ଶ୍ରୀ ଗୋପୀନାଥ ମହାନ୍ତି

ଆବିର୍ଭାବ :- ୨୦-୦୪-୧୯୧୪
ତିରୋଧାନ :- ୨୦-୦୮-୧୯୯୧
ଜନ୍ମସ୍ଥାନ :- ନାଗବାଲି ଗ୍ରାମ, କଟକ

ବିଶିଷ୍ଟ ଔପନ୍ୟାସିକ ଗୋପୀନାଥ ମହାନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନାଗବାଲି ଗ୍ରାମରେ ପିତା ସୂର୍ଯ୍ୟମଣି ମହାନ୍ତି ଓ ମାତା ଦୁର୍ଗାଦେବୀଙ୍କ ସୁଯୋଗ୍ୟ ସନ୍ତାନରୂପେ ଭୂମିଷ୍ଠ ହୋଇଥିଲେ । ଇଂରାଜୀ ସାହିତ୍ୟରେ ଏମ୍.ଏ. ଶିକ୍ଷା ସମାପନ କରି ସେ ୧୯୩୮ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ  ଏବଂ ୧୯୬୯ ମସିହା ମାର୍ଚ୍ଚ ମାସରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଶ୍ରୀ ମହାନ୍ତି କଟକ (୧୯୩୮-୩୯), ଯାଜପୁର (୧୯୩୯-୪୦), କୋରାପୁଟ(୧୯୪୦-୪୪), ଜୟପୁର (୧୯୪୪-୪୫), ବରଗଡ଼ (ଜାନୁଆରି ୧୯୪୫ - ନଭେମ୍ବର ୧୯୪୭), କଟକ (୧୯୪୮-୪୯), ଗଞ୍ଜାମର ଛତ୍ରପୁର, ଶେରଗଡ଼ ଓ ଆସ୍କାରେ ପ୍ରାୟ ବର୍ଷେ, ପୁନର୍ବାର କଟକରେ ତିନିବର୍ଷ (୧୯୪୯-୫୨), ରାୟଗଡ଼ା (୧୯୫୨-୫୪), ପୁରୀ (ନଭେମ୍ବର ୧୯୫୪ - ଅକ୍ଟୋବର ୧୯୫୬) ଓ ଶେଷରେ ବାରବର୍ଷ ପାଞ୍ଚମାସ ଭୁବନେଶ୍ଵରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଦାୟିତ୍ଵରେ ରହି ପ୍ରଥମ ଶ୍ରେଣୀ ପାହ୍ୟାର ପଦସ୍ଥ ଅଧିକାରୀ ଭାବରେ ଅବସର ଗ୍ରହଣ କରିଥିଲେ ।

ସରକାରୀ ସେବାରୁ ନିବୃତ୍ତ ହେଲାପରେ ଗୋପୀନାଥଙ୍କର ଜୀବନ ସାହିତ୍ୟ ସାଗରର ଉତ୍ତାଳ ତରଙ୍ଗରେ ତରଙ୍ଗାୟିତ ହୋଇଥିଲା । ମାକ୍ସିମ୍ ଗର୍କୀଙ୍କର ଲେଖାର ଓଡ଼ିଆ ଅନୁବାଦପାଇଁ ୧୯୭୦ରେ ସେ ବହୁ ଜନପ୍ରିୟ ସୋଭିଏଟ୍ ଦେଶ ନେହେରୁ ପୁରସ୍କାର ପାଇଥିଲେ । ୧୯୭୨ରେ ୟୁନାଇଟେଡ଼ କମର୍ସିଆଲ ବ୍ୟାଙ୍କ, ପୂର୍ବାଞ୍ଚଳ ଶାଖାର ନିର୍ଦ୍ଦେଶକ ଭାବରେ କିଛିଦିନ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୭୫ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟଦ୍ଵାରା ସେ  ସମ୍ମାନଜନକ ଡି.ଲିଟ୍ ଉପାଧିରେ ଭୂଷିତ ହୋଇଥିଲେ । ତଦୁପରାନ୍ତ ୧୯୭୯ରେ ସେ ୟୁ.ଜି.ସି. ଫେଲୋସିପ୍, କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ (ଦୁଇଥର: ୧୯୫୭-୬୨ ଏବଂ ୧୯୮୩-୮୮), ଭାରତ ସରକାରଙ୍କଦ୍ଵାରା ବହୁ ଲୋକପ୍ରିୟ ପଦ୍ମଭୂଷଣ ଉପାଧି (୧୯୮୧), ଉଚ୍ଚକୋଟିର ସୃଜନାତ୍ମକ ସାହିତ୍ୟପାଇଁ ଫେଲୋସିପ (୧୯୮୩) ଏବଂ 'ଅମୃତର ସନ୍ତାନ’ ଉପନ୍ୟାସ ପାଇଁ ଅଦ୍ଵିତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀ, 'ମାଟି ମଟାଳ’ ପାଇଁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର (୧୯୭୪) ଲାଭ କରିଥିଲେ ।

ଆନନ୍ଦର ଅନୁଭବପାଇଁ ଜୀବନ, ଜୀବନକୁ ଅନୁଭବିବାପାଇଁ ବିଭୋର ଆତ୍ମୀୟତା ଓ ସେଇ ନିବିଡ଼ ଆତ୍ମୀୟତାରୁ ଚହଟିଆସୁଥିବା ଅସରନ୍ତି ସୌରଭକୁ ଏବଂ ଜୀବନର ଚିରନ୍ତନତା ଓ ନାନ୍ଦନିକତାକୁ ସେ ଅସ୍ଥିମଜ୍ଜାଗତ କପାରିଥିଲେ । ଆକାଶରେ ଲହଡ଼ି ଭାଙ୍ଗୁଥିବା କଥାକୁହା ବଉଦ, ଢେଉଢେଉକା ବିସ୍ମୟକର ପାହାଡ଼ଶ୍ରେଣୀ, କେବେ ଥମୁନଥିବା କୋରାପୁଟିଆ ଜଙ୍ଗଲର ତନ୍ମୟ ଗୀତି ଓ କବିତା, ଅବିଶ୍ରାନ୍ତ ମହୋଦଧିର ନୀଳାଭ ମାଦକ-ରମଣୀୟତା ଓ ଉଚ୍ଚାଟ ଆକର୍ଷଣ ଏବଂ ପୁଲକିତ ବେଳାଭୂଇଁ ତାଙ୍କୁ ବିହ୍ଵଳ କରିଥିଲା । କୋଳାହଳପୂର୍ଣ୍ଣ ସହରୀ ବସତି, ଅରଣ୍ୟ ବସତିଗୁଡ଼ିକରେ ଓଂସ୍କୃତିର କୋଳାହଳ, ସେମାନଙ୍କ ନୀରବ ସଂଳାପ, ଅମାନିଆ ଲୁହ ଓ ବଞ୍ଚି ରହିବାର ସ୍ଵାଦ ଉପରେ ସେ ଋକ୍‍ଦ୍ରଷ୍ଟା ତଥା ସମାଜବିଜ୍ଞାନୀ ଭାବରେ ଉତ୍କୃଷ୍ଟ ଆଲୋଚନା କରିଛନ୍ତି ।

୧୯୪୦-୧୯୯୩ର ମଧ୍ୟବର୍ତ୍ତୀ କାଳରେ ସାହିତ୍ୟ ସାଧନା ମଧ୍ୟରେ ଶ୍ରୀ ଗୋପୀନାଥ ଛୋଟବଡ଼ ୨୫ଟି ଉପନ୍ୟାସ, ୧୧ଟି ଗଳ୍ପ ସଂକଳନ, ୨ଟି ଜୀବନୀ ଗ୍ରଛ, ୪ଟି ନାଟକ, ୨ଟି କବିତା ଗ୍ରନ୍ଥ, ୬ଟି ଅନୁବାଦ ଗ୍ରଛ, ଆଦିବାସୀ ଭାଷା ଓ ସାହିତ୍ୟ ଉପରେ ୫ଟି ଗବେଷଣାତ୍ମକ ପୁସ୍ତକ ଓ ଇଂରାଜୀରେ ଖଣ୍ଡିଏ ଜୀବନୀ ପୁସ୍ତିକା ଲେଖି ଓଡ଼ିଶାର ପୁରପଲ୍ଲୀରେ ଜନାଦୃତ ହୋଇଉଠିଥିଲେ । ମୃତ୍ୟୁପରେ ତାଙ୍କ ଲିଖିତ ଆଉ ତିନୋଟି ଗଳ୍ପ ସଂକଳନ ଯଥାକ୍ରମେ ୧୯୯୫, ୨୦୦୫ ଏବଂ ୨୦୦୭ରେ ଲୋକାର୍ପିତ ହୋଇଥିଲା ।

ଏମ୍.ଏ. ପଢୁଥିଲାବେଳେ ପାଶ୍ଚାତ୍ୟ ସାହିତ୍ୟର ୧୬ଟି ପାରିଭାଷିକ ସାହିତ୍ୟତତ୍ତ୍ଵକୁ ଦୈନନ୍ଦିନ ଜୀବନର ଉପଲକ୍ଷ ଦେଇ ‘କଳାଶକ୍ତି’ (୧୯୭୩ରେ ପ୍ରକାଶିତ) ଶୀର୍ଷକ ପୁସ୍ତକ ରଚନା କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ କିଛି ଗଳ୍ପ, ବାଇବେଲ୍ ଓ କୋରାନ୍‍ର ଅନୁବାଦ, କେତେକ ପ୍ରବନ୍ଧ, ସାରସ୍ଵତ ମୂଲ୍ୟ ବହନ କରୁଥିବା ଚିଠିପତ୍ର, ସ୍ମୃତିଲିପି ଓ ଦସ୍ତାବିଜ୍ ଏ ପର୍ଯ୍ୟନ୍ତ ଅପ୍ରକାଶିତ । ସେହି କାଳଜୟୀ ପ୍ରତିଭାସମ୍ପନ୍ନ ସାଧକଙ୍କର କାହାଣୀନିସୃତ ଆତ୍ମଜୀବନୀ ତିନିଖଣ୍ଡରେ ପ୍ରକାଶିତ ହୋଇଛି । ପ୍ରଖ୍ୟାତ ସାହିତ୍ୟସାଧକ ଫକୀରମୋହନ (୧୮୪୮-୧୯୧୮)ଙ୍କ ପରେ ଓଡ଼ିଆ ଗଦ୍ୟ ସାହିତ୍ୟରେ, ମୁଖ୍ୟତଃ, କଥାଶିଳ୍ପରେ, ମଣିଷର ମନଗହୀରରୁ ନୀରବ ଗୁଞ୍ଜରଣ ଏବଂ ଅତିଚେତନ ଓ ଅବଚେତନର ସକଳ ତାଡ଼ନାକୁ ଜୀଅନ୍ତା ଓଡ଼ିଆ ତୁଣ୍ଡଭାଷାରେ ପ୍ରକାଶ କରିବାର ଅଭୂତପୂର୍ବ ଦକ୍ଷତା ଗୋପୀନାଥଙ୍କର ହିଁ ରହିଥିଲା । ତାଙ୍କ ଉପନ୍ୟାସଗୁଡ଼ିକରେ ଉଚ୍ଚକୋଟିର ସାରସ୍ଵତ ସାହିତ୍ୟ ପ୍ରତିଭାର ସମ୍ୟକ ଚିତ୍ର ଦୃଶ୍ୟମାନ ହୁଏ । ‘ଦାଦିବୁଢ଼ା’ (୧୯୪୪), ‘ପରଜା’ (୧୯୪୫), ‘ଅମୃତର ସନ୍ତାନ’ (୧୯୪୯), ‘ଶିବଭାଇ’ (୧୯୫୫), ‘ଅପହଞ୍ଚ’ (୧୯୬୧), ‘ବଢ଼େଇ’ (୧୯୭୬) ଓ ‘ଅନାମ’ (୧୯୯୩) ଆଦିବାସୀମାନଙ୍କର ଜୀବନ ସଂଗ୍ରାମର କାହାଣୀ । ସଂଘାତ, ଆର୍ଥିକ ଶୋଷଣ, ଗୋତିପ୍ରଥା ଏବଂ ଅନ୍ୟାୟ ବିରୋଧରେ ହିଂସ୍ର ଆକ୍ରମଣ ତଥା ଜୀବନୋନ୍ମୁଖୀ ଦର୍ଶନକୁ ଭିତ୍ତିକରି ଏହି ସାତଟି ଉପନ୍ୟାସ ରଚିତ । ୧୯୪୦ ମସିହା ମଇ ମାସରୁ ୧୯୪୪ ମାର୍ଚ୍ଚ ପର୍ଯ୍ୟନ୍ତ କୋରାପୁଟରେ (ଦ୍ଵିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ୍ ତଥା ଏଜେନ୍ସି ମୁନ୍‍ସୀ ଭାବରେ) ସରକାରୀ ଚାକିରି କରୁଥିଲାବେଳେ ‘ଦାଦିବୁଢ଼ା’, ‘ପରଜା' ଉପନ୍ୟାସ, ‘କନ୍ଧ ଭାଷାତତ୍ତ୍ଵ’, ‘ଗଦବା ଭାଷା ପରିଚୟ’ ଓ ‘କନ୍ଧ ପରଜା ସଙ୍ଗୀତ’ ରଚନା କରିଥିଲେ ।


ରଚନାବଳୀ
ଗଳ୍ପ

Copyright © 2023 Odia Virtual Academy. All rights reserved      Total Visitors-   1

scroll