ଶ୍ରୀ ଜାନକୀବଲ୍ଲଭ ମହାନ୍ତି

ଆବିର୍ଭାବ :- ୧୪-୦୬-୧୯୨୫
ତିରୋଧାନ :- ୧୬-୧୨-୧୯୯୯
ଜନ୍ମସ୍ଥାନ :- ଡଗରାସାହି, ପୁରୀ

ଉତ୍କଳର ପୁରପଲ୍ଲୀରେ ସର୍ବଜନାଦୃତ ଶ୍ରୀ ଜାନକୀବଲ୍ଲଭ ମହାନ୍ତି ତତ୍କାଳୀନ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ନିକଟସ୍ଥ ଡଗରାସାହି ଗ୍ରାମରେ ୧୯୯୯ ମସିହା ଡିସେମ୍ବର ୧୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନାରାୟଣ ଓ ମାତା ଥିଲେ ଫକିରୀ ଦେବୀ । ୧୯୪୩ ମସିହାରେ ମାଟ୍ରିକ ପାଶ୍ କରିବା ପରେ ତାଙ୍କର ପିତୃବିୟୋଗ ଘଟିଲା । ୧୯୪୯ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସେ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ବାଲେଶ୍ଵର ରହଣି କାଳରେ ଶ୍ରୀ ମହାନ୍ତିଙ୍କ ପ୍ରଥମ କବିତା ଗ୍ରନ୍ଥ ‘ତୀର୍ଯ୍ୟକ’ ପ୍ରକାଶ ପାଇଥିଲା ୧୯୫୧ ମସିହାରେ । ପୁସ୍ତକର ପ୍ରଥମ କବିତା ‘ଉପେନ୍ଦ୍ରଭଞ୍ଜ’ରେ ସେ ଉପେନ୍ଦ୍ରଙ୍କ ସାହିତ୍ୟକୁ ଅଭିନବ ଭାବରେ ଉପସ୍ଥାପନ କରିଥିଲେ । ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, କଟକର ରେଭେନ୍ସା କଲେଜ ଓ ଭୁବନେଶ୍ୱରର ବି.ଜେ.ବି. କଲେଜରେ ତାଙ୍କର କର୍ମମୟ ଜୀବନ ଅତିବାହିତ ହୋଇଥିଲା ।  ‘ତୀର୍ଯ୍ୟକ’, ‘ଛୋଟବଡ଼’, ‘ବିଚିତ୍ରବର୍ଣ୍ଣା’, ‘ନବଯୁଗର କବି ଓ କାବ୍ୟ’ ‘ଓଡ଼ିଆ ସାହିତ୍ୟର ଇତିହାସ’, ‘ଓଡ଼ିଆ ଗୀତିକାବ୍ୟ’, ‘ସୃଷ୍ଟି ଓ ସମୀକ୍ଷା’, ‘ଓଡ଼ିଆ ଛନ୍ଦର ବିକାଶ', 'ଓଡ଼ିଆ ଛାନ୍ଦ ପରିଚୟ', 'କଳା ଓ କଳାକାର’ ଇତ୍ୟାଦି ତାଙ୍କର କେତେକ କାଳଜୟୀ ସୃଷ୍ଟି । ଶିଶୁସାହିତ୍ୟିକ ଭାବରେ ତାଙ୍କର କୃତିତ୍ଵ ମଧ୍ୟ କମ୍‍ ନୁହେଁ । ସାହିତ୍ୟ ଆଲୋଚନା, ଗବେଷଣା, ସମ୍ପାଦନା ଇତ୍ୟାଦିରେ ତାଙ୍କର ପାଣ୍ଡିତ୍ୟ ଓ ପ୍ରତିଭା ପରିସ୍ଫୁଟ ହୋଇଥିଲା ।

ଶ୍ରୀ ମହାନ୍ତି ବିଭିନ୍ନ ସମୟରେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ସଭାପତି ଭାବରେ କାର୍ଯ୍ୟ କରିବା ସହ, କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ମଧ୍ୟ ଥିଲେ । ସେ ପି.ଇ.ଏନ୍.ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରତିନିଧି ସଦସ୍ୟ ଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବରେ  ମଧ୍ୟ ସେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ସାହିତ୍ୟର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କରି ଶ୍ରୀ ମହାନ୍ତି ସମାଲୋଚନା ସାହିତ୍ୟର ଗୁଣାତ୍ମକ ତଥା ପରିମାଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଥିଲେ । ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟ ସମ୍ପର୍କିତ ଗ୍ରନ୍ଥ ରଚନା କରି ପ୍ରାନ୍ତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର  ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୧୯୮୨ ମସିହାରେ ସରକାରୀ ଚାକିରିରୁ ସେବାନିବୃତ୍ତ ହୋଇଥିଲେହେଁ ତାଙ୍କର କର୍ମମୟ ଜୀବନ ଅବସରକୁ ସ୍ୱୀକାର କରିନାହିଁ । ନୂତନ ତଥ୍ୟ ଓ ତତ୍ତ୍ୱର ଅବତାରଣା କରି ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସେ ମଜ୍ଜି ରହିଥିଲେ  । ତାଙ୍କର ଆତ୍ମଜୀବନୀ 'ଏକାକୀ ପଥିକ’ ତାଙ୍କର ସରଳ ଓ ନିରାଡ଼ମ୍ବର ଜୀବନର ଏକ ନିଚ୍ଛକ ଚିତ୍ର ପ୍ରଦାନ କରେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll