କବିବର ରାଧାନାଥ ରାୟ

ଆବିର୍ଭାବ :- ୨୮-୦୯-୧୮୪୮
ତିରୋଧାନ :- ୧୬-୦୪-୧୯୦୮
ଜନ୍ମସ୍ଥାନ :- କେଦାରପୁର, ସୋର, ବାଲେଶ୍ଵର

ଆଧୁନିକ ଓଡ଼ିଶାର ବାଲେଶ୍ଵର ଜିଲାସ୍ଥ ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ପିତା ସୁନ୍ଦରନାରାୟଣ ରାୟ ଓ ମାତା ତାରିଣୀ ଦାସୀଙ୍କ ଔରସରୁ ଜନ୍ମଲାଭ କରିଥିଲେ କାବ୍ୟ ସଂରଚନାର ସୁଦକ୍ଷ ବିନ୍ଧାଣି ତଥା ଓଡ଼ିଆ ସାହିତ୍ୟାକାଶର ମହାନ୍‍ ତେଜସ୍ଵୀ ସାଧକ କବିବର ରାଧାନାଥ ରାୟ । ଶୈଶବରେ ମାତୃବିୟୋଗ ତଥା ସ୍ୱୀୟ ରୁଗ୍‌ଣ ସ୍ୱାସ୍ଥ୍ୟ ସତ୍ତ୍ୱେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ରାଧାନାଥଙ୍କ ସାହିତ୍ୟ ସାଧନାକୁ ବ୍ୟାହତ କରିପାରି ନ ଥିଲା । ତତ୍କାଳୀନ ଶ୍ରେଷ୍ଠ ପଣ୍ଡିତ ଶ୍ରୀ ସଦାଶିବ ନନ୍ଦଙ୍କଠାରୁ ସେ ସଂସ୍କୃତ ଭାଷା ଓ ନାଟ୍ୟଶାସ୍ତ୍ରରେ  ଅଗାଧ ଜ୍ଞାନ ଅର୍ଜ୍ଜନ କରିଥିଲେ । କାବ୍ୟସାଧନାର ପ୍ରଥମ ପର୍ଯ୍ୟାୟରେ ରାଧାନାଥ ବଙ୍ଗଳାରେ କବିତା ରଚନା କରିଥିଲେ (କବିତାବଳୀ ଓ ଲେଖାବଳୀ) ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ସାଧନାକୁ ଓଡ଼ିଆ ଭାଷାରେ ପ୍ରତିଷ୍ଠିତ କରାଇ ନେଇଥିଲେ । ତାଙ୍କୁ ଆଧୁନିକ ଓଡ଼ିଆ କାବ୍ୟଧାରାର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । କିଟ୍‍ସ, ସ୍କଟ, ୱାଡ଼୍‍ସୱର୍ଥ, ଡ୍ରାଇଡ୍ରେନ୍‍ ଓ ଆଲେକ୍‍ଜାଣ୍ଡର ପୋପ ଆଦି ପ୍ରଖ୍ୟାତ ଇଂରାଜୀ କବିମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଓଡ଼ିଆ ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଥିଲେ । କେଦାରଗୌରୀ, ନନ୍ଦିକେଶ୍ୱରୀ, ଚିଲିକା, ମହାଯାତ୍ରା, ଯଯାତିକେଶରୀ, ତୁଳସୀ ସ୍ତବକ, ଉର୍ବଶୀ, ଦରବାର, ଦଶରଥ ବିୟୋଗ, ସାବିତ୍ରୀ ଚରିତ ଓ ମହେନ୍ଦ୍ରଗିରି ଆଦି ରାଧାନାଥଙ୍କର ଶ୍ରେଷ୍ଠ କାବ୍ୟକୃତି । ଲାଟିନ ଭାଷା କାବ୍ୟ ଅନୁକରଣରେ ଉଷା, ଚନ୍ଦ୍ରଭାଗା, ଓ ପାର୍ବତୀର ଅନୁସୃଜନ ତାଙ୍କର ଅଭୂତପୂର୍ବ ପାଣ୍ଡିତ୍ୟର ଦ୍ୟୋତକ । ଏହାଛଡ଼ା ସେ ବହୁ ଉନ୍ନତମାନର ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।  ସ୍କୁଲ ଇନ୍‌ସପେକ୍ଟର ଚାକିରି କରି ଓଡ଼ିଶାର ପ୍ରମୁଖ ଜାତୀୟତାବାଦୀ କବିଭାବେ ରାଧାନାଥ ପ୍ରସିଦ୍ଧି ଅର୍ଜ୍ଜନ କରିବା ସହ ଚାକିରି କ୍ଷେତ୍ରରେ ଇଂରେଜ ସରକାରଙ୍କ ରୋଷର ଶିକାର ହୋଇଥିଲେ ମଧ୍ୟ ବାମଣ୍ଡାର ରାଜା ସୁଢଳଦେବ ତାଙ୍କୁ କବିବର ଉପାଧିରେ ଭୂଷିତ କରିଥିଲେ ।  କିଛି ନେତୃସ୍ଥାନୀୟ ବଙ୍ଗାଳୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ଓଡ଼ିଆ ଙାଷାର ଅସ୍ତିତ୍ୱ ଲୋପ ପାଇବାକୁ ବସିଥିବାବେଳେ ଏହା ବିରୁଦ୍ଧରେ ସେ ବ୍ୟାସକବି ଫକୀରମୋହନ ଓ ଭକ୍ତକବି ମଧୁସୂଦନ ରାଓଙ୍କ ସହ ମିଶି ରୀତିମତଭାବେ ଏକ ଆନ୍ଦୋଳନ ଆରମ୍ଭ କରିଦେବା ସହ ବଙ୍ଗଳା ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଛାତ୍ରମାନଙ୍କପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ରଚନାର ସୂତ୍ରପାତ କରିଥିଲେ ଏବଂ ଏହି ଉଦ୍ୟମରେ ସଫଳ ମଧ୍ୟ ହୋଇଥିଲେ ।


ରଚନାବଳୀ
ଗୀତିକବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll