେ ରେଭେନ୍‌ସା କଲେଜରୁ ବିଜ୍ଞାନରେ ସ୍ନାତକ ଓ ତତ୍ପରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‍ଡି. ଲାଭ କରିଥିଲେ । ବୋଷ୍ଟନ୍‍ସ୍ଥିତ ବ୍ରାଣ୍ଡିଓ ବିଶ୍ୱବିଦ୍ୟାଳୟରେ ଏଫ.ଆଇ.ସି. (ଫେଲୋ ଇନ କେମିଷ୍ଟ୍ରି) ଡିଗ୍ରି କରିଥିଲେ ।

କଲିକତାରେ ରହଣି କାଳରେ ବଙ୍ଗଳା ଭାଷାରେ ପ୍ରକାଶିତ ବିଜ୍ଞାନ ଲେଖା ଗୋକୁଳାନନ୍ଦଙ୍କୁ ଓଡ଼ିଆ ଭାଷାରେ ଲେଖିବାପାଇଁ ଅନୁପ୍ରାଣିତ କରିଥିଲା । ୧୯୪୫ ମସିହାରେ ‘ଶଙ୍ଖ’ ପତ୍ରିକାରେ ତାଙ୍କ ରଚିତ ‘ପରମାଣୁ ବୋମା’ ପ୍ରକାଶିତ ହୋଇଥିଲା ଓ ପରବର୍ତ୍ତୀ କାଳରେ ଏହା ଓଡ଼ିଆ ଭାଷାରେ ପ୍ରଥମ ଆଧୁନିକ ଜନପ୍ରିୟ ବିଜ୍ଞାନ ରଚନାଭାବେ ସର୍ବଜନାଦୃତ ହୋଇଥିଲା । ପରବର୍ତ୍ତୀ ସମୟରେ ‘ଆଧୁନିକ ବିଜ୍ଞାନକୁ ଆଲକାତରାର ସାହାଯ୍ୟ’ ‘ଶଙ୍ଖ’ ପତ୍ରିକାରେ ପ୍ରକାଶପାଇଥିଲା ଯାହା ତାଙ୍କ ବିଜ୍ଞାନ-ଲେଖକ ଜୀବନର ମୂଳଦୁଆ ପକାଇଥିଲା । ମାୟାଧର ମାନସିଂହ ଓ ବାଳକୃଷ୍ଣ କର ଏଭଳି ଲେଖାପାଇଁ ତାଙ୍କୁ ଉତ୍ସାହିତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ । ଏହି ସମୟରେ ସେ କଲିକତା ଆକାଶବାଣୀ କେନ୍ଦ୍ରର ଓଡ଼ିଆ କାର୍ଯ୍ୟକ୍ରମରେ ବିଜ୍ଞାନ ସୂଚନା ପରିବେଷଣ କରୁଥିଲେ ।

କଲିକତାରେ ସ୍ନାତକୋତ୍ତର ପାଠ ସାରି ସେ ରେଭେନ୍‌ସା କଲେଜରେ ଜଣେ ଡେମୋନଷ୍ଟ୍ରେଟର ଭାବରେ ଯୋଗ ଦେଇଥିଲେ । ଏହିଠାରୁହିଁ ତାଙ୍କର ଅଧ୍ୟାପକ ଏବଂ ଗବେଷକ ଜୀବନର ଅୟମାରମ୍ଭ ହୋଇଥିଲା । କଲିକତାରେ ଥିବାବେଳୁ ସେ ଏକ ବିଜ୍ଞାନ ଅନୁଷ୍ଠାନ ଗଢ଼ିବାର ସୁନ୍ଦର ସ୍ଵପ୍ନ ଦେଖିଥିଲେ । ତାଙ୍କର କିଛି ମିତ୍ର, ସହଯୋଗୀ ଓ ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ୧୯୪୯ ମସିହା ଅଗଷ୍ଟ ମାସରେ ଗୋକୁଳାନନ୍ଦ ‘ବିଜ୍ଞାନ ପ୍ରଚାର ସମିତି’ ଗଠନ କରିଥିଲେ । କାଳକ୍ରମେ ଅନେକ ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ଏହାର ସଭ୍ୟ ହୋଇଥିଲେ । ୧୯୪୯ ମସିହାରେ ‘ବିଜ୍ଞାନ ବିସ୍ମୟ’ ନାମରେ ତାଙ୍କର ପ୍ରଥମ ବହି ପ୍ରକାଶ ପାଇଥିଲା । ଏହି ପୁସ୍ତକ ‘ଦୂରବୀକ୍ଷଣ’, ‘ମହାଜାଗତିକ ରଶ୍ମି’, ‘ପେନିସିଲିନ୍’, ‘ଡି.ଡି.ଟି.’, ‘କୃତ୍ରିମ ହୀରା’, ଓ ‘ପାଲୁଡ୍ରିନ’ ଆଦି ବିଷୟରେ ସାଧାରଣ ଲୋକ ବୁଝିପାରିବା ଭଳି ୪୮ଟି ପ୍ରବନ୍ଧର ସମାହାର । ‘ବିଜ୍ଞାନର କୃତିତ୍ଵ’ (୧୯୫୦), ‘ପରମାଣୁ ବୋମାର ଆବିଷ୍କାର’ (୧୯୫୧), ‘ପୃଥିବୀ ବାହାରେ ମଣିଷ’ (୧୯୫୪) ଷଷ୍ଠ ଦଶକରେ ପ୍ରକାଶିତ ତାଙ୍କର କିଛି ଉଲ୍ଲେଖନୀୟ ଗ୍ରନ୍ଥ । ଏହାଛଡ଼ା ସମଧର୍ମୀ ରଚନାଗୁଡ଼ିକ ହେଉଛି ‘କୃତ୍ରିମ ଉପଗ୍ରହ’, ‘ସୁନାର ଓଡ଼ିଶା’, ‘ନିଶ୍ଚଳ ପୃଥିବୀ’, ‘ଚନ୍ଦ୍ରର ମୃତ୍ୟୁ’, ‘ମଧ୍ୟାହ୍ନର ଅନ୍ଧକାର’, ‘ନିସ୍ତବ୍ଧ ଗୋଧୂଳି', ‘ଚତୁର୍ଥ ପରିସର’ ‘ଉଡ଼ନ୍ତା ଥାଳିଆ', ‘ସମୟର ଫାଟ’ ଏବଂ ‘ମୃତ୍ୟୁ ଏକ ମାତୃତ୍ଵର !” । ‘ପୃଥିବୀ ବାହାରେ ମଣିଷ’ ଓଡ଼ିଆ ଭାଷାରେ ପ୍ରଥମ ବୈଜ୍ଞାନିକ ଉପନ୍ୟାସ । ତାଙ୍କ ରଚିତ ‘ବିଜ୍ଞାନର ଦୃଶ୍ୟ’ ପୁସ୍ତକଟି (ସି.ଭି. ରମଣଙ୍କ ‘ଆସ୍‍ପେକ୍ଟ୍‍ସ ଅଫ୍ ସାଇନ୍ସ’ ବହିର ଓଡ଼ିଆ ଅନୁବାଦ) ନ୍ୟାସନାଲ ବୁକ୍ ଟ୍ରଷ୍ଟଦ୍ଵାରା ୧୯୫୮ ପ୍ରକାଶିତ ହୋଇଥିଲା । ‘ଇଣ୍ଟରମିଡିଏଟ୍ କେମେଷ୍ଟ୍ରି’ ଶୀର୍ଷକ ଏକ ପାଠ୍ୟପୁସ୍ତକ ଲେଖି ଗୋକୁଳାନନ୍ଦ ଓଡ଼ିଆ ବିଜ୍ଞାନ ସାହିତ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲେ । ସେ ପ୍ରାୟ ୮୦ ଖଣ୍ଡ ସୁଖପାଠ୍ୟ-ବିଜ୍ଞାନ ଓ ୨୦ ଖଣ୍ଡ ପାଠ୍ୟପୁସ୍ତକ ରଚନା କରିଥିଲେ । ଏହା ଭିତରେ ପ୍ରବନ୍ଧ, ଗଳ୍ପ ଉପନ୍ୟାସ, କବିତା ଓ ନାଟକ ଶ୍ରେଣୀର ବହୁ ସୁନ୍ଦର ପୁସ୍ତକ ଅନ୍ତର୍ଭୁକ୍ତ ।

ଆମେରିକା ରହଣି ଅନୁଭୂତିକୁ ନେଇ ସେ ଦୁଇଟି ଭ୍ରମଣ କାହାଣୀ- ‘ନୀଳ ଚକ୍ରବାଳ ସେପାରେ’ ଓ ‘ପାଶ୍ଚାତ୍ୟ ସ୍ମୃତି’ ଲେଖିଛନ୍ତି । ୧୯୮୭ରେ  ଲୋକାର୍ପିତ ‘ଗୋକୁଳାନନ୍ଦ ବିଜ୍ଞାନ ବିଚିତ୍ରା’ରେ ତାଙ୍କ ଲେଖାର ବିଭିନ୍ନ ଦିଗର ନମୁନା ରହିଛି । ଶିଶୁପ୍ରିୟ ଗୋକୁଳାନନ୍ଦ ପିଲାଙ୍କ ପାଇଁ ‘କିଏ ବେଶି ଭାରୀ’, ‘ଛବି କେମିତି କଥା କହେ’, ‘ଚିନି କିପରି ହୁଏ’ ପରି ଅନେକ କୌତୁହଳୋଦ୍ଦୀପକ ବିଜ୍ଞାନ କାହାଣୀ ଲେଖିଛନ୍ତି । ୧୯୭୬ ମସିହାରେ ତାଙ୍କ ସଂପାଦନାରେ ବିଜ୍ଞାନ ପ୍ରଚାର ସମିତିର ମୁଖପତ୍ର ‘ବିଜ୍ଞାନାଲୋକ’ ପତ୍ରିକା ଜନ୍ମ ନେଇଥିଲା । ଓଡ଼ିଶା ରାଜ୍ୟ ପାଠ୍ୟ-ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ ଭାବରେ ସେ ଓଡ଼ିଆରେ ବୈଜ୍ଞାନିକ ପରିଭାଷା ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ ଆଧାରରେ ବିଜ୍ଞାନରେ ବିଭିନ୍ନ ବିଭାଗର ପରିଭାଷାଗୁଡ଼ିକର ପ୍ରସ୍ତୁତି ଓ ପ୍ରକାଶନ ହୋଇଥିଲା ।

‘ବୈଜ୍ଞାନିକ ଜ୍ଞାନକୋଷ’ ବିଜ୍ଞାନ ଶିକ୍ଷା କ୍ଷେତ୍ରକୁ ତାଙ୍କର ଏକ ଅବିସ୍ମରଣୀୟ ଅବଦାନ । ୨୦୦୫ ମସିହା ଜାନୁଆରିରେ ଏହା ଦୁଇଟି ଖଣ୍ଡରେ ପ୍ରକାଶିତ ହୋଇଥିଲା । ୧୩୪୦ ପୃଷ୍ଠାର ଏହି ଜ୍ଞାନକୋଷରେ ବିଜ୍ଞାନର ବିଭିନ୍ନ ବିଷୟମାନ ଚିତ୍ର ଓ ଫଟୋ ସହିତ ଅକ୍ଷରାନୁକ୍ରମରେ ସୁସଜ୍ଜିତ ହୋଇଥିଲା । ‘ବୈଜ୍ଞାନିକ ଶବ୍ଦକୋଷ’ ତାଙ୍କ ରଚିତ ବିଜ୍ଞାନ-ଆଧାରିତ ଅଭିଧାନ । ପୁନଶ୍ଚ, ସେ ବିଜ୍ଞାନ ପ୍ରଚାର ସମିତିର ସଭାପତି ଓ ବିଜ୍ଞାନାଲୋକ ପତ୍ରିକାର ସଂପାଦକରୂପେ ଦାୟିତ୍ଵ ସମ୍ପାଦନ କରିଥିଲେ । କହିବା ବାହୁଲ୍ୟ ନିଜର ଭାଷାଜ୍ଞାନ ଓ ଉତ୍କୃଷ୍ଟ ଉପସ୍ଥାପନା ପାଇଁ ସେ ସମଗ୍ର ଓଡ଼ିଶାରେ ଚିରନମସ୍ୟ ହୋଇପାରିଛନ୍ତି ।

ବୈଜ୍ଞାନିକ-ସାହିତ୍ୟ ରଚନା କ୍ଷେତ୍ରକୁ ତାଙ୍କର ବିଶେଷ ଅବଦାନ ପାଇଁ ଡଃ ଗୋକୁଳାନନ୍ଦ ମହାପାତ୍ର ୧୯୮୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୦ ମସିହାରେ କଳିଙ୍ଗ ପୁରସ୍କାର ଲାଭ କରିଥିଲେ । ସେ ପରିଜା ସମ୍ମାନ ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll