କେଦାରନାଥ ମହାପାତ୍ର

ଆବିର୍ଭାବ :- ୨୧-୧୦-୧୯୧୧
ତିରୋଧାନ :- ୨୦-୦୪-୧୯୮୧
ଜନ୍ମସ୍ଥାନ :- ଭୁବନେଶ୍ଵର, ଖୋର୍ଦ୍ଧା

ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ପିତା ଗୋପୀନାଥ ମହାପାତ୍ର ଓ ମାତା ରାଧିକା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବହୁମୁଖୀ ପ୍ରତିଭାଧର, ପ୍ରଥିତଯଶା ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍, ଗବେଷକ, ତାଳପତ୍ର ପୋଥି ଅଧ୍ୟୟନ ଓ ସଂପାଦନା ବିଶାରଦ, ବିଦଗ୍ଧ ସାହିତ୍ୟିକ, ସମାଲୋଚକ, ସଂସ୍କୃତ ଭାଷାବିତ୍ କେଦାରନାଥ ମହାପାତ୍ର । ସେ ଓଡ଼ିଶା ଇତିହାସର ବହୁ ଅଜ୍ଞାତ ଅଧ୍ୟାୟର ଉନ୍ମୋଚନ କରିବା ସହିତ ଉକ୍ତ ବିଷୟରେ ଅଧିକ ଗବେଷଣାପାଇଁ ସୁଯୋଗ ସୃଷ୍ଟି କରିପାରିଥିଲେ । ସାରସ୍ଵତ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିନେଇଥିବା ଏହି ଯଶସ୍ୱୀ ପୁରୁଷ ବୃତ୍ତିଗତ ଜୀବନରେ ଜଣେ ଆଦର୍ଶ ଶିକ୍ଷକ ଥିଲେ ଏବଂ ଖୋର୍ଦ୍ଧା, କଟକ, ବାଙ୍କି, ପୁରୀ, ସମ୍ବଲପୁର ଆଦି ବହୁ ସ୍ଥାନରେ ତାଙ୍କର କର୍ମମୟ ଜୀବନ ଅତିବାହିତ କରିଥିଲେ । ୧୯୪୩ରୁ ୧୯୫୦ ପର୍ଯ୍ୟନ୍ତ ସେ ପୂର୍ବତନ ଗଡ଼ଜାତ ରାଜ୍ୟ କଳାହାଣ୍ଡିର ପ୍ରତ୍ନତତ୍ତ୍ୱବିଦ୍‍ରୂପେ କାର୍ଯ୍ୟ କରିଥିଲେ । ସେ ସମୟରେ ବେଲଖଣ୍ଡିରେ ପ୍ରତ୍ନତାତ୍ତ୍ଵିକ ଖନନ ଏବଂ ଏକ ସଂଗ୍ରହାଳୟ ପ୍ରତିଷ୍ଠା, ରାମପୁର-ମଦନପୁର, ନର୍ଲା, ଲାଞ୍ଜିଗଡ଼, ଅମ୍ବାଡୋଲା ପ୍ରଭୃତି ସ୍ଥାନରେ ପ୍ରତ୍ନତାତ୍ତିକ ଅନ୍ୱେଷଣ ତଥା ବହୁ ବିରଳ ତାଳପତ୍ର ପୋଥି, ତାମ୍ରଲେଖ ଓ ମୂର୍ତ୍ତି ଉଦ୍ଧାର ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ । ତା'ଛଡ଼ା, ସେ ‘Journal of Kalinga Historical Research Society’ର ପରିଚାଳନା ସଂପାଦକ ରହିଥିଲେ ।

୧୯୫୦ ମସିହାରେ କେଦାରନାଥ ଭୁବନେଶ୍ଵରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ତାଳପତ୍ର ପୋଥି ବିଭାଗରେ ସହକାରୀ କ୍ୟୁରେଟରଭାବେ ଯୋଗଦେଇଥିଲେ ଏବଂ ବହୁ ବିରଳ ପୋଥି ସଂଗ୍ରହ କରି ସେଗୁଡ଼ିକର ବିଷୟବସ୍ତୁ ଉପରେ ନୂତନ ଆଲୋକପାତ କରିଥିଲେ । ୧୯୬୨ରେ ସେ ସେହି ସଂଗ୍ରହାଳୟର ଅଧୀକ୍ଷକଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏକ ପ୍ରମୁଖ ଗବେଷଣା କେନ୍ଦ୍ରରୂପେ ଖ୍ୟାତିଲାଭ କରିଥିଲା । ୧୯୬୫ ମସିହାରେ ନବଗଠିତ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ଅଧ୍ୟକ୍ଷଭାବେ ଦାୟିତ୍ଵ ନିର୍ବାହ କରି ସେ ଅବସର ନେଇଥିଲେ । ପରେ ସେ ପୁନଃ-ନିଯୁକ୍ତି ପାଇ ରାଜ୍ୟ ସଂଗ୍ରହାଳୟରେ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ତାଙ୍କ ସମୟରେ ଅନେକ ମନ୍ଦିର, ମସ୍‌ଜିଦ୍ ଓ ଗୁମ୍ଫାର ସଂରକ୍ଷଣ ଓ ଜୀର୍ଣ୍ଣୋଦ୍ଧାର କରାଯାଇଥିଲା । ସେଗୁଡ଼ିକ ମଧ୍ୟରେ ଅଳଗୁମର ଗତେଶ୍ଵର; ଧଉଳି ପାହାଡ଼ ତଳ ବହିରଙ୍ଗେଶ୍ଵର ଓ ସଙ୍କଟେଶ୍ଵର, ଭୁବନେଶ୍ୱରର ଶତ୍ରୁଘ୍ନେଶ୍ଵର, ଭରତେଶ୍ୱର, ଲକ୍ଷ୍ମଣେଶ୍ଵର, ଭୀମେଶ୍ଵର, ବିଭୀଷଣେଶ୍ଵର, ମୋହିନୀ, କେନ୍ଦୁଲିର ଅମ୍ବିକା, କନ୍ଦରପୁରର ପଶ୍ଚିମେଶ୍ଵର; ଗୁଣୁପୁରର ନୀଳକଣ୍ଠେଶ୍ୱର ଓ ମଲ୍ଲିକେଶ୍ଵର, ଖିଚିଂର କିଚକେଶ୍ଵରୀ ପ୍ରଭୃତି ମନ୍ଦିର ଏବଂ କଟକର ସାହି ମସ୍‌ଜିଦ୍, ଗଞ୍ଜା ଦୁର୍ଗ (ପୋତାଗଡ଼), ତାପଙ୍ଗଗଡ଼, ସୁଖାସନ ପାହାଡ଼ର ଗୁମ୍ଫା ଉଲ୍ଲେଖନୀୟ । ତାଙ୍କ ଉଦ୍ୟମରେ କବି ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁଲି ଗ୍ରାମଠାରେ ଜୟଦେବ ସ୍ମୃତି ସଦନ ଓ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି ।

କେଦାରନାଥଙ୍କ ଇତିହାସ ଗବେଷଣାର କ୍ଷେତ୍ର ଅତ୍ୟନ୍ତ ବିସ୍ତୃତ । ତାଙ୍କ ଲିଖିତ ବହୁ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କଦ୍ୱାରା ଆଦୃତ ହୋଇଛି । ଏହାବ୍ୟତୀତ, ସେ ଶ୍ରୀଖାରବେଳ (୧୯୬୧), ଖୁରୁଧା ଇତିହାସ (୧୯୬୯), ଶ୍ରୀଜୟଦେବ ଓ ଶ୍ରୀଗୀତାଗୋବିନ୍ଦ (୧୯୭୩), ଧଉଳିର ଇତିହାସ (୧୯୭୫), ‘Jagannath Temples in Eastern India’ (୧୯୭୭), ‘History of Orissa - Bhauma Kings of Orissa’ (2004) ପ୍ରଭୃତି ଗବେଷଣାତ୍ମକ ଗ୍ରନ୍ଥ ଲେଖିଯାଇଛନ୍ତି । ଆହୁରି ମଧ୍ୟ ଓଡ଼ିଶାର ଧର୍ମ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସାହିତ୍ୟ, ତାଳପତ୍ର ପୋଥି ସମ୍ବନ୍ଧିତ ତାଙ୍କର ଇଂରାଜୀ ଭାଷାରେ ୨୦୦, ଓଡ଼ିଆ ଭାଷାରେ ୩୦୦ ଓ ହିନ୍ଦୀ ଭାଷାରେ ୫ଟି ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶପାଇଛି । ‘ଶ୍ରୀଜୟଦେବ ଓ ଶ୍ରୀଗୀତଗୋବିନ୍ଦ’ ପୁସ୍ତକରେ କେଦାରନାଥ ଜୟଦେବଙ୍କୁ ଜଣେ ଓଡ଼ିଆ କବି ଏବଂ ଓଡ଼ିଶାର କେନ୍ଦୁବିଲ୍ଵ ବା କେନ୍ଦୁଲି ଗ୍ରାମର ବୋଲି ତଥ୍ୟ ଓ ପ୍ରମାଣ ସହ ପ୍ରତିପାଦନ କରିଛନ୍ତି । ଏହା ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ତାଙ୍କର ପ୍ରମୁଖ ଅବଦାନ ।

କେଦାରନାଥଙ୍କ ସଂପାଦନାରେ ତିନି ଖଣ୍ଡରେ ପ୍ରକାଶିତ ହୋଇଛି ‘Descriptive catalogue of Sanskrit Manuscripts - Volume 1, 2 and 3’; ଏହାର ପ୍ରଥମ ଖଣ୍ଡ (ସ୍ମୃତି)ରେ ସେ ୩୪ ଜଣ ବିସ୍ମୃତ ସ୍ମୃତିଲେଖକଙ୍କୁ ଲୋକଲୋଚନକୁ ଆଣିଛନ୍ତି । ଦ୍ଵିତୀୟ ଖଣ୍ଡ (କାବ୍ୟ, ଅଳଙ୍କାର ଓ ସଙ୍ଗୀତ ପୋଥି)ରେ ଓଡ଼ିଶାର ୧୦୮ ଜଣ ବିଶିଷ୍ଟ ସଂସ୍କୃତ ପଣ୍ଡିତ ଓ କବିଙ୍କ ସମ୍ବନ୍ଧରେ ସେ ଆଲୋଚନା କରିଛନ୍ତି । ତୃତୀୟଖଣ୍ଡ (ଗଣିତ, ଜ୍ୟୋତିଷ ପୋଥି)ରେ ସେ ଓଡ଼ିଶାରେ ବିଭିନ୍ନ ଅବ୍ଦର ପ୍ରଚଳନ ତଥା ଗଣିତ ଓ ଜ୍ୟୋତିଷଶାସ୍ତ୍ରର ରଚୟିତାଙ୍କ ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ଓଡ଼ିଆକାବ୍ୟ ‘କଳ୍ପଲତା’, ‘ଚାଟ ଇଚ୍ଛାବତୀ’, ‘ପରିମଳା’, ‘କଳାବତୀ’ ଓ ‘ପ୍ରେମଲୋଚନା’ର ସେ ସଂପାଦନା କରିଥିଲେ । ‘ଖୁରୁଧା ଇତିହାସ’ ଓଡ଼ିଶାରେ ମୋଗଲ ଓ ମରହଟ୍ଟାମାନଙ୍କ ରାଜତ୍ଵ, ଏବଂ ଖୁରୁଧା ରାଜବଂଶାବଳୀର ଏକ ପ୍ରମାଣିକ ଗ୍ରନ୍ଥ । ‘Jagannath Temples in Eastern India’ ପୁସ୍ତକରେ ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକ ସଂପର୍କରେ ବିଶଦ ବିବରଣୀ ପ୍ରଦତ୍ତ ହୋଇଛି । ପଣ୍ଡିତ ନୀଳମଣି ମିଶ୍ରଙ୍କ ଉଦ୍ୟମରେ କେଦାରନାଥ ମହାପାତ୍ରଙ୍କ ସ୍ମୃତି ରକ୍ଷାପାଇଁ ଭୁବନେଶ୍ଵର କେଦାରଗୌରୀ ମାର୍ଗରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଛି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll